Unknown

 

 

 

 

 

 

 

 

 

 

 

 

ବିଷ୍ଣୁ କୂଟ

ଗଣେଶ ପ୍ରସାଦ ପରିଜା

 

ନିଜକଥା

 

ସେଦିନ କଥା ପ୍ରସଙ୍ଗରେ ପୂଜ୍ୟ ମହତାବ ବାବୁ (ଡଃ ହରେକୃଷ୍ଣ ମହତାବ) କହୁଥିଲେ ଟଙ୍କାଟାଏ ପଢ଼ିଲେ ଚାରିଅଣା ପ୍ରକାଶ କରିହେବ । ପ୍ରକୃତରେ କିଛି ନ ଜାଣିଲେ ଲେଖିହେବ ନାହିଁ-। ଯେଉଁମାନେ ଭାବନ୍ତି ପାଠ ନ ପଢ଼ିଲେ ମଣିଷର ଏଭଳି କିଛି କ୍ଷତି ହୁଏ ନାହିଁ, ତାଙ୍କର ସେ ଭାବନା କେବେ ଠିକ୍ ନୁହେଁ ବୋଲି ମୋର ଧାରଣା । ଜ୍ଞାନ ଆହାରଣ ନ କଲେ ମଣିଷ ଜୀବନର ସାର୍ଥକତା କାହିଁ ? ସେହି ଜ୍ଞାନ ପାଇଁ ପଢ଼ିବାକୁ ହୁଏ ଏବଂ ସେହିଭଳି କିଛି ଜାଣିଲେ ଅନ୍ୟଙ୍କୁ ତାର ମାଧୁର୍ଯ୍ୟ ଚଖେଇବାକୁ ଇଚ୍ଛା ହୁଏ । ଯଦି ବ୍ୟକ୍ତିର ପ୍ରକାଶ କରିବାର ଶକ୍ତି ଥାଏ ତେବେ ସେ ଲେଖାଲେଖି କରି ବା ବକ୍ତୃତା ଦେଇ ଅନ୍ୟଙ୍କୁ ତାର ଜାଣିଥିବା ଜ୍ଞାନରୁ କିଛି ଜଣାଏ-। ଗଳ୍ପଭଙ୍ଗିରେ ଜ୍ଞାନ ପ୍ରକାଶ କରିବା ବୈଦିକ ଯୁଗରୁ ମାନବ ସମାଜରେ ପ୍ରଚଳିତ । ପ୍ରକୃତରେ ଗଳ୍ପ ଲେଖିଲେ ଲୋକେ ଯେତେ ପଢ଼ିବାକୁ ଆଗ୍ରହୀ ପ୍ରବନ୍ଧରେ ସେତେ ନୁହେଁ । ପ୍ରଥମେ ମୁଁ ଗଳ୍ପ ଲେଖୁ ନଥିଲି । ଦୀର୍ଘଦିନ ପ୍ରବନ୍ଧ ଲେଖିଲା ପରେ ଗଳ୍ପଲେଖା ଆରମ୍ଭ କଲି । ଗଳ୍ପରେ ନୂତନତ୍ୱ ଥିଲେ ପାଠକମହଲ ସ୍ୱତଃ ପ୍ରଶଂସା କରିଥାନ୍ତି । ମୂଳରୁ ମୁଁ ପୁରାଣ ଭିତରେ ନିଜକୁ ମିଶାଇ ଦେଇଥିବାରୁ ପୌରାଣିକ ବିଷୟକୁ ନୂତନ ଢାଞ୍ଚାରେ ପ୍ରକାଶ କରିବାକୁ ଇଚ୍ଛା ହେଲା । ବୈଦିକଶାସ୍ତ୍ର, ପୁରାଣ, ବୌଦ୍ଧଶାସ୍ତ୍ରାଦି ପାଠକରି ତନ୍ମଧ୍ୟରୁ କେତେକ ଏବଂ ମୋ ନିଜସ୍ୱ କେତେକ ଗଳ୍ପ ମାସିକ ପତ୍ରିକାମାନଙ୍କରେ ପ୍ରକାଶ କରି ଦେଖିଲି ପାଠକ ସମାଜ ବେଶ୍ ଆଗ୍ରହରେ ତାହା ପାଠ କରୁଛନ୍ତି । ଏହି ବିଷୟ ଲେଖିବାକୁ ପୌରୁଷର ସମ୍ପାଦକ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରେରଣା ବିଶେଷ ଉଲ୍ଲେଖଯୋଗ୍ୟ । ପ୍ରଜାତନ୍ତ୍ରରେ ସେ ଯେତେବେଳେ ସମ୍ପାଦକ ଥିଲେ ସେହି ସମୟରୁ ତାଙ୍କ ସହିତ ସମ୍ପର୍କ ରଖି ଲେଖାଲେଖି କରି ଆସିଥିଲି । ସେ ଯେତେବେଳେ ‘ପୌରୁଷ’ ପ୍ରକାଶ କଲେ ସେତେବେଳେ ତାଙ୍କର ଆବଶ୍ୟକୀୟ ବିଷୟ ଲେଖିବାକୁ କହିଲେ ଓ ମୁଁ ସେସବୁ ଗଳ୍ପ ବା ପ୍ରବନ୍ଧ ଆକାରରେ ଦେଇ ଆସିଛି ।

 

ଏହି ପୁସ୍ତକରେ ପ୍ରକାଶ ପାଇଥିବା ଅଧିକାଂଶ ଗଳ୍ପ ପୌରୁଷରେ ପ୍ରକାଶ ପାଇସାରିଛି । ଏହି ଗଳ୍ପଗୁଡ଼ିକ ଯେ ବର୍ଷେ କିମ୍ୱା ଦୁଇବର୍ଷ ମଧ୍ୟରେ ରଚନା କରିଛି ଏହା ନୁହେଁ । ନିଜ ମନରୁ ଗପ ସୃଷ୍ଟି ନ କରି କିମ୍ୱଦନ୍ତୀ ବା ପୁରାଣ ଇତିହାସର ବିଷୟବସ୍ତୁ ନିଜ ଭାଷାରେ ପ୍ରକାଶ କରିବାକୁ ମୁଁ ବେଶୀ ପସନ୍ଦ କରେ । ସେହି ସବୁ ବିଷୟକୁ ନୂତନ ଆଭିମୁଖ୍ୟ ଦେଇ ପ୍ରକାଶ କଲେ ପ୍ରକୃତରେ ତାହା ବେଶୀ ଲୋକସମାଜରେ ଆଦୃତ ହେବ ଏହା ମୋର ଧାରଣା । ସେହିଭଳି ତନ୍ତ୍ରଗଳ୍ପଗୁଡ଼ିକ ମଧ୍ୟ ଲେଖି ଦେଖିଛି ବହୁ ଜ୍ଞାନୀଲୋକ ତାହା ପାଠ କରି ଆନନ୍ଦ ପ୍ରକାଶ କରନ୍ତି ।

 

ଅଧ୍ୟାପକ ଶ୍ରୀ ଚିନ୍ତାମଣି ବେହେରାଙ୍କ ସମ୍ପର୍କରେ ଆସି ତାଙ୍କର ଯେଉଁ ସହଯୋଗ ପାଇଛି ସେଥିପାଇଁ ମୋର ଏହି ‘ବିଷ୍ଣୁକୂଟ’ଟି ତାଙ୍କୁ ସମର୍ପଣ କରୁଛି । ଶ୍ରଦ୍ଧେୟ ପ୍ରଶାନ୍ତ ବାବୁଙ୍କ ଅନୁରୋଧକୁ ଏଡ଼ି ନପାରି ଏଣେତେଣେ ପଢ଼ିଥିବା କ୍ଷୁଦ୍ର ଗଳ୍ପଗୁଡ଼ିକୁ ତାଙ୍କ ହାତରେ ପ୍ରାୟ ୮।୧୦ ମାସ ତଳେ ଟେକି ଦେଇଥିଲି । ସେ ଯେ ଏତେଶୀଘ୍ର ତାହା ପ୍ରକାଶ କରିପାରିଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଉଛି । ଲେଖକର ଧର୍ମ ପାଠକଙ୍କୁ ମୂର୍ଖତାରୁ ଦୂରେଇନେଇ କର୍ମୀ ଓ ଜ୍ଞାନୀକରି ତୋଳିବ । ସେହି ଧର୍ମ କେତେଦୂର ମୁଁ ରକ୍ଷା କରିପାରିଛି ତାହା ପାଠକ କହିବେ ।

 

ବହିଟିର ମୁଖବନ୍ଧ ଲେଖିବାକୁ ଯେତେବେଳେ ଡଃ ଅର୍ଜ୍ଜୁନ ଯୋଷୀଙ୍କୁ ମୁଁ ଅନୁରୋଧ କଲି ସେତେବେଳେ ସେ ତାହା ଲେଖି ଦେବାକୁ ଆଗ୍ରହ ପ୍ରକାଶ କଲେ । ସେଥିପାଇଁ ତାଙ୍କୁ ମୋର କୃତଜ୍ଞତା ଜଣାଉଛି । ବହିଟି ଯଦି ଓଡ଼ିଆ ପାଠକ ପାଠିକାଙ୍କ ନିକଟରେ ଆଦୃତ ହୁଏ ତେବେ ମୁଁ ଆନନ୍ଦିତ ହେବି ।

 

ଲେଖକ

☆☆☆

 

ମୁଖବନ୍ଧ

 

ଗଳ୍ପ ଶୁଣିବା ମଣିଷର ଏକ ଆଦିଆ ପ୍ରବୃତ୍ତି । ସେଥିପାଇଁ ଶିଶୁ ତାର ‘ଆଈମା’ ପାଖରେ ଗପ ଶୁଣିବାକୁ ବସିପଡ଼େ । ପ୍ରତ୍ୟେକ ସାହିତ୍ୟରେ ମଣିଷ କଥା କହିବା ଶିଖିବ ଦିନଠାରୁ ଅନେକ କାହାଣୀ ଲୋକକଥା ମାଧ୍ୟମରେ ରହିଆସିଛି । କଲୁରେଇ ବେଣ୍ଟ କଥା, ଡାଳିମ୍ୱକୁମର କଥା, ଟାକୁଆ କୁମ୍ଭୀର କଥା, ଚକୁଳିଆ ପଣ୍ଡା କଥା, ଜାତକ କଥା, ଗସିପ, ଆରବୀୟାନ ନାଇଟ୍, ଇଜିପ୍ଟର ଲୋକ କଥା ଇତ୍ୟାଦି ବହୁ କାହାଣୀ ପ୍ରତ୍ୟେକ ଦେଶ ମହାଦେଶରେ ପ୍ରଚଳିତ । ଏହାର ଲିଖିତ ରୂପ ବହୁ ପରବର୍ତ୍ତୀ ।

 

ସଂସ୍କୃତରେ ବାଣଭଟ୍ଟଙ୍କର ‘କାଦମ୍ୱରୀ’, ଓଡ଼ିଶାର କବି ବିଷ୍ଣୁ ଶର୍ମାଙ୍କର ‘ପଞ୍ଚତନ୍ତ୍ର’ ବହୁ ପ୍ରସିଦ୍ଧ । ପରବର୍ତ୍ତୀ ସମୟରେ ‘ସୋମନାଥ ବ୍ରତ କଥା’, ‘ବତ୍ରିଶ ସିଂହାସନ କଥା’ ଶ୍ରୋତାମାନଙ୍କ କାହାଣୀର ଆମୋଦ ପରିବେଷଣ କରି ଆସିଅଛି । କେବଳ ସେତିକି ନୁହେଁ ପ୍ରତ୍ୟେକ ଭାଷାର ଆଦିରୂପ କାହାଣୀ ବା ଉପାଖ୍ୟାନ ମାଧ୍ୟମରେ ପର୍ଯ୍ୟବେଶିତ ।

 

ଓଡ଼ିଆ ସାହିତ୍ୟରେ ମହାଭାରତ, ରାମାୟଣ, ଭାଗବତ, ବିଷ୍ଣୁ ପୁରାଣ, ହରିବଂଶ ଇତ୍ୟାଦି ପାଠକଙ୍କୁ ଆଉ ଯାହା ହେଉନା କାହିଁକି କାହାଣୀର ଖୋରାକ ଯୋଗାଇ ଆସିଛି । କାହାଣୀ ଉପାଖ୍ୟାନର ଆଦି ରୂପରେ ବାସ୍ତବତା ପ୍ରତି ଦୃଷ୍ଟି ଦିଆଯାଇ ନାହିଁ । ଏହିସବୁ ଉପାଖ୍ୟାନରେ ଅନେକତ୍ର ଜୀବଜନ୍ତୁ ସମୂହ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । କେତେକ କ୍ଷେତ୍ରରେ ନୀତି ଶିକ୍ଷର ମଧ୍ୟ କାହାଣୀ ଉପାଖ୍ୟାନର ମୁଖ୍ୟ ବିଭବ ରୂପେ ପ୍ରତିଭାତ ହୋଇଥାଏ ।

 

ବିଭିନ୍ନ କାରଣରୁ ଏହିସବୁ ଉପାଖ୍ୟାନ ପଦ୍ୟ ରୂପରେ ପ୍ରକାଶିତ । ଓଡ଼ିଆ ସାହିତ୍ୟରେ ମଧ୍ୟ ଏହା ପ୍ରଥମେ ପଦ୍ୟ ରୂପରେ ଓ ପରେ ‘ରୁଦ୍ର ସୁଧାନିଧି’ ଓ ‘ଚତୁର ବିନୋଦ’ ଆଦି ପଦ୍ୟାତ୍ମକ ଗଦ୍ୟରେ ଦେଖିବାକୁ ମିଳେ । ମୁଦ୍ରା ଯନ୍ତ୍ରର ଆବିଷ୍କାର ପରେ କାହାଣୀ ଗଦ୍ୟ ମାଧ୍ୟମରେ ପ୍ରକାଶ ପାଇବାକୁ ଲାଗିଲା । କ୍ରମଶଃ ପୌରାଣିକ ଉପାଖ୍ୟାନ ଅନ୍ତର୍ହିତ ହୋଇ ସାଧାରଣ ମଣିଷର ଜୀବନ ଗଳ୍ପର ମୁଖ୍ୟ ଉପଜିବ୍ୟ ହେଲା । ଏହି ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟରେ କେବଳ ସୁରେନ୍ଦ୍ର ମହାନ୍ତି କେତେକ ବୌଦ୍ଧ ଉପାଖ୍ୟାନକୁ କେତେକ ଗଳ୍ପରେ ପ୍ରକାଶ କଲେ ।

 

ସୁରେନ୍ଦ୍ର ମହାନ୍ତିଙ୍କ ଘରେ ବିଭିନ୍ନ ଉପାଖ୍ୟାନ, ଓଡ଼ିଶାରେ ବୌଦ୍ଧତନ୍ତ୍ର, ସଂସ୍କୃତି ଓ ଜନଶ୍ରୁତିକୁ ନେଇ ଗଳ୍ପ ରଚନା କରିବା କ୍ଷେତ୍ରରେ ଶ୍ରୀ ଗଣେଶ ପ୍ରସାଦ ପରିଜାଙ୍କର ବିଭିନ୍ନ ଗଳ୍ପ ଦୃଷ୍ଟିଗୋଚର ହୁଏ । ଏଥି ପୂର୍ବରୁ ଥିଲା ଶ୍ରୀ ପରିଜାଙ୍କର ‘ଯୁଗେ ଯୁଗେ ଜଗନ୍ନାଥ’, ‘ମହାପ୍ରଭୁ ଜଗନ୍ନାଥ’, ‘ଯୁଗେ ଯୁଗେ ବୌଦ୍ଧଗଳ୍ପ ଉପାଖ୍ୟାନ’ ଓ ଜନଶ୍ରୁତି ଉପରେ ଆଧାରିତ ଗଳ୍ପ ସଙ୍କଳନ । ଏହି ସଙ୍କଳନସ୍ଥ ଗଳ୍ପସମୂହ ହୃଦୟସ୍ପର୍ଶୀ, ଆନ୍ତରିକ ଓ ସଫଳ ସୃଷ୍ଟି ।

 

ଉକ୍ତ ବିଷ୍ଣୁକୂଟ ସଙ୍କଳନରେ ସର୍ବମୋଟ ୧୩ଟି ଗଳ୍ପ ସନ୍ନିବେଶିତ । ଏଥି ମଧ୍ୟରୁ ‘ସୁନ୍ଦରୀ ଇଳା’ ଓ ‘ଦଣ୍ଡକାରଣ୍ୟ’ ବାଲ୍ମୀକି ରାମାୟଣ ଉତ୍ତରାକାଣ୍ଡରୁ ‘ମହାଯଜ୍ଞ’ ‘ମହାମାନବ’ ବୌଦ୍ଧ ସାହିତ୍ୟରୁ; ‘ନିର୍ବାସିତ’, ରାମାୟଣ ଓ ଦେବୀ ଭାଗବତ ଏବଂ ‘ବାରାହୀପୁତ୍ତ’ ଗୋଟିଏ କିମ୍ୱଦନ୍ତୀ ଉପରେ ଆଧାରିତ । ଏତଦ୍ ବ୍ୟତୀତ ଅନ୍ୟ ଗଳ୍ପଗୁଡ଼ିକ ଶ୍ରୀ ପରିଜାଙ୍କର ନିଜସ୍ୱ ମୌଳିକ ସୃଷ୍ଟି । କିନ୍ତୁ ଚରିତ୍ର ସମୂହ ଏଭଳି ଭାବରେ ନିର୍ବାଚିତ ଯେ ପ୍ରତ୍ୟେକ କୌଣସି ପୌରାଣିକ ଉପଖ୍ୟାନ ଉପରେ ଆଧାରିତ ହେବା ଭଳି ମନେହୁଏ ଏବଂ ଏହାହିଁ ବୋଧହୁଏ ଶ୍ରୀ ପରିଜାଙ୍କର ବିଶେଷତ୍ୱ ।

 

ଏହି ସଙ୍କଳନସ୍ଥ ଗଳ୍ପ ସମୂହର ଅନ୍ତରଙ୍ଗ ଶୈଳୀ, ହୃଦୟସ୍ପର୍ଶୀ ଭାଷା ଏବଂ ଗତିଶୀଳ ବିଷୟବସ୍ତୁ ଯେ କୌଣସି ପାଠକକୁ ଆକୃଷ୍ଟ କରିବ, ଏଥିରେ ସନ୍ଦେହ ନାହିଁ । ଗଳ୍ପଗୁଡ଼ିକର ପରିବେଶ ଏତେ ବିଶ୍ୱାସଯୋଗ୍ୟ ଯେ, ପାଠକ ଗଳ୍ପ ପଠନ ଆରମ୍ଭ କରିବା ମାତ୍ରେ ଶେଷ ନକରି ରହିପାରେନା ଏବଂ ପରିଶେଷରେ ସେ ସିଦ୍ଧାନ୍ତ କରି ନିଏ ଯେ, ଏହା କୌଣସି ନା କୌଣସି କିମ୍ୱଦନ୍ତୀ କିମ୍ୱା ଉପାଖ୍ୟାନ ଉପରେ ଆଧାରିତ ।

 

ଓଡ଼ିଆ ସାହିତ୍ୟରେ ଏହି ବିଷ୍ଣୁକୂଟ ସଙ୍କଳନ ଭିନ୍ନଧର୍ମୀ ଏବଂ ଭିନ୍ନ ସ୍ୱାଦର । ସୁଧୀ ପାଠକ ମହଲରେ ଏହା ଯେ ନିଶ୍ଚିତ ଭାବରେ ଆଦୃତ ହେବ, ଏଥିରେ ସନ୍ଦେହ ନାହିଁ ।

 

ପରିଶେଷରେ ଶ୍ରୀ ପରିଜାଙ୍କ ଲେଖନୀର ଉତ୍ତରୋତ୍ତର କାମନା କରୁଛି ।

 

।। ଇତି ।।

ଶ୍ରୀ ଅର୍ଜୁନ ଯୋଷୀ

ତା ୪ । ୯ । ୧୯୭୯

☆☆☆

 

ସୂଚୀପତ୍ର

 

୧.

ବିଷ୍ଣୁ କୂଟ

୨.

ଦର୍ପୀ

୩.

ନରମେଧ ଯଜ୍ଞ

୪.

ମୃତ୍ୟୁ ଦେବତା

୫.

ଦୂରନ୍ତ ଶ୍ମଶାନ

୬.

ସାବିତ୍ରୀ

୭.

ସୁନ୍ଦରୀ ଇଳା

୮.

ମହାଯଜ୍ଞ

୯.

ମହାମାନବ

୧୦.

ନିର୍ବାସିତ

୧୧.

ନିସନ୍ତାନ ହାତ

୧୨.

ଦଣ୍ଡକାରଣ୍ୟ

୧୩.

ବାରାହୀପୁତ୍ତ

୧୪.

ମୃତ୍ୟୁଛାୟା

☆☆☆

 

ବିଷ୍ଣୁ କୂଟ

 

ଦୀର୍ଘ ଦୁଇବର୍ଷ ଗତ ହୋଇଯାଇଛି । ଏହି ଦୁଇ ବର୍ଷରେ ବସୁଧା ଉପରେ ଗୋଟିଏ ବିନ୍ଦୁ ବି ଜଳ ପଡ଼ିଲା ନାହିଁ । ନଦୀ ତଡ଼ାଗ ଆଦିରେ ଯେଉଁଠି କି ଜଳ ଭଣ୍ଡାର ଥିଲା ତାହା ସୁଖି ପଡ଼ିଛି । ମତ୍ସାଦି ଜଳଚରଙ୍କର ଗନ୍ଧ ନାହିଁ । ଦୁଇ ବର୍ଷର ପ୍ରଚଣ୍ଡ ଖରାରେ ହ୍ରଦଗୁଡ଼ିକ ମଧ୍ୟ ଶୁଖିଗଲାଣି । ସମୁଦ୍ରର ଅବସ୍ଥା ତତୋଧିକ ।

 

ବସୁଧାର ଲୋକମାନେ ମୁଦିଏ ଜଳ ପାଇଁ ଯେଉଁ ଡହଳ ବିକଳ ତାହା ଦେଖି ଆକାଶରେ କାଁ ଭାଁ ଭାଷିଯାଉଥିବା ଧଳା ଧଳା ମେଘଖଣ୍ଡ ମୁରୁକି ହସା ଦେଉଛନ୍ତି । ଛୋଟ ଛୋଟ ଗୁଳ୍ମ ଲତାଙ୍କ କଥା କିଏ ପଚାରେ ବଡ଼ ବଡ଼ ମହିରୁହ ମରି ଖେଣ୍ଟା । ଖାଲି ଧୁ ଧୁ ହୋଇ ପବନ ବହୁଛି, ସେ ପବନରେ ଟିକିଏ ହେଲେ ଶୀତଳତା ନାହିଁ, ବରଂ ଉଷ୍ମତାରେ ଦେହ ଜଳିଯାଏ ।

 

ପ୍ରଥମ ବର୍ଷ ଦ୍ୱିତୀୟ ବର୍ଷ ଲୋକେ ଲାଗିପଡ଼ିଲେ କିପରି ବର୍ଷା ହେବ ତାର ବ୍ୟବସ୍ଥା ପାଇଁ । ବୈଜ୍ଞାନିକଗଣ ତାଙ୍କର ବୁଦ୍ଧି ଖଟାଇ ଚେଷ୍ଟା କଲେ କିପରି ବର୍ଷା ହେବ । ବିଭିନ୍ନ ଧର୍ମର ପୁରହିତମାନେ ନିଜ ନିଜର ଧର୍ମ ଗ୍ରନ୍ଥାନୁଯାୟୀ ପୂଜା ଉପାସନା ମାଧ୍ୟମରେ ଚେଷ୍ଟା କଲେ ଜଳ ବର୍ଷା ପାଇଁ । ଦେଶର ସବୁ ପ୍ରାନ୍ତର ପୂଜା, ଯଜ୍ଞ, ଭଜନ, କୀର୍ତ୍ତନରେ ମୁଖରୀତ ।

 

କିନ୍ତୁ ସବୁ ସତ୍ତ୍ୱେ ଜଳ ବର୍ଷା ନାସ୍ତି । ବେଳେ ବେଳେ ଆକାଶରେ ଖଣ୍ଡେ ଲେଖାଁ ବଉଦ ଉଠି ଆସେ । ଲୋକମାନେ ଭାବନ୍ତି ମେଘ ହେବ ପରା–କିନ୍ତୁ କିଛି ନାହିଁ । ଲୋକଙ୍କ ଆଶା ଭରସା ଶୂନ୍ୟେ ଶୂନ୍ୟେ ମିଳାଇ ଯାଏ । ଯେଉଁ ହତାଶାକୁ ସେହି ହତାଶା ।

 

ଦ୍ରୋଣ, ଆବର୍ତ୍ତକ ଆଦି ମେଘମାନେ ଚନ୍ଦ୍ରଙ୍କ ଅଧୀନରେ । ଇନ୍ଦ୍ର ଆଦେଶ ଦେଲେ ବର୍ଷା କରିବା କଥା । ମାତ୍ର ଦୁଇବର୍ଷ ଗତ ହୋଇ ଗଲାଣି । ଇନ୍ଦ୍ର ବର୍ଷାପାଇଁ ଆଦେଶ ତଥା ଯେତେ ଜରୁରୀ ଆଦେଶ ହେଲେ ମଧ୍ୟ ମେଘମାନେ ମାନିବାକୁ ମୋଟେ ପ୍ରସ୍ତୁତ ନୁହନ୍ତି । ସେମାନେ ସିଧା ସିଧି ଭାବେ ଇନ୍ଦ୍ରଙ୍କୁ କହି ଦେଇଛନ୍ତି ଯେଉଁ ପୃଥିବୀ ଅନ୍ୟାୟ ଅନୀତିରେ ପୂର୍ଣ୍ଣ, ସେ ପୃଥିବୀରେ ବର୍ଷାକରି ଲାଭ କଣ ? ଗୁଡ଼ିଏ କଳଙ୍କିତ ଲୋକଙ୍କୁ ବଞ୍ଚାଇବାକୁ ସେମାନେ ଏତେ ପରିଶ୍ରମ କରିବେ କାହିଁକି ?

 

ସୋରିଷରେ ଅଗରାମଞ୍ଜି ମିଶି ପେଡ଼ା ହେଲା, ତାହାକୁ ଖାଇ ଗରୀବ ନି ପାରିଲା ଲୋକେ ବେମାର ହେଲେ । ସେହିଭଳି ଅଟାରେ ତେନ୍ତୁଳି ମଞ୍ଜି ଚୂନା ମିଶିଲା, ଚାଉଳରେ ଗୋଡ଼ି ମିଶିଲା, ଗାଈ-ମଇଁଷିଙ୍କ ଘିଅରେ ଅଖାଦ୍ୟ ଗନ୍ଧହୀନ ତୈଳ ମିଶିଲା । ଯେଉଁ କ୍ଷୀର ଖାଇ ଶିଶୁ ଜୀବନ ଧାରଣ କରେ ସେ କ୍ଷୀରରେ ଯାହା ତାହା ପାଣି ମିଶିଲା, ଯେଉଁଠି ଦେଖିବ ଖାଲି ଭେଜାଲର କାରବାର–ଦରିଦ୍ର ନପାରିଲା ଲୋକଙ୍କ ମରୁଡ଼ି । ତେଣୁ କେବଳ ଗରିବ ନ ପାରିଲା ଲୋକେ ମରିବେ କାହିଁକି–ମରନ୍ତୁ ସମସ୍ତେ

 

ଗରୀବଙ୍କ ତଣ୍ଟିଚିପି ଯେଉଁ କେତେଜଣ ଧନୀ ସାହୁକାର ରାଜା ମହାରାଜାଙ୍କ ଭଳି ହୋଇଛନ୍ତି ତାଙ୍କରି ପ୍ରଦତ୍ତ ସେବା ପୂଜାରେ ଇନ୍ଦ୍ରାଦି ଦେବତା ସନ୍ତୁଷ୍ଟ ହୋଇ ତାଙ୍କୁ ଜଳ ବର୍ଷିବା ପାଇଁ କହିଲେ ସେମାନେ ତାହା ମାନିବେ କାହିଁକି ? ତେଣୁ ସେମାନେ ସମସ୍ତେ ଏକତ୍ରୀତ ହୋଇ ସ୍ଥିର କଲେ ଇନ୍ଦ୍ରାଦି ଦେବତାଙ୍କୁ ଯେତେ କହିଲେ ମଧ୍ୟ ସେ ତାଙ୍କ କଥା ମାନିବେ ନାହିଁ । ଇନ୍ଦ୍ର କାହିଁକି ବ୍ରହ୍ମାବିଷ୍ଣୁ ବି କହିଲେ ନୁହେଁ ।

 

ମେଘମାନେ ଇନ୍ଦ୍ରଙ୍କର କେଉଁ ଦରମାଖିଆ ଚାକିରିଆ ହୋଇଛନ୍ତି ଯେ, ସେମାନେ ତାଙ୍କ କଥା ନ ମାନିଲେ ତାଙ୍କର ଦରମା ବନ୍ଦକରି ଦେବେ ?

 

ମେଘମାନେ ଯେତେବେଳେ ଇନ୍ଦ୍ରଙ୍କ କଥା ମାନିଲେ ନାହିଁ ଇନ୍ଦ୍ର ବାଧ୍ୟ ହେଲେ ମେଘଙ୍କ ମେଳି କଥା ବ୍ରହ୍ମାଙ୍କୁ ଜଣାଇବାକୁ । ବ୍ରହ୍ମା ସୃଷ୍ଟି କର୍ତ୍ତା, ସେ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି–ସେ ବୁଝନ୍ତୁ ମେଘମାନଙ୍କ ବିଷୟ । ଲୋକେ ଭୁଲ କରିବେ ବୋଲି କଣ ମେଘମାନେ ଭୁଲ କରିବେ । ତାହାହେଲେ ଦେବତା ମଣିଷଙ୍କ ମଧ୍ୟରେ ପ୍ରଭେଦ କଣ ରହିବ ?

 

ମହାବିଷ୍ଣୁ ବ୍ରହ୍ମାଙ୍କୁ ସୃଷ୍ଟି ତଥା ପାଳନଭାର ଦେଇ ଖିର ସମୁଦ୍ରରେ ବିଶ୍ରାମ ନେଇଛନ୍ତି । ତେଣୁ ବ୍ରହ୍ମା ବୁଝନ୍ତୁ ତାଙ୍କ ସୃଷ୍ଟି କଥା । ହୁଏତ ମେଘମାନଙ୍କୁ ବର୍ଷା କରିବାକୁ ପ୍ରବର୍ତ୍ତାନ୍ତୁ ନଚେତ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରି ନୂତନ ମେଘ ସୃଷ୍ଟି କରନ୍ତୁ ।

 

ବ୍ରହ୍ମାଙ୍କ ପାଖରେ ଇନ୍ଦ୍ର ମେଘମାନଙ୍କ କଥା ଜଣାଇଲେ । ଇନ୍ଦ୍ରଙ୍କ ପଛେ ପଛେ ଯମ ପହଞ୍ଚି ନିଜ ଦୁର୍ଦ୍ଦଶା ଜଣାଇ କହିଲେ, ମୁଁ ବର୍ତ୍ତମାନ ଅକର୍ତ୍ତବ୍ୟ ହୋଇ ପଡ଼ିଲାଣି । ଏଣିକି ମୋ ଭାର ଅନ୍ୟକୁ ଦିଅନ୍ତୁ । ମୁଁ ଟିକିଏ ବିଶ୍ରାମ ନିଏ ।

 

ବ୍ରହ୍ମା କାରଣ ଜିଜ୍ଞାସା କରନ୍ତେ ସେ କହିଲେ, ବସୁଧା ବର୍ତ୍ତମାନ ଜୀବଶୂନ୍ୟ ହେବାପାଇଁ ବସିଲାଣି । ଜଳ ବିହୁନେ ପୃଥ୍ୱୀ ନାଶ । ଦୀର୍ଘ ଦୁଇବର୍ଷ ବର୍ଷା ନ ହେବାଦ୍ୱାରା ମର୍ତ୍ତ୍ୟରେ ଦୁର୍ଭିକ୍ଷ ପଡ଼ିଛି । ପ୍ରତିଦିନ ଅସମ୍ଭବ ଭାବେ ଲୋକେ ମରୁଛନ୍ତି । ମୋ ଲୋକେ କେତେ ବୋହିବେ ସେ ମଲାଜୀବଙ୍କୁ । ପ୍ରଥମେ ସାଧାରଣ ଲୋକ ଗୁଡ଼ିକ ମରୁଥିଲେ–ବର୍ତ୍ତମାନ ଯେଉଁ ଲୋକମାନେ ମରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ପୃଥୁଳ ଦେହଧାରୀ । ବୋହି ବୋହି ମୋ ଲୋକେ କ୍ଳାନ୍ତ ହୋଇ ପଡ଼ିଲେଣି । ଏଣେ ପୁଣି ମୋର ପାଞ୍ଜିଆ ଜଣେ । ପ୍ରତ୍ୟେକଙ୍କର ଭଲ ମନ୍ଦ ସେ କହିଲେତ ବିଚାରକରି କହିବି ସେ କେଉଁ ଦଣ୍ଡ ପାଇବେ । ପୁଣି ମୋ ପାଞ୍ଜିଆ ଚିତ୍ରଗୁପ୍ତ ସବୁଦିନେ ମୋତେ କହୁଛି ମୋଟୁଆ ମୋଟୁଆ ପେଟୁଆ ପେଟୁଆ ଲୋକ ଗୁଡ଼ାକ ତାକୁ କହୁଛନ୍ତି ତୁମେ ଆମକୁ ଛାଡ଼ି ଦେବାକୁ ବ୍ୟବସ୍ଥାକର ଆମେ ତୁମ ପାଉଣା ଗଣ୍ଡାକ ଦେଇ ଦେବୁ ।

 

ବ୍ରହ୍ମା ଆଶ୍ଚର୍ଯ୍ୟ ହୋଇ କହିଲେ, ତାଙ୍କର କି ପାଉଣା ସେ ଦେବେ ?

 

ଯମ ହାତଜୋଡ଼ି କହିଲେ, ଆଜ୍ଞା ମୁଁ କିପରି କହିବି ସେ ପାଉଣା କଣ ସେ ଦେବେ । ଖାଲି କଣ ଏତିକି–ଦଳେ ପୁଣି ଆରମ୍ଭ କରିଦେଲେଣି ଯଦି ଜିନ୍ଦାବାଦ ଧ୍ୱନୀ, ସଙ୍ଗେ ସଙ୍ଗେ ଆଉ ଦଳେ ମୁର୍ଦ୍ଦାବାଦ ଧ୍ୱନୀ ଦେଇ ମୋ ପୁର ତମାମ ଘୂରି ବୁଲୁଛନ୍ତି । ପୁଣି ଦଳେ ସଭାମାନ କରି ସେହି ସଭାରେ, ସମର୍ଥିତ ପ୍ରସ୍ତାବକୁ, ମୁଁ ଯେତେବେଳେ ଅନ୍ୟ କାହାର ବିଚାର କରୁଛି ସେତେବେଳେ, ବଡ଼ ପାଟିରେ କେହି ଜଣେ ବଡ଼ ପାଟିଆ କହି ଦେଉଛି । ଯଦ୍ୱାରା ମୋ ବିଚାରରେ ବ୍ୟାଘାତ ଆସୁଛି ।

 

ବ୍ରହ୍ମା ପଚାରିଲେ, ତୁମ ବିଚାରାଳୟ ଦ୍ୱାର ଦେଶରେ କଣ କେହି ପ୍ରହରୀ ନାହାନ୍ତି, ଯେ କେହି ବିଚାରାଳୟକୁ ପଶି ଯାଉଛି ?

 

ଆଜ୍ଞା; ପ୍ରହରୀକୁ କିଏ ମାନୁଛି ? ଆପଣ ସମ୍ୱିଧାନରେ ଯେଉଁ କେତେ ଜଣ ପ୍ରହରୀ ରଖିବାର ବ୍ୟବସ୍ଥା କରିଛନ୍ତି ସେ କେତେଜଣଙ୍କୁ ଠେଲି ଲୋକମାନେ ପଶିଯାଉଛନ୍ତି । ବେଳେ ବେଳେ ବିପୁଳ ଲୋକ ମୋ ଚାରିପାଖ ଜାକ ଘେରିଯାଇ ଏଭଳି ଧ୍ୱନୀମାନ ଦେଉଛନ୍ତି ଯଦ୍ୱାରା ମୋର ଚିନ୍ତାଧାରାରେ ବିଭ୍ରାଟ ଘଟୁଛି । ଏଣେ ପୁଣି ଯେଉଁ କେତୋଟି ନର୍କକୁଣ୍ଡ ଥିଲା ତାହା ପାପୀଙ୍କ ଦ୍ୱାରା ଭରପୁର ହୋଇଗଲାଣି । ଆଉ କୁଣ୍ଡ ନାହିଁ ଅନ୍ୟଙ୍କ କୃତ ଦୁଷ୍କର୍ମ ପାଇଁ ଦଣ୍ଡ ଦେବାକୁ । ବିପୁଳ ଲୋକଙ୍କ ପାଇଁ ସୀମିତ ବ୍ୟବସ୍ଥା ହେଲେ ଚଳିବ କିପରି ?

 

ବିସ୍ମିତ ହେଲେ ବ୍ରହ୍ମା ଯମଙ୍କଠାରୁ ମୃତ ଲୋକମାନଙ୍କ କଥା ଶୁଣି । ସେ କହିଲେ ତୁମେ କାହିଁକି ସବୁ ଲୋକଙ୍କୁ ଆଣୁଛ କି ? ସେଥିରୁ ଥୋକେଙ୍କୁ ବିଷ୍ଣୁପୁର ଶିବପୁରକୁ ପଠାଇ ଦେଉନା ।

 

ଯମ ହାତ ଜୋଡ଼ି କହିଲେ, ନା ପିତାମହ ତାହା କିପରି ହେବ । ସମ୍ୱିଧାନ ମୁତାବକ ସେମାନେ ସମସ୍ତେ ପାପୀ । ଖାଦ୍ୟରେ ଅଖାଦ୍ୟ ମିଶାଇ ବସୁଧାର ଲୋକମାନଙ୍କୁ ସେମାନେ ରୋଗକ୍ଳିଷ୍ଟ କରି ଦେଇଛନ୍ତି । ଅତ୍ୟାବଶକୀୟ ଦ୍ରବ୍ୟ ମହଜୁଦକରି ରଖି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଛନ୍ତି । ପୁଣି ଅଳ୍ପ ଦାମ୍‍ର ଜିନିଷକୁ ବହୁ ଦାମରେ ବିକ୍ରୀକରି ସେମାନଙ୍କ ମଧ୍ୟରୁ ଅନେକ ନିଜକୁ ଧନାଢ଼୍ୟକରି ତୋଳିଛନ୍ତି–ଲାଞ୍ଚ ଦେଇ ଏବଂ ଲାଞ୍ଚ ନେଇ ସେମାନଙ୍କ ମଧ୍ୟରୁ ବହୁ ଶାସନ କଳଟାକୁ ଅକାମୀକରି ଦେଇଛନ୍ତି । ଏହ ପାପୀମାନଙ୍କ ମଧ୍ୟରୁ ଦଳେ ଦେଶ ସେବକ ଅଛନ୍ତି । ଯେଉଁମାନେ କି ଖାଲି ମୁହଁରେ ଦେଶ ଦେଶ କହି ଦେଶଟାକୁ ବୁଡ଼ାଇ ସାରିଛନ୍ତି । ସେମାନେ ଚାଷୀ, ମୂଲିଆ, ଶ୍ରମିକଙ୍କ ପାଇଁ ଲଢ଼ିବାକୁ ଆସି ତାଙ୍କରି ନେତା ହୋଇ ତାଙ୍କୁ ହିଁ ଶୋଷଣ କରିଛନ୍ତି । ଖାଲି ଚାନ୍ଦା–ଚାନ୍ଦାରେ ହିଁ ଏମାନେ ପରିପୁଷ୍କ । ପ୍ରଥମେ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦକରି ସାଧାରଣଙ୍କ ମନରେ ଆଶାସଞ୍ଚାର କରନ୍ତି । ତାଙ୍କରିଠାରୁ ଭୋଟ ନେଇ ତାଙ୍କରି ପ୍ରତିନିଧ ବୋଲାଇ ସେହିମାନଙ୍କୁ ଅସୁବିଧାରେ ପକାନ୍ତି । ଏହିଭଳି ଲୋକମାନେ ଶିବଲୋକ ବ୍ରହ୍ମ ଲୋକକୁ ଯିବେ କିପରି ?

 

ତାହା ହେଲେ କଣ ବର୍ତ୍ତମାନ ଯେତେ ମରୁଛନ୍ତି ସମସ୍ତେ ପାପୀ ? ବ୍ରହ୍ମା କହିଲେ ।

 

ନା ପିତାମହ ବର୍ତ୍ତମାନ ଯେତେ ମରୁଛନ୍ତି ସେମାନଙ୍କ ମଧ୍ୟରୁ କେତେକ ପୂଣ୍ୟବାନ ଅଛନ୍ତି । ଆମଲୋକ ସେମାନଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଶିବ ଲୋକ ବିଷ୍ଣୁ ଲୋକର ଲୋକମାନେ ଆସି ତାଙ୍କୁ ତାଙ୍କ ପୁରକୁ ନେଇ ଯାଇଛନ୍ତି ।

 

ବ୍ରହ୍ମା ସ୍ତମ୍ଭୀଭୂତ ହେଲେ ଯମଙ୍କ କଥାଶୁଣି । ସେ ନିଜେ ମଧ୍ୟ ଯମପୁର ଆଡ଼ୁ ହା ହଲ୍ଲା ସ୍ୱର ଭାଷି ଆସୁଥିବା ଶୁଣିବାକୁ ପାଇଲେ । ସେ ଇନ୍ଦ୍ରଙ୍କୁ ଅନାଇ କହିଲେ, ନା ଇନ୍ଦ୍ର । ମୁଁ ତୁମ କଥା ମୁତାବକ କୌଣସି ବ୍ୟବସ୍ଥା ଗ୍ରହଣକରି ପାରିବି ନାହିଁ । ବିଶେଷତଃ ମେଘମାନଙ୍କୁ ବରଖାସ୍ତକରି ନୂତନ ମେଘ ସୃଷ୍ଟି କରିବାପାଇଁ ବିଷ୍ଣୁଙ୍କର ଅନୁମୋଦନ ଲୋଡ଼ା । ଚଲ ଆମେ ସମସ୍ତେ ଘଟିଥିବା ଘଟଣାର ନଥିପତ୍ର ଓ ନିଜର ଟିପଣୀଧରି ବିଷ୍ଣୁଙ୍କୁ ଭେଟିବା । ମୋର ମନେହୁଏ ଏହାର ଉଚିତ ବିଚାର ସେ ହିଁ କରି ପାରିବେ ।

 

ଯମ ଓ ଇନ୍ଦ୍ରଙ୍କୁ ଧରି ବ୍ରହ୍ମା ଚାଲିଲେ ବିଷ୍ଣୁଙ୍କ ପାଖକୁ ।

 

ବିଷ୍ଣୁ ପୁରର ଦ୍ୱାର ଦେଶରେ ଜୟ ବିଜୟ ଦ୍ୱାରୀ ରୂପେ ଦଣ୍ଡାୟମାନ । ସେ ବ୍ରହ୍ମାଦି ଦେବତାଙ୍କୁ ଦେଖି କହିଲେ, ବର୍ତ୍ତମାନ ବିଷ୍ଣୁ ବିଶ୍ରାମ କକ୍ଷରେ ବିଶ୍ରାମ କରୁଛନ୍ତି । ସେ ମର୍ତ୍ତ୍ୟପୁର ଆଡ଼େ ବୁଲି ଯାଇଥିଲେ । ସେଠାରୁ ଫେରି ବିଶ୍ରାମ ନେଉଛନ୍ତି । ଏ ସମୟରେ କେହି ତାଙ୍କ ପାଖକୁ ଯିବା ନିଷେଧ ।

 

ବ୍ରହ୍ମା ଜୟ ବିଜୟଙ୍କୁ ବୁଝାଇ କହିଲେ ସେମାନେ ଏକ ଜରୁରୀ ବିଷୟ ଆଲୋଚନା ପାଇଁ ଆସିଛନ୍ତି । ସାମାନ୍ୟ ବିଳମ୍ୱରେ ବିଶ୍ୱର ବହୁକ୍ଷତି ହୋଇଯିବ । ତେଣୁ ସେମାନେ ଶୀଘ୍ର ବିଷ୍ଣୁଙ୍କୁ ଦେଖା ନକଲେ ହେବ ନାହିଁ ।

 

ଜୟ ବିଜୟ ବ୍ରହ୍ମାଙ୍କ କଥା ଶୁଣି ବିଷୟଟିର ଗୁରୁତ୍ୱ ଉପଲବ୍ଧି କଲେ । ବ୍ରହ୍ମାଦିଙ୍କ ଆଗମନ ବିଷୟ ଶୀଘ୍ର ବିଷ୍ଣୁଙ୍କୁ ଜଣାଇବାକୁ ବିଜୟ ଭିତରକୁ ଗଲେ । ଜୟ ବାହାରେ ଛିଡ଼ାହୋଇ ରହିଲେ । ମାତ୍ର ଟିକିକ ପରେ ବିଜୟ ଭିତରୁ ଫେରି ଆସି ବିଷ୍ଣୁଙ୍କର ଅନୁମତି ଜଣାଇ ତାଙ୍କ ପାଇଁ ଦ୍ୱାର ମେଲାକରି ରଖିଲେ । ବ୍ରହ୍ମା, ଯମ ଏବଂ ଇନ୍ଦ୍ରଙ୍କୁ ଧରି ଭିତରକୁ ଗଲେ । ବିଷ୍ଣୁ ସଭା ମଣ୍ଡପରେ ତାଙ୍କୁ ଅପେକ୍ଷା କରିଥାନ୍ତି ।

 

ବ୍ରହ୍ମାଦି ଦେବତା ବିଷ୍ଣୁଙ୍କୁ ଯଥା ସମ୍ମାନ ଜଣାଇ ଆସିବାର ଘଟଣା ଆମୁଳ ଚୂଳ ବର୍ଣ୍ଣନା କଲେ । ବିଷ୍ଣୁ ସବୁ ଘଟଣା ମନଯୋଗ ସହକାରେ ଶୁଣି କହିଲେ, ବାସ୍ତବିକ୍ ପୃଥିବୀ ବର୍ତ୍ତମାନ ଏକ ଦୁଃସମୟର ମଧ୍ୟରେ ଗତିକରୁଛି । ପୃଥିବୀର ମାନବ ଗୋଷ୍ଠି ମଧ୍ୟରେ ଯେଉଁମାନେ ଉଚ୍ଚ ବୋଲି ସମାଜ ଜ୍ଞାନକରୁଛି ସେମାନେ ଅତି ନିମ୍ନ ମନବୃତ୍ତିର ଲୋକ ହୋଇ ଯାଇଛନ୍ତି । ନିଜର ପଦବୀ ମର୍ଯ୍ୟାଦା ଭୁଲି କ୍ଷଣଭଙ୍ଗୁର ଦୁନିଆଁରେ ଚିରଦିନ ରହିଲାଭଳି ଅତି ହୀନବୃତ୍ତିରେ ନିଜକୁ ପରିପୁଷ୍ଟ କରୁଛନ୍ତି । ଅନ୍ୟାୟ ଅତ୍ୟାଚାର ଚୋରୀ ଆଦିରେ ବିଶ୍ୱର ରସାତଳଗାମୀ । ସାଧାରଣ ଲୋକେ ବିଚାରାଳୟରେ ଉଚିତ ବିଚାର ମଧ୍ୟ ପାଇପାରୁ ନାହାଁନ୍ତି । ଉଚ୍ଚ ପଦସ୍ଥ ରାଜ କର୍ମଚାରୀ ତାଙ୍କ ଅଧୀନସ୍ଥ କର୍ମଚାରୀଙ୍କୁ ମଧ୍ୟ ଭଲ ଚକ୍ଷୁରେ ଦେଖୁ ନାହାନ୍ତି । ତେଣୁ ମେଘମାନେ ଯେଉଁ ଅଭିଯୋଗ କରିଛନ୍ତି ତାହା ମିଥ୍ୟା ନୁହେଁ । ତଥାପି ମାନବ ସମାଜର କେତେକ ଭଲ ଲୋକତ ଅଛନ୍ତି ? ସେମାନଙ୍କୁ ତ ପୁଣି ବଞ୍ଚାଇବାକୁ ହେବ ।

 

ବ୍ରହ୍ମା ମେଘ ସଂପର୍କୀୟ ନଥିଟି ବିଷ୍ଣୁଙ୍କ ପାଖରେ ରଖିଦେଲେ । ବିଷ୍ଣୁ ନଥିର ପୃଷ୍ଠା ଓଲଟାଇ ପଢ଼ କହିଲେ, ମେଘମାନଙ୍କୁ ଏଥିପାଇଁ କାର୍ଯ୍ୟରୁ ଅନ୍ତର କରିବା ମନବୃତ୍ତି ସେହି ମର୍ତ୍ତ୍ୟ ଲୋକଙ୍କ ଭାଷାରେ ବୁର୍ଜୀୟା ମନବୃତ୍ତି ଭଳି ହେଲା । ସେମାନେ ଯେଉଁ ଅଭିଯୋଗ କରିଛନ୍ତି ତାହା ଯଦି ସତ୍ୟଭଳି ଜ୍ଞାନ କରାଯାଏ, ତେବେ ସେମାନେ ଯେଉଁ ବ୍ୟବସ୍ଥା ଗ୍ରହଣ କରିଛନ୍ତି ତାହା ତୁମେ ବି କରିଥାନ୍ତ । ତେଣୁ ତାଙ୍କର ଅପରାଧ କେଉଁଠି ? ଯାହା ହେଉ ବର୍ତ୍ତମାନ ତୁମ୍ଭେମାନେ ଏ ବିଷୟରେ କିଛି ଭାବିବା ଦରକାର ନାହିଁ । ମୁଁ ନିଜେ ତାର ବ୍ୟବସ୍ଥା କରୁଛି । ନିଶ୍ଚିନ୍ତ ମନରେ ତୁମେ ଫେରି ଯାଇପାର ।

 

ଚାଲିଯିବା ପୂର୍ବରୁ ଇନ୍ଦ୍ର କହିଲେ ଆପଣ କଣ ମେଘମାନଙ୍କୁ ଡାକି ବର୍ଷାପାଇଁ ଆଦେଶ ଦେବେ । ମାତ୍ର ସେମାନେ ଯଦି ନମାନନ୍ତି ତେବେ ସମସ୍ତଙ୍କୁ ଏହା ବାଧିବ ।

 

ହସିଲେ ମହାବିଷ୍ଣୁ । କହିଲେ ମୁଁ କଣ କରିବି ତାହା ଜାଣିବାକୁ ଟିକିଏ ଅପେକ୍ଷାକର । ଆଉ କଣ ଆଦେଶ ଦେବାର ସମୟ ଅଛି ? କାହାଠାରୁ କୌଣସି କାମ ଜୋରକରି ଆଦାୟ କରିବାର ସମୟ ଅତୀତ ହୋଇଯାଇଛି । ଜରୁର କାର୍ଯ୍ୟ କେବଳ ଆଦେଶଦ୍ୱାରା ହୋଇ ପାରେ ନାହିଁ । ଆଦେଶ ନିର୍ଦ୍ଦେଶ ସେହି ମର୍ତ୍ତ୍ୟବାସୀଙ୍କ ଅବିଚାର ଭଳି ହୋଇଯିବ । ଜୋର ଜବରଦସ୍ତ ସବୁ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ । ଅନେକ ସମୟରେ ତାର ବି ସମୟ ପରିଣାମ ଏଭଳି ହୁଏ ଯଦ୍ୱାରା ନିଜର ସ୍ଥିତି ଉପରେ ଆଞ୍ଚ ଆସେ । ତୁମ୍ଭେମାନେ ଏ ବିଷୟଟିର ସମସ୍ତ ଭାର ମୋ ଉପରେ ଦେଇ ନିଶ୍ଚିତ ମନରେ ଚାଲିଯାଇପାର । ଆଉ ଜାଣିକରି ଯାଇଥାଅ ଖୁବ୍ ଶୀଘ୍ର ମର୍ତ୍ତ୍ୟରେ ବର୍ଷା ହେଉଛି ।

 

ବ୍ରହ୍ମାଦି ଦେବତାମାନେ ନୀରବରେ ମହାବିଷ୍ଣୁଙ୍କଠାରେ ବିଦାୟ ନେଇ ଚାଲିଗଲେ ।

 

ସବୁ ଦିନ ପରି ଆକାଶରେ ଖଣ୍ଡେ ଖଣ୍ଡେ ଚୂନା ମେଘ ଭୀଷି ଚାଲି ଯାଉଥାନ୍ତି ସତେ ଯେପରି ସେମାନେ ସଜାଗ ଅଛନ୍ତି ମର୍ତ୍ତ୍ୟରେ କଣ ହେଉଛି ସବୁ ଜାଣି ରଖିବାବୁ ।

 

ସମସ୍ତଙ୍କ ଅଗୋଚରରେ ମହାବିଷ୍ଣୁ ଓହ୍ଲାଇ ଆସିଲେ ଭୂପୃଷ୍ଠକୁ ଏକ ମାଛଧରାଳୀ ବେଶରେ । ହାତରେ ଖଣ୍ଡେ ଜାଲଧରି ଗୋଟିଏ ନଦୀ ବନ୍ଧରୁ ନଦୀ ଭିତରକୁ ସେ ଓହ୍ଲାଇ ଆସିଲେ-। ସବୁ ନଦୀ ତ ଶୁଖିଯାଇଛି । ନଦୀରେ ପାଣି ନଥିଲେ ମାଛ ବା ଆସିବେ କୁଆଡ଼ୁ ? ତଥାପି ସେ ନଦୀ ଭିତରକୁ ଯାଇ ଶୁଖିଲା ନଦୀରେ ଜାଲ ପକାଇବାକୁ ଲାଗିଲେ । ବେଶ୍ ସରସ ମନରେ ଖେପା ପରେ ଖେପା ସେ ପକାଇ ଚାଲିଛନ୍ତି ।

 

ଆକାଶରେ ଭାଷି ଯାଉଥିବା ଧଳା ଧଳା ଚୂନା ଚୂନା ମେଘଖଣ୍ଡ ମଧ୍ୟରୁ ଖଣ୍ଡେ ମେଘ ଏ ଅଦ୍ଭୁତ ମାଛ ଧରାଳୀଟିକୁ ଦେଖିବାକୁ ପାଇଲା । ସେ ଏ ଅଦ୍ଭୁତ କାର୍ଯ୍ୟ ଦେଖି କାବା ହୋଇଗଲା । ସେ ପୁଣି ମନେ ମନେ ଭାବିଲା ମୋର ବୋଧେ ଦେଖିବାରେ ଭ୍ରମ ହେଉଛି । ତେଣୁ ଭଲକରି ନିରେଖି ସେ ଲୋକଟିର କାର୍ଯ୍ୟକୁ ଲକ୍ଷକଲା । ନା–ସେ ଭୁଲ ଦେଖି ନାହିଁ । ତାହା ହେଲେ ଏ ଲୋକଟା ପାଗଳ ନା କଣ ?

 

ଆଉ ଖଣ୍ଡେ ଚୂନା ମେଘକୁ ଡାକି ସେ ତାହା ଦେଖାଇଲା । ସେ ମଧ୍ୟ ଏକ ଅଦ୍ଭୁତ କଥା ଦେଖି ବିସ୍ମିତ । ପ୍ରକୃତ କଣ ଏ ଲୋକଟା ପାଗଳ ?

 

ଧୀରେ ଧୀରେ ମେଘମାନଙ୍କ ମଧ୍ୟରେ ଏ ସମ୍ୱାଦ ବ୍ୟାପୀଗଲା । କୌତୁହଳ ହୋଇ କେତେଖଣ୍ଡ ମେଘ ମାଛଧରାଳୀଟିର ମୁଣ୍ଡ ଉପରେ ଭାଷି ଭାଷି ଠିକ୍ କଲେ ଲୋକଟିକୁ ତ ପଚାରି ଦେଲେ ହୁଅନ୍ତା, ଶୁଖିଲା ନଦୀରେ ସେ କାହିଁକି ଜାଲ ପକାଉଛି । ସେ କଣ ଆଉ ମାଛ ପାଇଁ ଜାଲ ପକାଉ ନାହିଁକି ?

 

ଖଣ୍ଡେ ମେଘ ବଡ଼ ପାଟିରେ ଡାକି ପଚାରିଲା–ହୋ ଜାଲୁଆ ଭାଇ ! ଶୁଖିଲା ନଦୀରେ ଜାଲ ପକାଇ କଣ ମାଛ ଧରୁଛ ?

 

ଛଦ୍ମବେଶୀ ଜାଲୁଆ ଜାଲ ପକାଉ ପକାଉ କହିଲା ନାହିଁରେ ଭାଇ ଶୁଖିଲା ନଦୀରେ ମାଛ କେଉଁଠୁ ଆସିବେ । ମୁଁ ମୋର ଅଭ୍ୟାସ ପାଇଁ ଏହା କରୁଛି । ଦୁଇବର୍ଷ ଗତ ହୋଇଯାଇଛି । ଏବର୍ଷକୁ ମିଶାଇ ତିନି ବର୍ଷ ହେଲା–ବିନ୍ଦୁଏ ବି ବର୍ଷା ହୋଇ ନାହିଁ । ହୁଏତ ଆଉ କିଛିଦିନ ଏହିପରି ଯିବ । ମାତ୍ର ଦିନେତ ପୁଣି ବର୍ଷା ହେବ । ସେତେବେଳକୁ ଯଦି ମୁଁ ମୋର ବେଉଷା ଭୁଲି ଯାଇଥାଏ-। ତେବେ ମାଛ ଧରିବି କିପରି ? ତେଣୁ ବର୍ତ୍ତମାନ ମୋର ସେହି ପୂର୍ବ ଅଭ୍ୟାସ ବଜାୟ ରଖିବାକୁ ଜାଲ ପକାଉଛି ଯାହା । କଥାରେ ଅଛି ଅଭ୍ୟାସଗତ କର୍ମ–ଅଭ୍ୟାସ ନଥିଲେ କରିବା ଦୂରହ ହୋଇ ପଡ଼ିବ ।

 

ଜାଲୁଆଠାରୁ କଥାଟି ଶୁଣିଲା ପରେ ମେଘମାନେ ଟିକିଏ ଚମକି ପଡ଼ିଲେ । ସତେ ଅଭ୍ୟାସଗତ କର୍ମ ଯଦି ପାଶୋର ଯାଏ ତେବେ ବଡ଼ ଅସୁବିଧା ।

 

ଖଣ୍ଡେ ସଫା ଧଳାମେଘ କହିଲା ତାହାହେଲେ ଆମେ ବି ଆଜି ଟିକିଏ ଅଭ୍ୟାସ କରିନେବା । ଅନେକ ଦିନ ହେଲା ତ ପାଣି ବର୍ଷୀ ନାହୁଁ । ଆମେବି ତ ଦିନେ ବର୍ଷା କରିବା । ସେତେବେଳକୁ ଯଦି ଅଭ୍ୟାସ ଭୁଲି ଯାଇଥାଉ ?

 

ଧଳା ମେଘ ପାଖରେ ଧୀରେ ଧୀରେ ଭାଷୁଥିବା ଧୂଷର ମେଘ ଖଣ୍ଡକ କହିଲା, ତାହା ହେଲେ ବର୍ତ୍ତମାନ ସମସ୍ତଙ୍କୁ ଖବର ଦିଆଯାଉ–ଆମେ ଆମର ଅଭ୍ୟାସ ପାଇଁ କିଛି ପାଣି ବର୍ଷୀବା-

 

କଥାଟା ସମସ୍ତଙ୍କୁ ମନକୁ ପାଇଲା । କେତେଖଣ୍ଡ ଚୂନା ମେଘ ଦୃତ ଗତିରେ ଧାଇଁଲେ ଅନ୍ୟମାନଙ୍କୁ ଖବର ଦେବାପାଇଁ । ଯେତେ ଶୀଘ୍ର ପାରାଯାଏ ସେତେ ଶୀଘ୍ର ସମସ୍ତେ ଏକତ୍ରିତ ହୋଇ ନିଜର ଅଭ୍ୟାସପାଇଁ କିଛି ପାଣି ବର୍ଷା କରିବା ।

 

ଦେଖୁ ଦେଖୁ ଖୁବ୍ ଅଳ୍ପ ସମୟ ମଧ୍ୟରେ ଚାରିଆଡ଼ୁ କଳାମେଘ ଘୋଟି ଆସିଲା । ସାରା ଆକାଶ କଳା ଧୂଷର ମେଘରେ ଆଚ୍ଛନ୍ନ ହୋଇପଡ଼ିଲା । ଅନେକ ଦିନ ପରେ ଯେତେବେଳେ ସେମାନେ ଏକତ୍ରୀତ ହୋଇଛନ୍ତି ପୁଣି ନିଜର କାଢ଼ୁଆ ପଣ ଦେଖାଇବାକୁ, ସେତେବେଳେ ସେମାନେ ଆନନ୍ଦରେ ଏପଟରୁ ସେପଟ ଦୌଡ଼ା ଦୌଡ଼ି କରିବାକୁ ଲାଗିଲେ । ଏ ଦିଗରୁ ସେ ଦିଗ ଦୌଡ଼ା ଦୌଡ଼ି ବେଳେ ପରସ୍ପର ପରସ୍ପର ଦେହରେ ଧକ୍କାଖାଇ ଗର୍ଜନ କରିବାକୁ ଲାଗିଲେ । ସେମାନଙ୍କଠାରୁ ସୃଷ୍ଟି ହେଉଥିବା ବିଦ୍ୟୁତ୍‍ ଝଲକରେ ଅନ୍ଧାର ହୋଇଥିବା ପୃଥିବୀ କ୍ଷଣକପାଇଁ ବିପୁଳ ଆଲୋକର ରେଖା ଖେଳି ଯାଉଥାଏ ।

 

ତାପରେ ଆରମ୍ଭ ହେଲା ବର୍ଷା ମେଘମାନଙ୍କର ଅଭ୍ୟାସଗତ କର୍ମ ।

 

ଦୀର୍ଘ ତିନିବର୍ଷର ପ୍ରଚଣ୍ଡ ଖରାରେ ଭୂଇଁ ଶୁଖି ପଡ଼ିଛି । ଜଳବିନ୍ଦୁ ମାଟିରେ ପଡ଼ିଲା ମାତ୍ରେ କେଉଁଆଡ଼େ ଅଦୃଶ୍ୟ ହୋଇ ଯାଉଥାଏ । ଯେତିକି ଅଦୃଶ୍ୟ ହେଉଥାଏ, ସେତିକି ମେଘମାନେ ମାଠିଆରେ ଅଜାଡ଼ିଲା ପରି ବର୍ଷା କରୁଥାନ୍ତି ।

 

ମାଠିଆ ମୁହଁରେ ପାଣି ଢାଳିଲାଭଳି ଯେଉଁ ବର୍ଷା ସେ ବର୍ଷାରେ ଜାଲୁଆଟି ବିଚରା କି ଜାଲ ପକାଇବ । ତିନ୍ତିବୁଡ଼ି ସେ ତା ଜାଲଟିକୁ ଧରି ଧାଇଁ ପଳାଇଲା ଗାଁ ଆଡ଼କୁ । ଗାଁ ମୁଣ୍ଡରେ ବିଷ୍ଣୁଙ୍କ ମନ୍ଦିର । ଦୌଡ଼ି ଦୌଡ଼ି ସେ ସେ ମନ୍ଦିର ବରଣ୍ଡାକୁ ଉଠିପଡ଼ିଲା । ତେଣିକି ଆଉ ସେ କୁଆଡ଼େ ଗଲା ତାହା ମେଘମାନେ ଜାଣି ପାରିଲେ ନାହିଁ । ଧାଇଁ ଧାଇଁ ସ୍ଥିର ହୋଇ ରହି ବର୍ଷଣମୁଖର ମେଘମାନେ ଯେତେ ଅନାଇଲେ ଟିକିଏ ହେଲେ ସେମାନେ ଜାଣି ପାରିଲେ ନାହିଁ ଜାଲୁଆଟି ମନ୍ଦିର ପାଖରୁ କୁଆଡ଼େ ଗଲା ।

☆☆☆

 

ଦପୀ

 

କ୍ଷୁଧାକ୍ଳିଷ୍ଟ ମରଜଗତର ମାନବମୁଖରେ ଗଣ୍ଡାଏ ଆହାର ଦେବାପାଇଁ ପ୍ରବଳ ପ୍ରତାପୀ ବଳୀ ସ୍ୱର୍ଗରାଜ୍ୟ ଜୟକରି ବିଜୟ ଉଲ୍ଲାସରେ ଛୁଟି ଚାଲିଛି ବୈକୁଣ୍ଠ ଅଭିମୁଖେ ।

 

ସେ ଛୁଟି ଯାଇନାହିଁ ଭକ୍ତିପୂତ ହୃଦୟର ଉତ୍ସ ତାଙ୍କ ପାଦପ୍ରାନ୍ତେ ସମର୍ପଣ ପାଇଁ କିମ୍ୱା ବୈକୁଣ୍ଠର ଅତୁଳ ଐଶ୍ୱର୍ଯ୍ୟ ହରଣ ପାଇଁ । କେବଳ ଦେଶ ତଥା ଜାତିର ତୈନ୍ୟ ଅପସାରଣ ପାଇଁ-। ସେ ଅଣନିଶ୍ୱାସୀ ହୋଇ ଧାଇଁ ଚାଲିଛି ।

 

ବିଭବଶାଳୀ ସ୍ୱର୍ଗରାଜ୍ୟର ପରାଜିତ ଦେବତାମାନେ ବଳ ଏବଂ ତାର ଅନୁଚରମାନଙ୍କ ଦୃଢ଼ ପଦେକ୍ଷେପକୁ ଲକ୍ଷ୍ୟକଲେ ପ୍ରସ୍ତର ସଦୃଶ୍ୟ ଦଣ୍ଡାୟମାନ ହୋଇ ନିରବରେ ।

 

ମେନକା ଉର୍ବଶୀ ଆଦି ସ୍ୱପ୍ନମୟୀ ରୂପସୀ ତରୁଣୀ ଦେବତାର ପରାଜୟରେ ନିଜର ମନୋରମ ରୂପଶ୍ରୀକୁ ପ୍ରଗାଢ଼ ଅନ୍ଧକାର ମଧ୍ୟରେ ଲୁକାୟିତ କଲେ । ମାତ୍ର ମର୍ତ୍ତ୍ୟର ଶ୍ରେଷ୍ଠ ମାନବ ବଳୀ ସ୍ୱର୍ଗରାଜ୍ୟର ପରାଜିତ ଦେବତାମାନେ ବଳ ଏବଂ ତାର ଅନୁଚରମାନଙ୍କ ଦୃଢ଼ ପଦକ୍ଷେପକୁ ଲକ୍ଷ୍ୟକଲେ ପ୍ରସ୍ତର ସଦୃଶ୍ୟ ଦଣ୍ଡାୟମାନ ହୋଇ ନିରବରେ ।

 

ମେନକା ଉର୍ବଶୀ ଆଦି ସ୍ୱପ୍ନମୟୀ ରୂପସୀ ତରୁଣୀ ଦେବତାର ପରାଜୟରେ ନିଜର ମନୋରମ ରୂପଶ୍ରୀକୁ ପ୍ରଗାଢ଼ ଅନ୍ଧକାର ମଧ୍ୟରେ ଲୁକାୟିତ କଲେ । ମାତ୍ର ମର୍ତ୍ତ୍ୟର ଶ୍ରେଷ୍ଠ ମାନବୀ ବଳୀ ସ୍ୱର୍ଗରାଜ୍ୟର ବିଳାସ ସମ୍ପଦପାଇଁ କେବେ ତ ଲାଳାୟିତ ନଥିଲା ! ମାନବିକତାର ଉଜ୍ୱଳ ଦୀପ୍ତିରେ ସେ କାହିଁକି ବ୍ୟଭିଚାର ଅତ୍ୟାଚାରର କଳଙ୍କମସୀ ବୋଳିଦେବ ?

 

ବଳୀ କୌଣସିକୁ ଦୃକ୍‍ପାତ ନକରି ଧାଇଁ ଚାଲିଲା ବୈକୁଣ୍ଠ ଆଡ଼େ ।

 

ମହା ବିଭବଶାଳୀ ବୈକୁଣ୍ଠ । ଯେଉଁଠି ବିନା ସୂର୍ଯ୍ୟଚନ୍ଦ୍ରରେ ଅନ୍ଧକାରେ କାଳିମା ରେଖାର ସାମାନ୍ୟ ସନ୍ଧାନ ବି ମିଳେ ନାହିଁ–ଯେଉଁଠି ଜ୍ଞାନର ଅସ୍ତହୀନ ସୂର୍ଯ୍ୟ ଦିଦୀପ୍ତମାନ, ତାର ଶୋଭା ବର୍ଣ୍ଣନା ଯୁଗେ ଯୁଗେ କବି ଲେଖକଙ୍କ ଲେଖନୀ ଠାରୁ ଦୂରରେ ରହିଆସିଛି, ସେହିପୁର ଆଡ଼କୁ ଦ୍ରୁତ ଗତିରେ ଛୁଟି ଚାଲିଛି ମର୍ତ୍ତ୍ୟର ମହାମାନବ ଭଳି ଦୈତ୍ୟରାଜ୍ୟର ଶ୍ରେଷ୍ଠବ୍ୟକ୍ତି ବଳୀ ।

 

ସେ ଦ୍ରୁତଗତିରେ ଧାଇଁଗଲାବେଳେ ଅଣନିଶ୍ୱାସୀ ହୋଇ ଯାଉଥାଏ–କିନ୍ତୁ ନିଶ୍ୱାସ ନେବାକୁ ତାକୁ ବେଳ କାହିଁ ? ଜାତିର ବିରାଟ ଦାୟିତ୍ୱ ମେଣ୍ଟାଇବାକୁ ତା ଜାତି ତାକୁ ନିର୍ବାଚିତ କରିଛନ୍ତି । ତାର–ତା ଜାତିର ଗୁରୁ କାର୍ତ୍ତିକ ପ୍ରଭାତାକାଶାର ଉଜ୍ୱଳ ଜ୍ୟୋତିଷ୍କ ମହାମାନ୍ୟ ଶୁକ୍ର ତାକୁ ଦୀକ୍ଷିତ କରିଛନ୍ତି ତା ମସ୍ତକରେ ମନ୍ତ୍ରପୂତ ଜଳ ସିଞ୍ଚନ କରି, ଜାତିର ସୁଖ ସମ୍ପଦ ଫେରାଇ ଆଣିବାକୁ ।

 

ଯୁଗେ ଯୁଗେ ସୁର ଅସୁର ଦୁଇଭାଇ । ଗୋଟିଏ ପିତା, ମାତା ଭିନ୍ନ । କିନ୍ତୁ ସେହି ଏକ ପିତାର, ଗୋଟିଏ ମାତାର ସନ୍ତାନମାନେ ଚିରଦିନ କାହିଁକି ନିର୍ଯ୍ୟାତିତ ହେବେ, ଅନ୍ୟ ମାର ସନ୍ତାନଙ୍କ ଉପରେ ନିର୍ଭରଶୀଳ ହେବେ ?

 

ସେଥିପାଇଁ ସମଗ୍ର ଦୈତ୍ୟଜାତି ନିର୍ବାଚିତ କରିଛନ୍ତି ଶ୍ରେଷ୍ଠ ବ୍ୟକ୍ତି ବଳୀକୁ । ଦୈତ୍ୟଜାତିର ନିର୍ବାଚିତ ବଳୀ ପାଖରେ ସେହି ଗୋଟିଏ ଅଭିଯୋଗ; ଆମର ଲୋଡ଼ା ପେଟକୁ ଗଣ୍ଡାଏ ଦାନା ଏବଂ ଲଜ୍ୟା ନିବାରଣକୁ ଯତତ୍କିଞ୍ଚିତ ବସ୍ତ୍ର, ତେଣୁ ସେ ସ୍ଥିର କରିଛି ଏ ଜାତିର ସର୍ବନିମ୍ନ ଆବଶ୍ୟକ ଗଣ୍ଡାଏ ପେଟଭରି ଖାଇବା ଏବଂ ଖଣ୍ଡେ ପିନ୍ଧିବାର ବ୍ୟବସ୍ଥା କରିବାକୁ ହେବ ।

 

ମାତ୍ର କିପରି ?

 

ଯୁଗେ ଯୁଗେ ତ ଅଦିତୀ ପୁତ୍ରମାନେ ସ୍ୱର୍ଗରାଜ୍ୟ ଦଖଲକରି ବସିରହିଛନ୍ତି । ତାଙ୍କର ଉପରେ ନିର୍ଭର କରିବାକୁ ହେଉଛି ସବୁ କଥାରେ । ସେମାନେ ଇଚ୍ଛା କଲେ ତ !

 

ତା ଜାତି ଲହୁ ଝାଳ ବୁହାଇ ଟାଙ୍ଗର ଭୂମି କର୍ଷଣ କରୁଛନ୍ତି, ବୀଜବପନ କରୁଛନ୍ତି ଫଳ-?

 

ଫଳ ତାଙ୍କ ହାତରେ ନାହିଁ । ଫଳ ରହୁଛି ଅଦିତୀ ପୁତ୍ରଙ୍କ ହାତରେ । ଇନ୍ଦ୍ର ଠିକ୍ ସମୟରେ ମେଘ ବର୍ଷିବାର ବ୍ୟବସ୍ଥା କରୁନାହିଁ, କିମ୍ୱା ପବନ ଯଥା ଭାବେ ବହୁ ନାହିଁ । ଯେତେବେଳେ ଶସ୍ୟକ୍ଷେତ୍ରରେ ବୃକ୍ଷମାନେ ଗର୍ଭବତୀ, ଫଳବତୀ ହେଉଛନ୍ତି–ଫୁଲର ମହକରେ ସମସ୍ତ ଦୈତ୍ୟ ଜାତି ଆନନ୍ଦ ବିଭୋର ହୋଇ ଉଠୁଛି, ସେତିକିବେଳେ ଦେବତାମାନଙ୍କର କୂଟ ଆରମ୍ଭ ହୋଇଯାଉଛି । ଭୟଙ୍କର ମେଘ ପବନରେ ବୁଭୁକ୍ଷିତ ଦୈତ୍ୟ ଜାତି ସମସ୍ତ ଆଶା ଭରଷା ଶୂନ୍ୟେ ଶୂନ୍ୟେ ମିଳାଇଯାଉଛି । ଦୈତ୍ୟ ଜାତିର ସମସ୍ତ ପରିଶ୍ରମ କେଇଟି ମୁହୂର୍ତ୍ତରେ ଶୂନ୍ୟ ହୋଇଯାଉଛି । କାହିଁକି ? କାହିଁକି ଏ ଅନ୍ୟାୟ–କାହିଁକି ଏ ଅତ୍ୟାଚାର ? ଚିରଦିନ କଣ ଦୈତ୍ୟଜାତି ଦୁଃଖ ଶୋକରେ ସଢ଼ିବ ?

 

ସେଥିପାଇଁ ବଳୀ ଯୁଦ୍ଧ ଘୋଷଣା କରିଛି–ସମସ୍ତ ଦେବତାଙ୍କୁ ସାମାନ୍ୟ ଶ୍ରମରେ ପ୍ରରାଭୂତ ମଧ୍ୟ କରିଛି ।

 

କିନ୍ତୁ ସେତିକିରେ କଣ ଦୈତ୍ୟଜାତି ବଞ୍ଚି ପାରିବ ?

 

ସେଥିପାଇଁ ସେ ଧାଇଁ ଚାଲିଛି ବୈକୁଣ୍ଠପୁର ଆଡ଼େ ।

 

ଦୈତ୍ୟଙ୍କ କଥା କିଏ ପଚାରେ, ଦେବତାମାନେ ମଧ୍ୟ ସେପୁରକୁ ମନ ଇଚ୍ଛାରେ ପ୍ରବେଶ କରିବାର ଅଧିକାର ନାହିଁ । ଏତେ ଧାଇଁ ଧାଇଁ ବଳୀ ଯେତେବେଳେ ଉପସ୍ଥିତ ହେଲା ବୈକୁଣ୍ଠ ଦ୍ୱାରଦେଶରେ, ତାର ଦ୍ରୂତଗତି ପୂରାପୂରି ବନ୍ଦ ହୋଇଗଲା ।

 

ବିଜୟୀ ବଳୀଠାରୁ ମହାବଳବାନ ଦୁଇଜଣ ବ୍ୟକ୍ତି ସେ ଦ୍ୱାରରେ ଦଣ୍ଡାୟମାନ । ସେମାନେ ତୀକ୍ଷ୍ଣ ଅସ୍ତ୍ର ଧାରଣ କରି ସେଠାରେ ସଦା ସତର୍କ । ତାଙ୍କର ସ୍ୱରୂପ ଦେଖି ବଳୀର ମନେହେଲା ସମସ୍ତ ଦେବାସୁରଙ୍କ ପୁଞ୍ଜିଭୂତ ଶକ୍ତି ଯେପରି ତାଙ୍କରି ବାହୁରେ ଠୁଳା କି ପାର୍ଥିବ ଶକ୍ତିରେ ସେ ତାଙ୍କୁ ପରାଭୂତ କରିପାରିବ ?

 

ଅନେକଥର ଶୁଣିଛି ସେହି ଦ୍ୱାରପାଳ ଦ୍ୱୟଙ୍କ ବିଷୟରେ ଅନ୍ୟଙ୍କଠାରୁ । ଅନେକ ଥର ତା ଜାତି ହୀନବଳ ଦେବତାଙ୍କୁ ପରାସ୍ତ କରିଛି ସତ, କିନ୍ତୁ ପାରିନାହିଁ ସ୍ୱର୍ଗର ମୁକୁଟ ବୈକୁଣ୍ଠ ଜୟକରି । ବୈକୁଣ୍ଠକୁ ଜୟ ନ କଲେ ଦେବତାଙ୍କୁ ଜୟ କରିବା ନିରର୍ଥକ । ପାଣିରେ ଯେଉଁଭଳି ଗାରଟିଏ ଟାଣିଲେ ସଙ୍ଗେ ସଙ୍ଗେ ତାହା ଲିଭିଯାଏ, ସେହିଭଳି ଦେବତାଙ୍କୁ ଜୟ କଲେ କଣ ହେବ, ବୈକୁଣ୍ଠ ପତିଙ୍କ ଆଗମନରେ ସମସ୍ତ ଜୟ, ପରାଜୟରେ ପର୍ଯ୍ୟବେଶିତ ହୁଏ ।

 

ତାହା ହେଲେ ବଳୀର ସମସ୍ତ ଶ୍ରମ କଣ ବ୍ୟର୍ଥ ହେଲା ?

 

ଉପାୟ ? ଉପାୟ କାହିଁ ? ଜୟ ବିଜୟର ନିଶାଣ ଧରି ଯେଉଁ ଦୁଇ ବ୍ୟକ୍ତି ଦଣ୍ଡାୟମାନ ତାଙ୍କୁ ପରାଜିତ ବା ବଶୀଭୂତ କେଉଁ ଭାବେ କରିହେବ ?

 

ଚକ୍ରାକାର ଘୂର୍ଣ୍ଣାୟମାନ ଜୟ ବିଜୟଙ୍କ ଚକ୍ଷୁ ବଳୀ ଆଡ଼କୁ ଲକ୍ଷ୍ୟକରିବା ମାତ୍ରେ ବଳୀ ନତ ମସ୍ତକ ହୋଇ ତାଙ୍କୁ ପ୍ରଣତି ଜ୍ଞାପନ କଲା ।

 

ଜୟ ବିଜୟ ପ୍ରଶ୍ନ କଲେ କସ୍ତୁଂ ?

 

ବିଜୟୀ ବଳୀ ନତ ମସ୍ତକ ହୋଇ ଉତ୍ତର ଦେଲା ‘ପ୍ରହ୍ଲାଦ ପୌତ୍ର ଅହସ୍’ ।

 

ଉଦ୍ଧତ ଦର୍ପୀଙ୍କ ଦର୍ପ ନିରୋଧ ପାଇଁ ଜୟ ବିଜୟ ଯୁଗ ଯୁଗ ଧରି ନାରାୟଣଙ୍କ ଦ୍ୱାର ଦେଶରେ ଦଣ୍ଡାୟମାନ । ମାତ୍ର ଭକ୍ତଙ୍କ ପାଇଁ ?

 

ତୁମେ କଣ ପ୍ରହ୍ଲାଦର ପୌତ୍ର ଏବଂ ଭକ୍ତ ବିରୋଚନର ପୁତ୍ର ?

 

ହଁ ଭବାନ୍ ।

 

ବଳୀର ପରିଚୟ ପ୍ରାପ୍ତ ହେବାମାତ୍ରେ ତଦଣ୍ଡ ପଥରୁଦ୍ଧକାରୀ ଜୟ ବିଜୟ ଅପସର ଗଲେ ନାରାୟଣ ଦର୍ଶନାଭିଳାସୀ ବ୍ୟକ୍ତିଙ୍କ ସମ୍ମୁଖରୁ ।

 

ବଳୀ ନିର୍ଦ୍ଦୋନ୍ଦରେ ବୈକୁଣ୍ଠ ପୁର ମଧ୍ୟକୁ ଆଗେଇ ଚାଲିଲା ।

 

ଯେଉଁଠି ଦେଶ ଅହମିକାର ସ୍ଥାନ ନାହିଁ, ସେଠାରେ କିଭଳି ଯିବାକୁ ହୁଏ ସେ ତା ପିତା ଦାର୍ଶନିକ ବିରୋଚନଠାରୁ ଶୁଣିଛି–ଶୁଣିଛି ଅନେକ ଥର ମଧ୍ୟ ତାର ପିତାମହ ପ୍ରହ୍ଲାଦଙ୍କ ମୁଖରୁ ।

 

ଜୀବ ଜଗତର ପରମାରାଧ୍ୟ ସେହି ଭଗବାନଙ୍କଠାରେ ମନପ୍ରାଣ ସମର୍ପଣ କରି ବଳୀ ଆଗେଇଗଲା ଆଗକୁ–ପଛରେ ପଡ଼ିଗଲା ମହାବିଦ୍ୟା, ପ୍ରତିଭା, ଧୀଶକ୍ତି ଆଦି ।

 

ତାର କାମ୍ୟ ନୁହେଁ ବିଦ୍ୟାବାନ, ପ୍ରତିଭାବାନ ଅଥବା ଜ୍ଞାନୀ ହେବାକୁ । ତାର ଏକମାତ୍ର କାମ୍ୟ ତା ଜାତିକୁ ବଞ୍ଚାଇବା–ଗଣ୍ଡାଏ ଦାନା, ଖଣ୍ଡେ କନା ମାତ୍ର ତାକୁ ଦେବ ।

 

ତାହା ଯଦି ଦେଇ ହେବ ନାହିଁ ତେବେ କିବା ଆବଶ୍ୟକ କଣ୍ଟକିତ ସେ ମୁକୁଟ ଧାରଣକରି ଆଉ ସ୍ୱର୍ଣ୍ଣ ସିଂହାସନରୂଢ଼ ହୋଇ ।

 

ଅଜେୟ ବୈକୁଣ୍ଠପୁର ମଧ୍ୟରେ ସେ ଆଗେଇ ଯାଉଥିଲା ବେଳେ ତାର ମନେ ହେଲା ତାର ଗତି ଯେପରି ତା ଉପରେ ପୂରାପୂରି ନିର୍ଭର କରୁନାହିଁ । ହୁଏ ତ ସେ ଆଗେଇ ଯାଇଛି ଚିରଦିନ ପାଇଁ ରୁଦ୍ଧ ଘରେ ବନ୍ଦୀ ହେବାକୁ ଅଥବା ଧ୍ୱଂସ ହୋଇ ଯିବାପାଇଁ ।

 

ସେ ଯାଉଁ ଯାଉଁ ପ୍ରବେଶ କଲା ଜଡ଼ ଧନରାଜ୍ୟ ମଧ୍ୟରେ ।

 

ଦୂରରୁ ସେ ଦେଖିବାକୁ ପାଇଲା କନକବର୍ଣ୍ଣ । ଏକ ମହାଦେବୀ ମହାକୃପଣ ଏକ ପେଚକାରୂଢ଼ ହୋଇ ବସିଛନ୍ତି । ତାଙ୍କୁ ଦେଖୁ ଦେଖୁ ଭୀତତ୍ରସ୍ତ ବଳୀ ମନରେ ଆନନ୍ଦ ସଞ୍ଚାର ହେଲା । ସେ ଯେ ମହାମାୟା ପରମାପ୍ରକୃତି ମହାଲକ୍ଷ୍ମୀ ଏହା ତାକୁ ଅଜଣା ରହିଲା ନାହିଁ ।

 

ଦେବୀଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ପ୍ରଣାମ ଜଣାଇ କୃତାଞ୍ଜଳୀପୁଟରେ ଅଳ୍ପ ସମୟ ଦଣ୍ଡାୟମାନ ହୋଇ ରହିଲା । ତା ପରେ ମରଜଗତର ଅଭାବ ମୋଚନ ପାଇଁ ତାଙ୍କୁ ପ୍ରାର୍ଥନା କଲା-। ସେ ସଂପୂର୍ଣ୍ଣ ରୂପେ ଭୁଲିଗଲା ମହାନିର୍ବାଣ ପଥ–ମହାମୁକ୍ତିର ପଥ ।

 

ସେ ସ୍ୱାଧୀନ ନୁହେଁ । ସାରା ରାଜ୍ୟର ବିରାଟ ଦାୟିତ୍ୱ ମୁଣ୍ଡ ଉପରେ ଲଦି ତାକୁ ସମୟ କାହିଁ ନିଜ କଥା ଚିନ୍ତା କରିବାକୁ ।

 

ବଳୀ ଆନନ୍ଦ ବିଭୋର ହୋଇ କହିଉଠିଲା, ‘‘ବିଶ୍ୱର ବାଞ୍ଛିତା ଲକ୍ଷ୍ମୀ ! ବହୁ ସୌଭାଗ୍ୟ ଫଳରେ ମୁଁ ଆଜି ତୁମକୁ ପାଇଛି । ଆସ ମା ! ସିଂହାସନ ତ୍ୟାଗକରି ଓହ୍ଲାଇ ଆସ । ପ୍ରାପ୍ତ ମହାର୍ଘ ରତ୍ନ ଭଳି ତୁମକୁ ମୁଁ ସଙ୍ଗରେ ଘେନିଯିବି ।

 

ସୁରାସୁରଙ୍କ ଭୀଷଣ ସଂଗ୍ରାମ ଲକ୍ଷ୍ମୀଙ୍କୁ ବେଶ୍ ରୂପେ ଜ୍ଞାତ ଥିଲା, ଏପରି କି ସ୍ୱର୍ଗରାଜ୍ୟ ଜୟକରି ବୈକୁଣ୍ଠାଭିମୁଖେ ଆଗମନ ସଂବାଦ ସେ ପ୍ରାପ୍ତ ହୋଇଥିଲେ । ତେଣୁ ନବାଗତ ବୀରପୁରୁଷ ଯେ ବଳୀ ଏହା ଜାଣିବାରେ ତାଙ୍କୁ କିଛି ଅସୁବିଧା ହେଲା ନାହିଁ ।

 

ବଳୀର ଅନୁରୋଧ ରକ୍ଷାକରି ଶିଶୁଟି ପରି ଲକ୍ଷ୍ମୀ ଆସନ ତ୍ୟାଗକରି କହିଲେ, ମୋତେ କେଉଁଠାକୁ ଯିବାକୁ ହେବ ବତ୍ସ !

 

ମର୍ତ୍ତ୍ୟକୁ ।

 

ମର୍ତ୍ତ୍ୟକୁ ? ସ୍ୱର୍ଗରାଜ୍ୟକୁ ହତଶ୍ରୀ କରି ମୁଁ ଯିବି ମର୍ତ୍ତ୍ୟକୁ ? କାହିଁକି ?

 

ସନ୍ତାନ ଜନନୀ ମଧ୍ୟରେ ଯୁକ୍ତି ତର୍କ ଶୋଭା ପାଏ ନାହିଁ ମା !

 

ମା ! ଦୁର୍ବାର ସଂଗ୍ରାମ ଅଭିଳାସକରି ମୁଁ ଯେତେବେଳେ ସ୍ୱର୍ଗାଭିମୁଖେ ଯାତ୍ରା ଆରମ୍ଭ କଲି, ସେତେବେଳେ ମର୍ତ୍ତ୍ୟର କୋଟି ଗଣ କଣ୍ଠରୁ ନିସୃତ ହୋଇଥିଲା, ଏ ବିରାଟ ଆହବରେ ମର୍ତ୍ତ୍ୟର ବୁଭୁକ୍ଷୁ ଅର୍ଦ୍ଧଲଗ୍ନ ଜନତାର ଲାଭ କଣ? ଗଣତନ୍ତ୍ର ରାଜ୍ୟର ପ୍ରତିପାଳକ ବଳୀ କଣ ଏହି ଦୀନହୀନ ଦରିଦ୍ରର ପ୍ରତିପାଳକ ବା ପ୍ରତିହିଂସାପରାୟଣ ହିରଣ୍ୟ କଷ୍ୟପୁର ଦାୟଦ ?’’

 

ଉତ୍ତରରେ ମୁଁ କହିଥିଲି, ଏ ଜାତିର ଜନନାୟକ ହେବା ପୂର୍ବରୁ ହିରଣ୍ୟ କଷ୍ୟପ ସହିତ ତା ଦାୟାଦର ମୃତ୍ୟୁ ହୋଇଛି । ଗୋଟାଏ ଜାତିର ଦାୟିତ୍ୱ ଯେ ମେଣ୍ଟାଇବାକୁ ଆଗେଇ ଆସେ ସେ କେବେ ତାର ବା ତା ବଂଶଶତ୍ରୁଙ୍କ ବିରୁଦ୍ଧରେ ପ୍ରତିହିଂସା ପରାୟଣ ହୁଏ ନାହିଁ । ବର୍ତ୍ତମାନ ଯେଉଁ ବଳୀକୁ ତୁମ ସମ୍ମୁଖରେ ଦେଖିବାକୁ ପାଉଛ ସେ ଏହି ଅର୍ଦ୍ଧଲଗ୍ନ ବୁଭୁକ୍ଷୁ ଜନତାର ସେବକ । ମୁଁ ଯେଉଁ ମୁହୂର୍ତ୍ତରେ ଏ ରାଜ୍ୟର ରାଜ୍ୟଭାର ଗ୍ରହଣ କଲି ସେହି ମୁହୂର୍ତ୍ତରେ ସାରାରାଜ୍ୟର ନମସ୍ୟ ଦନୁ ବଂଶଧରଙ୍କ କୂଳଗୁରୁ ଆଚାର୍ଯ୍ୟଙ୍କ ଦ୍ୱାରା ଶପଥପାଠ କରିଛି, ରାଜଦଣ୍ଡ ଗ୍ରହଣକରି ସମସ୍ତ ଜାତିର କିଙ୍କର ସଦୃଶ୍ୟ, ସେ ଜଣେ ହେଉନା କାହିଁକି, ତା ଚରଣର କୁଶାଘାତ ମୁଁ ମୋର ହୃଦୟର ଶ୍ୟେଳ ପ୍ରାୟ ମଣିବି ଏବଂ ଆଜିଠାରୁ ମୋର ଯଥା ସର୍ବସ୍ୱ ସେମାନଙ୍କ ପାଇଁ ଉତ୍ସର୍ଗକରି ସେମାନଙ୍କ ମଙ୍ଗଳ କାମନାରେ ଆଗେଇ ଯିବି ।

 

ଏହି ଉକ୍ତି ମୋ ମୁଖରୁ ନିସୃତ ହେଲାବେଳେ ଜଣେ ମୋ ସମ୍ମୁଖକୁ ଆଗେଇ ଆସିଲେ-। ସେ ତାର ଆଭିଜାତ୍ୟଶୂନ୍ୟ ଦେଶୀୟ ଆବରଣ ତଳୁ ତା ବ୍ୟକ୍ତିତ୍ୱ ପରିଷ୍ପୁଟକରି କହିଲେ, ସମ୍ରାଟ ବଳୀ ! ଯେ ଯାହା କହନ୍ତୁନା କାହିଁକି, ମୁଁ ଜାଣେ ହିରଣ୍ୟ କଷ୍ୟପ ବଂଶଧରର ସ୍ୱାର୍ଥକୁ ଅଗ୍ରଗଣ୍ୟ କରି ଜନତାର ଜନନାୟକ କେବେ ମିଥ୍ୟାର ଆଶ୍ରୟ ନେବେ ନାହିଁ । ମୁକ୍ତ ଆକାଶ ତଳେ ଆପଣ ସ୍ପଷ୍ଟ କୁହନ୍ତୁ ସ୍ୱର୍ଗ ଜୟପରେ କଣ ଏ ଜାତିର ଦୈନ୍ୟ ଘୁଞ୍ଚିବ ?

 

ମୁଁ ଅବିଚଳିତ ହୃଦୟରେ କହିଥିଲି, ତୁମେ ତୁମ ସମ୍ରାଟ ଉପରେ ଭରଷା ରଖିପାର । ସ୍ୱର୍ଗଜୟକରି ଫେରିଲା ପରେ ତୁମେ ତୁମ ପ୍ରକୃତ ପ୍ରଶ୍ନର ଉତ୍ତର ପାଇପାରିବ ।

 

ଆଜି ଯେତେବେଳେ ସ୍ୱର୍ଗରୁ ମର୍ତ୍ତ୍ୟକୁ ଫେରି ଯାଉଥିଲି ସେତେବେଳେ ସେହି ଲୋକଟିର କଥା ମୋ ଆଖି ଆଗରେ ଭାଷିଉଠିଲା । ମା ! ସ୍ୱର୍ଗରୁ ଫେରିଯାଇ ମର୍ତ୍ତ୍ୟର ପାଦ ଦେଶରେ ସେହି ନିରଳସ କର୍ତ୍ତବ୍ୟପରାୟଣ ଶ୍ରମିକଟିକୁ କଣ ଦେଖାଇବି ? କିପରି ତାକୁ ବୋଧ ଦେଇ କହିବି ଆଉ ଦାରିଦ୍ର୍ୟର କଷାଘାତ ତୁମକୁ ସହ୍ୟ କରିବାକୁ ପଡ଼ିବନାହିଁ କି ଅଭାବ ଅନାଟନର କରାଳ ଛାୟା ତୁମକୁ ଗ୍ରାମ କରିବ ନାହିଁ !

 

ସେ ପ୍ରକୃତରେ ଅନୁଭବ କରିବ ଏ ବିଜୟ ତାର; ଆଉ ତା ଜାତିର । ଏ ବିଜୟ ଚିହ୍ନରେ ସମସ୍ତ ଜାତି ବିଜୟୀ ହୋଇଛି ଓ ଏହାହିଁ ଜାତି ପକ୍ଷରେ ଶ୍ରେଷ୍ଠ ବସ୍ତୁ ।

 

ବିଜୟ ଚିହ୍ନ ? ସେ ଚିହ୍ନ କଣ ମୁଁ ?

 

ତୁମ ଛଡ଼ା ଆଉ କିଏ ମା ! ଥରେ ଭାବି ଦେଖ ଦେବତାମାନେ କିଏ ? କାହାପାଇଁ ଏ ସ୍ୱର୍ଗ ନାମରେ ନାମିତ ? ତୁମପାଇଁ ଆଜି ସମସ୍ତ ମର୍ତ୍ତ୍ୟବାସୀ କ୍ଷୁଧା ପିପାସାରେ ଅଧୀର ହୋଇ ବକ୍ଷଚିରି ନିଜର ରକ୍ତ ନିଜେ ପାନ କରୁଛନ୍ତି । ଗୋଟାଏ ମର୍ମାହତ ସାଧନାର ଅଗ୍ନିଦାହ ଭଳି କ୍ଷିପ୍ତ ହୋଇ ତୁମ୍ଭର ସେହି ଅନ୍ୟାୟ ପକ୍ଷପାତି ତାର ପୈଶାଚିତ ପ୍ରତିଶୋଧ ନେବାପାଇଁ ମୁଁ ଆଜି ଅଗ୍ରସର । କେବଳ ତୁମର ସେହି ସ୍ୱତ ଚଞ୍ଚଳ ହୃଦୟରେ ମାତୃତ୍ୱର ମୋହ ଭରିଦେଇ ସର୍ବ କାମନାର ପରିସମାପ୍ତି କରିବାକୁ ମୁଁ ଧାଇଁ ଆସିଛି ।

 

ନା ବଳୀ ଭୁଲ କରୁଛ ! ବାସନାର ପରିସମାପ୍ତି ଭୋଗରେ ନୁହେଁ, ତ୍ୟାଗରେ । ଆଶକ୍ତିକୁ ଆଦରକରି ଭୋଗ ଲାଳସାର ଇନ୍ଧନରେ ସେ ପଥ ଦୁର୍ଗମ ହୁଏ ସିନା, ସୁଗମ ହୁଏନା ।

 

ହେଉ ପଛେ ତାହା ଏଥିରେ ବଳୀର କିଛି କ୍ଷତି ହେବ ନାହିଁ ମା !

 

ଅବଶେଷରେ ଲକ୍ଷ୍ମୀ ଅଧିକ ବାକ୍ୟ ବିନିମୟ ନ କରି ବଳୀକୁ ଅନୁସରଣ କରିବାକୁ ଉଦ୍ୟତ ହେଲେ ।

 

ହଠାତ୍ ପଶ୍ଚାତ୍ ଦେଶରୁ ଭାସିଆସିଲା ବଜ୍ର ନିର୍ଘୋଷ କଣ୍ଠର ଆଦେଶ, ଛିଡ଼ା ହୁଅ ବଳୀ-!

 

ଏ ଯେ ପୁରୁଷ ସିଂହ ନାରାୟଣ !

 

ବଳୀ ଆଶ୍ଚର୍ଯ୍ୟ ହେଲା ।

 

ବିଫଳତାର ଆଶଙ୍କା ତାର ମୁଖ ମଣ୍ଡଳରେ ଟାଣିଦେଲା କେତୋଟି ବିଷାଦର ଗାର । .....ଏ ଯେ ସର୍ବନାଶ ଉପସ୍ଥିତ ।

 

ଲକ୍ଷ୍ମୀ ନାରାୟଣଙ୍କୁ ଦେଖି ନିଜର ଦୁର୍ଦ୍ଦଶା ବ୍ୟକ୍ତ କରିବାକୁ ଆଗେଇ ଆସିଲେ ।

 

ନାରାୟଣ ଶ୍ରାବଣର ଅରମା ଅନ୍ଧାର ପରି ଗମ୍ଭୀର ହୋଇ କହିଲେ, ମୁଁ ଆସିଛି ଲକ୍ଷ୍ମୀ । ବଳୀର ଏତେ ସାଧ୍ୟ ଅଛି ଯେ ମୋ ଇଚ୍ଛା ବିରୁଦ୍ଧରେ ସେ ତୁମକୁ ଏଠାରୁ ନେଇଯାଇ ପାରିବ ?

 

ନାରାୟଣଙ୍କର ଲକ୍ଷ୍ମୀପ୍ରତି ଉକ୍ତି ଶ୍ରବଣକରି ବଳୀ କହିଲା–ଭୁଲ, ଭୁଲ ନାରାୟଣ ! ବଳୀକୁ ତୁମେ ଏପର୍ଯ୍ୟନ୍ତ ଜାଣିନାହଁ । ପ୍ରହ୍ଲାଦ ପୌତ୍ରର ସମ୍ୟକ ପରିଚୟ ଅଦ୍ୟାପି ତୁମେ ପାଇ ନାହଁ ।

 

ବଳୀର ଉକ୍ତି ପ୍ରତି ଭୃକ୍ଷେପ ନକରି ନାରାୟଣ ପଚାରିଲେ, ତୁମର ଉଦ୍ଦେଶ୍ୟ କ’ଣ ବଳୀ-! ତୁମେ ସ୍ୱର୍ଗରୁ ଲକ୍ଷ୍ମୀଙ୍କୁ ଘେନିଯିବାକୁ ଚାହଁ କାହିଁକି ?

 

ଏ ପ୍ରଶ୍ନର ଉତ୍ତରରେ ତୁମ୍ଭର କି ପ୍ରୟୋଜନ ? ବଳୀ ତୀର୍ଯ୍ୟକ ଦୃଷ୍ଟି ହାଣି କହିଲା ।

 

ଉତ୍ତର ସତ୍ୟହେଲେ ମୁଁ ନିର୍ବିବାଦରେ ଲକ୍ଷ୍ମୀଙ୍କୁ ବିଦାୟ ଦେବି । ନଚେତ୍ ତୁମ୍ଭଙ୍କୁ ମୋର ବିଶେଷ ପରିଚୟ ନେବାକୁ ହେବ ।

 

ବଳୀ ଦୃଢ଼ କଣ୍ଠରେ କହିଲା, ମୁଁ ମଧ୍ୟ ସେ ପରିଚୟ ଚାହେଁ ।

 

ବଳୀର ଦୃଢ଼ବାଣୀ ଶ୍ରବଣକରି ନାରାୟଣଙ୍କର ବଙ୍କିମ ନୀଳ ନୟନ ଯୁଗଳର ଶିରାଗୁଡ଼ିକ ରକ୍ତ ରାଗରେ ରଞ୍ଜିତ ହେଲା ଏବଂ ନାଗ ନିନ୍ଦିତ ଅଭୟ ଭୁଜ ଯୁଗଳରେ ବିଶ୍ୱତ୍ରାସକ ଚକ୍ର ଶୋଭାପାଇଲା । କିଛି ସମୟ ପୂର୍ବରୁ ଯୁଦ୍ଧପରାହତ ଅଣଚାଶ ବାୟୁ ଉଭୟ ନାଶିକା ରନ୍ଧ୍ରରୁ ନିର୍ଗତ ହୋଇ ବଳୀକୁ ଯୁଦ୍ଧର ଆହ୍ୱାନ ଦେଲା ।

 

କିନ୍ତୁ ବଳୀ ତିଳେମାତ୍ର ବିଚଳିତ ନହୋଇ ପୁନର୍ବାର ଶ୍ୟେଳବାକ୍ୟ ପ୍ରହାରକରି କହିଲା, ତୁମ୍ଭରି ଇଚ୍ଛାରେ ସମସ୍ତ ଇଚ୍ଛାର ପରିସମାପ୍ତି ହେଲେ ମଧ୍ୟ ତୁମ୍ଭର ଜାଣିବା ଉଚିତ ଇଚ୍ଛାମୟର ମଧ୍ୟ ଇଚ୍ଛାର କ୍ରିୟା ଅସମାପିକ ।

 

ନାରାୟଣଙ୍କର କ୍ରୋଧ ବୃଦ୍ଧି ପାଇବାକୁ ଲାଗିଲା ବଳୀର ବାକ୍ୟରେ । ସେ କ୍ରୋଧାନ୍ଧ ହୋଇ କହିଲେ, ତାହା ସତ୍ୟ । ମୁଁ ବର୍ତ୍ତମାନ ସେହି ଇଚ୍ଛା ପୂର୍ଣ୍ଣ କରିବାକୁ ଚକ୍ର ଧାରଣ କରୁଛି । ତୁମେ ତୁମ ଆତ୍ମରକ୍ଷା ପାଇଁ ଯତ୍ନବାନ ହୁଅ ।

 

ପୁନର୍ବାର ନିର୍ଭୟ ଚିତ୍ତରେ ଦାର୍ଶନିକ ବିରୋଚନର ପୁତ୍ର କହିଲା, ଆତ୍ମାହିଁ ଆତ୍ମାର ଚୀରରକ୍ଷକ ।

 

ନାରାୟଣଙ୍କ ହସ୍ତସ୍ଥିତ ଚକ୍ର ପ୍ରବଳବେଗରେ ଘୂର୍ଣ୍ଣାୟମାନ ହେବାକୁ ଲାଗିଲା । ପ୍ରବଳ ଘୂର୍ଣ୍ଣାୟମାନ ଚକ୍ରର ଅଦ୍ଭୁତ ଶବ୍ଦରେ ଦିଗ ବିଦିଗ ପ୍ରକମ୍ପିତ ହେଲା ।

 

ନାରାୟଣ ବଳୀ ଉପରେ ଚକ୍ର ନିକ୍ଷେପର ଠିକ୍ ପୂର୍ବ ମୁହୂର୍ତ୍ତରେ, ଉଭୟଙ୍କ ମଧ୍ୟରେ ହଠାତ୍ ଆସି ଦୁଇ ହସ୍ତକୁ ଦୁଇ ଦିଗକୁ ପ୍ରସାରି ଦଣ୍ଡାୟମାନ ହେଲେ ପ୍ରହ୍ଲାଦ । ସେ ଉଭୟଙ୍କୁ ସମ୍ୱୋଧନକରି କହିଲେ ତିଷ୍ଠ ।

 

ଅତି ବେଗରେ ଘୂର୍ଣ୍ଣାୟମାନ ଚକ୍ର ସହସା ସ୍ତିମିତ ହେଲା ଭକ୍ତ ପ୍ରହ୍ଲାଦକୁ ଦେଖି ।

 

ନାରାୟଣ ନିଜକୁ ପ୍ରକୃତିସ୍ଥ କରୁ କରୁ ବିସ୍ମୟଭରା କଣ୍ଠରେ ପଚାରିଲେ, କିଏ ପ୍ରହ୍ଲାଦ ?

 

ପ୍ରହ୍ଲାଦ ଯୋଡ଼ ହସ୍ତରେ କହିଲା, ହଁ ପ୍ରଭୁ ପ୍ରହ୍ଲାଦ । ମାତ୍ର ଏ ସେ ପ୍ରହ୍ଲାଦ ନୁହେଁ । ସେ ଥିଲା ବାଳକ–ଏ ବୃଦ୍ଧ । ସେ ଥିଲା ହରିଭକ୍ତ ପ୍ରହ୍ଲାଦ–ଏ ହରି ହେଶୀ ।

 

ନାରାୟଣ ଆଶ୍ଚର୍ଯ୍ୟ ହୋଇ କହିଲେ, ଏ ବେଗବତୀ ଲାଳସାର ଖର ସ୍ରୋତରେ ନିସ୍କାମ ସାଧକ ପ୍ରହ୍ଲାଦ ତୁମେ !

 

ପ୍ରହ୍ଲାଦ ମଧ୍ୟ ନାରାୟଣଙ୍କ ପରି ଚତୁରତା ଅବଲମ୍ୱନ କରି ଉତ୍ତର ଦେଲା, ଏ ତୁଚ୍ଛ ଇନ୍ଦ୍ର ବଳୀର ସଂଘର୍ଷରେ ମହାପ୍ରଳୟର ଅବିଚଳିତ ନିତ୍ୟ ନିରଞ୍ଜନ ନାରାୟଣ ସେ ତ ଆପଣ ?

 

ନାରାୟଣ ପ୍ରହ୍ଲାଦ ବାକ୍ୟ ହୃଦୟଙ୍ଗମ କରି କହିଲେ, ନା ପ୍ରହ୍ଲାଦ ଏ ସଂଘର୍ଷ ତୁଚ୍ଛ ନୁହେଁ-

 

ପ୍ରହ୍ଲାଦ ଆଶ୍ଚର୍ଯ୍ୟ ହୋଇ କହିଲା, ଏ ସଂଘର୍ଷ ତୁଚ୍ଛ ନୁହେଁ ପ୍ରଭୁ ! ଏହା ପୂର୍ବରୁ ବହୁ ଥର ଇନ୍ଦ୍ରର ଇନ୍ଦ୍ରତ୍ୱ ଯାଇଛି–ସ୍ୱର୍ଗ ଲକ୍ଷ୍ମୀ ଭ୍ରଷ୍ଟ ହୋଇଛି–ସୃଷ୍ଟି ମଧ୍ୟ ସ୍ପର୍ଦ୍ଧାରେ ପୂରିଉଠିଛି । କିନ୍ତୁ ନାରାୟଣତ କେବେ ବିନା ପ୍ରାର୍ଥନାରେ ଧାଇଁ ଆସି ନାହାନ୍ତି !

 

ନାରାୟଣ ପ୍ରହ୍ଲାଦର କଥା ଚାତୁରୀରେ ମ୍ରିୟମାଣ ହୋଇପଡ଼ିଲେ । ସେ କହିଲେ ମୁଁ ସୁବିଚାର କରିବି ପ୍ରହ୍ଲାଦ ! ତୁମେ ପ୍ରକୃତିସ୍ଥ ହୁଅ । ଭାବି ଦେଖ ଇନ୍ଦ୍ରକୁ ରକ୍ଷାକରିବା କ’ଣ ମୋ ଉଚିତ ନୁହେଁ?

 

ସଙ୍ଗେ ସଙ୍ଗେ ପ୍ରହ୍ଲାଦ କହିଲା, ଅବଶ୍ୟ । କିନ୍ତୁ ଆପଣଙ୍କର ବୁଝିବା ଉଚିତ, ବଳୀକୁ ରକ୍ଷାକରିବା କ’ଣ ମୋର ଉଚିତ ନୁହେଁ ?

 

ପ୍ରହ୍ଲାଦ କଥାରେ ନାରାୟଣ ବିସ୍ମିତ ହୋଇ କହିଲେ, ତୁମ୍ଭେ କଣ ବଳୀକୁ ରକ୍ଷାକରିବ ମୋ ବିରୁଦ୍ଧରେ ଦଣ୍ଡାୟମାନ ହୋଇ ?

 

ପ୍ରହ୍ଲାଦ ଉତ୍ତରରେ କହିଲା, ତାହାଛଡ଼ା ଅନ୍ୟ ଉପାୟ ନାହିଁ । ଜଗତ୍ ଚକ୍ଷୁରେ ବର୍ତ୍ତମାନର ମୋର ଏ କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ହେବ । ମୁଁ ବେଶ୍ରୂପେ ଜାଣେ ବଳୀର ରଣନୈପୁଣ୍ୟ ନିକଟରେ ଇନ୍ଦ୍ରାଦି ଦେବଗଣ ନିତାନ୍ତ ଶିଶୁ । କିନ୍ତୁ ତୁମ ଚକ୍ରର ଗତିରୋଧ କରିବାକୁ ପ୍ରହ୍ଲାଦ ଭିନ୍ନ ଅନ୍ୟ କେହି ସମକକ୍ଷ ନୁହେଁ । ସେଥିପାଇଁ ନିତାନ୍ତ ଅନିଚ୍ଛା ସତ୍ୱେ, ଅନାହୂତ ଭାବେ ଏହି କ୍ରୂର ଭୂମିକା ଗ୍ରହଣ କରିବାକୁ ମୁଁ ଆଜି ଧାଇଁ ଆସିଛି ପ୍ରଭୁ ! କେବଳ ତୁମରି ପାଇଁ–ତୁମ୍ଭର ସେହି କୂଟିଳ ଚକ୍ର ପାଇଁ ।

 

ନାରାୟଣଙ୍କ ବଙ୍କିମ ଅଧରରେ କୂଟିଳ ହାସ୍ୟ ଉଦ୍ରେକ ହେଲା ।

 

ନା ପ୍ରହ୍ଲାଦ ! ଏହା ତୁମ୍ଭ ଆତ୍ମ ଆବରଣର କଥା ମାତ୍ର । ମୋର ସଂପୂର୍ଣ୍ଣ ଧାରଣା, ତୁମ୍ଭର ଆଗମନ ମୋ ପାଇଁ ନୁହେଁ । ମୁଁ ଯେ ହଠାତ୍ ଆବିର୍ଭାବ ହୋଇ ବଳୀ ବିରୁଦ୍ଧରେ ଚକ୍ରଧାରଣ କରିବି ଏହା ମୋର ଅର୍ଦ୍ଧାଙ୍ଗିନୀ ଲକ୍ଷ୍ମୀ ପର୍ଯ୍ୟନ୍ତ ଜାଣି ନାହାନ୍ତି, ଆଉ ତୁମେ ଜାଣିଲ କିପରି ପ୍ରହ୍ଲାଦ ?

 

ପ୍ରହ୍ଲାଦ ଯୁକ୍ତକର ହୋଇ କହିଲା, ପ୍ରଭୋ ! ଲକ୍ଷ୍ମୀ ଜାଣି ନ ପାରନ୍ତି ସତ, କିନ୍ତୁ ଆପଣଙ୍କ ସମ୍ୱାଦ ଲକ୍ଷ୍ମୀଙ୍କ ଅପେକ୍ଷା ପ୍ରହ୍ଲାଦ ଅଧିକ ରଖେ । ତାହା ମଧ୍ୟ ଆପଣ ଜାଣିଛନ୍ତି । ବର୍ତ୍ତମାନ ଆପଣ ସ୍ମରଣ କରିପାରନ୍ତି, ପ୍ରହ୍ଲାଦ ଯେତେବେଳେ ଅଜ୍ଞାନ ପଞ୍ଚମ ବର୍ଷର ଶିଶୁ, ସେତେବେଳେ ଯେ ଆପଣ ସ୍ପଟିକ ସ୍ତମ୍ଭ ମଧ୍ୟରେ ଥିଲେ ସେ କଥା ସେ କିପରି ଜାଣିଥିଲା ?

 

ଅପ୍ରତିଭ ହୋଇ ପଡ଼ିଲେ ବିଶ୍ୱକର୍ତ୍ତା । ପ୍ରହ୍ଲାଦର ଭକ୍ତିପୂର୍ଣ୍ଣ ଯୁକ୍ତିଯୁକ୍ତ ସତ୍ୟ କଥା ତାଙ୍କ ମନରେ ଅନ୍ୟ ଭାବ ସୃଷ୍ଟି କଲା । ସେ ଅତି ସରଳ ଭାବେ କହିଲେ, ପ୍ରହ୍ଲାଦ ! ମୁଁ ପରାଜିତ । ତୁମ ବିରତ୍ୱ ନିକଟରେ ନୁହେଁ କିମ୍ୱା ତୁମ ବାକ୍ୟ ବାଣରେ ନୁହେଁ–କେବଳ ତୁମ ଭକ୍ତିଠାରେ । ମୁଁ ଚକ୍ର ସମ୍ୱରଣ କଲି–ମୋର ଆଉ କୌଣସି ବିଦ୍ୱେଷ ନାହିଁ । ତୁମ୍ଭେ ଟିକିଏ ଲକ୍ଷ୍ମୀଙ୍କୁ ଫେରାଇ ଦେବାପାଇଁ ବଳୀକୁ ଆଦେଶ କର ।

 

ପ୍ରହ୍ଲାଦ ଭଲରୂପେ ଜାଣନ୍ତି ଥରେ ଯଦି ଚକ୍ରର ଗତିରୋଧ କରାଇ ପାରେ ତେବେ ସେ ପୁନର୍ବାର ନିର୍ଦ୍ଦିଷ୍ଟ ସେହି ବ୍ୟକ୍ତି ବିରୁଦ୍ଧରେ ଯାଇ ପାରେନା । ତେଣୁ ତାଙ୍କ କାର୍ଯ୍ୟ ଶେଷ ହୋଇଛି । ଏଣିକି ବଳୀ ଅନାୟାସରେ ତା କାର୍ଯ୍ୟ ସମ୍ପାଦନ କରିପାରିବ ।

 

ନା ପ୍ରଭୋ । ଯଦ୍ୟପୀ ପିତାମହ ପୂଜ୍ୟ, ତଥାପି ଆଜି ସେ ଭୂମିକାରେ ମୁଁ କିମ୍ୱା ବଳୀ ନାହୁଁ । ସେ ଜନନାୟକ, ଆଉ ମୁଁ ତା ରାଜ୍ୟର ଜଣେ ପ୍ରଜା ମାତ୍ର । ବଳୀକୁ ଆଦେଶ ଦେବା ମୋ ଶକ୍ତିର ବାହାରେ । ଦୁର୍ବଳମନା ପ୍ରହ୍ଲାଦ କେବଳ ଆପଣଙ୍କଠାରେ ଭକ୍ତିପୂର୍ଣ୍ଣ ଦୈନ୍ୟ ଜଣାଇବା ଛଡ଼ା ଅନ୍ୟ କିଛି କରିପାରେନା ।

 

ଭଗବାନଙ୍କୁ ନମସ୍କାର କରି ଏବଂ ବଳୀଆଡ଼େ ଥରେ ଦୃକ୍‍ପାତ କରି ସେ ନିସ୍କ୍ରାନ୍ତ ହେଲା ବୈକୁଣ୍ଠରୁ । ତାର ମନ ଖୁବ୍ ଆନନ୍ଦ । ଜନ୍ମ ଭୂମିପାଇଁ ଜାତିପାଇଁ ସେ ଆଜି କିଛି କରିଛି । ଜାତିର ଦୁର୍ଦ୍ଦିନରେ ତାର ଭୂମିକା ନିଶ୍ଚୟ ଚିତାକର୍ଷକ ହୋଇଛି । ଭକ୍ତ ଯେ କେବଳ ଭକ୍ତ ହୋଇପାରେ, ଜାତି ପାଇଁ ଦେଶ ପାଇଁ କିଛି କରି ପାରେନା, ଏହି ଉକ୍ତିର ସତ୍ୟତାରେ ସେ ଭୀଷଣ ବାଧା ସୃଷ୍ଟି କରିଛି । ଯେ ଈଶ୍ୱର ଭକ୍ତ, ସେ ମଧ୍ୟ ଦେଶ ଭକ୍ତ, ଜାତିଭକ୍ତ ।

 

ଆଜି ନ ହୋଇପାରେ–ଦିନେ ନିଶ୍ଚୟ ଇତିହାସକାର ଏହାର ଇତିହାସର ଲେଖିବ । ସେ ନିଶ୍ଚୟ ଲେଖିବ–ପ୍ରହ୍ଲାଦପରି ଭକ୍ତ, ଯେ କି ତା ପିତାର ମୃତ୍ୟୁ ଅମ୍ଳାନ ବଦନରେ ସହ୍ୟକରୀ ପିତୃ ହନ୍ତାର ସ୍ତବ କରିଥିଲା, ସେ ଦିନେ ତା ଜାତିକୁ ଦେଶକୁ ବଞ୍ଚାଇବାକୁ ସେହି ନାରାୟଣଙ୍କ ବିରୁଦ୍ଧରେ ସ୍ୱରୋତ୍ତଳନ କରିଥିଲା । ଆଉ ସେହି ସ୍ୱରରେ ତା ଜାତି ତା ଦେଶ ନିଶ୍ଚିତ ମୃତ୍ୟୁ, ବିପଦରୁ ରକ୍ଷା ପାଇଥିଲା । ଏହାହିଁ କ’ଣ ତା ଜାତି ପାଖରେ ତାର ଯଥେଷ୍ଟ ପରିଚୟ ନୁହେଁ ?

 

ପ୍ରହ୍ଲାଦର ପ୍ରତ୍ତ୍ୟାବର୍ତ୍ତନ ପରେ ନାରାୟଣ ଅନ୍ୟନ୍ୟୋପାୟ ହୋଇ ବଳୀକୁ କହିଲେ ବଳ-! ତୁମେ ସ୍ୱର୍ଗରାଜ୍ୟ ନିଅ–ପୃଥିବୀର ଆଧିପତ୍ୟ ନିଅ–ମୁଁ କୌଣସିରେ ବାଧା ଦେବି ନାହିଁ-। ମାତ୍ର, ମୋର ଲକ୍ଷ୍ମୀଙ୍କୁ ଫେରାଇ ଦିଅ ।

 

ଲକ୍ଷ୍ମୀଙ୍କୁ ଫେରାଇ ଦେବି ! ଲକ୍ଷ୍ମୀଛଡ଼ା ପୃଥିବୀର ଆଧିପତ୍ୟ ବାରୀଶୂନ୍ୟ ସରୋବର ମାତ୍ର; ପ୍ରାଣହୀନ ଶବ ଦେହରେ ପ୍ରଲୋଭନ ମାତ୍ର । ବସ୍ତୁବାଦୀ ବିଶ୍ୱର ଆକାଂକ୍ଷିତ ଲକ୍ଷ୍ମୀଙ୍କୁ ମୁଁ କେବେ ଅନ୍ୟ କାହା ବିନିମୟରେ ବି ଛାଡ଼ି ପାରେନା । ପୃଥିବୀର ଅଗଣିତ ବୁଭୁକ୍ଷୁ ପ୍ରାଣୀଙ୍କର କରୁଣ ଚିତ୍କାର ମୁଁ ଆଉ କେବେ ଶ୍ରବଣ କରିବାକୁ ପ୍ରସ୍ତୁତ ନୁହେଁ । ହେଉ ପଛେ ସ୍ୱର୍ଗର ଗୌରବ ଖର୍ବ, ମୁଁ ଲକ୍ଷ୍ମୀଙ୍କୁ ମର୍ତ୍ତ୍ୟକୁ ଘେନିଯିବ–ମର୍ତ୍ତ୍ୟବାସୀଙ୍କୁ ଦେଖାଇବି ସ୍ୱର୍ଗ କଣ ନାରାୟଣଙ୍କ ପାଇଁ ନା ଲକ୍ଷ୍ମୀଙ୍କ ପାଇଁ ?

 

ତାପରେ ବଳୀ କିୟତକ୍ଷଣ କ’ଣ ଚିନ୍ତାକଲା, ତାପରେ ମୁଖ ଟେକି ନାରାୟଣଙ୍କୁ କହିଲା,.... ହଁ ଦେଇପାରେ ଦର୍ପହାରୀ ନାରାୟଣ ! କିନ୍ତୁ ତାହା କାହାରି ରକ୍ତ ଚକ୍ଷୁରେ ନୁହେଁ କିମ୍ୱା କାହାରି ପ୍ରତିଦାନରେ ନୁହେଁ, ଏପରିକି କାହାରି ଅନୁରୋଧରେ ନୁହେଁ । ଦେଇପାରେ ଯଦି ତୁମ୍ଭେ ତୁମ୍ଭର ଶ୍ରେଷ୍ଠତ୍ୱର ଦର୍ପ ବିର୍ଷଜନ ଦେଇ, ଭିକ୍ଷୁକର ଦୀନତା ନେଇ ତୁମ ସୃଷ୍ଟ ଜଗତର କ୍ଷୁଦ୍ର ଜୀବ ନିକଟରେ ଚାହଁ ଭିକ୍ଷା ।

 

ବିସ୍ମିତ ହେଲେ ନାରାୟଣ ବଳୀର ଏତାଦୃଶ ଦୃଢ଼ ବାକ୍ୟ ଶ୍ରବଣକରି । ସେ ଆଶ୍ଚର୍ଯ୍ୟ ହୋଇ କହିଲେ ତୁମେ କଣ ବର୍ତ୍ତମାନ ପର୍ଯ୍ୟନ୍ତ ବି ମୋତେ ଚିହ୍ନପାରି ନାହିଁ ? ସାରା ବିଶ୍ୱ ମୋ କୃପାଭିକ୍ଷା କରିବାପାଇଁ କୃତାଞ୍ଜଳୀପୁଟେ ଦଣ୍ଡାୟମାନ । ଆଉ ମୁଁ ଭିକ୍ଷା କରିବି ତୁମ ନିକଟରେ–ପୁଣି ତୁଚ୍ଛ ଦାନବ ନିକଟରେ ।

 

ବଳୀ ମୁଖରେ ବ୍ୟଙ୍ଗ ହାସ୍ୟ ଫୁଟିଉଠିଲା । ସେ ହସି ହସି କହିଲା, କାହିଁକି, ଲଜ୍ଜା ହେଉଛି ? ନିଷ୍ଠୁର ! ଯେତେବେଳେ ଅଭାବର କର୍କଶ ତାଡ଼ନାରେ କ୍ଷପ୍ତ ହୋଇ ସମଗ୍ର ବିଶ୍ୱ ସଂସାର ତୁମର କରୁଣା ପ୍ରାର୍ଥନାକରି ବିକଳ କଣ୍ଠରେ ଚିତ୍କାର କରେ, ସେତେବେଳେ ସେ ଦୃଶ୍ୟ ବେଶ ଉପଭୋଗ କର । ଆଜି ଲକ୍ଷ୍ମୀହରା ହୋଇ, ଲକ୍ଷ୍ମୀଙ୍କୁ ଛାଡ଼ି ଟିକିଏ ହୃଦୟଙ୍ଗମ କରିବ ନାହିଁ ସେହି ମର୍ମନ୍ତୁଦ ବେଦନା । ଅଭାବର ଋକ୍ଷ ସ୍ୱଭାବରେ, ଦାରିଦ୍ର୍ୟର ପେଷଣରେ, କଙ୍କାଳସାରର ଯେଉଁ ହୃଦୟସ୍ପର୍ଶୀ ହା ଅନ୍ନ ଚିତକାର–ସେ ଦୃଶ୍ୟ ତୁମେ ଅନେକ ଥର ଦେଖିଥିବ । ମାତ୍ର ପଥର ଦେଉଳର ପଥର ମୂର୍ତ୍ତିପରି ସେହି କରୁଣ ଚିତକାରକୁ ତୁମ୍ଭେ ବ୍ୟଙ୍ଗ କରିଥିବା ସିନା, ମନରେ କାରୁଣ୍ୟ ଆସି ନଥିବ । ସର୍ବୋଚ୍ଚ ଶିଖରରେ ଅଧିଷ୍ଠିତ ତୁମେ, ଆଜି ବେଳ ଆସିଛି ଗତ ବିଗତ କୃତ କୁମର୍ମ ପାଇଁ ଶୋଚନା କରିବାକୁ । ଆଉ ମଧ୍ୟ ଜାଣିରଖ ଦୁଃଖୀର ଆକୁଳ କମ୍ପନରେ ତୁମ ନିଷ୍ଠୁର ହୃଦୟରେ ଦୟାର ସଞ୍ଚାର ହୋଇ ନଥିବ, କିନ୍ତୁ ତାର କିଛି ପରିମାଣର ଆର୍ତ୍ତନେଇ ସେହି ମରଜଗତର କ୍ଷୁଦ୍ର ପ୍ରାଣୀ ନିକଟରେ ଯଦି କେବେ ଉପସ୍ଥିତ ହୁଅ, ତେବେ ସେହି ଅବହେଳିତ ହେୟ କ୍ଷୁଦ୍ରପ୍ରାଣୀ ତୁମ ପଦପ୍ରାନ୍ତେ ତାର ସବୁ କିଛି ସମର୍ପଣ କରି ନିଜକୁ ଧନ୍ୟ ମନେ କରିବ । ଯଦି ଅବିଶ୍ୱାସ ହୁଏ ତେବେ ତୁମ ସୃଷ୍ଟ ଜୀବର ଦ୍ୱାରସ୍ଥ ହୁଅ ।

 

ବଳୀର ଉକ୍ତି ଶ୍ରବଣକରି ନାରାୟଣଙ୍କର ମୁଖମଣ୍ଡଳ ଭାରାକ୍ରାନ୍ତ ହୋଇ ଉଠିଲା । ବଳୀର ସମସ୍ତ କଥା ସତେ ଯେପରି ଏକତ୍ରୀତ ହୋଇ ତାଙ୍କ କର୍ଣ୍ଣ ଗହ୍ୱରରେ ଥରକୁ ଥର ପ୍ରତିଧ୍ୱନୀତ ହେଉଛି । ବର୍ତ୍ତମାନ ସେ କଣ କରିବେ–କଣ ସବୁ ନୀରବରେ ସହ୍ୟ କରିବେ ?

 

ଚିନ୍ତାମଣିଙ୍କର ଗଭୀର ଚିନ୍ତାମଗ୍ନ ମୁଖମଣ୍ଡଳକୁ ଲକ୍ଷକରି ବଳୀ ଲକ୍ଷ୍ମୀଙ୍କୁ କହିଲା, ଆସ ମା ! ସନ୍ତାନଙ୍କ ଦୀର୍ଘଦିନର ଆକାଂକ୍ଷା ପୂର୍ଣ୍ଣ କରିବାକୁ ବିଜେକର ସେହି ପରିତ୍ୟକ୍ତ ମର୍ତ୍ତ୍ୟ ଭୂମିରେ-। ମର୍ତ୍ତ୍ୟର କୋଟି କୋଟି ସନ୍ତାନ ତୋର ଆଗମନକୁ ଅପେକ୍ଷା କରିଛି–ଭୋକ ଶୋଷ ଭୁଲି-। ସେହି କୋଟି କୋଟି ହତଭାଗ୍ୟ ବିପନ୍ନ ସନ୍ତାନଙ୍କ ଜନନୀ ହେବାକୁ ତୁ କଣ ଦ୍ୱୀଧା କରୁ ମା-?

 

ଚମକି ଉଠିଲେ ଲକ୍ଷ୍ମୀ ବଳୀ କଥା ଶ୍ରବଣ କରି । ସେ କହିଲେ, ନା ବଳୀ ସନ୍ତାନହିଁ ସନ୍ତାନ । ସନ୍ତାନଠାରେ ପକ୍ଷପାତିତା କେବେ ପ୍ରକୃତ ଜନନୀ ପକ୍ଷେ ଶୋଭାପାଏ ନାହିଁ । ମୁଁ ଯିବି ମର୍ତ୍ତ୍ୟର ସେହି କଙ୍କାଳସନାରମାନଙ୍କ ନିକଟକୁ । ଉତ୍ସୃଙ୍ଖଳ ମାତୃତ୍ୱର ଶୁଭ୍ର ଜଳରେ ସେମାନଙ୍କୁ ଅବଗାହି, ମୋଚନ କରିବି ସେମାନଙ୍କ ଦୁଃଖ କଷ୍ଟ ।

 

ଚକ୍ଷୁ ଉନ୍ମିଳିତ କରି ନାରାୟଣ ପଚାରିଲେ, ଅବଶେଷରେ ତୁମେ କଣ ମୋତେ ପରିତ୍ୟାଗ କରି ଚାଲିଯିବ ଲକ୍ଷ୍ମୀ ?

 

ନା ପ୍ରଭୁ ! ଆପଣଙ୍କୁ ଛାଡ଼ି ଚାଲିଯିବାର ପ୍ରଶ୍ନ ଉଠୁ ନାହିଁ–କିନ୍ତୁ କର୍ତ୍ତବ୍ୟର ଯେତେବେଳେ ଡାକରା ଆସେ ସେତେବେଳେ ? କର୍ତ୍ତବ୍ୟର ଅଧୀନ ବିଶ୍ୱ ଯେତେବେଳେ ସେଥିରୁ ବିଶ୍ୱ ପିତାମାତା ଭିନ୍ନ ନୁହନ୍ତି । ମୋ ପାଇଁ ମହା କର୍ତ୍ତବ୍ୟର ଡାକରା ଆସିଛି–ମୋତେ ଯିବାକୁହିଁ ହେବ । ଦୈନ୍ୟର ପେଷଣରେ କଙ୍କାଳ ସାର କ୍ଷୁଧିତ ପ୍ରାଣୀର ଚିତ୍କାର ମୋତେ ହାତଠାରି ଡାକ ଦେଉଛି । ମୁଁ ବିଶ୍ୱର ଜନନୀ ନାମ ନେଇ ପାରିବି ନାହିଁ ସେହି ଡାକକୁ ପ୍ରତ୍ୟାଖ୍ୟାନ କରି ।

 

ଲକ୍ଷ୍ମୀଙ୍କର ବେଦନା ଜଡ଼ିତ ଭାବପ୍ରବଣ ଉକ୍ତି ଶ୍ରବଣକରି ନାରାୟଣ ନିରୁତ୍ତର ରହିଲେ । ବାସ୍ତବିକ୍ ତାଙ୍କର ଦୁର୍ଦ୍ଦିନ ଆଗତ । ତା ନ ହେଲେ ସ୍ରଷ୍ଟା ତ ସୃଷ୍ଟ ଜୀବକୁ ଅନୁରୋଧ କଲେ ମଧ୍ୟ ସେ ତାହା ଗ୍ରହଣ କରନ୍ତା ନାହିଁ । ପୁଣି ନିଜର ଲକ୍ଷ୍ମୀପରି ପତ୍ନୀ ତାଙ୍କୁ ତ୍ୟାଗକରି ଚାଲିଯିବାକୁ ଇଚ୍ଛା କରନ୍ତା ?

 

ଅଧିକ କ୍ଷଣ ଆଉ ସେଠାରେ କହିବାକୁ ବଳୀ ଇଚ୍ଛା କଲାନାହିଁ । ସେ ଇଙ୍ଗିତରେ ଲକ୍ଷ୍ମୀଙ୍କୁ ଯିବାପାଇଁ ଅନୁରୋଧ କଲା ।

 

ଲକ୍ଷ୍ମୀ ବଳୀ ସହିତ ମର୍ତ୍ତ୍ୟକୁ ଯିବା ପୂର୍ବରୁ ନାରାୟଣଙ୍କୁ କହିଲେ, ସେହି ସୁଦିନ ଅପେକ୍ଷାରେ ଚାଲିଲି ପ୍ରଭୁ ! ଯେଉଁଦିନ ସ୍ୱୟଂ ଆପଣ କଙ୍କାଳସାର ବୁଭୁକ୍ଷୁ ବେଶରେ ବଳୀ ରାଜ୍ୟରେ ପଦାର୍ପଣ କରି ‘ଭିକ୍ଷାଂ ଦେହି’ ଡାକରେ ଦିଗ୍ ବିଦିଗ ମୁଖରିତ କରି ବଳୀର ଅହମିକା ଚୂର୍ଣ୍ଣିଭୂତ କରିବେ ।

 

ନାରାୟଣ ଗଭୀର ଭାବେ ଚିନ୍ତାମଗ୍ନ । ଲକ୍ଷ୍ମୀଙ୍କ କଥା ସେ ଶୁଣି ପାରିଲେକି ନା ତାହା ମଧ୍ୟ କେହି ବୁଝିପାରିଲେ ନାହିଁ ।

 

ନାରାୟଣଙ୍କ ଚିନ୍ତାମଗ୍ନ ଅବସ୍ଥା ଦେଖି ଧୀରେ ଧୀରେ ଲକ୍ଷ୍ମୀ ବୈକୁଣ୍ଠ ତ୍ୟାଗ କଲେ ।

 

କେତେକ ସମୟ ପରେ ନାରାୟଣ ପ୍ରକୃତିସ୍ଥ ହେଲେ ।

 

ସେତେବେଳକୁ ଲକ୍ଷ୍ମୀ ଏବଂ ବଳୀ ବୈକୁଣ୍ଠସୀମା ଅତିକ୍ରମ କର ମର୍ତ୍ତ୍ୟ ଭୂମିରେ ପଦାର୍ପଣ କରୁଥିଲେ ।

☆☆☆

 

ନରମେଧ ଯଜ୍ଞ

 

ମହାରାଜ ହରିଶ୍ଚନ୍ଦ୍ରଙ୍କ ନରମେଧ ଯଜ୍ଞ । ସ୍ୱୟଂ ମହାରାଜ ଯଜ୍ଞବେଦୀ ନିକଟରେ ଆସୀନ । କୁଳଗୁରୁ ବଶିଷ୍ଠ ଯଜ୍ଞର ପ୍ରଧାନ ହୋତା । ବଶିଷ୍ଠଙ୍କ ବ୍ୟତୀତ ବହୁ ଯଜ୍ଞୋପବୀତଧାରୀ ବ୍ରାହ୍ମଣ ବଶିଷ୍ଠଙ୍କ ନିର୍ଦ୍ଦେଶାନୁସାରେ ଯଜ୍ଞ କୁଣ୍ଡରେ ମନ୍ତ୍ର ପଢ଼ି ବିଭିନ୍ନ ଦ୍ରବ୍ୟ ଉତ୍ସର୍ଗ କରୁଛନ୍ତି । ଯଜ୍ଞର ପ୍ରଧାନ ସମୀଧ ଋଷି ଅଜିଗର୍ତ୍ତଙ୍କ ମଧ୍ୟମ ପୁତ୍ର ଶୂନଶେଫ । ଚତୁଷ୍ପଦ ପଶୁଟି ପରି ସେ ବନ୍ଧା ହୋଇଛନ୍ତି ଯୁପ କାଷ୍ଠରେ । ହୁଏ ତ ଆଉ କିଛି ସମୟ ପରେ ଗଣ୍ଡିଠାରୁ ମୁଣ୍ଡଟି ତାଙ୍କର ଅଲଗା ହୋଇଯିବ । ସେଥି ପାଇଁ ବାଳକ ଶୂନଶେଫ କ୍ରନ୍ଦନରତ । ତାଙ୍କର ବିକଳ କଣ୍ଠସ୍ୱର ଯଜ୍ଞକର୍ତ୍ତା କିମ୍ୱା ଯଜ୍ଞ କର୍ମରେ ବ୍ୟାପୃତ ଋଷି ତଥା ବ୍ରାହ୍ମଣମାନଙ୍କୁ ସ୍ପର୍ଶ କରୁନାହିଁ । ସେମାନେ ନିର୍ବିକାର ଚିତ୍ତରେ ମନ୍ତ୍ରପଢ଼ି ଚାଲୁଛନ୍ତି ଏବଂ ବିଭିନ୍ନ ସମୀଧ ଯଜ୍ଞ କୁଣ୍ଡରେ ନିକ୍ଷେପ କରୁଛନ୍ତି । ବଳି ପ୍ରୋକ୍ଷଣ ପୂର୍ବରୁ ବଳି ପାଇଁ ଉପଯୁକ୍ତ ପ୍ରାଣୀଟିକୁ ଶୌଚ କରାଇବା ବିଧି ଅଛି । ତେଣୁ ଶୂନଶେଫଙ୍କୁ ପବିତ୍ର ଜଳରେ ସ୍ନାନ କରାଇ ନବ ବସ୍ତ୍ର ପରିଧାନ କରାଯାଇଛି । ନିୟମ ମୁତାବକ ତାଙ୍କ କଣ୍ଠ ଦେଶରେ ଲମ୍ୱାଇ ଦିଆହୋଇଛି ରକ୍ତ ମନ୍ଦାର ମାଳ । ମସ୍ତକରେ ରକ୍ତ ଚନ୍ଦନ ଛଟା ।

 

ଯଜ୍ଞ ଦର୍ଶନ କରିବା ପାଇଁ ବହୁବ୍ୟକ୍ତି ଉପସ୍ଥିତ । ଦର୍ଶନାକାଂକ୍ଷୀ ଉପଗତ ବ୍ୟକ୍ତିଙ୍କ ପାଇଁ ସ୍ଥାନ ନିର୍ଦ୍ଦେଶ ହୋଇଛି, ତାହା ଯଜ୍ଞ ବେଦୀଠାରୁ ଟିକିଏ ଦୂରରେ । ସ୍ତ୍ରୀ, ବାଳକ, ବୃଦ୍ଧା, ଯୁବା, ଅସଂଖ୍ୟ ଲୋକ ସମାଗତ । ଯଜ୍ଞ ତ ନାଚ ତାମସା ନୁହେଁ । ସାଧାରଣ ବ୍ୟକ୍ତି କ’ଣ ବୁଝିବ ସେଥିରୁ-। ତଥାପି ପିମ୍ପୁଡ଼ି ପରି ଲୋକେ ଛୁଟିଛନ୍ତି । ଏ ତ ସାଧାରଣ ଯଜ୍ଞ ନୁହେଁ । ମହାରାଜ ହରିଶ୍ଚନ୍ଦ୍ରଙ୍କର ନରମେଧ ଯଜ୍ଞ । ପ୍ରଧାନ ହୋତା ସ୍ୱୟଂ ବଶିଷ୍ଠ ।

 

ସମସ୍ତଙ୍କ ସହିତ ବଶିଷ୍ଠଙ୍କ ନିର୍ଦ୍ଦେଶିତ ଯଜ୍ଞ ଦେଖିବାକୁ ଉପସ୍ଥିତ ମହାରାଜ ଗାଧିଙ୍କ ପୁତ୍ର ବିଶ୍ୱାମିତ୍ର । ସେ ସାଧାରଣ ବ୍ୟକ୍ତି ନୁହଁନ୍ତି କି ସାଧାରଣ ଦର୍ଶକ ନୁହନ୍ତି । ସେ ଜଣେ ଜ୍ଞାନୀ ଓ ଯଜ୍ଞକର୍ମରେ କୁଶଳୀ । କିନ୍ତୁ ବଶିଷ୍ଠମାର୍ଗୀ ସେ ନୁହଁନ୍ତି । ବଶିଷ୍ଠଙ୍କଠାରୁ ଭିନ୍ନ ମାର୍ଗରେ ସେ ଗତି କରି ଯେଉଁ ଫଳପ୍ରାପ୍ତ ହୋଇଛନ୍ତି, ତାହା ସମଗ୍ର ବିଶ୍ୱକୁ ବିସ୍ମିତ କରି ଦେଇଛି । ସେ ଜ୍ଞାନର ପରିସମାପ୍ତି ଘଟାଇଛନ୍ତି ବିଜ୍ଞାନରେ । ତାଙ୍କ ପ୍ରଦର୍ଶିତ ମାର୍ଗରେ ଜନସମାଜ ଅନୁପ୍ରାଣିତ ହୋଇ ଉପବାସ କରିଛନ୍ତ ଦୁର୍ଭିକ୍ଷ, ଅନାହାରକୁ । ପୂର୍ବ ନୀତିନିୟମରେ ପୂର୍ଣ୍ଣଚ୍ଛେଦ ଟାଣି ସେ ଆଣିଛନ୍ତି ଧରଣୀ ବକ୍ଷରେ ସବୁଜ ବିପ୍ଳବ । ତେଣୁ ଧରଣୀ ସବୁଦିନେ ଶସ୍ୟଶ୍ୟାମଳା । ତାଙ୍କ କୃତିତ୍ୱରେ କୋଟି କୋଟି ନିରନ୍ନ କ୍ଷୁଧିତ ଲୋକ ମୁଖରେ ଆନନ୍ଦର ଢେଉ ଖେଳିଯାଇଛି ।

 

ସେ କେବଳ ଜ୍ଞାନୀ ନୁହଁନ୍ତି—ବିଜ୍ଞାନୀ । ଦେଶ ବିଦେଶରେ ଆଶ୍ଚର୍ଯ୍ୟଭାବେ ସେ ଅଭିନନ୍ଦିତ । ସେ ଯଜ୍ଞର ବିରୋଧୀ ନୁହଁନ୍ତି । କିନ୍ତୁ ଯଜ୍ଞରେ ହେଉଥିବା ପ୍ରାଣୀ ବଧ ସେ ସହ୍ୟକରି ପାରନ୍ତି ନାହିଁ । ବିନା ପ୍ରାଣୀବଧରେ ଯଜ୍ଞରେ କିପରି ସୁଫଳ ମିଳିଥାଏ, ତା’ର ସୁଗମ ପଥ ତାଙ୍କୁ ଅଜଣା । ତେଣୁ ସେ ଆଗମନ କରିଛନ୍ତି ଏକ ଦୁର୍ଲ୍ଲଭ ମାନବ ଜୀବନ ରକ୍ଷା କରି ଯଜ୍ଞକର୍ତ୍ତା ମହରାଜ ହରିଶ୍ଚନ୍ଦ୍ରଙ୍କୁ ତାଙ୍କ ଯଜ୍ଞଫଳ ଦେବାକୁ ।

 

ସ୍ୱନାମଧନ୍ୟ ପୁଣ୍ୟଶ୍ଳୋକ ମହାରାଜ ରାମଚନ୍ଦ୍ରଙ୍କ ପୂର୍ବପୁରୁଷ ମହାରାଜ ହରିଶ୍ଚନ୍ଦ୍ର । ତାଙ୍କ ପିତାଥିଲେ ସ୍ୱାସ୍ଥ୍ୟବାନ, କାମଦେବଙ୍କ ପରି ସୁନ୍ଦର ପୁରୁଷ ତ୍ରିଶଙ୍କୁ । ମହାରାଜ ତ୍ରିଶଙ୍କୁ ଏକଦା ଇଚ୍ଛାକଲେ ତାଙ୍କର ସେହି ସୁନ୍ଦର ରୂପ ନେଇ ସ୍ୱର୍ଗଗମନ କରିବାକୁ । ଏ ଇଚ୍ଛାର ପୂରଣ ପାଇଁ କୁଳଗୁରୁ ବଶିଷ୍ଠ ପଶ୍ଚାତତ୍ପଦ ହେବାରୁ ବିଶ୍ୱାମିତ୍ର ତାଙ୍କ ଇଚ୍ଛା ପୂରଣ କରିବାକୁ ଏକ ଅନୁଷ୍ଠାନର ସୂତ୍ରପାତ କଲେ । ସ୍ୱର୍ଗଗମନର ସାଂସ୍କୃତିକ ଅନୁଷ୍ଠାନ ଶେଷରେ ବିଜ୍ଞାନବାଦୀ ଋଷି ବିଶ୍ୱାମିତ୍ର ତାଙ୍କ ଶକ୍ତି ବଳରେ ତ୍ରିଶଙ୍କୁଙ୍କୁ ସ୍ୱର୍ଗ ଯିବାପାଇଁ ଆହ୍ୱାନ କଲେ । ଶୁଚିମନ୍ତ ହୋଇ ମହାରାଜ ତ୍ରିଶଙ୍କୁ ବିଶ୍ୱାମିତ୍ରଙ୍କ ଶକ୍ତିରେ ସ୍ୱର୍ଗକୁ ଉଠିବାକୁ ଲାଗିଲେ । ମାତ୍ର ଏଭଳି ସ୍ୱଦେହ ଧରି ଜଣେ ରୂପଗର୍ବୀ ମାନବ ସ୍ୱର୍ଗକୁ ଆସିବା ଦେବତାମାନଙ୍କ ପକ୍ଷେ ଅସହ୍ୟ ହେଲା । ସେମାନେ ସେମାନଙ୍କ ଶକ୍ତି ବଳରେ ମହାସ୍ୱର୍ଗରୁ ତ୍ରିଶଙ୍କୁଙ୍କୁ ନିଗ୍ନଗାମୀ କଲେ । ମହାସ୍ୱର୍ଗରୁ ତଡ଼ିତ ବେଗରେ ସେ ଖସି ପଡ଼ୁ ପଡ଼ୁ କାତର କଣ୍ଠରେ ବିଶ୍ୱାମିତ୍ରଙ୍କୁ ନିଜର ଦୂରବସ୍ଥା ଜ୍ଞାପନ କଲେ । ତତ୍‍କ୍ଷଣାତ୍‍ ବିଶ୍ୱାମିତ୍ର ନିଜର ସମସ୍ତ ଶକ୍ତିବଳରେ ତଡ଼ିତ୍ ବେଗରେ ପତିତ ହେଉଥିବା ତ୍ରିଶଙ୍କୁଙ୍କ ପାଇଁ ସେହି ମଧ୍ୟ ସ୍ୱର୍ଗରେ ସ୍ଥାନ ନିରୂପଣ କଲେ । ମଧ୍ୟ ସ୍ୱର୍ଗରେ ସେ କଲେ ସପ୍ତର୍ଷୀ, ଗ୍ରହମଣ୍ଡଳ ଆଦି ସୃଷ୍ଟି । ନୂତନ ସ୍ୱର୍ଗ ସୃଷ୍ଟ କରି ଦେବତା, ଇନ୍ଦ୍ର ସୃଷ୍ଟିକଲା ବେଳକୁ ଦେବତାମାନଙ୍କ ଅନୁରୋଧରେ ବିଶ୍ୱାମିତ୍ର ସେଥିରୁ କ୍ଷାନ୍ତ ହେଲେ । ସେହି ମଧ୍ୟସ୍ୱର୍ଗକୁ ସ୍ୱର୍ଗ ନାମରେ ନାମିତ କରାଗଲା । ଜୟ ହେଲା ବିଶ୍ୱାମିତ୍ରଙ୍କର ତଥା ବିଜ୍ଞାନବାଦର ।

 

ଯୂପ କାଷ୍ଠ ନିକଟରେ ବନ୍ଧା ହୋଇଥିବା ବାଳକ ଶୂନଶେଫ ସମସ୍ତଙ୍କ ମୁହଁକୁ ଅନାଇ କାନ୍ଦୁଛନ୍ତି । ତାଙ୍କର ବିକଳ କ୍ରନ୍ଦନ ଉପସ୍ଥିତ ବ୍ୟକ୍ତିଙ୍କ ହୃଦୟକୁ ଦୁର୍ବଳ କଲେ ମଧ୍ୟ ଏହାର ପ୍ରତିକାର ପାଇଁ କିଏବା କ’ଣ କରିପାରିବ । ସ୍ୱୟଂ ମହାରାଜା କରାଉଛନ୍ତି ନରମେଧ ଯଜ୍ଞ । ଏ ଯଜ୍ଞର ଫଳ ସ୍ୱରୂପ ସେ ଚାହାଁନ୍ତି ନାହିଁ ଉଚ୍ଚପଦବୀ ବା ସମ୍ମାନ । କେବଳ ବଞ୍ଚିବା ପାଇଁ ବଧ କରିବାକୁ ପଡ଼ୁଛି ଏକ ଅବୋଧ ବାଳକକୁ । ଗୋଟିଏ ଜୀବନ ବଦଳରେ ଆଉ ଗୋଟିଏ ଜୀବନ ରକ୍ଷାର କାମନା ଯଜ୍ଞ । କୁଳଗୁର ବଶିଷ୍ଠ କହିଛିନ୍ତ, ନରମେଧ ଯଜ୍ଞ ଦ୍ୱାରା ସେ ରୋଗମୁକ୍ତ ହେବେ। ସନ୍ତୁଷ୍ଟ ହେବ ଜଳାଧିପତି ବରୁଣ ।

 

ଦୀର୍ଘ ଦିନ ବୈବାହିତ ଜୀବନ ଗତ କଲେ ମଧ୍ୟ ହରିଶ୍ଚନ୍ଦ୍ରଙ୍କର ସନ୍ତାନ ସନ୍ତତି ହେଲେ ନାହିଁ । ଏଥି ନିମିତ୍ତ ସେ ବରୁଣକୁ ଆରାଧନା କରି ପୁତ୍ର ହେଲେ ବରୁଣଙ୍କ ପ୍ରୀତି ପାଇଁ ନରମେଧ ଯଜ୍ଞ କରିବାକୁ ପ୍ରତିଜ୍ଞା କଲେ । ବରୁଣ ମଧ୍ୟ ରାଜାଙ୍କ ଆରାଧନାରେ ସନ୍ତୁଷ୍ଟ ହୋଇ ପୁତ୍ର ଦାନ କଲେ । ଠିକ୍ ସମୟରେ ରାଣୀ ଶୈବ୍ୟା ପ୍ରସବ କଲେ ଏକ ପୁତ୍ର ସନ୍ତାନ । ନିଃସନ୍ତାନର ପୁତ୍ର ହୋଇଛି, ଏହାଠାରୁ ଆଉ ଆନନ୍ଦର ବିଷୟ କଣ ଥାଇପାରେ ! ରାଜା ଆନନ୍ଦରେ ବିଭୋର । ସେ ଜାତ ଉତ୍ସବମାନ କରାଇବାରେ ବ୍ୟସ୍ତ । ଏହି ସମୟରେ ଜଣେ ବ୍ରାହ୍ମଣ ତାଙ୍କ ନିକଟରେ ଉପସ୍ଥିତ ହେଲେ । ହରିଶ୍ଚନ୍ଦ୍ର ତାଙ୍କୁ ସମାଦର ସହ ଆସିବାର କାରଣ ଜିଜ୍ଞାସା କରିବାରୁ ସେ କହିଲେ ‘‘ମୁଁ ବରୁଣ । ତୁମ୍ଭେ ପ୍ରତିଜ୍ଞା କରିଥିଲ ପୁତ୍ରସନ୍ତାନ ହେଲେ ଏକ ନରମେଧ ଯଜ୍ଞରେ ସେହି ପୁତ୍ରକୁ ବଳି ଦେବ ।’’ ଆନନ୍ଦ ମୁହୂର୍ତ୍ତରେ ରାଜାଙ୍କ ମନ ପ୍ରାଣ ବିଷାଦରେ ଭରିଗଲା । ସେ ବିନୟ ହୋଇ କହିଲେ, ନରମେଧ ଯଜ୍ଞ ବର୍ତ୍ତମାନ କରିପାରୁ ନାହିଁ । ଅନ୍ତତଃ ଗୋଟିଏ ମାସ ଦରକାର ମୋ ପତ୍ନୀ ଶୁଦ୍ଧ ହେବା ପାଇଁ । ଅଶୁଦ୍ଧ ପତ୍ନୀକୁ ଧରି ଯଜ୍ଞ କରିବା ବିଧିସଙ୍ଗତ ନୁହେଁ ।

 

ମହାରାଜାଙ୍କ ବିନୟ ମଧୁର ବଚନ ଶୁଣି ବରୁଣ ସନ୍ତୋଷରେ ଫେରିଗଲେ । ରାଜାଙ୍କ ମନରେ ପୁନର୍ବାର ଟିକିଏ ଆନନ୍ଦ ଦେଖାଦେଲେ ମଧ୍ୟ ତାହା ବେଶି କ୍ଷଣ ରହିଲା ନାହିଁ । ମାସକ ପରେ ଯେତେବେଳେ ବରୁଣ ନରମେଧ ଯଜ୍ଞ ପାଇଁ ଉପସ୍ଥିତ ହେବେ ସେତେବେଳେ ତାଙ୍କୁ କି ଉତ୍ତର ଦିଆଯିବ ତାହା ସେ ଚିନ୍ତା କରିବାକୁ ଲାଗିଲେ । ଅପୁତ୍ରିକ ଦୋଷରୁ ରକ୍ଷା ପାଇବାକୁ ସେ ବିଚାର ନ କରି ଯେଉଁ ପ୍ରତିଜ୍ଞା କଲେ ତାହା ତାଙ୍କ ପକ୍ଷେ ବିଷମ ପରିଣତି ହୋଇ ପଡ଼ିଲା ।

 

ଠିକ୍ ମାସକପରେ ବରୁଣ ଆସିଲେ ନରମେଧ ଯଜ୍ଞ ଗ୍ରହଣ କରିବାକୁ । ମହାରାଜ ହରିଶ୍ଚନ୍ଦ୍ର ତାଙ୍କୁ ବିନୟ ସହିତ କହିଲେ, ମୋର ପୁତ୍ର ବର୍ତ୍ତମାନ ନିତାନ୍ତ ଶିଶୁ । ତାହାର ସାଧାରଣ ଜ୍ଞାନ ନ ହେବା ପର୍ଯ୍ୟନ୍ତ ତାକୁ ନରମେଧ ଯଜ୍ଞରେ ବଳି ଦେବା ବିଧିସଙ୍ଗତ ନୁହେଁ । ସଂସ୍କୃତି ବିହୀନ ଶିଶୁକୁ ମୁଁ ଯୂପକାଠରେ କିପରି ବାନ୍ଧିବି ? ଯଥାର୍ଥ ସଂସ୍କାର ସମ୍ପାଦନ ପରେ ଯେତେବେଳେ ପାରଙ୍ଗମ ହୋଇ କ୍ଷତ୍ରୀୟ ଧର୍ମରେ ଦୀକ୍ଷିତ ହେବ ସେତେବେଳେ ଆପଣଙ୍କୁ ନରମେଧ ଯଜ୍ଞରେ ସନ୍ତୁଷ୍ଟ କରିବି । ମୁଁ ଆପଣଙ୍କର ଦୀନହୀନ ସେବକ । ଆପଣଙ୍କ ପାଖରେ କଟାଳକରି ପୂରଣ ନ କଲେ ମୋତେ ସୁଗତି କେବେ ମିଳିବ ନାହିଁ । ଆପଣ ଏଇଥର ଦୟାକରି ଅପ୍ରସନ୍ନ ନ ହୋଇ ଯାଆନ୍ତୁ । ଠିକ୍ ସମୟରେ ଆପଣଙ୍କ ଭାଗ ଆପଣଙ୍କୁ ପ୍ରଦାନ କରି ନିଶ୍ଚିନ୍ତ ହେବି ।

 

ଏଥର ମଧ୍ୟ ବରୁଣ ଫେରିଗଲେ । କିନ୍ତୁ ଯିବା ପୂର୍ବରୁ କହିଗଲେ ମୋତେ ଏଥର ଠକି ଦେଲୁ, ମାତ୍ର ଆସନ୍ତା ଥରକୁ ପୁତ୍ର ଯୌବନରେ ପଦାର୍ପଣ କଲାପରେ ଆସି ଯଦି ଫେରିଯିବି ତେବେ ବାଧ୍ୟ ହୋଇ ଅଭିଶାପ ଦେଇଯିବି । ମହାରାଜ ତାଙ୍କ କଥାରେ ସମ୍ମତି ପ୍ରଦାନ କଲେ ।

 

ବରୁଣ ଫେରିଗଲେ ସତ, କିନ୍ତୁ ମହରାଜ ହରିଶ୍ଚନ୍ଦ୍ର ନିଶ୍ଚିନ୍ତ ହୋଇ ରହିପାରିଲେ ନାହିଁ । ପୁତ୍ର ରୋହିତର ବୟସ ଯେତିକି ବଢ଼ୁଥାଏ ମହାରାଜ ସେତିକି ଚିନ୍ତିତ ହୋଇ ପଡ଼ୁଥାନ୍ତି । ଧୀରେ ଧୀରେ ରୋହିତ ବାଲ୍ୟବସ୍ଥା ଅତିକ୍ରମ କରିବାକୁ ବସିଲେ । ଏଥର ବରୁଣ ଆସିଯାଇ ପାରନ୍ତି । ରାଜାଙ୍କୁ ବରୁଣଙ୍କ ଭୟ ଅଧିକ ଗ୍ରାସ କରିବାକୁ ଲାଗିଲା ।

 

ଏକଦା ରୋହିତ ପିତାଙ୍କ ଚରମଚିନ୍ତା ବିଷୟ ଜ୍ଞାତ ହୋଇ ନିଜକୁ ବଞ୍ଚାଇବାକୁ ଘୋର ଅରଣ୍ୟ ମଧ୍ୟକୁ ପଳାୟନ କଲେ । ଏହି ଘଟଣାର କିଛିଦିନ ପରେ ବରୁଣ ଉପସ୍ଥିତ ହେଲେ ମହାରାଜ ହରିଶ୍ଚନ୍ଦ୍ରଙ୍କ ନିକଟରେ ନରମେଧ ଯଜ୍ଞ ପାଇଁ । ମହାରାଜ ବରୁଣଙ୍କୁ ଯଥାବିଧି ସମ୍ମାନ ଦେଇ ପୁତ୍ର କେଉଁଆଡ଼େ ପଳାଇଯିବା ହେତୁ ସେ ଅସମର୍ଥ ହୋଇଛନ୍ତି ନରମେଧ ଯଜ୍ଞ ନିମିତ୍ତ ବୋଲି ବିନୟ ସହକାରେ ଜଣାଇଲେ । ମାତ୍ର ବରୁଣ ତ କ୍ଷୁଦ୍ର ଶିଶୁ ନୁହନ୍ତି, ଯାହାକି ଥରକୁ ଥର ଆସି ଫେରିଯିବେ ! ଏଥର ସେ କ୍ରୁଦ୍ଧ ହୋଇ ସ୍ପଷ୍ଟଭାବେ କହିଲେ, ‘‘ମୋତେ ଥରକୁ ଥର ମିଥ୍ୟା କଥା କହି ଭଣ୍ଡିବା ଦ୍ୱାରା ତୁମେ ଜଳୋଦର ରୋଗଗ୍ରସ୍ତ ହୁଅ ।’’

 

ବରୁଣ ଅଭିଶାପ ଦେଇ ଚାଲି ଗଲାପରେ ମହାରାଜାଙ୍କୁ ଜଳୋଦର ରୋଗ ଗ୍ରାସ କରିବାକୁ ଲାଗିଲା । ରାଜା ଧୀରେ ଧୀରେ ଦୁର୍ବଳ ହୋଇ ପଡ଼ିଲେ । ଏ ସମସ୍ତ ରୋହିତ ପଥିକ ମୁଖରୁ ଶ୍ରବଣକରି ପିତାଙ୍କୁ ଦେଖିବାକୁ ଆସନ୍ତେ ଦେବରାଜ ଇନ୍ଦ୍ର ଦୟାପରବଶ ହୋଇ ରୋହିତ ସମୀପରେ ଛଦ୍ମବେଶରେ ପ୍ରବେଶ କରି କହିଲେ, ଅନ୍ୟ ମୁଖରୁ ଶୁଣି ଯିବାଟା ଠିକ୍ ନୁହେଁ । ଯେ ପର୍ଯ୍ୟଙ୍କ ପିତା ସମ୍ୱାଦ ନ ଦେଇଛନ୍ତି ସେତେବେଳେ ପର୍ଯ୍ୟନ୍ତ ତାଙ୍କ ସମୀପକୁ ଯିବା ତୁମର ଉଚିତ୍ ନୁହେଁ । ଏ ରାଜ୍ୟର ଅଧିପତି ତୁମ ପିତା । ବହୁ ଚିକିତ୍ସକ ତାଙ୍କର ଅଛନ୍ତି । ଯଦି ରୋଗ ହୋଇଥାଏ, ତେବେ ତା’ର ମୁକ୍ତି ପାଇଁ ସେ ବ୍ୟବସ୍ଥା କରିବେ । ବରୁଣଙ୍କ ଅଭିଶାପ ଯୋଗୁଁ ଯଦି ସେ ରୋଗଗ୍ରସ୍ତ ତେବେ ତୁମେ ଯିବା ଦ୍ୱାରା ରୋଗ କଷ୍ଟରୁ ନରମେଧ ଯଜ୍ଞ କରି ତୁମକୁ ବଳି ଦେଇ ଦେବେ । ଏହା ଦ୍ୱାର ତୁମ ବଂଶ ଲୋପ ହେବ ।

 

ଛଦ୍ମରୂପୀ ଇନ୍ଦ୍ରଙ୍କ କଥାକୁ ଯଥାର୍ଥ ମନେକରି ରୋହିତ ପିତାଙ୍କ ନିକଟକୁ ନ ଯାଇ ସେହି ଘୋର ଜଙ୍ଗଲ ମଧ୍ୟରେ ବାସ କରିବାକୁ ଲାଗିଲେ !

 

ମହାରାଜ ରୋଗ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ । ଏଥିରୁ କିପରି ଉଦ୍ଧାର ମିଳିବ ସେହି ଚିନ୍ତା କରି କରି ଦିନେ କୁଳଗୁରୁ ବଶିଷ୍ଠଙ୍କୁ ଡକାଇ ଏହାର କିଛି ଉପାୟ ବତାଇବାକୁ କହିଲେ । ବଶିଷ୍ଠ ସମସ୍ତ କଥା ଆମୂଳଚୂଳ ଶୁଣି କହିଲେ, ଏହାର ପ୍ରତିକାର ମନ୍ୱାଦି ଶାସ୍ତ୍ରରେ ଲେଖା ହୋଇଛି । ଯଦି ସ୍ୱପୁତ୍ରକୁ ବଳି ଦେବାରେ ଅସୁବିଧା ଥାଏ, ତେବେ ଆଉ ଏକ କୁମାର ଉଚିତ୍ ମୂଲ୍ୟ ଦେଇ କିଣିଆଣି ନରମେଧ ଯଜ୍ଞ କରାଇଲେ ବରୁଣଙ୍କ ଶାପରୁ ମୁକ୍ତ ମିଳିବ ।

 

ଗୁରୁ ବଶିଷ୍ଠଙ୍କ ମୁଖରୁ ରୋଗ ନିରାକରଣର ଉପାୟ ଶ୍ରବଣକରି ତଦନ୍ତେ ମହାରାଜା ମନ୍ତ୍ରୀଙ୍କୁ ଡାକି ନିଜ ରାଜ୍ୟ ହେଉ କିମ୍ୱା ଅନ୍ୟ କାହା ରାଜ୍ୟ ହେଉ ଯଥେଷ୍ଟ ମୂଲ୍ୟ ଦେଇ ବାଳକଟିଏ ନେଇ ଆସିବାକୁ କହିଲେ । ମହାରାଜାଙ୍କ କଥାନୁଯାୟୀ ମନ୍ତ୍ରୀ ରାଜ୍ୟର ଚାରିଆଡ଼େ ବୁଲି ବୁଲି ନରମେଧ ଯଜ୍ଞ ପାଇଁ ଏକ କୁମାର ଠିକ୍ କରିପାରିଲେ ନାହିଁ । ଅବଶେଷରେ ସେ ଜାଣିବାକୁ ପାଇଲେ ତାଙ୍କ ନିଜ ରାଜ୍ୟରେ ଋଷି ଅଜିଗର୍ତ୍ତଙ୍କର ତିନୋଟି ପୁତ୍ର ସନ୍ତାନ ଅଛନ୍ତି । ଅଜିଗର୍ତ୍ତ ବଡ଼ ନିଃସ୍ୱ । ଯଥେଷ୍ଟ ଧନ ପାଇଲେ ସେ ତାଙ୍କ ପୁତ୍ର ମଧ୍ୟରୁ ଗୋଟିକକୁ ରାଜାଙ୍କ ରୋଗମୁକ୍ତି ପାଇଁ ଦାନ କରିପାରନ୍ତି ।

 

ସମ୍ୱାଦ ପାଇ ମନ୍ତ୍ରୀ ଅଜିଗର୍ତ୍ତଙ୍କ ଗୃହରେ ପ୍ରବେଶ କରି ତାଙ୍କୁ ତାଙ୍କର ଆସିବା କାରଣ ନିବେଦନ କରନ୍ତେ ସେ କହିଲେ ଜ୍ୟେଷ୍ଠ ପୁତ୍ରଟି ଆମ୍ଭମାନଙ୍କର ଏକମାତ୍ର କାରଣ ମୁଁ କେବେ ଜ୍ୟେଷ୍ଠ ପୁତ୍ରଙ୍କ ରାଜାଙ୍କ ପାଇଁ ଦାନ କରି ନ ପାରେ । ମନ୍ତ୍ରୀ ମହୋଦୟ ଅଜିଗର୍ତ୍ତଙ୍କ ପତ୍ନୀଙ୍କୁ ସମସ୍ତ କଥା ବ୍ୟକ୍ତ କଲାରୁ ସେ କହିଲେ କନିଷ୍ଠ ପୁତ୍ରଟି ମୋର ବଡ଼ ଆଦରଣୀୟ । ମୁଁ ତାହାକୁ କେବେ ମହାରାଜାଙ୍କ ଆରୋଗ୍ୟ ନିମିତ୍ତ ଦେଇ ନପାରେ ।

 

ଜ୍ୟେଷ୍ଠ କନିଷ୍ଠ ଗଲାପରେ ବାକି ରହିଲେଳ ମଧ୍ୟମ ପୁତ୍ର ଶୂନଶେଫ । ସେ ମନ୍ତ୍ରୀଙ୍କଠାରୁ ସମସ୍ତ କଥା ଶୁଣି କହିଲେ, ଜ୍ୟେଷ୍ଠ କନିଷ୍ଠ ଯେତେବେଳେ ପିତା ମାତାଙ୍କର ଆଦରଣୀୟ ସେତେବେଳେ ଏକମାତ୍ର ମୁଁ ରହିଲି ବାକି । ମୋପାଇଁ ପିତାମାତା କେହି ବ୍ୟସ୍ତହେବେ ନାହିଁ । ତେଣୁ ଆପଣ ପିତାଙ୍କୁ ଯଥେଷ୍ଟ ଅର୍ଥ ଦେଇ ମୋତେ ମହାରାଜଙ୍କ ନରମେଧ ଯଜ୍ଞ ପାଇଁ ନେଇଯାଇ ପାରନ୍ତି । ମୋ ମୃତ୍ୟୁରେ ଯଦି ମହାରାଜା ଆରୋଗ୍ୟ ଲାଭ କରି ସୁସ୍ଥ ହେବେ ଏବଂ ପିତାଙ୍କର ଦାରିଦ୍ର୍ୟ ମୋଚନ ହେବ, ତେବେ ଏହା ମୋ ପକ୍ଷରେ ଏକ ଗୌରବର ବିଷୟ ।

 

ମହାରାଜ ଯଜ୍ଞପାଇଁ ଋଷି, ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କଲେ । ଏକ ଶୁଭ ଦିନରେ ଆରମ୍ଭ ହେଲା ନରମେଧ ଯଜ୍ଞ । ଯଜ୍ଞର ଶେଷ ପୂର୍ଣ୍ଣାହୁତି ସମୟରେ ବଳିଦାନ କରାଯିବ ।

 

ସରି ସରି ଆସୁଛି ଶୂନଶେଫଙ୍କର ଆୟୁଷ । ଆଉ କେତୋଟି ମୁହୂର୍ତ୍ତ ପରେ ବୋଧେ ପୂର୍ଣ୍ଣାହୁତି ଦିଆଯିବ । ତା ପୂର୍ବରୁ ସରିଯିବ ଏକ ମହାର୍ହ ଜୀବନର ଇତିବୃତ୍ତି । ବାଳକ ଶୂନଶେଫ ଚକ୍ଷୁରୁ ଲୋତକ ଧାର ଗଡ଼ିଚାଲିଛି । ଯଜ୍ଞକର୍ମରେ ବ୍ୟାପୃତ ଥିବା ବିଶିଷ୍ଠ, ଜାବାଳି, ବାମଦେବ ପ୍ରତ୍ୟେକଙ୍କୁ ସେ କରୁଣ ନେତ୍ରରେ ଅନାଇ ଅନୁନୟ କରୁଚି ମୋତେ ବଞ୍ଚିବାକୁ ଦିଅ । କିନ୍ତୁ ସମସ୍ତେ ତାକୁ ଦେଖି ନ ଦେଖିଲା ଭଳି ଯଜ୍ଞକର୍ମରେ ବ୍ୟସ୍ତ ରହୁଛନ୍ତି । ତାର ଆକୁଳ ମିନତି କାହାରି ହୃଦୟକୁ ଦ୍ରବୀଭୂତ କରୁନାହିଁ । ବରଂ ଶୀଘ୍ର ଏହି କାର୍ଯ୍ୟ ସମ୍ପାଦନ କରିବାକୁ ବ୍ୟଗ୍ର ହୋଇପଡ଼ୁଛନ୍ତି-। ଶେଷରେ ତାର ଦୃଷ୍ଟିପଡ଼ିଲା ବୀର ଦର୍ପରେ ଦଣ୍ଡାୟମାନ ହୋଇ ସବୁକୁ ଲକ୍ଷ୍ୟ କରୁଥିବା ମହର୍ଷି ବିଶ୍ୱାମିତ୍ରଙ୍କ ଆଡ଼େ କିଂ କର୍ତ୍ତବ୍ୟ ବିମୂଢ଼ ଶୂନଶେଫର ଆକୁଳତା ବିଶ୍ୱାମିତ୍ରଙ୍କ ହୃଦୟକୁ ଦ୍ରବୀଭୂତ କଲା । ସେ ତାକୁ ଅଭୟ ମୁଦ୍ରା ପ୍ରଦର୍ଶନ କରି ଯଜ୍ଞକର୍ତ୍ତା ମହାରାଜ ହରିଶ୍ଚନ୍ଦ୍ରଙ୍କୁ ଆହ୍ୱାନ କଲେ-

 

ବିଶ୍ୱାମିତ୍ରଙ୍କ ଆଗମନ ଏବଂ ହରିଶ୍ଚନ୍ଦ୍ରଙ୍କୁ ଆହ୍ୱାନ, ଏହା ଯଜ୍ଞ ପକ୍ଷରେ ଶୁଭ ନୁହେଁ ବୋଲି ବଶିଷ୍ଠ ଧରିନେଲେ । ସେ ଇଙ୍ଗିତରେ ହରିଶ୍ଚନ୍ଦ୍ରଙ୍କୁ ଜଣାଇ ଦେଲେ ନୀରବ ରହିବାକୁ ।

 

ବିଶ୍ୱାମିତ୍ର ଯେତେବେଳେ ଦେଖିଲେ ହରିଶ୍ଚନ୍ଦ୍ର ଶୁଣି ନ ଶୁଣିଲା ଭଳି ରହୁଛନ୍ତି, ସେତେବେଳେ ଉଚ୍ଚ ସ୍ୱରରେ ସେ ହରିଶ୍ଚନ୍ଦ୍ରଙ୍କୁ କହିଲେ, ହେ ମହାରାଜ କ୍ରନ୍ଦନରତ ଏ ବ୍ରାହ୍ମଣ ପିଲାକୁ ବଧ କରିବା କ୍ଷତ୍ରିୟର ଧର୍ମ ନୁହେଁ । ଯେଉଁ କ୍ଷତ୍ରିୟ ଆର୍ତ୍ତ ଭୟାତୁର ପାଇଁ ତାର ଶେଷ ରକ୍ତବିନ୍ଦୁଟି ପର୍ଯ୍ୟନ୍ତ ଉତ୍ସର୍ଗ କରି ପାରେ, ସେହି କ୍ଷତ୍ରିୟ ବଂଶରେ ଜନ୍ମଗ୍ରହଣ କରି କ୍ଷତ୍ରିୟ ଜାତ ବିରୁଦ୍ଧ କର୍ମକରି ତାକୁ କଳଙ୍କିତ କର ନାହିଁ । ନିରାଶ୍ରୟର ରକ୍ଷକ ହେଉଛନ୍ତି ରାଜ୍ୟର ରାଜା । ନିଜେ ରାଜା ଯଦି ନିଜପାଇଁ ନିରାଶ୍ରୟକୁ ବଧ କରିପାରନ୍ତି ତେବେ ଏ ରାଜ୍ୟରେ କିଏ ବସବାସ କରି ରହିବ ? ହେ ରାଜା ନିଜ ଧର୍ମ ପାଳନ ପାଇଁ ତୁମେ ନିଜେ ମୃତ୍ୟୁବରଣ କରିବା ଉଚିତ । ତାହା ନ ହେଲେ ତୁମ ଅନ୍ୟାୟରୁ ସାରାଦେଶ ରସାତଳଗାମୀ ହେବ । ମୁଁ ତୁମକୁ ଅନୁରୋଧ କରୁଛି ତୁମେ ଏ ନିରାଶ୍ରୟଟିର ଜୀବନ ରକ୍ଷା କର ।

 

ଏହି ଭଳି ଅନେକ କହି ବିଶ୍ୱାମିତ୍ର ଯେତେବେଳେ ଦେଖିଲେ ହରିଶ୍ଚନ୍ଦ୍ର ତାଙ୍କର ସମସ୍ତ କଥା ଶୁଣି ନ ଶୁଣିଲା ଭଳି ରହିଲେ ସେତେବେଳେ ହରିଶ୍ଚନ୍ଦ୍ରଙ୍କୁ ଆଉ କିଛି ନ କହି ଶୂନଶେଫଙ୍କ କର୍ଣ୍ଣରେ ବରୁଣଙ୍କ ମନ୍ତ୍ର କହି ଯଜ୍ଞ ମଣ୍ଡପରୁ ନିଷ୍କ୍ରାନ୍ତ ହେଲେ ।

 

ଶୂନଶେଫ ଅତି ବିକଳ ହୋଇ ବରୁଣଙ୍କ ମନ୍ତ୍ର ଭକ୍ତି ଗଦ୍ ଗଦ୍ କଣ୍ଠରେ ଜପ କଲାରୁ ବରୁଣ ଦୟାର୍ଦ୍ର ହୋଇ ଶୂନଶେଫଙ୍କ ନିକଟରେ ଆବିର୍ଭୂତ ହେଲେ । ସ୍ୱହସ୍ତରେ ସେ ଖୋଲିଦେଲେ ଶୂନଶେଫଙ୍କ ବନ୍ଧନ । ସଙ୍ଗେ ସଙ୍ଗେ ମହାରାଜ ହରିଶ୍ଚନ୍ଦ୍ର ଆରୋଗ୍ୟ ଲାଭ କଲେ ବରୁଣଙ୍କ ଦୟାରୁ-

 

ରାଜାଙ୍କ ମୁଖରେ ବରୁଣଙ୍କ ସ୍ତୁତି ଉଚ୍ଚାରିତ ହେବାକୁ ଲାଗିଲା । ବାଳକ ଶୂନଶେଫ ଭକ୍ତି ବିଭୋର ହୋଇ ବରୁଣଙ୍କର ପ୍ରଶସ୍ତି ଗାନ କଲେ ।

 

ଜୟହେଲା ଶୂନଶେଫର ତଥା ଋଷି ବିଶ୍ୱାମିତ୍ରଙ୍କର ।

 

ବିନା ବଳରେ ଉଦ୍‍ଯାପିତ ହେଲା ବଶିଷ୍ଠଙ୍କ ନରମେଧ ଯଜ୍ଞ ।

☆☆☆

 

ମୃତ୍ୟୁ ଦେବତା

 

ସୃଜନୀ ଶକ୍ତି ବ୍ରହ୍ମା ସେ । ତା’ର ଅମୃତ ହସ୍ତ ଯେଉଁଠି ଲାଗୁଛି ସେଠି ଶସ୍ୟ ସୁଶ୍ୟାମଳରେ ଭରପୁର ହୋଇ ଉଠୁଛି । କୀଟ, ପତଙ୍ଗ, ବିହଙ୍ଗମ, ପଶୁ, ବାନର, ମାନବ, ଅସଂଖ୍ୟ ଜଳଚର, ଅସଂଖ୍ୟ ସ୍ଥଳଚର ଅମାପ ସୃଷ୍ଟି । ସ୍ରଷ୍ଟାନିଜେ ପ୍ରଜାପତି ବ୍ରହ୍ମା । ସେ ଯାହା କଳ୍ପନା କରୁଛି ସବୁ ରୂପ ନେଉଛନ୍ତି ମୁହୂର୍ତ୍ତକ ମଧ୍ୟରେ । ବିଭିନ୍ନ ପ୍ରକାର ମୁଣ୍ଡ, ବିଭିନ୍ନ ପ୍ରକାର ଦେହ, ବିଭିନ୍ନ ପ୍ରକାର ରଙ୍ଗ—ସବୁ ସେ ତା’ ମନ ମୁତାବକ କରି ଚାଲିଛି । ସେ ଯେତେବେଳେ ନିଜେ ସ୍ରଷ୍ଟା ତାକୁ ବାଧା ବା କିଏ ଦେବ ? ଅକରଣୀୟ ବୋଲି ଶବ୍ଦ ତା’ ଭାଷାକୋଷରେ ନାହିଁ ।

 

ବିଚିତ୍ରକର୍ମାର କର୍ମ ବିଷୟରେ କିଏ ବା କ’ଣ କହିବ । ଯୁଗ ଯୁଗ ଧରି କବି, ଲେଖକ ତା କର୍ମର ବାହାଦୂରୀ ଯେତେ ଗାଇଲେ ବି ସରୁ ନାହିଁ । ଅସରନ୍ତି ତା’ର ଭାବନା । ନାଲି ଫୁଲଗଛରେ ସେ ହିଁ ଧଳାଫୁଲ ସୃଷ୍ଟି କରିପାରେ, ମଣିଷ ପେଟରୁ ଗୋଜା ଗୋଜା ଶିଙ୍ଗ ଥିବା ପିଲା, ମାଙ୍କଡ଼ ପରି ଲାଙ୍ଗୁଡ଼ଥିବା ପିଲା ଜନ୍ମ କରିପାରେ ।

 

ପ୍ରଜାପତି ସୃଷ୍ଟିକରି ଚାଲିଛି ଏକ ପ୍ରାନ୍ତରରୁ ଅନ୍ୟ ପ୍ରାନ୍ତର ପର୍ଯ୍ୟନ୍ତ । ଯେଉଁଠି ଦେଖିବ ସେଠି ନୂତନ, ସେଠି ଚିର ସବୁଜ; ସେତେବେଳେ ପୃଥିବୀରେ କେବଳ ସୃଷ୍ଟି ଥିଲା । ଲୟ ବା ମୃତ୍ୟୁ ବୋଲି କିଛି ନ ଥିଲା । ମନ ଆନନ୍ଦରେ ସେ ତ ସୃଷ୍ଟି କରି ଖାଲି ଚାଲିଛି । ଲୟ ବା ମୃତ୍ୟୁ ବିଷୟରେ ଧାରଣା କରିବ କାହିଁକି ?

 

ଦିନେ ହଠାତ୍ ତାଙ୍କ କର୍ଣ୍ଣକୁହରରେ ପ୍ରବେଶ କଲା କାହାର କ୍ଷୀଣ କାତର କଣ୍ଠସ୍ୱର । ସେ ମନଯୋଗ ସହକାରେ କର୍ଣ୍ଣ ଡେରି ଶୁଣିବାକୁ ଚେଷ୍ଟାକଲେ ସେହି ସ୍ୱରକୁ । କେବଳ ସ୍ୱର ନୁହେଁ ତାଙ୍କ ନାସାରନ୍ଧ୍ରରେ ପ୍ରବେଶ କଲା ଅସ୍ୱାଚ୍ଛନ୍ଦ୍ୟକର ଏକ ତୀବ୍ର ଗନ୍ଧ । ସେ ଫେରି ଚାହିଁଲେ ତାଙ୍କ ସୃଷ୍ଟ ସୃଷ୍ଟିଆଡ଼କୁ । ଆଶ୍ଚର୍ଯ୍ୟ ହେଲେ ତାଙ୍କ ସୃଷ୍ଟିକୁ ଲକ୍ଷ୍ୟକରି । ଏ କ’ଣ ? ତାଙ୍କ ସୃଷ୍ଟିର ଗୋଟିଏ ବୃହତ ଅଂଶ ଜୀର୍ଣ୍ଣ, ମଳିନ, ସ୍ଥବିର, କର୍କଶ ହୋଇଯାଇଛି । ପୃଥିବୀର ଉବର୍ର ବକ୍ଷରେ ଅସଂଖ୍ୟ ଜୀବ ପରିବ୍ୟାପ୍ତ । ସ୍ୱଭାବେ ଉଚ୍ଛୃଙ୍ଖଳ ଅଥଚ ଉଚ୍ଛ୍ୱାସ ବିହୀନ—ସ୍ତିମିତ । ବିପୁଳଭାବରେ କ୍ଳୀଷ୍ଟ ପୃଥିବୀ କାତର ହୋଇ ଆର୍ତ୍ତନାଦ କରୁଛି । ଜୀର୍ଣ୍ଣ ସୃଷ୍ଟିର ଜରାଗ୍ରସ୍ତ ଅବୟବରୁ କ୍ଷରୁଛି ଅସ୍ୱାଚ୍ଛନ୍ଦ୍ୟକର ଗନ୍ଧ ।

 

ଉପାୟ ଚିନ୍ତାରେ ମଗ୍ନ ହେଲେ ପ୍ରଜାପତି ବ୍ରହ୍ମା । ଗଭୀର ଚିନ୍ତାମଗ୍ନ ଲଲାଟ ଦେଶ କୁଞ୍ଚିତ ହେଲା । ଅକସ୍ମାତ ଏହି ଚିନ୍ତାରୁ ତାଙ୍କ ମୁଖମଣ୍ଡଳ କୁଟିଳ ହୋଇ ପଡ଼ିଲା । ପ୍ରସନ୍ନ ଲଲାଟରେ ଭୃକୁଟି ଜାଗ୍ରତ ହେଲା । ହାସ୍ୟସ୍ମିତ ମୁଖ ତାଙ୍କର ଅପ୍ରସନ୍ନତାରେ ଭରି ଉଠିଲା । ସତେ ଯେପରି ବିଶାଳ ନୀଳ ଆକାଶ ବକ୍ଷଦେଶର କେଉଁ ଏକ ଦିଗନ୍ତରୁ କୃଷ୍ଣ ମେଘ ଖଣ୍ଡ ମାଡ଼ି ଆସି ସାରା ଆକାଶଟିକୁ ଛାଇ ଦେଇଛି । ସଙ୍ଗେ ସଙ୍ଗେ ତାଙ୍କ ଅଙ୍ଗରୁ ଛାୟାଭଳି କ’ଣ ଯେପରି ଗୋଟାଏ ବାହାରି ଆସିଲା, କ୍ରମେ ସେ ଛାୟା କାୟା ଗ୍ରହଣ କଲା—ବ୍ରହ୍ମା ଶେଷରେ ଦେଖିବାକୁ ପାଇଲେ ତାଙ୍କ ସମ୍ମୁଖରେ ଗୋଟିଏ ନାରୀମୂର୍ତ୍ତି କୃତାଞ୍ଜଳି ପୁଟରେ ଦଣ୍ଡାୟମାନ । ଅଦ୍ଭୁତ ସେ ନାରୀ ମୂର୍ତ୍ତି । ଅପୂର୍ବ ତାର କର୍ଣ୍ଣଛଟା । ସେ ମୂର୍ତ୍ତିଟି ପିଙ୍ଗଳନେତ୍ରା, ପିଙ୍ଗଳ ବର୍ଣ୍ଣା, କଣ୍ଠଦେଶ ଓ ମଣିବନ୍ଧରେ ପଦ୍ମବୀଜର ଭୂଷଣ, ଅଙ୍ଗ ଆଭରଣ ଗୈରିକ କଷାୟ । ସେହି ନାରୀ ମୂର୍ତ୍ତି ବ୍ରହ୍ମାଙ୍କୁ ପ୍ରଣାମ କରି ପ୍ରଶ୍ନକଲା—ପିତା, ମୁଁ କିଏ ? ମୋର କର୍ମ କଣ ? କେଉଁ ମହତ୍ କାର୍ଯ୍ୟ ନିମିତ୍ତ ମୋତେ ଆପଣ ସୃଷ୍ଟି କଲେ ?

 

ସୃଜନ ଶକ୍ତି ପ୍ରଜାପତି ବ୍ରହ୍ମା କହିଲେ—ତୁମେ ମୋର କନ୍ୟା । ତୁମ ନାମ ମୃତ୍ୟୁ । ସୃଷ୍ଟିର ସଂହାର କର୍ମ ନିମିତ୍ତ ତୁମର ସୃଷ୍ଟି ହୋଇଛି । ସେହି ତୁମର କର୍ମ ।

 

ଚମକି ଉଠିଲେ ମୃତ୍ୟୁଦେବୀ—ଅର୍ଥାତ ସେହି ନୂତନ ସୃଷ୍ଟ ନାରୀ ମୂର୍ତ୍ତି । ସେ ବିନୀତ ଆର୍ତ୍ତସ୍ୱରରେ କହିଲେ, ପିତା ହୋଇ ତୁମେ ତୁମର ଏକ ନିରୀହ କନ୍ୟାକୁ ଏପରି ଏକ ଜଟିଳ କଠିନ ହୃଦୟ-କର୍ମରେ କିପରି ନିଯୁକ୍ତ କରୁଛ ? ଏ କର୍ମ କି କୌଣସି ନାରୀର ? ମୋତେ ନାରୀରୂପରେ—ନାରୀ ହୃଦୟ ଦେଇ ଜନ୍ମ ଦେଇଛ—ଆଉ ଏକ ପାଷାଣ କଠିନ ହୃଦୟର କର୍ମରେ ନିଯୁକ୍ତ କରୁଛ, ଏହା କ’ଣ କୌଣସି ନାରୀ କରିପାରେ ?

 

ପ୍ରଜାପତି ବ୍ରହ୍ମା ହସି ହସି କହିଲେ—କ’ଣ କରିବି ? ମୋର ଅନ୍ୟ ଉପାୟ ନାହିଁ। ତୁମକୁ ଯେତେବେଳେ ସୃଷ୍ଟି କରିଛି, ଏହି କର୍ମପାଇଁ, ସେତେବେଳେ ଏହି କର୍ମ ତୁମକୁ କରିବାକୁହିଁ ହେବ ।

 

ମୃତ୍ୟୁଦେବୀ ଅତି ବିନୀତ ଭାବେ କହିଲେ–ନା ପିତା ! ଏହା ମୁଁ ପାରିବି ନାହିଁ ।

 

ବ୍ରହ୍ମା ଦୃଢ଼ ସ୍ୱରରେ କହିଲେ–ତୁମକୁ ନିଶ୍ଚିତଭାବେ ଏହି କର୍ମ କରିବାକୁ ହିଁ ପଡ଼ିବ ।

 

ମୃତ୍ୟୁଦେବୀ ପିତା ପ୍ରଜାପତି ବ୍ରହ୍ମାଙ୍କ ସହିତ ଆଉ କୌଣସି ବାକ୍ୟ ବିନିମୟ ନ କରି ଏହି ଏକ ହୃଦୟହୀନ କର୍ମ ନ କରିବାକୁ ଆରମ୍ଭ କଲେ ତପସ୍ୟା । ତାଙ୍କ କଠୋର ତପସ୍ୟାରେ ବିବ୍ରତ ହୋଇ ପଡ଼ିଲେ ସ୍ୱୟଂ ବ୍ରହ୍ମା ।

 

ସେ ମୃତ୍ୟୁଦେବୀଙ୍କ ନିକଟ ଆଗମନ କରି ତପସ୍ୟାର ଫଳ ସ୍ୱରୂପ ବର ଯାଚିଲେ ।

 

ମୃତ୍ୟୁ ଆନନ୍ଦ ଗଦ୍ ଗଦ୍ ହୋଇ ବର ପ୍ରାର୍ଥନା କଲେ—ଏହି କଠିନ ନିଷ୍ଠୁର କର୍ମରୁ ମୋତେ ଅବ୍ୟାହତି ଦିଅନ୍ତୁ ପିତା । ଏହି ଏକ ପ୍ରାର୍ଥନା ଛଡ଼ା ଅନ୍ୟ ପ୍ରାର୍ଥନା ମୋର ନାହିଁ ।

 

ଅସମ୍ଭବ ! ବ୍ରହ୍ମା ସେ ପ୍ରାର୍ଥନା ପରିପୂରଣ କରି ପାରିବେ ନାହିଁ ବୋଲି ସ୍ପଷ୍ଟ କହି ପ୍ରତ୍ୟାଗମନ କଲେ ।

 

ମୃତ୍ୟୁଦେବୀ ପୁନର୍ବାର ତପସ୍ୟାମଗ୍ନ ହେଲେ, ଏ ତପସ୍ୟା ପୂର୍ବ ତପସ୍ୟା ଠାରୁ ଯଥେଷ୍ଟ କଠୋର, ଯଥେଷ୍ଟ ହୃଦୟସ୍ପର୍ଶୀ । ଯାହାକି ବ୍ରହ୍ମାଙ୍କ କଠିନ ହୃଦୟକୁ କିୟତ୍ ପରିମାଣରେ ଦ୍ରବିଭୂତ କରାଇଦେଲା ।

 

ପୂନର୍ବାର ଆସିଲେ ପ୍ରଜାପତି ବ୍ରହ୍ମା ମୃତ୍ୟୁଦେବୀଙ୍କ ବରପ୍ରଦାନ କରିବାକୁ । ମୃତ୍ୟୁଦେବୀ ଏଥର ମଧ୍ୟ ସେହି ବର ପ୍ରାର୍ଥନା କଲେ—ଏହି ନିଷ୍ଠୁରତମ କର୍ମରୁ କନ୍ୟାକୁ ଅବ୍ୟାହତ ଦିଅନ୍ତୁ ପିତା !

 

କିନ୍ତୁ ପିତା ବ୍ରହ୍ମା ଉପାୟହୀନ । କନ୍ୟାଙ୍କ ବର ତାଙ୍କ ଶକ୍ତିର ବାହାରେ । ସେ ଅତି ଦୁଃଖରେ ମସ୍ତକ ସଂଚାଳନ କରି କରି ଅଦୃଶ୍ୟ ହୋଇଗଲେ ।

 

କନ୍ୟାରୂପିଣୀ ମୃତ୍ୟୁଦେବୀ ଦୀର୍ଘକ୍ଷଣ ପିତାଙ୍କ ଗତିପଥ ସେହି ନୀଳାକାଶ ଆଡ଼କୁ ହତାଶ ଭାବେ ଚାହିଁ ରହିଲେ । ବ୍ରହ୍ମା ଅଦୃଶ୍ୟ ହୋଇଗଲେ ମଧ୍ୟ ମୃତ୍ୟୁ ଚାହିଁଥାନ୍ତି ସେହିଆଡ଼କୁ । ମାତ୍ର ତାହାଦ୍ୱାରା ତ ତାଙ୍କ ପ୍ରାର୍ଥନା ପୂରଣ ହେବ ନାହିଁ ? ତେଣୁ ସେ ପୁଣି ସମାଧିସ୍ଥ ହେଲେ ସେହି ଦୁଃସାଧ୍ୟ କର୍ମ ନ କରିବାକୁ । ତୃତୀୟବାର ତପସ୍ୟାରେ ମଗ୍ନ ହେଲେ ମୃତ୍ୟୁ । ଏଥର ତପସ୍ୟା ପୂର୍ବ ତପସ୍ୟା ଠାରୁ କଠୋରତର । ଏପରି କଠୋର ତପସ୍ୟା କେହି କେବେ କରିନାହିଁ । ଯେଉଁ ତପସ୍ୟାର ପ୍ରଭାବରେ ବେଦବ୍ରହ୍ମା ଅନିଚ୍ଛାସତ୍ତ୍ୱେ ମଧ୍ୟ ଉପସ୍ଥିତ ହେଲେ କନ୍ୟାଙ୍କ ସମୀପରେ ।

 

ତପସ୍ୟା-ସନ୍ତୁଷ୍ଟ-ବ୍ରହ୍ମା ପୁନର୍ବାର ବର ଦେବାକୁ ଅଙ୍ଗିକାର କଲେ ।

 

ମୃତ୍ୟୁଦେବୀ ଏଥର ମଧ୍ୟ ସେହି ପୂର୍ବ ବର ପ୍ରାର୍ଥନା କଲେ । ପ୍ରାର୍ଥନା ସମୟରେ ଦେବୀଙ୍କ ଓଷ୍ଠ ଯୁଗ୍ମ ଅନାହୁତ ଶଙ୍କା ନିମିତ୍ତ କମ୍ପି ଉଠିଲା । ପିଙ୍ଗଳ ନେତ୍ର-ଯୁଗ୍ମରୁ ଅବାରିତ ଅଶ୍ରୁଧାର ଗଣ୍ଡ ଦେଇ ଝରିବାକୁ ଲାଗିଲା ।

 

ବ୍ୟସ୍ତ ହୋଇ ପଡ଼ିଲେ ସ୍ୱୟଂ ପ୍ରଜାପତି ବ୍ରହ୍ମା । ସେ ନିଜ ଅଞ୍ଜଳିବଦ୍ଧ କରି ସେହି ପ୍ରସାରିତ ଅଞ୍ଜଳରେ ଅଶ୍ରୁବିନ୍ଦୁଗୁଡ଼ିକୁ ଧରି ରଖିଲେ । ସେ ତାଙ୍କ କନ୍ୟାଙ୍କୁ ସମ୍ୱୋଧନ କରି କହିଲେ, ମା ! ଏ କଣ କରୁଛୁ ତୁ ? ତୁ ତ ସାଧାରଣ ବ୍ୟକ୍ତି ନୋହୁଁ ଯେ ସାଧାରଣଙ୍କ ଭଳି କ୍ରନ୍ଦନ କରି ପାରିବୁ । ତୋର ଏହି ଚକ୍ଷୁର ପବିତ୍ର ଜଳ ସୃଷ୍ଟିରେ ପଡ଼ିବା ମାତ୍ରେ ଏହାର ଅକଥନୀୟ ଉତ୍ତାପ ସୃଷ୍ଟି ସହ୍ୟ କରି ନ ପାରି ଧ୍ୱଂସ ହୋଇଯିବ । ତୁ କ’ର ଧୈର୍ଯ୍ୟ ଧରି ପାରିବୁ ସୃଷ୍ଟିର ଧ୍ୱଂସ ଦେଖି ?

 

ଦେଖୁ ଦେଖୁ ସେହି ଅଶ୍ରୁ ବିନ୍ଦୁ ଗୁଡ଼ିକରୁ ଗୋଟିଏ ଗୋଟିଏ ଭୟଙ୍କର କୁଟିଳ ମୂର୍ତ୍ତି ଆବିର୍ଭାବ ହେଲେ । ତାଙ୍କର କଦାକାର କୁତ୍ସିତ ଅବୟବ ଦର୍ଶନ କରି ସ୍ୱୟଂ ବ୍ରହ୍ମା ମଧ୍ୟ ଶିହରି ଉଠିଲେ । ସେ କନ୍ୟା ମୃତ୍ୟୁଦେବୀଙ୍କ କହିଲେ–ଏମାନେ ହେଲେ ରୋଗ, ଏ ସବୁ ତୁମରି ହିଁ ସୃଷ୍ଟି, ଏମାନେ ହିଁ ତୁମରି ସହଚର । ଯାହା ତୁମଦ୍ୱାରା ସମ୍ଭବ ନୁହେଁ ତାହା ଏହିମାନେ ହିଁ ଅନାୟାସରେ କରିପାରିବେ । ସ୍ନେହ, ମମତା, କାକୁତି, ମିନତି କିଛି ଏମାନଙ୍କ ପାଖରେ ନାହିଁ ।

 

ମୃତ୍ୟୁ କହିଲେ, ପିତା ! ମୁଁ ନାରୀ ହୋଇ ପତ୍ନୀର ପାର୍ଶ୍ୱଦେଶରୁ ତାର ଜୀବନର ବଳି ସ୍ୱାମୀକୁ ଗ୍ରହଣ କରିବି କିପରି । ମାତୃବକ୍ଷରୁ ସ୍ତନପାନରତ କ୍ଷୁଦ୍ର କୋମଳମତି ଶିଶୁ, ପୁତ୍ର, କନ୍ୟାଙ୍କ ଜୀବନ ନାଟିକା ଗ୍ରହଣ କରିବାର ସତ୍ସାହସ ଏ ବିଶ୍ୱ ବକ୍ଷରେ ଜନ୍ମ ହୋଇଥିବା କୌଣସି ପ୍ରାଣୀର ଅଛି କି ? ମୁଁ ନାରୀ ହୋଇ ଏହା ସହ୍ୟ କରିପାରିବି ନାହିଁ । ମୁଁ ପାରିବିନି କରି ଏ ପ୍ରକାର ନିଷ୍ଠୁର କର୍ମ । ପୂନର୍ବାର ଏହି ନିଷ୍ଠୁର କର୍ମର ପାପ......

 

ମୃତ୍ୟୁଦେବୀଙ୍କ କଥାରେ ବାଧା ପ୍ରଦାନ କଲେ ବ୍ରହ୍ମା, ସେ କହିଲେ, ସମସ୍ତ ପାପପୁଣ୍ୟରେ ଊର୍ଦ୍ଧ୍ୱରେ ତୁମେ । ପାପ ତୁମକୁ ସ୍ପର୍ଶ କରିବ ନାହିଁ । ପ୍ରାଣୀମାନଙ୍କର କର୍ମର ଫଳ ତୁମକୁ ଆହ୍ୱାନ କରିବ ରୋଗୀମାନଙ୍କ ମାଧ୍ୟମରେ । ଅନାଚାର, ଅମିତାଚାର, ବ୍ୟଭିଚାର ଆଦିର ଦୁଷ୍କର୍ମ ଫଳରେ ରୋଗାକ୍ରାନ୍ତ ହେବ ଏ ପ୍ରାଣୀ ଜଗତ । ତୁମେ ହେବ ସେମାନଙ୍କର ଏକମାତ୍ର ପରିତ୍ରାଣକର୍ତ୍ତୀ । ସେମାନଙ୍କ ଅସୀମ ଯନ୍ତ୍ରଣାରୁ ତୁମେହିଁ ଦେଇପାରିବ ମୁକ୍ତି, ଅକଥନୀୟ ଜ୍ୱାଳାରୁ ତୁମେ ଦେଇପାରିବ ଶାନ୍ତି, ପୂରାତନ ଜରାଜୀର୍ଣ୍ଣ ଶରୀରର ଅବସାନ ନ ଆସିଲେ ଜନ୍ମ ଜନ୍ମାନ୍ତର କ’ଣ ସମ୍ଭବ ହେବ ମା ! ହେଇ ଲକ୍ଷ୍ୟକରି ଦେଖ୍ ମା, କେବଳ ନୂତନ ନୂତନ ସୃଷ୍ଟି କରିଚାଲିଛି ମୁଁ, ମୋ ସ୍ୱଇଚ୍ଛାରେ । ସୃଷ୍ଟି ଛଡ଼ା ଲୟର ପ୍ରଶ୍ନ ଉଠି ନ ଥିଲା ମୋ ମନରେ କେବେ । କିନ୍ତୁ–ହେଇ ସେ ଅଂଶଟିକୁ ଦୃଷ୍ଟିପାତ କରି କହ ଥରେ, ଜରାଜୀର୍ଣ୍ଣ ସେହି ବିରାଟ ଅଂଶଟି କି ଦୁଃଖ ଶୋକରେ ମ୍ରିୟମାଣ ହୋଇପଡ଼ିଛି । ସେମାନଙ୍କୁ ମୁକ୍ତି ଦେବା କ’ଣ ଅନ୍ୟାୟ ? ତୋରି ଶାନ୍ତିମୟ କୋଳରେ ଶୟନ କଲେ ଏ ଦୁଃଖ ତାପରୁ ସେମାନେ କଣ ମୁକ୍ତି ପାଇବେ ନାହିଁ ?

 

କିନ୍ତୁ– । ମୃତ୍ୟୁ ଆକୁଳ ହୋଇ କହିଲେ–ଶୋକାତୁରା ସ୍ତ୍ରୀ, ପୁତ୍ର, ପିତା, ମାତା, ଧୂଳି ଜର୍ଜରିତ ହୋଇ ଯେତେବେଳେ ତଳେ ମୁଣ୍ଡ ପିଟି ଅତି କରୁଣ ଭାବରେ କ୍ରନ୍ଦନ କରିବେ, ସେ ହୃଦୟସ୍ପର୍ଶୀ ଦୃଶ୍ୟ ମୁଁ ଦେଖିବି କିପରି ? ସୃଷ୍ଟିକର୍ତ୍ତା ବ୍ରହ୍ମା ଇଷତ୍ ହାସ୍ୟ କରି କହିଲେ, ସେଥିପାଇଁ କାତର ହୁଅନାହିଁ କନ୍ୟା ! ସେତେବେଳେ ତୁମେ ଅନ୍ଧ ହୋଇଯିବ, ଦୃଷ୍ଟି ତୁମର ବିଲୁପ୍ତ ହୋଇଯିବ, ତୁମକୁ ଆଉ କୌଣସି ବିଷୟ ଦେଖିବାକୁ ହେବ ନାହିଁ ।

 

ମୃତ୍ୟୁ ପୁନର୍ବାର କହିଲେ–ଆଉ ସେମାନଙ୍କର ବୁକୁଫଟା କ୍ରନ୍ଦନର ସ୍ୱର ? ନାରୀ କଣ୍ଠର ସେହି ଆକୁଳ କ୍ରନ୍ଦନ ମୃତ୍ୟୁ ଦେବୀଙ୍କ କଥାରେ ବାଧାଦେଇ ବ୍ରହ୍ମା କହିଲେ–ତୁମେ ସେତେବେଳେ ବଧିର ହେବ । କୌଣସି ଧ୍ୱନି ତୁମର ସ୍ମୃତିବଳରେ ପ୍ରବେଶ କରିବ ନାହିଁ ।

 

ବ୍ରହ୍ମାଙ୍କ ଅଞ୍ଜଳି ମଧ୍ୟରୁ ଭୟ ମୂର୍ତ୍ତି ରୋଗ ବ୍ରହ୍ମାଙ୍କୁ ଜିଜ୍ଞାସା କଲେ ନିଜ କର୍ମ ନିମିତ୍ତ । ବ୍ରହ୍ମା ଗମ୍ଭୀର ହୋଇ କହିଲେ, ଅନ୍ୟାୟ ଅନୀତି, ପାପୀମାନଙ୍କ ପାପଭାରା ହାସ ନିମିତ୍ତ ତୁମେ ସେମାନଙ୍କୁ ଗ୍ରାସ କର ।

 

ବିକଟାଳ ଶବ୍ଦ କରି ରୋଗମାନେ ଅବନୀ ଉପରକୁ ଝାମ୍ପ ପ୍ରଦାନ କଲେ, ପିତାମହଙ୍କ ମୁଖରୁ ନିଜର କର୍ମସୂଚୀ ଶ୍ରବଣ କରି । ସେମାନଙ୍କର କର୍ମ ଦେଖିବାକୁ ଜନନୀ ମୃତ୍ୟୁ ଦୃଷ୍ଟି ନିକ୍ଷେପ କଲେ ପୃଥିବୀ ବକ୍ଷକୁ । ମାତ୍ର ଏ କ’ଣ–ସେ କିଛି ଦେଖିପାରୁ ନାହାନ୍ତି, ତାଙ୍କ କର୍ଣ୍ଣବିଳରେ କିଛି ପ୍ରବେଶ କରୁନାହିଁ । ସେ ପିତାଙ୍କୁ ସମ୍ୱୋଧନ କରି କହିଲେ ଏ କଣ ହେଲା ପିତା ! ସେତେବେଳକୁ ଅନ୍ଧ ବଧିରା କନ୍ୟାଠାରୁ ପିତା ଅନେକ ଦୂରକୁ ଚାଲି ଯାଇଥିଲେ ।

☆☆☆

 

ଦୂରନ୍ତ ଶ୍ମଶାନ

 

ଧନୀ ମହାଜନ ଦାଣ୍ଡରେ ବସିରହିଛି । ସେ ଆଜି ଖାଲି ହାତରେ ଫେରିବାକୁ ମୋଟେ ପ୍ରସ୍ତୁତ ନୁହେଁ । ଯେ କୌଣସି ମତେ ସେ ଏହାର ଗୋଟାଏ ନିଷ୍ପତ୍ତି କରିଯିବ । ଗତଥର ପ୍ରାୟ ଆଠଦିନ ତଳେ ସେ ଆସିଥିଲା । ପୁଅ କହିଲା, ବାପା ଶଯ୍ୟାଶାୟୀ—ତଥାପି ସେ ଛାଡ଼ିଲା ନାହିଁ । କହିଲା ନା, ତାଙ୍କ ସହିତ ଦେଖାକରି ଯିବି । ପୁଅ କହିଲା ନା, ବାପା ବେହୋସ ଅବସ୍ଥାର ଅଛନ୍ତି । ତଥାପି ସେ ‘ମୁଁ ଟିକିଏ ଦେଖିଯିବି’ ବୋଲି ଜିଦ୍‍ରି ବସିଲା । ବାଧ୍ୟ ହୋଇ ଜଇବାବୁ ସାଂଘାତିକ ରୋଗୀ ଭଳି ବିଛଣାରେ ଶୋଇରହିଲେ । ସେ ଦେଖିବାକୁ ଆସିଲା ସତ କିନ୍ତୁ ମୋଟେ ବିଛଣା ପାଖରୁ ଉଠିଲା ନାହିଁ । ଏକ ଧ୍ୟାନରେ ଜଇ ବାବୁଙ୍କ ମୁହଁକୁ ଚାହିଁରହିଲା । ଜଇବାବୁଙ୍କୁ ସହିତ ବଅଁଶ ଗୋଟାକ ଯାକ ବାଧ୍ୟ ହେଲେ ଅଭିନୟ କରିବାକୁ । ତାଙ୍କ ସ୍ତ୍ରୀ ମିଛରେ ସୁଁ ସୁଁ ହୋଇ କାନ୍ଦିଲେ । ସାଂଘାତିକ ରୋଗୀର ସେବା ଭଳି ଝିଅ ସୁମି ବାପାଙ୍କ ଗୋଡ଼ ପାଖରେ ବସି ଗୋଡ଼ ହାତ ଆଉଁଷିଲା । ବଡ଼ପୁଅ ଜଗୁ ସାନପୁଅ ରଘୁ ମନ ମାରି ବାପନାଙ୍କ ବିଛଣା ପାଖରେ ଠିଆହେଲେ । ତଥାପି ନିସ୍ତାର ନାହିଁ । ଧନୀ ସାଉ ମହାଜନ ସହାନଭୂତି ଦେଖାଇ ନାନା କଥା ଛିଗୁଲେଇ କରି କହିଲା । ଜଇବାବୁ ଯେତେବେଳେ ସାଙ୍ଘାତିକ ରୋଗୀଭଳି ମିଛରେ ବେହୋସ ହୋଇ ପଡ଼ିରହିଛନ୍ତି, ସେତେବେଳେ ଧନୀ ସାଉ ଯାହା କହିଲେ ମଧ୍ୟ ଉଁ କି ଚୁଁ କରିବା ଉଚିତ ନୁହେଁ । ଯାହାର କହିବାର ସେ କହିଯାଉ, କଥାରେ ତ ଦେହଟା ଛିଣ୍ଡି ଯାଉନାହିଁ ଆଉ ।

 

ଜଇବାବୁ ଧନୀ ସାଉ କଥା ଶୁଣି ରକ୍ତ ଢୋକିଲା ଭଳି ରହିଲେ । ମନ୍ତ୍ରୀ ଠାରୁ ଅଫିସର ପର୍ଯ୍ୟନ୍ତ ଯେ କେହି ବଡ଼ଲୋକ ଆସିଲେ ପ୍ରଥମେ ଜଇବାବୁଙ୍କୁ ଖୋଜିବେ । ନିର୍ବାଚନରେ ଯେଉଁ ପକ୍ଷକୁ ଜଇବାବୁ ସମର୍ଥନ କରିବେ ସେହି ପକ୍ଷର ଜୟ ସୁନିଶ୍ଚିତ । ଜଇବାବୁ ଯେଉଁ ଅଫିସର, ଏମ୍: ଏଲ୍: ଏ: ବା ମନ୍ତ୍ରୀ ପାଖକୁ ଯାଆନ୍ତି ସଙ୍ଗେ ସଙ୍ଗେ ତାଙ୍କୁ ବସିବାକୁ ଚେୟାର ଦିଆଯାଏ । କିନ୍ତୁ ତାଙ୍କର ଦୁର୍ଭାଗ୍ୟ ଧନୀ ସାଉ ମହାଜନର ଅପମାନିଆ କଥା ଶୁଣି ବରଦାସ୍ତ କଲେ ସେ । ତାଙ୍କ ବୁଦ୍ଧି ବଳରେ ଗୋଟିଏ ପଇସା ହାତରେ ନ ଥାଇ ବିନା ପାଣିରେ ଡଙ୍ଗା ଚାଲିଲା ପରି ଖାଲି ହାତରେ ଏଡ଼େ ବଡ଼ ଘରକୁ ସୁରୁଖୁରୁରେ ଚଳାଇ ନେଉଛନ୍ତି । କିନ୍ତୁ ଧନୀ ସାଉର ପନ୍ଦର ହଜାର ଟଙ୍କା ସୁଝି ହେଉନାହିଁ ।

 

ଧନୀ ସାଉ ସେଦିନ ଗଲାବେଳେ ପିଲାଙ୍କୁ କହିଯାଇଥିଲା, କାହିଁକି ଏତେ ବ୍ୟସ୍ତ ହେଉଛ ଜଇବାବୁ ଭଲ ହୋଇଯିବେ ଯେ । ଦେଖିବ ନାହିଁ ମୁଁ ଆର ଥରକୁ ଆସିଲା ବେଳକୁ ସେ ଭଲହୋଇ ଯାଇଥିବେ । ଆର ଥରକୁ ରହିଲେ ଠିକ୍ ଆଠଦିନେ ଯେ ସେ ଆସି ହାଜର ହେବେ ଏକଥା ଜଇ ମହାପାତ୍ରଙ୍କ ଧାରଣା ନଥିଲା । ଯାହା ହେଉ ସେ ନିଜେ ତା ଆଖି ଆଗରେ ପଡ଼ିନାହାନ୍ତି । ପୁଣି ସେହି ମହାଜନ ଆସିଛି ସାନପୁଅଠାରୁ ଏ ଖବର ପାଇ କଣ ତାକୁ କୁହାଯିବ ଆଉ ଭଲକରି ଭାବିବାକୁ ଜଇବାବୁଙ୍କୁ ବେଳ ମିଳିଲା ନାହିଁ । ତଥାପି ତାଙ୍କ ପ୍ରତିତ୍ପୋନ୍ନମତି ମୁଣ୍ଡରୁ ଗୋଟାଏ ବୁଦ୍ଧି ବାହାରି ପଡ଼ିଲା ପିଲାଏ ତୁମେ ମିଛରେ କାନ୍ଦି କହିଦିଅ ବାପା ମରିଗଲେ ବୋଲି ।

 

ଏ କଥାରେ ତାଙ୍କ ସ୍ତ୍ରୀ ଟିକିଏ ଅମଙ୍ଗ ହେଲେ । ଜଇବାବୁ ତାଙ୍କୁ ବୁଝାଇ କହିଲେ ମହାଜନ ଘର ତ ବହୁତ ଦୂରରେ । ସେ ମରିଯିବା କଥା ଶୁଣିଲା ମାତ୍ରକେ ନିଶ୍ଚୟ ଏଠୁ ପଳାଇବ ପୁଣି କେବେ ଯଦି ଶୁଣିବ ତେବେ ସେ ଆସିପାରେ । ତାହାତ ଏତେ ନିକଟରେ ନୁହେଁ । ବର୍ତ୍ତମାନ ପାଇଁ ଏହାହିଁ ଶ୍ରେଷ୍ଠ ପନ୍ଥା । ହୁଏ ତ ସେ ଆଉ ନ ଆସି ପାରେ । ନ ଆସିଲେ ପନ୍ଦର ହଜାର ଟଙ୍କାରୁ ରକ୍ଷା ମିଳିବ । ଟଙ୍କା ପାଇଁ ମଣିଷ ସବୁ କିଛି କରିଥାଏ । ଏ ତ ଏକ ମାମୁଲି କଥା । ବାପା ମରିଗଲେ ବୋଲଇ ତ ସତରେ ମରି ଯାଉ ନାହାନ୍ତି । ଆଜି ଯେଉଁମାନେ ମନ୍ତ୍ରୀ ହୋଇଛନ୍ତି ସେମାନେ ନିର୍ବାଚନ ବେଳେ ଘୋଡ଼ା ଦେବି ହାତୀ ଦେବି କହି ତ ଲୋକଙ୍କୁ ଭୁଲାଇ ଭୋଟ ନେଲେ-। ସେମାନେ ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଯାଇଥିଲେ ତାହା ଯଦି କରିବାକୁ ଚେଷ୍ଟା କରନ୍ତେ ତେବେ ସେ କଣ ତାହା କରିପାରିବେ ।

 

ବହୁ ଉଦାହରଣ ଦେଇ ବୁଝାଇଲା ପରେ ତାଙ୍କ ସ୍ତ୍ରୀ ରାଜି ହେଲେ । ସଙ୍ଗେ ସଙ୍ଗେ ଘର ଭିତରୁ ଗୋଟାଏ କ୍ରନ୍ଦନ ରୋଳ ଦାଣ୍ଡକୁ ଶୁଭାଗଲା । ଧନି ସାଉ ଭାବିଲେ, ସତରେ କଣ ଜଇବାବୁ ବେମାର ଥିଲେ ନା ଏ ସବୁ ପେଖନା । ମୁହୂର୍ତ୍ତକ ପରେ ରଘୁ କାନ୍ଦି କାନ୍ଦି ଆସି ଧନି ସାଉ ମହାଜନଙ୍କୁ କହିଲା ବାପା ଚାଲିଗଲେ ।

 

ଜଇବାବୁ ଚାଲିଗଲେ ?

 

ଅବିଶ୍ୱାସ କରିବାର କିଛି ନାହିଁ । ବଉଁଶ ଗୋଟାକଯାକ ଏକାବେଳକେ କାନ୍ଦି ଉଠିଲେଣି-। ଏଥିରେ ଆଉ ଅବିଶ୍ୱାସର ପ୍ରଶ୍ନ କଣ ଅଛି ? ତଥାପି ଧନି ସାଉଙ୍କ ମନ ବୁଝିଲା ନାହିଁ, ଜଇବାବୁ ମହା ଜାଲିଆ ଲୋକ ଯମବି ତାଙ୍କ ଜାଲିଆତିରେ ହାର ମାନିବ । ବିଶେଷତଃ ଗୋବିନ୍ଦପୁର ଗାଁର ନିଧି ସ୍ୱାଇଁଙ୍କ ଠାରୁ ଶୁଣି ଆସିଛନ୍ତି-। ଜଇବାବୁ ତାକୁ ଜବାବ ଦେଇଛନ୍ତି ଆସନ୍ତା କାଲି ମନ୍ତ୍ରୀଙ୍କୁ କହି କଣ୍ଟ୍ରୋଲ ଡିଲର ଲାଇସେନ୍ସ କରାଇ ଦେବେ । ସେ ପୁଣି ଜଇବାବୁ ବେମାର ଥିବା କଥା ଶୁଣି ବିଶ୍ୱାସ କଲା ନାହିଁ । ଗୋଟାଏ ମିଛ ଖବର ହୋଇଥିବ ବୋଲି କହିଲା । ଯାହା ହେଉ ମୁର୍ଦ୍ଦାର ଉଠିବା ପର୍ଯ୍ୟନ୍ତ ଧନି ସାଉ ଅପେକ୍ଷା କରିବାକୁ ଠିକ୍ କଲେ ।

 

ଜଇବାବୁ ଗ୍ରାମଠାରୁ ଟିକିଏ ଦୂରରେ ଘର ଖଣ୍ଡେ କରି ରହିଛନ୍ତି । ତେଣୁ, ତାଙ୍କ ପଡ଼ିଶା କେହି ନାହାନ୍ତି । କିଛି ସମୟ କାନ୍ଦ ବୋବାଳି ପରେ ଯେତେବେଳେ ଧନିସାଉ ପିଣ୍ଡାରୁ ଉଠିଲେ ନାହିଁ ଆଉ ଦୁଃଖ ପ୍ରକାଶ କରି କହିଲେ, ଜଇ ବାବୁଙ୍କ ଭଳି ଲୋକ ଚାଲିଗଲେ ଏକଥା ଶୁଣି ତାଙ୍କ ପିଣ୍ଡାରୁ ଉଠି ପଳାଇବାକୁ ମୋ ବିବେକ ଡାକୁ ନାହିଁ । ଅନ୍ତତଃ ତାଙ୍କ ସହିତ ଶ୍ମଶାନ ପର୍ଯ୍ୟନ୍ତ ଯିବି । ସେତେବେଳେ ସମସ୍ତେ ଅଡ଼ୁଆରେ ପଡ଼ିଲେ ।

 

କଣ କରାଯିବ—ଯେତେବେଳେ ମରିଯିବା କଥା କୁହା ହୋଇଛି ତ ପରର କାର୍ଯ୍ୟ କରିବାକୁ ପଡ଼ିବ । କିନ୍ତୁ ବଞ୍ଚିଥିବା ମଣିଷଟିକୁ କିଭଳି କୋକେଇରେ ପକାଇ ମଶାଣିକୁ ନେବେ । ନ ନେଇ ଉପାୟ ନାହିଁ । ରାଢ଼ ଧନି ସାଉ ମୋଟେ ପିଣ୍ଡାରୁ ଉଠୁ ନାହିଁ । ଟାଳ ଟୁଳ କରି କିଛି ସମୟ ଗଲାପରେ ବଡ଼ପୁଅ ଜଗୁ ମୁର୍ଦ୍ଦାର ଉଠାଇବା ପାଇଁ ଲୋକ ଡାକିବାକୁ ଗଲେ । ଦେଢ଼ଘଣ୍ଟା ଦୁଇଘଣ୍ଟା ପରେ କେତେଗୁଡ଼ିଏ ଗଜା ଗଜା ଟୋକା ନଳି ପ୍ୟାଣ୍ଟ, ଛିଟସାର୍ଟ ପିନ୍ଧି ଆସିଗଲେ । ତାଙ୍କୁ ଦେଖି ଧନିସାଉଙ୍କ ମନରେ ସନ୍ଦେହ ବଢ଼ିଗଲା । ଜଇବାବୁ ମରି ନାହାନ୍ତି ଏହା ପେଖନା । ସାଉ ଠିକ ଧାରଣ କରି ନେଲେ । ଯାହାଦେଉ ଆଉ ଡେରି କରିବା ଭଲ ନୁହେଁ । ନିଜେ ସାଉ ଟୋକାଙ୍କୁ ଡାକ କିଭଳି କୋକେଇ ହୁଏ ତାହା ବତା ବତି କରିଦେଲେ । କୋକେଇ ବନ୍ଧା ସରିଗଲା ପରେ ମୁର୍ଦ୍ଦାର ଉଠିବା କଥା । ବରିଆ ବଳା ହୋଇ ନିଆଁ ଲାଗିଲାଣି । ଟୋକାମାନେ ଘର ଭିତରକୁ ମୁର୍ଦ୍ଦାର ଆଣିବାକୁ ଗଲେ । ମାତ୍ର ମୁର୍ଦ୍ଦାର ଆସିବା ଡେରି ଦେଖି ଧନି ସାଉ ବଡ଼ ପାଟିରେ ଡାକି କହିଲେ, ଶୀଘ୍ର ଶୀଘ୍ର ସାଜି ଗମି କାର୍ଯ୍ୟ ସାରିବା ଦରକାର । ଡେରି କଲେ ସନ୍ଧ୍ୟା ହୋଇଯିବ । ରାତି ହେଲେ ଅସୁବିଧା ।

 

ଜାଣି ଶୁଣି ଡେରି କରି ଶେଷରେ ଜଇବାବୁ ମୁର୍ଦ୍ଦାର ଭଳି ପଡ଼ି ରହିଲେ । ଟୋକାମାନେ କତାରେ ପୂରାଇ ଦାଣ୍ଡରେ ଥୁଆ ହୋଇଥିବା କୋକେଇ ପାଖକୁ ନେଇ ଆସିଲେ । ଜଇବାବୁଙ୍କ ମୁହଁଟିକୁ ଦେଖି ଧନି ସାଉ ଠିକ୍ ଜାଣିପାରିଲେ ସେ କେବେ ମରି ନାହାନ୍ତି । ଯେତେବେଳେ ଏଭଳି ଏକ ପ୍ରହସନ ଚାଲିଛି ସେତେବେଳେ ସେ ମଧ୍ୟ ଏ ପ୍ରହସନରେ ଜଣେ ହୋଇ ଯୋଗ ଦେଲେ । ରାମ ନାମ ସତ୍ୟ ହେ ଧ୍ୱନୀ ମଧ୍ୟରେ ଜଇବାବୁ କୋକେଇରେ ବନ୍ଧାଳ ହୋଇ ଶ୍ମଶାନକୁ ଗଲେ । ବଡ଼ ପୁଅ ନୋଟା ନିଆଁ ବରିଆ ଧରି ଆଗେ ଆଗେ ଚାଲିଥାଏ । ସଂଧ୍ୟାର ବହୁ ପୂର୍ବରୁ ଶ୍ମଶାନରେ ଜଇବାବୁ ପହଞ୍ଚିଗଲେ ମଧ୍ୟ ଜଇବାବୁଙ୍କୁ ସଂସ୍କାର କରିବା ସମ୍ଭବ ହେଲାନାହିଁ । କାରଣ କାଠ କାଟିବାକୁ ଧୋବା ଡକା ହୋଇନାହିଁ । ତାହାହେଲେ ଜଇବାବୁଙ୍କୁ କଣ ମାଟି ଖୋଳି ପୋତି ଦିଆଯିବ । ଏ କଥାରେ କିନ୍ତୁ ତାଙ୍କ ପୁଅ ମୋଟେ ରାଜି ହେଲେନାହିଁ । ତାଙ୍କର ସମସ୍ତଙ୍କୁ ମଲା ପରେ ପୋଡ଼ା ହୋଇଛି ବର୍ତ୍ତମାନ ବାପାଙ୍କୁ ସେମାନେ କି ଭଳି ପୋତିବେ । ମୁର୍ଦ୍ଦାର ଉଠିବା ପୂର୍ବରୁ ଧୋବାକୁ ଡକାଯାଇ କାଠ କଟା ହୋଇଥାଏ । ଧୋବାକୁ ମୋଟେ ଖବର ଦିଆଯାଇ ନାହିଁ ଏକଥା ସାଉଙ୍କ ଧାରଣା ବାହାରେ ଥିଲା ।

 

ଆଗରୁ ହେବା କଥାଟା ଯେତେବେଳେ ହୋଇନାହିଁ ସେତେବେଳେ ତାହା କଣ ନହେଲେ ଚଳେଇ ଦେଇ ହେବ ? ବିନା କାଠରେ ପୋଡ଼ା ହେବ କିପରି ? ଖାଲି ତ କାଠ ନୁହେଁ ପ୍ରଥମେ ନିଆଁ କାଠରେ ଧରାଇବାକୁ ନାଗୁଆରି ଦରକାର । ସାଉ ମହାଜନ ବ୍ୟସ୍ତ ହୋଇ ପଡ଼ିଲେ-। ଏଇଠି ଯେ ସେ ଜଇବାବୁଙ୍କ ଚକ୍ରାନ୍ତ ପାଖରେ ହାର ମାନିଲେ ଏହି କଥା ଭାବିବାକୁ ଲାଗିଲେ-। ଧୋବା ଆସିଲେ ସଙ୍ଗେ ସଙ୍ଗେ ପଇସା ନେବ । ଏ ସବୁ କାମରେ ବାକି ଚଳେନାହିଁ । ଧୋବାକୁ ଡାକି କାଠ ଚିରିବା ଅପେକ୍ଷା ଚିରା କାଠ କିଛି କିଣି ଆଣିଲେ ହୁଅନ୍ତା । ମାତ୍ର ଜଇବାବୁଙ୍କ ପୁଅ ପାଖରେ ପଇସାଟିଏ ନାହିଁ ବୋଲି କହୁଛି । ଶେଷରେ ସେ ଠିକ୍ କଲେ ପନ୍ଦର ହଜାର ତ ଗଲା-। ତା ସହିତ ଆଉ କିଛି ଯାଉ । ମହାଜନ ତାଙ୍କ ପୁଅକୁ ଡାକି ଦଶଟି ଟଙ୍କା ଦେଲେ କାଠ ଆଣିବାକୁ-

 

ବଡ଼ପୁଅ ଜଗନ୍ନାଥ ଦଶଟି ଟଙ୍କା ହାତରେ ଧରି କହିଲେ, ଏତିକିରେ କଣ ହେବ ? ଆପଣଙ୍କ ଭରସାରେ ବାପାଙ୍କୁ ଘରୁ ମଶାଣିକୁ ଧରି ଆସିଛି । ବର୍ତ୍ତମାନ ବିଡ଼ି, ସିଗାରେଟ୍, ଖାଇବା ଖର୍ଚ୍ଚ ଆଦିରେନ ନିହାତ୍ ପଚାଶଟଙ୍କା ଦରକାର । ଆପଣ ଏତକ ନ ତୁଲାଇଲେ ଚଳିବ ନାହିଁ । ଆପଣ ତ ବାପାଙ୍କ କଥା ଜାଣିଛନ୍ତି, ଯାହା ଯେଉଁଠୁ ଆଣିଛନ୍ତି ସବୁ ଖର୍ଚ୍ଚ କରି ଦିଅନ୍ତି । ଘରେ ଗୋଟିଏ ପଇସା ନାହିଁ । ଆପଣ ଏତକ ନ ଦେଲେ ସଂସ୍କାର କାମ ବନ୍ଦ ।

 

ଏତକ ଦେଲେ ଯେ ସଂସ୍କାର ହୋଇଯିବ ଏ ବିଶ୍ୱାସ ଧନୀ ସାଉଙ୍କର କମି କମି ଆସୁଛି-। ପନ୍ଦର ହଜାର ଗଲା ତା ସହିତ ଆଉ ପଚାଶ ଟଙ୍କା ଯିବ । ଯାଉ–ମହାଜନ, କୁନ୍ଥୁ କୁନ୍ଥୁ ହୋଇ ପଚାଶଟି ଟଙ୍କା ମୁଣିରୁ କାଢ଼ିଦେଲେ । କଣ କଣ ଆସିବ ସେ ତାଲିକା ସେହି ଟୋକାମାନେ କଲେ-। ସଙ୍ଗେ ସଙ୍ଗେ ଦୁଇଜଣ ଟୋକା ଟଙ୍କାଧରି ବାହାରିଗଲେ । ଗଲାବେଳେ ତାଙ୍କ ଭିତରୁ ଜଣେ ବଡ଼ପାଟିରେ କହିଗଲା ଆମେ ଜିନିଷପତ୍ର ନେଇ ଆସୁଛୁ, ତୁମେ ସବୁ ଶୀଘ୍ର କାମ ସାରି ଆସ ।

 

ମହାଜନ ଧାରଣା କରିନେଲେ ତାଙ୍କର ଏ ପଚାଶଟି ଟଙ୍କା ଆଜି ଏ ଟୋକାଙ୍କର ଭୋଜି ହେବ । ସେହି ମସୁଧା ନେଇ ବୋଧେ ଏ ଦୁଇଜଣ ଜିନିଷପତ୍ର କିଣିବାକୁ ଗଲେ । ଜଇ ମହାପାତ୍ର ତ ପନ୍ଦର ହଜାର ନେଇଥିଲେ ବର୍ତ୍ତମାନ ଏ ପଚାଶଟି ବି ସେହି ଟଙ୍କା ଆଦାୟ କରିବାର ଓଲୁ କର ଦେବାକୁ ପଡ଼ିଲା ।

 

ସଂଧ୍ୟା ମାଡ଼ି ଆସିଲା । ଏହା ପରେ ଅନ୍ଧାର ହୋଇଯିବ । ଏ ଅନ୍ଧାରରେ ଯଦି ଟୋକାମାନେ କାଠ ଧରି ଆସନ୍ତି ତେବେ ଜଇବାବୁ କେବେ ପୋଡ଼ା ହେବେ ନାହିଁ । ଧନୀ ସାଉ ଜଗୁକୁ ଡାକି କହିଲେ ଅନ୍ଧାର ହୋଇଗଲେ ଅଡ଼ୁଆ, ଗୋଟିଏ ପେଟ୍ରୋମାକସ ଲାଇଟର ବନ୍ଦୋବସ୍ତ କର ।

 

ସେଥିପାଇଁ ବି ଟଙ୍କା ଲୋଡ଼ା । ଦୁଇଟି ଟଙ୍କା ମହାଜନ ଦେଲେ । ମଶାଣିରେ ଏତେଗୁଡ଼ିଏ ଲୋକଙ୍କୁ ଦେଖି ପାଖ ଗାଁର ଦୁଇ ତିନିଜଣ ଲୋକ ଘଟଣାଟି ବୁଝିବା ପାଇଁ ଆସିଲେ-। ସେ ଲୋକଙ୍କୁ ଦେଖି ଧନୀ ସାଉ ଛାତିରେ ଟିକିଏ ଜୀବନ ପଶିଲା । ଏଣେ ଅନ୍ଧାର ବେଳକୁ ବେଳ ମାଡ଼ି ଆସୁଥାଏ । ଅନ୍ଧାର ଘନେଇ ଆସିବା ଦେଖି ବୋଧେ ଧନି ବାବୁଙ୍କ କୋକେଇ ପାଖରୁ ଟୋକାଗୁଡ଼ାକ ଦୂରକୁ ଘୁଞ୍ଚି ଯାଉଛନ୍ତି । ତାଙ୍କୁ ବୋଧେ ଡର ମାଡ଼ିଲାଣି । ଏତିକି ବେଳକୁ ପୁଣି କିଆବୁଦା ଭିତରୁ ଖସ୍ ଖସ୍ ହୋଇ ପ୍ରାୟ ବିଲୁଆଟାଏ ହେବ ବିଲ ଆଡ଼କୁ ପଳାଇ ଯାଉଛି । ଧନି ସାଉ ଗୋଟିଏ ଗୋଟିଏ କରି ଚାଲି ଜଇ ବାବୁଙ୍କ କୋକେଇ ଆଡ଼କୁ ଗଲେ । କୋକେଇ ପାଖରେ ନ ପହଞ୍ଚୁଣୁ ଟୋକାମାନେ ଡାକଦେଲେ, ମହାଜନେ ତୁମେ କୋକେଇ ଛୁଇଁବ ନାହିଁ । ସାଉ କହିଲେ, ଆରେ ପିଲାମାନେ ମୁଁ କଣ ଏଡ଼େ ଅବିବେକ ହୋଇଛି ଯେ ତୁମ ମୁର୍ଦ୍ଦାରକୁ ଛୁଇଁଦେବି ?

 

ଧନି ସାଉ କୋକେଇ ପାଖକୁ ଯାଇ କୋକେଇ ପାଖରେ ଟିକିଏ ନଇଁପଡ଼ି ଜଇ ବାବୁଙ୍କୁ ଅନାଇଲେ । ମଶାଣିରେ ବୋଧେ ତାଙ୍କ ମୁହଁକୁ ଲୁଗାରେ ଘୋଡ଼ାଇ ଦିଆହୋଇଛି । ସାଉ ତାଙ୍କୁ ଅନାଇ କହିଲେ, ଓ ହୋ–ମଣିଷ ଟଙ୍କା ପାଇଁ କଣ ନ ହୋଇପାରେ । ଜଇବାବୁ ତୁମେ ଏତେସରି ହେଲଣି ତଥାପି ତୁମକୁ ଲାଜ ମାଡ଼ୁନାହିଁ । ଆଉ କାହିଁକି–ଏଥର କହିଦିଅ କେବେ ଟଙ୍କା ମିଳିବ ?

 

ଜଇବାବୁ ନିରୁତ୍ତର । ସତେ ଯେପରି ସେ ମୁର୍ଦ୍ଦାର । ପାଟି ଗଲୁ ମାରିବାରୁ ଧନି ସାଉ ଜଇବାବୁଙ୍କୁ ଯାହା ଇଚ୍ଛା ତାହା ବକିଗଲେ । ମାତ୍ର ବେଶି ସମୟ ନୁହେଁ । ସେ ହଠାତ୍ ଅନୁଭବ କଲେ ତାଙ୍କ ବେକକୁ କିଏ ଚିପି ଧରୁଛି ଆଉ ଗୋଡ଼ ଦିଟାକୁ କିଏ ଜାବୁଡ଼ି ଧରିଛି । ସାରା ଦେହଟା ତାଙ୍କର ଶୀତେଇ ଉଠିଲା । ଏତିକିବେଳେ ଦୁଲ୍ ଦାଲ୍ ଭୁସ୍ ଭାସ୍ ଶବ୍ଦ ଶୁଣାଗଲା । ତା ପରେ କଣ ହେଲା ତାଙ୍କର ମନେ ନାହିଁ । ଯେତେବେଳେ ସେ ଆଖି ଖୋଲି ଅନାଇଲେ, ଦେଖିଲେ କେହି ଆଉ ସେଠାରେ ନାହାନ୍ତି–ଜଇବାବୁଙ୍କ କୋକେଇ ବି ଶୂନ୍ୟ; ଆଉ ଏକା ସେ ତାଙ୍କରି କୋକେଇରେ ଶୋଇରହିଛନ୍ତି ।

☆☆☆

 

ସାବିତ୍ରୀ

 

ଶତ ବର୍ଷ ଗତ ହେଲାଣି ପୁଷ୍କର ତୀର୍ଥରେ । ସ୍ୱାମୀ ସ୍ତ୍ରୀ ଉଭୟେ ସଂଯତ ଚିତ୍ତ । ଉଭୟେ ତପମଗ୍ନ ସନ୍ନ୍ୟାସୀଙ୍କ ପରି । ତଥାପି ଆରାଧ୍ୟଙ୍କର ଦର୍ଶନ ନାହିଁ । ଉଭୟଙ୍କର ଜପତପ ନିଷ୍ଫଳରେ ପର୍ଯ୍ୟବେଶିତ । ଯେତିକି ଦିନ ଗତ ହେଉଛି ସେତିକି ସେମାନେ ଚିନ୍ତାକୁଳ ।

 

ଐଶ୍ୱର୍ଯ୍ୟର ଅଭାବ ନାହିଁ ତାଙ୍କର । ମଦ୍ରଦେଶରେ ରାଜା ଓ ରାଣୀ ସେମାନେ । ସଦୟ ପ୍ରକୃତି ଯୋଗୁ ପ୍ରଜାମାନେ ତାଙ୍କୁ ଦେବତାଭଳି ମାନନ୍ତି । ତାଙ୍କର ଯଶ ଓ ସୁନାମ କେବଳ ତାଙ୍କ ରାଜ୍ୟ ନୁହେ ବିଭିନ୍ନ ରାଜ୍ୟରେ ମୁଖରିତ ।

 

ସମସ୍ତ ଐଶ୍ୱର୍ଯ୍ୟର ଅଧିକାରି ହୋଇ ମଧ୍ୟ ସେ ନିଃସନ୍ତାନ । ରାଣୀ ତାଙ୍କର ବନ୍ଧ୍ୟା । ଦାନ ଧ୍ୟାନ ଯେତେକଲେ ମଧ୍ୟ ସେ ଦୋଷରୁ ସେ ନିଷ୍କୃତି ପାଉ ନାହାନ୍ତି ।

 

ଏକଦା ମହର୍ଷି ବଶିଷ୍ଠ ରାଣୀ ମାଳତୀଙ୍କୁ ଉପଦେଶ ଦେଇଗଲେ, ମହାଦେବୀ ସାବିତ୍ରୀଙ୍କ ଆରାଧନା ପାଇଁ । ତାଙ୍କ ଉପଦେଶ ମତେ ରାଣୀ ସନ୍ୟାସିନୀଙ୍କ ପରି ମହାଦେବୀ ସାବିତ୍ରୀଙ୍କ ବ୍ରତରେ ବ୍ରତୀ । ସେ ଏକମାତ୍ର ନିଃସନ୍ତାନଙ୍କ ଆଶ୍ରୟା । ଯାହାଙ୍କ ଆଶ୍ରୟରେ ପିତାମହ ବ୍ରହ୍ମା ବିଶ୍ୱ ସର୍ଜନା କରୁଛନ୍ତି ସେ ସନ୍ତୁଷ୍ଟା ହେଲେ ବନ୍ଧ୍ୟା କୋଳରେ ଶିଶୁ ଖେଳିବା ଅସମ୍ଭବ ନୁହେଁ ।

 

ଦୀର୍ଘଦିନ ରାଣୀ ମାଳତୀ ବଶିଷ୍ଠଙ୍କ କଥିତାନୁସାରେ ସାବିତ୍ରୀଙ୍କ ଆରାଧନା କଲେ । କିନ୍ତୁ କୌଣସି ଫଳ ମିଳିଲା ନାହିଁ । ମହାସତୀ ଦର୍ଶନ ଦେଲେ ନାହିଁ ବନ୍ଧ୍ୟା ମାଳତୀକୁ । ନିବେଦିତ ତାର ଆଶା ଆକାଂକ୍ଷା ଆଶାରେହିଁ ରହିଗଲା । ଦେବୀ ସ୍ୱୟଂ ଆସିବା ତ ଦୂରର କଥା, ସ୍ୱପ୍ନରେ ବି କେବେ ଦେଖା ଦେଲେ ନାହିଁ ।

 

ବିଚରା ମାଳତୀ ମନରେ ପ୍ରଶ୍ନ ଜାଗିଲା କାହିଁକି ? କାହିଁକି ଦେବୀ ତା’ପ୍ରତି ବିମୁଖ । କେହି ତାଙ୍କୁ ଆରାଧନା ନ କଲେ ମଧ୍ୟ ରାଜ୍ୟସାରା ସମସ୍ତେ ସନ୍ତାନବତୀ । ଧନୀ ଦରିଦ୍ର ତା ପାଖରେ ସର୍ବେ ସମାନ । ପୁଣି ସନ୍ତାନ ପ୍ରତିପାଳନେ ଅକ୍ଷମାଙ୍କ ନିକଟରେ ଅଧିକ । ମାତ୍ର ସେ କାହିଁକି ବଞ୍ଚିତା । ଦେବୀ ତା ପ୍ରତି କାହିଁକି ନିଗ୍ରହା । କଣ ରାଜରାଣୀ ବୋଲି ’ଦରିଦ୍ର ପସରା’ ମନରୁ ଦୂରେଇ ଦେଉଛନ୍ତି ? ରାଜରାଣୀର ଅହମିକା ତ ତାର ନାହିଁ । ରାଜ୍ୟର ସମସ୍ତ ସମ୍ପଦ ଏଡ଼ାଇ ସେ ଆଜି ସନ୍ନ୍ୟାସିନୀ । ଦେହମନ ସବୁ ତାଙ୍କ ପଦପ୍ରାନ୍ତେ ନିବେଦିତ କରି ସେ ଚାହୁଁଛି ସନ୍ତାନଟିଏ ଦିଅ–ହେଉ ପଛେ ସେ କନ୍ୟା, ମାତ୍ର ହୋଇଥିବ ତାଙ୍କରି ଭଳି ସତୀ ସାଧ୍ୱୀ । ଯୁଗ ଯୁଗ ଧରି ବିଶ୍ୱ ଗାଇବ ତାର ନିଷ୍ଠା, ମହତ୍ୱ । ସେ ହେବ ନାରୀମାନଙ୍କ ମଧ୍ୟରେ ଉତ୍ତମା । ତାଙ୍କରି ପ୍ରସାଦ ଠିକ୍ ତାଙ୍କରି ଭଳି । କିନ୍ତୁ କାହିଁ ? ଯେତେ ନିଷ୍ଠାରେ ଯେତେ ହୃଦୟ ଖୋଲି ତାଙ୍କୁ ଡାକିଲେ ମଧ୍ୟ ସେ ନୀରବ । ପାର୍ବତ୍ୟ ଅରଣ୍ୟ ଭୂମିରେ ପ୍ରତିଧ୍ୱନୀ ଶୁଭୁଥାଏ ତାହା ମଧ୍ୟ ଏଠାରେ ନାହିଁ ।

 

ରାଣୀ ମାଳତୀଙ୍କର ବ୍ୟାକୁଳିତ ମନ ଆହୁରି ବ୍ୟାକୁଳ ହୋଇଉଠିଲା । ରାଜନବରର ଧବଳମୟ ଆବାସ ତାଙ୍କୁ ଶାନ୍ତି ଦେଇପାରିଲା ନାହିଁ ବରଂ କଣ୍ଟକିତ ବିକଟ ଜଙ୍ଗଲଠାରୁ ଆହୁରି ଦୁର୍ବିସହ ବୋଧ ହେଲା । ଦାସଦାସୀ ସଖୀ ପରିଜନଙ୍କ ମଧୁର ବାକ୍ୟ ବ୍ୟବହାର ତାଙ୍କୁ ଉପହାସ ଭଳି ଲାଗିଲା । ଅବଶେଷରେ ସେ ସ୍ଥିର କଲେ ରାଜନଅର ତ୍ୟାଗକରି ପୁଷ୍କରତୀର୍ଥ ଗମନ କରିବେ । ରାଜନବରର କୋଳାହଳ ସେ ତୀର୍ଥରେ ନାହିଁ । ତେଣୁ ଦେବୀ ଆରାଧନା ସେଠାରେ ସହଜ ।

 

ଶତବର୍ଷ ଗତ ହୋଇଗଲା ମହାଦେବ ସାବିତ୍ରୀଙ୍କ ଆରାଧନାରେ । ରାଜା ରାଣୀଙ୍କର ପୂଜାର୍ଚ୍ଚନା ଜପତପ କୌଣସିରେ ଅବହେଳା ନାହିଁ । କିନ୍ତୁ ମହାଦେବୀ କାହାନ୍ତି ?

 

ସେଦିନ ରାଜା ପୂଜାର୍ଚ୍ଚନା ଶେଷକରି ଉପବେସନ କରିଛନ୍ତି ଚିନ୍ତାକୁଳ ହୋଇ, ଏକ ଶୂନ୍ୟବାଣୀ ତାଙ୍କ କର୍ଣ୍ଣ କୁହରରେ ପ୍ରବେଶ କଲା ‘ଦଶଲକ୍ଷ ଗାୟତ୍ରୀ ମନ୍ତ୍ର ଜପକର’ । ରୂପ ନାହିଁ, ରେଖ ନାହିଁ, କେବଳ ଶୂନ୍ୟବାଣୀ ଦଶଲକ୍ଷ ଗାୟତ୍ରୀ ମନ୍ତ୍ର ଜପକର । କାହାର କଣ୍ଠସ୍ୱର–ରାଜା ଯେତେ ମନେପକାଇଲେ ମଧ୍ୟ ସେ ସ୍ୱର କାହାର ତାହା ତାଙ୍କ ଅଗୋଚରରେ ରହିଗଲା ।

 

ଗାୟତ୍ରୀ ! ବେଦର ସେହି ମହାମନ୍ତ୍ର ଗାୟତ୍ରୀ । ମହର୍ଷି ବିଶ୍ୱାମିତ୍ରଙ୍କ ଶ୍ରେଷ୍ଠକୃତି ଗାୟତ୍ରୀ ମନ୍ତ୍ର । ଯାହାର ସ୍ମରଣରେ ଅଜ୍ଞାନ ତିମିର ବିଦୂରିତ ହୁଏ । ସେହି ମନ୍ତ୍ର ଜପକଲେ ସାବିତ୍ରୀଙ୍କର ଦର୍ଶନ ମିଳିବ । ଚମତ୍କୃତ ହେଲେ ମହାରାଜା ଅଶ୍ୱପତି ।

 

ମହାରାଜା ଗାଧିଙ୍କ ପୁତ୍ର ବିଶ୍ୱାମିତ୍ର । ଜାତିରେ କ୍ଷତ୍ରିୟ ହେଲେ ମଧ୍ୟ ସାଧନାଦ୍ୱାରା ଜ୍ଞାନାଲୋକରେ ଉଦ୍‍ଭାଷିତ ହେଲେ । ବଶିଷ୍ଠଙ୍କ ଭଳି ମହାନ୍ ବ୍ରହ୍ମର୍ଷି ତାଙ୍କୁ ନିଜ ଆସନରେ ବସାଇବାକୁ କୁଣ୍ଠାବୋଧ କଲେ ନାହିଁ । ତାଙ୍କର ଅସମ୍ଭବ ଶକ୍ତି । ବିଶ୍ୱର ଯେ କୌଣସି ଅସମ୍ଭବକୁ ସମ୍ଭବ କରିବା ପାଇଁ ସତେ ଯେପରି ତାଙ୍କର ଜନ୍ମ । ସେ ଦର୍ଶନ କଲେ ଗାୟତ୍ରୀଙ୍କୁ । ସେ ଯେଉଁଭଳି ତାଙ୍କୁ ଦେଖିଛନ୍ତି ସେହିଭଳି ରଚନା କରିଛନ୍ତି । ମହାରାଜ ଅଶ୍ୱପତି ଚିନ୍ତାମଗ୍ନ । ହଠାତ୍ ଉପଗତ ହେଲେ ମହାମୁନି ପରାଶର ।

 

ରାଜାରାଣୀ ଦୁହେଁ ମହର୍ଷିଙ୍କର ଯଥାବିଧି ଅର୍ଚ୍ଚନା କଲେ । ମହର୍ଷି ରାଜାଙ୍କ ବ୍ୟବହାରରେ ଅତି ସନ୍ତୁଷ୍ଟ ହୋଇ କହିଲେ, ବିନା ଗାୟତ୍ରୀରେ ସାବିତ୍ରୀଙ୍କ ଦର୍ଶନ ମିଳିବ କେଉଁଠୁ-? ତୁମେ ରାଜା ଗାୟତ୍ରୀ ଜପ କର । ଗାୟତ୍ରୀ ମନ୍ତ୍ର ଜପରେ ତୁମ ଅନ୍ତରର ସମସ୍ତ କଳ୍ମଷ ଧ୍ୱଂସ ହେବ । ତୁମେ ନିଷ୍ପାପି ହୋଇ ସେହି ମହାଦେବୀର ଦର୍ଶନ ଲାଭ କରିବ । ନିଷ୍ପାପ ହୃଦୟ ନହେଲେ ସାବିତ୍ରୀ କେବେ ଦର୍ଶନ ଦିଅନ୍ତି ନାହିଁ ।

 

ଥରେ ଗାୟତ୍ରୀ ଜପକଲେ ଦିନକର ଦୁଷ୍କୃତ ବିଲୁପ୍ତ ହୁଏ । ଦଶଥରରେ ଅହୋରାତ୍ରର ପାପ ଏବଂ ଶହେଥରରେ ମାସାର୍ଜିତ ପାପ ଧ୍ୱଂସ ହୋଇଥାଏ । ବର୍ଷକର ପାପ ଧ୍ୱଂସ ପାଇଁ ସହସ୍ରବାର ଗାୟତ୍ରୀ ଜପ ଯେପରି ଆବଶ୍ୟକ ସେହିପରି ଆଜନ୍ମ ପାପଧ୍ୱଂସ ପାଇଁ ଲକ୍ଷେଥର ଗାୟତ୍ରୀଙ୍କୁ ସ୍ମରଣ କରିବାକୁ ହେବ । ଯଦି ଶତଲକ୍ଷ ଗାୟତ୍ରୀ ଜପ କରାଯାଏ ତେବେ ସର୍ବଜନକୃତ ପାପ ଖଣ୍ଡନ ହୁଏ । ଦଶଶତ ଲକ୍ଷ ଗାୟତ୍ରୀ ଜପରେ ଦ୍ୱିଜରାଜଙ୍କ ହାତରୁ ମୁକ୍ତି ମିଳିବାକୁ କଠିନ ହୁଏ ନାହିଁ ।

 

ସର୍ପଫେଣା ଆକାରରେ କର ପ୍ରସାର କରି ଅଙ୍ଗୁଳିଗୁଡ଼ିକୁ ଅଛିଦ୍ର କରିବାକୁ ହେବ । ବୃଦ୍ଧାଙ୍ଗୁଳି ରହିବ କର ମଧ୍ୟରେ । ନିଶ୍ଚଳଭାବେ ପୂର୍ବମୁଖ ହୋଇ ବସି ହାତର ଅନାମିକା ମଧ୍ୟପର୍ବଠାରୁ ଗଣନା ଆରମ୍ଭ କରି ଅଧୋଦେଶ ଦେଇ ରାଜମେରୁ ଦକ୍ଷିଣାବର୍ତ୍ତରେ ତର୍ଜନୀର ମୂଳ ପର୍ଯ୍ୟନ୍ତ ସଂଖ୍ୟା ଗଣନା କରାହୋଇ ମନ୍ତ୍ର ଜପ କରାଯାଏ । ଏହାଛଡ଼ା ଶ୍ୱେତପଦ୍ମ ବୀଜଦ୍ୱାରା ରଚିତ ମାଳାରେ ମଧ୍ୟ ଗାୟତ୍ରୀ ଜପର ବିଧି ଅଛି । ହେ ମହାରାଜ ! ତୁମେ ଯଦି ନିଷ୍ଠାପର ହୋଇ ପ୍ରାତଃ, ମଧ୍ରାହ୍ନ ଏବଂ ସଂନ୍ଧ୍ୟାରେ ନିୟମ ମୁତାବକ ଗାୟତ୍ରୀ ଜପ କରିବ ତେବେ ନିଶ୍ଚୟ ମହାଦେବୀ ସାବିତ୍ରୀ ତୁମ ସମ୍ମୁଖରେ ଉପସ୍ଥିତ ହୋଇ ତୁମ୍ଭ ମନୋକାମନା ପୂର୍ଣ୍ଣ କରିବେ ।

 

ପରାଶର ମହାରାଜଙ୍କୁ ଗାୟତ୍ରୀ ମନ୍ତ୍ର ଦେଇଗଲେ ଏବଂ ଉପାସନା ପ୍ରଣାଳୀ ବତାଇ ଦେଲେ ।

 

ମୁନିଙ୍କ କହିବାନୁସାରେ ରାଜା ରାଣୀ ଜ୍ୟେଷ୍ଠ ମାସର କୃଷ୍ଣ ତ୍ରୟୋଦଶୀ ତିଥିରେ ସଂଯତ ଭାବେ ଦିନଯାପନ କଲେ । ଚତୁର୍ଦ୍ଦଶୀରେ ସାବିତ୍ରୀଙ୍କ ବ୍ରତ । ଥରେ ବ୍ରତ ଆରମ୍ଭ କଲେ ଚଉଦ ବର୍ଷ ପର୍ଯ୍ୟନ୍ତ ଏହି ବ୍ରତ କରିବାକୁ ହେବ । ତେଣୁ ଚଉଦ ବର୍ଷ ପର୍ଯ୍ୟନ୍ତ ବ୍ରତ ସଂକଳ୍ପ କରି ବିଭିନ୍ନ ଉପଚାର ଯୋଗାଡ଼ କଲେ ରାଜାରାଣୀ । ସୁସ୍ୱାଦୁ ଚତୁର୍ଦ୍ଦଶ ଫଳ ସହିତ ପୁଷ୍ପ, ଧୂପ, ଦୀପ, ବସ୍ତ୍ର, ଯଜ୍ଞୋପବୀତ, ଭୋଜ୍ୟ ଆଦି ନିୟମ ମୁତାବକ ଯୋଗାଡ଼ କରି ଗୋଟିଏ ପଟରେ ଗଣେଣ, ସୂର୍ଯ୍ୟ, ଅଗ୍ନି, ବିଷ୍ଣୁ, ଶିବ, ଶିବାଙ୍କୁ ଆରାଧନା ପୂର୍ବକ ମନ୍ତ୍ରଦ୍ରଷ୍ଟାଙ୍କୁ ସ୍ମରଣ କଲେ । ତତ୍ପରେ ଧ୍ୟାନକଲେ ସେହି ମହାଦେବୀ ସାବିତ୍ରୀଙ୍କୁ ।

 

ମହାଦେବୀ ସାବିତ୍ରୀ ତପ୍ତ ସ୍ୱର୍ଣ୍ଣ ଭଳି ପ୍ରଭାଯୁକ୍ତା । ମଧ୍ୟାହ୍ନ ସୂର୍ଯ୍ୟ ଭଳି ଚତୁର୍ଦ୍ଦିଗରେ ତାଙ୍କର କିରଣ ବିଚ୍ଛୁରିତ ହେଉଛି । ବିବିଧ ଭୂଷଣରେ ସେ ଭୂଷିତା ହୋଇ ଲୋକ ଜଗତକୁ ଶାନ୍ତି ପ୍ରଦାନ କରୁଛନ୍ତି । ସେ ବେଦର ବୀଜମନ୍ତ୍ର ଏବଂ ବେଦମାତା । ତାଙ୍କ ସ୍ମରଣରେ ଇହ ଲୋକର ସମସ୍ତ ଅଶାନ୍ତି ବିଦୂରିତ ହୁଏ । ସେ ସମସ୍ତଙ୍କୁ ଶାନ୍ତି ପ୍ରଦାନ କରନ୍ତି ।

 

ମହାରାଜ ଭକ୍ତି ଚିତ୍ତରେ ଆସନ ସ୍ଥାପନ ପୂର୍ବକ ଦେବୀଙ୍କୁ ସମ୍ୱୋଧନ କରି କହିଲେ—ହେ ଦେବୀ ! ଚନ୍ଦନ କାଷ୍ଠରେ ଏ ଆସନଟି ନିର୍ମିତ । ସ୍ୱର୍ଣ୍ଣାଦି ରତ୍ନରେ ଆଭରଣ ହୋଇ ଆସନଟି ସୁନ୍ଦର ଦିଶୁଛି । ମୁଁ ନିବେଦନ କରୁଛି ଆପଣ ଅନୁଗ୍ରହପୂର୍ବକ ଏହି ଆସନରେ ଉପବେଶ କରନ୍ତୁ । ତତ୍ପରେ ପବିତ୍ର ଜଳ ଧାରଣ କରି କହିଲେ–ଦେବୀ ! ତୀର୍ଥ ଜଳପରି ଏ ଜଳ ଅତି ପବିତ୍ର । ମୁଁ ନିବେଦନ କରୁଛି ପଦ ଧୌତ ପାଇଁ ଏ ବାରି ଗ୍ରହଣ କରନ୍ତୁ । ଦୁର୍ବା, ପୁଷ୍ପ, ଅକ୍ଷତ ଶଙ୍ଖଜଳ ଅର୍ଘ୍ୟରୂପେ ମୁଁ ସମର୍ପଣ କରୁଛି ।

 

ଶରୀର ସୌଗନ୍ଧକାରକ ତୈଳ ସୁଗନ୍ଧୀ ସ୍ନାନୀୟ ସଲିଳ ସହିତ ନିବେଦନ କରୁଛି—ତୁମ୍ଭେ ଏହାକୁ ଗ୍ରହଣ କର । ଦେହର ଦିବା ଗନ୍ଧ ପାଇଁ ଗନ୍ଧଦ୍ରବ୍ୟ ସମୂହ ଏବଂ ଦିବ୍ୟଗନ୍ଧ ନିମିତ୍ତ ଧୂପ ମହାରାଜା ଭକ୍ତି ଚିତ୍ତରେ ଅର୍ପଣ କଲେ । ତତ୍ପରେ ସୁଦୀପ୍ତିକାରକ ପ୍ରଦୀପ ଅନ୍ଧାର ଧ୍ୱଂସ ପାଇଁ, କ୍ଷୁଧା ନିବାରଣ ପାଇଁ ତୁଷ୍ଟି ପୁଷ୍ଟିକାରକ ସୁସ୍ୱାଦୁ ଫଳ ସମର୍ପଣ କଲେ । ଏହିଭଳି କର୍ପୂରାଦି ମିଶ୍ରିତ ବିଡ଼ିଆ ପାନ, ପିପାସା ଦୂର ନିମିତ୍ତ ସୁଶୀତଳ ନୂତନ ବସ୍ତ୍ର, ଭୂଷଣ, ଆଚମନ, ଶୟନ ନିମିତ ଶଯ୍ୟା ଦାନକରି ଦେବୀଙ୍କ ମନ୍ତ୍ର ଜପ କରିବାକୁ ଲାଗିଲେ । ରମା, ଉମା, କାମବୀଜ ଉଚ୍ଚାରଣ ପରେ ଚତୁର୍ଥାନ୍ତ କରି ସାବିତ୍ରୀ ଶବ୍ଦଟିକୁ ଯୋଗ ପୂର୍ବକ ଧନଞ୍ଜୟ ଜାୟାଙ୍କୁ ମିଶାଇ ଅଷ୍ଟାକ୍ଷର ମୂଳ ସାବିତ୍ରୀ ମନ୍ତ୍ର ରାଜାରାଣୀ ଜପ କରିବାକୁ ଲାଗିଲେ ଅତି ନିବିଷ୍ଟ ଚିତ୍ତରେ ।

 

ମହାରାଜାଙ୍କର ସାବିତ୍ରୀଙ୍କ ଧ୍ୟାନ ସହିତ ମନ୍ତ୍ରଜପ ଏବଂ ରାଣୀଙ୍କ କୋମଳ କଣ୍ଠରୁ ବିଛୁରିତ ସ୍ତବଗାନ ସାବିତ୍ରୀଙ୍କୁ ବ୍ରହ୍ମଲୋକରେ ସ୍ଥିର ଭାବେ ରଖିପାରିଲା ନାହିଁ । ସେ ଅସ୍ଥିରଚିତ୍ତ ହୋଇଉଠିଲେ । ତାଙ୍କର ଚିତ୍ତ ଚାଞ୍ଚଲ୍ୟ ଲକ୍ଷ୍ୟ କରି ପ୍ରଜାପତି ବ୍ରହ୍ମା ବିସ୍ମିତ ହେଲେ । ସେ କର୍ଣ୍ଣପାତି ଶୁଣିଲେ ମର୍ତ୍ତ୍ୟ ଲୋକରୁ ଭାଷି ଆସୁଛି ତାଙ୍କର ରଚିତ ସାବିତ୍ରୀ ସ୍ତବ । ସେ ମନୋନିବେଶ କରି ଶୁଣିଲେ ନାରୀ କଣ୍ଠରୁ ନିସୃତ ହେଉଛି—ହେ ହରିଣ୍ୟ ଗର୍ଭ ସ୍ୱ-ରୂପା, ଆଦ୍ୟ ପ୍ରକୃତି ତୁମ୍ଭେ ସର୍ବଲୋକର ଧେୟା । ତୁମେ ପରମ ତେଜାନଳ ଜାତି ରୂପା । ତୁମେ ନିତ୍ୟା, ନିତ୍ୟ ପ୍ରିୟ । ନିତ୍ୟାନନ୍ଦ ରୂପା । ତୁମେ ମନ୍ତ୍ରର ପ୍ରଣବ ପ୍ରାଣୀମାନଙ୍କ ମଧ୍ୟରେ ପ୍ରାଣ । ହେ ସୁର-ସୁନ୍ଦରି ତୁମେ ମୋକ୍ଷାଦି ସମସ୍ତ ସମ୍ପଦ ଦାନ କରୁଛ, ମୋ ପ୍ରତି ତୁମ୍ଭେ ପ୍ରସନ୍ନ ହୁଅ ।

 

ଚମତ୍କୃତ ହେଲେ ବ୍ରହ୍ମା । ମନେପଡ଼ିଲା ତାଙ୍କର ସେ ଦିନର କଥା । ମହାମାୟା ସାବିତ୍ରୀଙ୍କ ସାନ୍ନିଧ୍ୟ ଯେଉଁ ଦିନ ବ୍ରହ୍ମା ଲାଭ କଲେ ସେ ଦିନ ତାଙ୍କର ଦେହ ମନ ଏକ ମହନୀୟ ଗୁଣରେ ଉଦ୍‍ଭାଷିତ ହେବାକୁ ଲାଗିଲା । ସେ ଅନୁଭବ କଲେ ସମସ୍ତର ସାରସତ୍ତାହିଁ ‘ସାବିତ୍ରୀ’ । ତାଙ୍କ ବିହୁନରେ ବ୍ରହ୍ମା ବ୍ରହ୍ମ ପଦବାଚ୍ୟ ନୁହନ୍ତି । ସେ ଇଚ୍ଛା କଲେ ତାଙ୍କୁ ସଙ୍ଗରେ ଘେନିଯିବା ପାଇଁ-। ମାତ୍ର ମହାମାୟାଙ୍କୁ ବଳପୂର୍ବକ ଗ୍ରହଣ କରିବା କଣ କେବେ ସମ୍ଭବ ! ତେଣୁ ବାଧ୍ୟ ହେଲେ ତାଙ୍କର ସ୍ତବ ପାଠ କରିବାକୁ । ଅବଶେଷରେ ଦେବୀ ସ୍ତବରେ ସନ୍ତୁଷ୍ଟ ହୋଇ ତାଙ୍କ ସହିତ ବ୍ରହ୍ମଲୋକ ଯାତ୍ରା କଲେ ।

 

ସେହି ପୁରାତନ ଚିନ୍ତାରୁ ନିବୃତ ହୋଇ ବ୍ରହ୍ମା ଦୃଷ୍ଟ ହେଲେ ସାବିତ୍ରୀ ଆଉ ତାଙ୍କ ପାଖରେ ନାହାନ୍ତି । ତାଙ୍କ କୃତ ସେହି ମନୋରମ ସ୍ତବ ଧ୍ୱନୀକୁ ଅନୁସରଣ କରି ସେ ଛୁଟି ଗଲେଣି ସାଧୁସନ୍ଥ ଅଧ୍ୟୁସିତ ପୁଷ୍କର ତୀର୍ଥକୁ ।

 

ପବିତ୍ର ହେଲା ପୁଷ୍କର ତୀର୍ଥ ସାବିତ୍ରୀଙ୍କ ଆବିର୍ଭାବରେ । ରାଜା ରାଣୀଙ୍କ କଣ୍ଠ ନିସୃତ ସେହି ଧ୍ୱନୀରେ ସନ୍ତୁଷ୍ଟ । ଦେବୀ ଅଶ୍ୱପତିଙ୍କ ନିକଟରେ ଆବିର୍ଭୁତ ହୋଇ କହିଲେ—ମହାରାଜ ! ମୁଁ ତୁମ ଦୁଇଜଣଙ୍କ ଜାଣେ । ରାଣୀଙ୍କର ଇଚ୍ଛା ଏକ କନ୍ୟା ଲାଭ କରିବାକୁ ଏବଂ ତୁମର ଇଚ୍ଛା ଏକ ପୁତ୍ର ସନ୍ତାନ । ପ୍ରଥମେ ରାଣୀଙ୍କ ଇଚ୍ଛା ପୂରଣ ପାଇଁ ଏକ କନ୍ୟାରତ୍ନ ଲାଭ ହେବ । ସେ ହେବ ମୋ ଭଳି ପତିଭକ୍ତା ସାଧ୍ୱୀ ।

 

ସେହି କନ୍ୟା ଯୁବାକାଳେ ରାଜ୍ୟଭ୍ରଷ୍ଟା ହେଲେ ମଧ୍ୟ ସତ୍ୟବାନଙ୍କୁ ସ୍ୱାମୀ ପଦେ ବରଣ କରିବ । କିନ୍ତୁ ସତ୍ୟବାନଙ୍କ ପରମାୟୁ ଅଳ୍ପ । ସେଥିପାଇଁ ସେ ସତ୍ୟବାନଙ୍କ ସଙ୍ଗରେ ରହି ଚରମ ଦିନକୁ ଅପେକ୍ଷା କରିବ । ନିଦାଘ ଗ୍ରୀଷ୍ମରେ ଠିକ୍ ମୋର ପୂଜା ଦିନ ଯେତେବେଳେ ସତ୍ୟବାନ ବୃକ୍ଷରେ ଚଢ଼ି କାଠ ସଂଗ୍ରହ କରୁଥିବ ସେତେବେଳେ ମୃତ୍ୟୁ ଦେବତାର ବିଜ୍ଞାପନ ସେ ପ୍ରାପ୍ତ ହେବ-। ବୃକ୍ଷରୁ ଓହ୍ଲାଇ ସେ ବିଶ୍ରାମ ନେବ ତୁମ କନ୍ୟା କୋଳରେ । ଅଳ୍ପ ସମୟ ମଧ୍ୟରେ ତା ଜୀବନସତ୍ତା ଗ୍ରହଣ କରିବାକୁ ଉପଗତ ହେବ ମୃତ୍ୟୁ ଦେବତା ଯମ । କିନ୍ତୁ ତାର ନିଷ୍ଠା ଜ୍ଞାନ ବଳରେ ଯମରାଜ ପରାଜୟ ସ୍ୱୀକାର କରି ସତ୍ୟବାନଙ୍କ ଆତ୍ମାକୁ ଫେରାଇଦେବ । ଯମରାଜ ସାବିତ୍ରୀଙ୍କୁ ଯେଉଁ ବର ପ୍ରଦାନ କରିବେ ସେହି ବରରେ ତୁମ୍ଭର ଶତପୁତ୍ର ହେବେ ଏବଂ ସତ୍ୟବାନ୍ ପୁନର୍ବାର ରାଜ୍ୟ ଫେରି ପାଇବେ ।

 

ଗୋଟିଏ କନ୍ୟା ଯୋଗୁ ଉଭୟ ବଂଶର ଶ୍ରୀବୁଦ୍ଧି ହେବ । ମୋ ନାମାନୁସାରେ ସେହି କନ୍ୟାର ନାମ ହେବ ସାବିତ୍ରୀ । ସାବିତ୍ରୀର ପ୍ରାର୍ଥନା ରକ୍ଷା କରି ଯମ କର୍ମଫଳ ଏବଂ ନର୍କ ବିଷୟ ପ୍ରକାଶ କରିବେ । ଯମରାଜଙ୍କ ଠାରୁ ସାବିତ୍ରୀଗ୍ରହଣ କରିବେ ଶକ୍ତିମନ୍ତ୍ର ।

 

ରାଜା ରାଣୀ ମହାଦେବୀ ସାବିତ୍ରୀଙ୍କ ବାଣୀଶ୍ରବଣ କରି ପୁଲକିତ ଚିତ୍ତରେ ବାର ବାର ପ୍ରଣାମ କରିବାକୁ ଲାଗିଲେ । ବର ଦାନକରି ଦେବୀ ଫେରି ଗଲେ ବ୍ରହ୍ମଲୋକ । ରାଜାରାଣୀ ଅଶ୍ରୁପୂର୍ଣ୍ଣ ନେତ୍ରରେ ତାଙ୍କ ଯିବା ପଥକୁ ଚାହିଁ ରହିଲେ । ରାଜାରାଣୀ ସେହି ପବିତ୍ର ଦିନଟିର ନାମ ରଖିଲେ ‘ସାବିତ୍ରୀ ଅମାବାସ୍ୟା ।’

☆☆☆

 

Unknown

ସୁନ୍ଦରୀ ଇଳା

 

ହସି ଉଠିଲେ ଇଳା । ତାଙ୍କ ସହିତ ସ୍ୱର ମିଳାଇ ବହୁ ଲଳନାଙ୍କର ହସ ଉଛୁଳି ଉଠିଲା-। ମନେହେଲା, ସତେ ଯେପରି ସେହି ଅଞ୍ଚଳର ଆକାଶରେ ଗୋଟାଏ ହସର ତରଙ୍ଗ ଖେଳିବୁଲୁଛି-। ଅରଣ୍ୟରେ ପ୍ରତିଧ୍ୱନିତ ହୋଇ ତାଙ୍କରି ସେହି ହସ ଫେରିଆସୁଛି ପୁଣି ତାଙ୍କରି ନିକଟକୁ-। ତାଙ୍କର ସେହି ସୁକୋମଳ କଣ୍ଠର ହାସ୍ୟଧ୍ୱନିରେ ବୃକ୍ଷ ଅନ୍ତରାଳରେ ବସନ୍ତ କୋକିଳ ମଧ୍ୟ ନିରବ ହୋଇଗଲାଣି । ତାଙ୍କ ସମ୍ମୁଖରେ ଥିବା ଜଳପୂର୍ଣ୍ଣ ବିଚିତ୍ର ସରୋବରରେ ସନ୍ତରଣ କରୁଥିବା ମରାଳଯୁଥ ସେମାନଙ୍କ ହସଧ୍ୱନିରେ ଆତଙ୍କିତ । ନିକଟରେ ପହଁରି ବୁଲୁଥିବା ଦଳେ ହିଂସ୍ର ମଧ୍ୟ ପକ୍ଷ ବିସ୍ତାର କରି ଆକାଶକୁ ଉଡ଼ିଗଲେଣି । ତଥାପି ମଧ୍ୟ ସେମାନଙ୍କର ହସ ବନ୍ଦ ହେଉନାହିଁ-। ଧ୍ୱନି ପ୍ରତିଧ୍ୱନି ପରେ ପୁଣି ଉଛୁଳି ଉଠୁଛି ସେମାନଙ୍କର ହସ । ସମସ୍ତେ ସେହି ଗୋଟିଏ ଦିଗକୁ ଲକ୍ଷ୍ୟକରି ହସି ଉଠୁଛନ୍ତି । ସେହି ବିଚିତ୍ର ସରୋବରଟିର ମଝିରେ ଜଣେ ସୁନ୍ଦର ପୁରୁଷ ଦୁଇବାହୁ ଊର୍ଦ୍ଧ୍ୱକୁ ଟେକି ତପମଗ୍ନ । ଜଳ ମଧ୍ୟରୁ ଯେତିକି ତାଙ୍କର ଦେହର ଅଂଶ ବାହାରକୁ ଦେଖାଯାଉଛି, ସେଥିରୁ ସ୍ପଷ୍ଟଭାବେ ସୁନ୍ଦରୀ ଇଳା ଓ ତାଙ୍କ ସହରଚରୀମାନେ ଦେଖିପାରୁଛନ୍ତି । ତାରୁଣ୍ୟର କାନ୍ତି ତାଙ୍କ ଦେହରୁ ବିଚ୍ଛୁରିତ ହେଉଛି । କିନ୍ତୁ ତରୁଣୀଙ୍କ ପ୍ରଗଳ୍‍ଭା ହସ ତାଙ୍କୁ ବିଚଳିତ କରି ଦେଉନାହିଁ-। ସତେ ଯେପରି ସେମାନଙ୍କ ହସଧ୍ୱନି ତାଙ୍କ କର୍ଣ୍ଣରେ ଧକ୍କା ଖାଇ ଫେରି ଆସୁଛି-। ସ୍ଥବିର ହୋଇ ଯାଉଛନ୍ତି ଯୁବ ତପସ୍ୱୀ ।

 

ହସି ହସି ବେଦମ୍ ହୋଇଗଲେ ତରୁଣୀମାନେ । ତଥାପି ଯୁବତପସ୍ୱୀ ନିରବ । ତାଙ୍କ ମୁଖରେ କୌଣସି ଭାବାନ୍ତର ଫୁଟିଉଠିଲା ନାହିଁ । ସରୋବର ମଧ୍ୟରେ ଯେଉଁଭଳି ସେ ଊର୍ଦ୍ଧ୍ୱହସ୍ତ ହୋଇ ଦଣ୍ଡାୟମାନ ହୋଇଥିଲେ, ଠିକ୍ ଅବିଚଳିତ ଭାବରେ ସେ ସେହିଭଳି ଦଣ୍ଡାୟମାନ ହୋଇ ରହିଲେ ।

 

ଯୌବନ ଉନ୍ମତା ଇଳା ଯୁବକଙ୍କ ନୀରବତା ଲକ୍ଷ୍ୟ କରି ସ୍ମିତହାସ୍ୟ ମୁଖରେ ଖେଳାଇ ସରୋବର ଭିତରକୁ ଆଗେଇ ଚାଲିଲେ । ତାଙ୍କ ପଛେ ପଛେ ସହଚରୀମାନେ । ଇଳା ଦୁଇ ହାତରେ ସରୋବର ଜଳକୁ ଆଲୋଡ଼ନ କରିବାକୁ ଚେଷ୍ଟା କଲେ । ତାଙ୍କ ଦେଖାଦେଖି ସହଚରୀମାନେ ଲାଗିପଡ଼ିଲେ ସେହିଭଳି କରିବାକୁ । ସହସ୍ର ସହସ୍ର ହସ୍ତ ଏକ ସମୟରେ ସରୋବର ଜଳକୁ ଆଲୋଡ଼ନ କରିବାକୁ ଲାଗିଲେ । ତଥାପି ସୂର୍ଯ୍ୟଙ୍କ ଭଳି ଦୀପ୍ତିମନ୍ତ ପୁରୁଷଙ୍କ ତପସ୍ୟାରେ କୌଣସି ବ୍ୟାଘାତ ସୃଷ୍ଟି କଲାଭଳି ଜଣାଗଲା ନାହିଁ । ପୂର୍ବଭଳି ସେ ନୀରବ, ନିଶ୍ଚଳ, ତପସ୍ୟାରତ । ତାଙ୍କର ସୁଗୋଲ ମୁଖମଣ୍ଡଳରେ କୌଣସି ଭାବାନ୍ତର ନାହିଁ କିମ୍ୱା ଊର୍ଦ୍ଧ୍ୱକୁ ଟେକିହୋଇ ରହିଥିବା ନାଗନିନ୍ଦିତ ଉଭୟ ଭୁଜ ଯୁଗଳରେ ସାମାନ୍ୟ କମ୍ପନ ବି ସୃଷ୍ଟି ହେଲା ନାହିଁ । ତଥାପି ଯୁବତୀମାନେ ବିରତ ହେଲେ ନାହିଁ ସେମାନଙ୍କ ଚେଷ୍ଟାରୁ । ବରଂ ସେମାନଙ୍କ ମନରେ ଅଧିକ ଆଗ୍ରହ ବୃଦ୍ଧି ପାଇବାକୁ ଲାଗିଲା । ସତେ ଯେପରି ସେମାନେ ଦୃଢ଼ ପ୍ରତିଜ୍ଞ—ତାଙ୍କ ତପସ୍ୟା ନିଶ୍ଚୟ ଭଙ୍ଗ କରିବେ ।

 

ସହସ୍ର ସହସ୍ର କରର ଆଲୋଡ଼ନରେ ସରୋବରର ସ୍ଥିର ଜଳ ଚହଲିବାକୁ ଲାଗିଲା । ସାଗର ଭଳି ସୃଷ୍ଟି ହେଲା ତରଙ୍ଗମାଳ । ସେହି ତରଙ୍ଗମାଳ ଧକକା ଖାଇବାକୁ ଲାଗିଲା ଯୁବତପସ୍ୱୀଙ୍କ ଦେହରେ । ତଥାପି ଯୁବତପସ୍ୱୀ ନିଶ୍ଚଳ । ବାହ୍ୟ ଜଗତର ବିଶୃଙ୍ଖଳାରେ ତାଙ୍କର କିଛି ଯାଏଆସେ ନା ।

 

କିନ୍ତୁ କେତେ ସମୟ ! କେତେ ସମୟ ସ୍ଥିର, ଅସ୍ଥିରର ତୀବ୍ର କରାଘାତରେ ନିଶ୍ଚଳ ହୋଇ ରହିପାରିବ ? ପୁଣି ବେଳେ ବେଳେ ସେଇ ତରଙ୍ଗ ମାଳାରୁ ଚେନାଏ ଚେନାଏ ଛିଟିକି ପଡ଼ୁଥାଏ ଯୁବତପସ୍ୱୀଙ୍କ ସ୍ଥିର ମୁଖଦେଶ ଉପରେ । ସଙ୍ଗେ ସଙ୍ଗେ ମୁଖରୁ ଥପ ଥପ ହୋଇ କହି ଆସୁଥାଏ ଜଳରାଶି ପ୍ରଶସ୍ତ ବକ୍ଷ ଦେଶକୁ ।

 

କିଛି ସମୟ ପରେ ଯୁବକଙ୍କ ସ୍ଥିର ଚକ୍ଷୁ ପରଦା ହଲି ଉଠିଲା—ଥରିବାକୁ ଲାଗିଲା ଯୁବକଙ୍କ ଓଷ୍ଠ ଯୁଗଳ, ତାଙ୍କର ଭାବାନ୍ତର ଲକ୍ଷକରି ଯୁବତୀମାନେ ଆହୁରି ଅଧିକ ବେଗରେ ସରୋବର ଜଳକୁ ଆଲୋଡ଼ିତ କରିବାକୁ ଲାଗିଲେ ।

 

ସହସା ଯୁବତପସ୍ୱୀଙ୍କ ଚକ୍ଷୁ ଖୋଲିଗଲା । ସଙ୍ଗେ ସଙ୍ଗେ ଖିଲ୍ ଖିଲ୍ ହୋଇ ହସିଉଠିଲେ ଇଳା । ଇଳାଙ୍କ ହସିବ ଦେଖି ହସିଉଠିଲେ ମଧ୍ୟ ତାଙ୍କର ସହରଚରୀମାନେ ।

 

ଆଶ୍ଚର୍ଯ୍ୟ—ଏତେ ତରୁଣୀ କେଉଁଠାରୁ ଆସିଲେ ? ପୁଣି ସେମାନଙ୍କ ମଧ୍ୟରେ ଏ ଅପରୂପା ସୁନ୍ଦରୀଟି କିଏ । ଯାହାର ଆଖିର ଇଙ୍ଗିତ ତାକୁ ଆହ୍ୱାନ କରୁଛି, ତାଙ୍କ ହୃଦୟର ସମସ୍ତ ଦୃଢ଼ତାକୁ ମୁହୂର୍ତ୍ତକ ମଧ୍ୟରେ ଚୂର୍ଣ୍ଣିଭୂତ କରି । ଏ କଣ ରମା ନା ଉମା ? ନା ଅନ୍ୟ କେହି ତାଙ୍କ ଦୃଢ଼ ତପକୁ ନଷ୍ଟ କରିବା ପାଇଁ ସମସ୍ତ ବିଶ୍ୱର ସୌନ୍ଦର୍ଯ୍ୟରେ ନିଜକୁ ଭୂଷିତ କରି ଛୁଟି ଆସିଛି ।

 

ଇଳାଙ୍କ ସାମାନ୍ୟ କଟାକ୍ଷପାତ ଯୁବତପସ୍ୱୀଙ୍କ ହୃଦୟରେ କାମବୀଜ ବପନ କଲା । ଆଉ ତାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ ଜଳ ମଧ୍ୟରେ ଛିଡ଼ା ହୋଇ ରହିବାକୁ । ସେ ବହିର୍ଗତ ହେଲେ ଜଳ ମଧ୍ୟରୁ । ସରୋବରର ଅନତି ଦୂରରେ ତାଙ୍କର କୁଟୀର । ସେ କୁଟୀର ମଧ୍ୟକୁ ଯାଇ ଆଦ୍ର ଅଂଗବାସ ପରିତ୍ୟାଗ କରି ଶୁଭ୍ରବସ୍ତ୍ର ପରିଧାନ କଲେ । ମସ୍ତକର କୁଞ୍ଚିତ କେଶଗୁଚ୍ଛକୁ ଟିକିଏ ମୁକୁର ସମ୍ମୁଖରେ ଦଣ୍ଡାୟମାନ ହୋଇ ସଜାଡ଼ି ନେଲେ । ତତ୍ପରେ କୁଟୀରର ବହିର୍ଭାଗକୁ ଆସି ଇଙ୍ଗିତରେ ଡାକିଲେ ଇଳାଙ୍କ ସହଚରୀଙ୍କୁ !

 

ଯୁବତପସ୍ୱୀଙ୍କ ହାବଭାବ ଲକ୍ଷକରି ଇଳାଙ୍କ ମୁଖଦେଶରେ ସ୍ମିତହାସ୍ୟ ଫୁଟିଉଠିଲା । ତତ୍ପରେ ସେ ଖିଲ୍‍କି ହୋଇ ହସିଉଠିଲେ । ତାଙ୍କ ହସ ଦେଖି ହସି ଉଠିଲେ ସମସ୍ତ ସହଚରୀ, ପୁଣି ମାଡ଼ି ଆସିଲା ଗୋଟିଏ ହସର ଜୁଆର । ସେହି ଜୁଆର ଆହୁରି ଦୁର୍ବଳ କରି ପକାଇଲା ଯୁବତପସ୍ୱୀଙ୍କ । ତାଙ୍କର ମନେହେଲା ଜୀବନର ସମସ୍ତ ଧୈର୍ଯ୍ୟ ଯେପରି ଏହି ଅନିନ୍ଦ୍ୟ ରୂପସୀର ସାମାନ୍ୟ ଦର୍ଶନରେ ତୁଟି ଯାଇଛି । ତାଙ୍କ ଜୀବନର ସମସ୍ତ ସାଧନାର ଫଳ ସ୍ୱରୂପ ଯଦି ଏହି ରୂପସୀର ପ୍ରେମ ଟିକିଏ ମିଳିପାରନ୍ତା ତେବେ ତାଙ୍କର ଜୀବନ ଧନ୍ୟ ହୁଅନ୍ତା । କିନ୍ତୁ ତାହା କଣ ସମ୍ଭବ ?

 

ତରୁଣୀମାନଙ୍କ ଆଡ଼କୁ ଅନାଇ ଯୁବକ ଟିକିଏ ହସିଲେ । ତାଙ୍କ ହସ ଦେଖି ତରୁଣୀମାନେ ଆହୁରି ହସି ଉଠିଲେ । ସେ ହସର ମାଦକତାରେ ଯୁବକ ବିଭୋର ହୋଇ ପଡ଼ିଲେ-। ସେ ହାତଠାରି ଡାକିଲେ ସେମାନଙ୍କୁ । ଯୁବକଙ୍କ ଇଙ୍ଗିତ ଦେଖି ଏକାବେଳକେ ସମସ୍ତଙ୍କ ହସ ବନ୍ଦ ହୋଇଗଲା । ଯୁବକ ମୁଖରେ ସ୍ମିତହାସ୍ୟ ଖେଳାଇ ତାଙ୍କ ନିକଟକୁ ଆସିବାକୁ ଆହ୍ୱାନ କରୁଥାନ୍ତି । ମାତ୍ର ଯାଉଛି କିଏ ? ଜଣେ ଅନ୍ୟ ଜଣଙ୍କୁ ଲାଜ ଲାଜ ହୋଇ କହୁଛି, ତୁ ଯା । ସେ କହୁଛି ତୁ ଯା । ଏହି ଭଳି ଯୁବତୀମାନେ ପରସ୍ପର ପରସ୍ପରକୁ ଲଜ୍ଜାବନତ ମୁଖରେ ଯୁବକଙ୍କ ନିକଟକୁ ଯିବାପାଇଁ କହୁଥାନ୍ତି ।ମାତ୍ର କେହି ହେଲେ ଜଣେ ଯାଉ ନ ଥାଏ । ଏତେ କ୍ଷଣପରେ ସମସ୍ତଙ୍କ ଉପରେ ଗୋଟାଏ ବିରାଟ ଲଜ୍ଜାର ପାହାଡ଼ ଯେପରି ଭାଙ୍ଗି ପଡ଼ିଛି । ସେହି ପାହାଡ଼ର ଗଛ ଚାପରେ ସେମାନଙ୍କର ଉନ୍ନତ ମସ୍ତକ ଯେପରି ଅବନତ ହୋଇ ଯାଇଛି ।

 

ଇଳା ତାଙ୍କର ଲଜ୍ଜାବନତ ମୁଖକୁ ଟିକିଏ ବଙ୍କେଇ ଯୁବକଙ୍କ ଆଡ଼କୁ ଅନାଇଲେ ।

 

ଆଃ–ସତେ ଯେପରି ତୀକ୍ଷ୍‍ଣ ତୀର ଭଳି ଯୁବକଙ୍କ ସର୍ବାଙ୍ଗରେ ଇଳାଙ୍କ ବକ୍ରଚାହାଣୀ ଖେଳିଗଲା । ଓଃ ! କି ଅସହ୍ୟ ଯନ୍ତ୍ରଣା ! ତାଙ୍କ ଭିତରେ ଗୋଟାଏ କମ୍ପନ ସେ ଅନୁଭବ କଲେ । ସତେ କିବା ସେ ସେହି କମ୍ପନରେ କମ୍ପି କମ୍ପି ଟଳିପଡ଼ିବେ ।

 

ସହଚରୀମାନେ ଜଣେ ଅନ୍ୟକୁ ଯୁବକଙ୍କ ନିକଟକୁ ଯିବାକୁ କହୁଥିବାର ଦେଖି ଇଳା ଟିକିଏ ହସି ଜଣକୁ ନିର୍ଦ୍ଦେଶ ଦେଲେ ଯୁବକଙ୍କ ନିକଟକୁ ଯିବପାଇଁ । ସେ ହସି ହସି ଆଗେଇଗଲେ ଆଗକୁ । ଗଲାବେଳେ ତାଙ୍କ ମଧ୍ୟରେ ଅସମ୍ଭବ ଲଜ୍ୟା ଲହଡ଼ି ଭାଙ୍ଗୁଥାଏ । କେବଳ ପାଦ ଦୁଇଟି ଓ ମୁହଁଟି ଛଡ଼ା ଅବଶିଷ୍ଟ ସମସ୍ତ ଅବୟବ ମହାର୍ଘ ବସନରେ ଢାଙ୍କି ସହଚରୀ ଯୁବକଙ୍କ ପାଖକୁ ଚାଲିଥାନ୍ତି ମରାଳ ଭଳି ଧୀର ପଦକ୍ଷେପରେ । ସତେ ଯେପରି ସେ ଗୋଟିଏ ଲବଣୀ ପିତୁଳା । ଟିକିଏ ଦୃଢ଼ ଗତିରେ ଚାଲିଲେ ବିରୂପ ହୋଇଯିବ ।

 

ସହଚରୀଟିର ରୂପାଲୋକରେ ଯୁବକ ମଧ୍ୟ ଚମତ୍କୃତ ହେଲେ । ସମସ୍ତ ସହଚରୀ ଅତ୍ୟନ୍ତ ସୁନ୍ଦରୀ । ହେଲେ ସମସ୍ତଙ୍କ ସୌନ୍ଦର୍ଯ୍ୟ ଏକତ୍ରିତ କଲେ ମଧ୍ୟ ସମାନ ହେବନାହିଁ ସେହି ଜଣକ ସହିତ । ତା ସୌନ୍ଦର୍ଯ୍ୟର ତୁଳନା ନାହିଁ । ଖୁବ୍ ସମ୍ଭବ ସମସ୍ତ ସୌନ୍ଦର୍ଯ୍ୟକୁ ଏକତ୍ରିତ କରି ବିଧାତା ତାକୁ ଗଢ଼ିଛି । ଚନ୍ଦ୍ରଙ୍କଠାରୁ ଆହୁରି ସୁନ୍ଦର ତାର ବଦନମଣ୍ଡଳ । ଶୁକପକ୍ଷୀ ଥଣ୍ଟ ଭଳି ତା ନାସିକାଟି । ଚକ୍ଷୁ ଦୁଇଟି ମୃଗ ଚକ୍ଷୁଠାରୁ ଅଧିକ ସୁନ୍ଦର । ଡାଳିମ୍ୱ ଦାନାଭଳି ଦନ୍ତପନ୍ତି । ଅଧରୋଷ୍ଠ ପକ୍ୱ ବିମ୍ୱଫଳ ସଦୃଶ୍ୟ । ଦୁଗ୍‍ଧ ଆରକ୍ତକ ମିଶ୍ରିତ ଅଙ୍ଗକାନ୍ତି ତାର । ବକ୍ଷ ସୁଦୃଢ଼ ବସନରେ ଢଙ୍କାଥିଲେ ମଧ୍ୟ ବକ୍ଷୋଜର ପୃଥୁଳତା ସହଜରେ ବାରିହୁଏ । ସିଂହ ଭଳି କଟି । କଦଳୀ ବୃକ୍ଷ ଭଳି ଗୋଡ଼ଦୁଇଟି ଉପରୁ ପାଦଆଡ଼କୁ ଧୀରେ ସବୁ ହୋଇଆସିଛି ।

 

ସହଚରୀଟି ଯୁବକଙ୍କ ନିକଟରେ ଅତି ଭଦ୍ରତାର ସହିତ ଆସି ଛିଡ଼ା ହେଲେ । ଯୁବକ ପଚାରିଲେ, ତୁମ୍ଭେମାନେ କିଏ ଓ କେଉଁଠାରୁ ଏଠାକୁ ଆସିଛ । ତୁମ୍ଭେମାନେ ଯେଉଁ ପରମାସୁନ୍ଦରୀଙ୍କୁ ଘେରି ରହିଛ ସେ କାହାର ସ୍ତ୍ରୀ । ସେ ମଧ୍ୟ କାହିଁକି ଏଠାକୁ ଆସିଛନ୍ତି ?

 

ବାମଗୋଡ଼ର ବୁଢ଼ା ଅଙ୍ଗୁଳିରେ ତଳେ ଗାର କାଟୁ କାଟୁ ସହଚରୀ ଜଣକ କହିଲେ, ଆମେ ଜାଣିନୁ ଆମେ କେଉଁଠାରୁ ଆସିଛୁ । ମାତ୍ର ଆମେ ସମସ୍ତେ ଆମର ପ୍ରଭୁ ସେହି ଇଳାଦେବୀଙ୍କ ସେବା କରିଥାଉ । ତାଙ୍କର ସ୍ୱାମୀ କେହିନାହାନ୍ତି କିମ୍ୱା ସେ କିଏ ତାଙ୍କ ସମ୍ୱନ୍ଧରେ ଅଧିକ କିଛି ଆମେ ଜାଣିନାହୁଁ ।

 

ଆଶ୍ଚର୍ଯ୍ୟ ହେଲେ ସେ ସେହି ଇଳାଙ୍କ ସହଚରୀଙ୍କ କଥା ଶୁଣି । ତାଙ୍କର ମନେହେଲା–ଏହା ନିଶ୍ଚୟ ଅଲୌକିକ । ତା ନ ହେଲେ ସହସ୍ର ସହସ୍ର ତରୁଣୀ କେହି କାହାରି ବିଷୟରେ କିଛି ଜାଣନ୍ତି ନାହିଁ, ଏହା କିପରି ସମ୍ଭବ ?

 

ସେ ସହଚରୀଟିକୁ ଅନୁନୟ ସହକାରେ କହିଲେ ତୁମେ ତୁମର ସ୍ୱାମିନୀ ଇଳାଙ୍କୁ ମୋର ଯଥାସମ୍ମାନ ଜଣାଇ ମୋର ସାଦର ନିମନ୍ତ୍ରଣ ଜ୍ଞାପନ କରିବ । ତାଙ୍କୁ ମୋର ପରିଚୟ ଦେଇ କହିବ ମୁଁ ଚନ୍ଦ୍ରଙ୍କ ପୁତ୍ର ବୁଧ । ଏହି ଆଶ୍ରମରେ ରହି ତପସ୍ୟା କରୁଛି । ସେ ଯଦି ମୋ ନିକଟକୁ ଆସନ୍ତିତେବେ ମୁଁ ଖୁବ୍ ଆନନ୍ଦିତ ହୁଅନ୍ତି ଏବଂ ତାଙ୍କୁ ଧର୍ମୋପଦେଶ ଦିଅନ୍ତି ।

 

ତଦଣ୍ଡେ ସହଚରୀଟି ଫେରିଯାଇ ଚନ୍ଦ୍ରଙ୍କ ପୁତ୍ର ବୁଧଙ୍କ ବିଷୟ ଇଳାଙ୍କୁ ଜଣାଇଲେ ।

 

ସତେ ଚନ୍ଦ୍ରଙ୍କ ପୁତ୍ର ବୁଧଙ୍କ ପାଖକୁ ଯିବାରେ ତାଙ୍କର ଆପତ୍ତି କଣ ଅଛି ? ପିତା ଚନ୍ଦ୍ରଙ୍କ ଭଳି ବୁଧ ସୌନ୍ଦର୍ଯ୍ୟରେ ମୂର୍ତ୍ତିମନ୍ତ ପ୍ରତୀକ । ହେଲେ ସେ ଜଣେ ତପସ୍ୱୀ, ତାଙ୍କର ଅଧିକାଂଶ ସମୟ କଠୋର ତପରେ ବିତିଯାଉଛି । ହେଲେ ସେ ଜଣେ ତପସ୍ୱୀ, ତାଙ୍କର ଅଧିକାଂଶ ସମୟ କଠୋର ତପରେ ବିତିଯାଉଛି । ତାଙ୍କ ତପସ୍ୟା ପ୍ରଭାବରୁ ସେ ହେମାତ୍ତକାନ୍ତି । ଏପରି ଜଣେ ମହାତ୍ମାଙ୍କ ସାନ୍ନିଧ୍ୟ ଲାଭ ବହୁ ପୁଣ୍ୟଫଳରୁ ଘଟିଥାଏ । କୌଣସି ଦ୍ୱିଧା ମନରେ ନ ଆଣି ଇଳା ଆଗେଇ ଚାଲିଲେ ଚନ୍ଦ୍ରଙ୍କ ପୁତ୍ର ବୁଧଙ୍କ ପାଖକୁ ।

 

ଇତି ମଧ୍ୟରେ ବୁଧ ଯୋଗାସନରେ ଉପବିଷ୍ଟ ହୋଇ ଗଲେଣି । ଅଳ୍ପ ସମୟ ସେ ଯୋଗରେ ବସିବା ପରେ ସେ ଇଳାଙ୍କ ବିଗତ ଦିନକୁ ଦେଖିବାକୁ ପାଇଲେ । ସେ ଦେଖିଲେ କର୍ଦ୍ଦମ ପ୍ରଜାପତିଙ୍କ ପୁତ୍ର ଧର୍ମାତ୍ମା ଇଳ ବାହ୍ଲିକ ଦେଶର ରାଜା ଥିଲେ । ସେହି ମହା ଯଶସ୍ୱୀ ରାଜା ଇଳ ସମଗ୍ର ପୃଥିବୀକୁ ନିଜ ଅଧୀନକୁ ଆଣି ପ୍ରଜାମାନଙ୍କୁ ପୁତ୍ର ଭଳି ପାଳନ କରିବାରେ କେବେ ହେଳା କରି ନାହାନ୍ତି, କିନ୍ତ ଦୁର୍ଭାଗ୍ୟବଶତଃ ଏହି ଚୈତ୍ରମାସରେ ନିଜ ସେନା ଏବଂ ଭୃତ୍ୟଙ୍କୁ ଧରି ମୃଗୟା ନିମିତ୍ତ ବର୍ହିଗତ ହେଲେ । ଶିକାର କରୁ କରୁ ମହାରାଜ ଇଳ ବଧ କଲେ ବହୁ ପଶୁଙ୍କୁ । ପଶୁବଧ କରି ସେ ଯାଉଁ ଯାଉଁ ଯେଉଁଠାରେ ଦେବ ସେନାପତି କାର୍ତ୍ତିକେୟ ଜନ୍ମ ଗ୍ରହଣ କରିଥିଲେ ସେଠାରେ ଯାଇ ଉପସ୍ଥିତ ହେଲେ । ରାଜାଙ୍କର ଦୁର୍ଭାଗ୍ୟବଶତଃ ସେହି ବନରେ ଦୁର୍ଦ୍ଧକ୍ଷ ଦେବାଦିଦେବ ମହାଦେବ ପାର୍ବତୀଙ୍କ ସହିତ ବିହାର କରୁଥିଲେ ନିଜର ସମସ୍ତ ଅନୁଚରଙ୍କୁ ନେଇ । ସେହି ସମୟରେ ବୃଷଧ୍ୱଜ ଶିବ ପାର୍ବତୀଙ୍କୁ ଖୁସି କରିବା ଲାଗି ନିଜକୁ ସ୍ତ୍ରୀ ରୂପ କରିଦେଇ ସେହି ପର୍ବତ ଝରଣା ନିକଟରେ ବୁଲୁଥିଲେ । ଶିବଙ୍କ ଭଳି ସେ ବନରେ ଯେତେ ପୁରଷ ପଶୁ ପକ୍ଷୀ ଥିଲେ ସମସ୍ତେ ସ୍ତ୍ରୀ ହୋଇଗଲେ । ସେମାନଙ୍କ ସହିତ ରାଜା ଇଳ ଏବଂ ତାଙ୍କ ସୈନ୍ୟ ସାମନ୍ତ ମଧ୍ୟ ସ୍ତ୍ରୀ ହୋଇଗଲେ । ସେ ଏହା ଦେଖି ବଡ଼ ବ୍ୟସ୍ତ ହେଲେ । କିନ୍ତୁ କରିବେ କ’ଣ । ସମସ୍ତେ ବ୍ୟସ୍ତ ହୋଇ ଗୋଟିଏ ସ୍ଥାନରେ ବସି ପଡ଼ିଲେ । ଏତିକିବେଳେ ଶୂନ୍ୟରୁ ଶୁଣିଲେ, ଶିବ ପାର୍ବତୀଙ୍କ ବିହାର ବନରେ ତୁମେ ପ୍ରବେଶ କରିଥିବା ହେତୁ ତୁମର ଏ ଦଶା ହୋଇଛି । ପଶୁପତି ଶିବଙ୍କର ଅନୁଗ୍ରହ ନ ହେଲେ ତୁମର ଦଶା ମୋଚନ ହେବ ନାହିଁ ।

 

ଶିବଙ୍କ ଯୋଗୁ ଏଭଳି ହୋଇଥିବା ଜାଣି କର୍ଦ୍ଦମ ପ୍ରଜାପତିଙ୍କ ପୁତ୍ର ଇଳ ଏବଂ ତାଙ୍କ ସୈନ୍ୟସାମନ୍ତମାନେ ଶିତିକଣ୍ଠ କପର୍ଦ୍ଦୀ ମହାତ୍ମା ମହାଦେବଙ୍କ ଶରଣାପନ୍ନ ହେଲେ । ଏକାନ୍ତ ଭକ୍ତି ଏବଂ ସ୍ତୁତିରେ ମହାଦେବ ସନ୍ତୁଷ୍ଟ ହୋଇ ପାର୍ବତୀଙ୍କ ସହିତ ରାଜା ଇଳଙ୍କ ନିକଟରେ ଉପଗତ ହୋଇ କହିଲେ, ଆମେ ତୁମ ଉପରେ ସନ୍ତୁଷ୍ଟ ହୋଇଛୁ । ମାତ୍ର ହେ ସୁବ୍ରତ ! ପୁରୁଷତ୍ୱ ପ୍ରାପ୍ତି ବ୍ୟତିତ ଅନ୍ୟ ଯେ କୌଣସି ବର ତୁମେ ମାଗିପର । ଶୁରଶ୍ରେଷ୍ଠ ଭଗବାନ ଶିବ ଏହିଭଳି କହିବାରୁ ସ୍ତ୍ରୀ ହୋଇ ଯାଇଥିବା ‘ଇଳ’ ତାଙ୍କଠାରୁ ଆଉ କୌଣସି ବର ଇଚ୍ଛାକଲେ ନାହିଁ । ରାଜା ଅତି ଦୁଃଖ ଓ କାତରରେ ଶୈଳରାଜ କନ୍ୟା ଉମାଙ୍କୁ ଅତିଶୟ ଭକ୍ତିଭରେ ବିନୟ ହୋଇ କହିଲେ, ‘‘ହେ ଭବାନୀ, ହେ ବର ଦାୟିନୀ ! ତୁମେ ସବୁ ଲୋକଙ୍କୁ ଏବଂ ଦେବତାଙ୍କୁ ବରଦାନ କରିବାକୁ ସମର୍ଥ । ହେ ଦେବୀ ! ତୁମ ଦର୍ଶନ କେବେ ବ୍ୟର୍ଥ ଯାଏ ନାହିଁ । ତେଣୁ ତୁମେ ମୋତେ ଟିକିଏ ଶୁଭ ଦୃଷ୍ଟିରେ ଚାହଁ ।’’

 

ରାଜର୍ଷିଙ୍କର ବିନୟ ପ୍ରାର୍ଥନା ଶୁଣି ପାର୍ବତୀ କହିଲେ, ହେ ରାଜର୍ଷି ଇଳ ! ତୁମକୁ ମୁଁ ଅଧେ ବର ପ୍ରଦାନ କରିପାରେ । ଅବଶିଷ୍ଟ ଅଧେ ବର ମହାଦେବ ଦେବେ ଏବଂ ସ୍ତ୍ରୀତ୍ୱ ଏବଂ ପୁରୁଷତ୍ୱ ସମ୍ୱନ୍ଧରେ ମୁଁ ଅଧେ ବର ଦେଉଛି । ପାର୍ବତୀଙ୍କ କଥାରେ ରାଜା ଆନନ୍ଦିତ ହୋଇ କହିଲେ, ହେ ଦେବୀ ! ଯଦି ତୁମେ ମୋ ଉପରେ ସନ୍ତୁଷ୍ଟ ତେବେ ମୋତେ ଗୋଟିଏ ମାସ ପୁରୁଷ ଓ ଗୋଟିଏ ମାସ ସ୍ତ୍ରୀ ହେବାପାଇଁ ବର ପ୍ରଦାନ କର । ପାର୍ବତୀ ସହାସ୍ୟ ବଦନରେ କହିଲେ–‘ତଥାସ୍ତୁ’ । କିନ୍ତୁ ତୁମେ ଯେତେବେଳେ ସ୍ତ୍ରୀ ଥିବ ସେତେବେଳେ ପୁରୁଷ ଭାବକୁ ସ୍ମରଣ କରିପାରିବ ନାହିଁ, ପରବର୍ତ୍ତୀ ମାସରେ ତୁମେ ଯେତେବେଳେ ପୁରୁଷ ହେବ ସେତେବେଳେ ସ୍ତ୍ରୀର ଭାବକୁ ମଧ୍ୟ ସ୍ମରଣ କରିପାରିବ ନାହିଁ ।

 

ଚନ୍ଦ୍ରଙ୍କ ପୁତ୍ର ବୁଧ ଧ୍ୟାନରେ ଇଳାଙ୍କର ସମସ୍ତ ଘଟଣା ଜାଣି ଚକ୍ଷୁ ଖୋଲିବା ମାତ୍ରେ ତାଙ୍କ ସମ୍ମୁଖରେ ଶ୍ରେଷ୍ଠ ସୁନ୍ଦରୀ ଇଳାଙ୍କୁ ଦେଖିଲେ । ଇଳା ହସୁଥିଲେ ତାଙ୍କ ଆଡ଼କୁ ଅନାଇ । ବୁଧ ଅନୁଭବ କଲେ ଇଳା ହସୁନାହାନ୍ତି ଯେ ତାଙ୍କ ମଧ୍ୟରେ ଆନନ୍ଦର ଜୁଆର ସୃଷ୍ଟି କରୁଛନ୍ତି । ତାଙ୍କର ଭୋଗାନାସକ୍ତ ମନ ସେହି ଜୁଆରରେ ଉଜାଣି ବୁହାଇନେଇ ଚାଲିଛନ୍ତି ।

 

ଇଳାଙ୍କୁ ସମ୍ମୁଖରେ ପାଇ ବୁଧ ଭୁଲିଗଲେ ନିଜକୁ । ଇଳାଙ୍କ ହସ ସହିତ ହସ ମିଶାଇ ବୁଧ କହିଲେ ‘‘ହେ ଶ୍ରେଷ୍ଠ ସୁନ୍ଦରୀ ଇଳା, ମୁଁ ଚନ୍ଦ୍ରଙ୍କ ପୁତ୍ର ବୁଧ । ତପଶ୍ଚରଣ ଦ୍ୱାରା ମୋର ପ୍ରତିଭାକୁ ବର୍ଦ୍ଧିତ କରିବା ପାଇଁ ମୁଁ ସଦା ଚେଷ୍ଟିତ । କେବେ ମୁଁ ଦିନକର ସୂର୍ଯ୍ୟଙ୍କ ସମ୍ମୁଖ ଭାଗରେ କେବେ ତାଙ୍କ ପଶ୍ଚାତରେ, କେବେ ବା ତାଙ୍କ ସହିତ ଯୁକ୍ତ ହୋଇ ତପସ୍ୟା କରିଆସିଛି । ମାତ୍ର ବର୍ତ୍ତମାନ ମୁଁ ଅନୁଭବ କରୁଛି, ତୁମର ପ୍ରେମ ନିକଟରେ ମୋର ତପଶ୍ଚରଣ ନିତାନ୍ତ ନ୍ୟୁନ । ତେଣୁ ତୁମର ପ୍ରେମର ଦ୍ୱାର ଦେଶରେ ବୁଧ ଆଜି ଭିକ୍ଷାଥାଳୀ ଧରି ଦଣ୍ଡାୟମାନ । ତୁମେ ତୁମର ସ୍ୱାଭାବିକ ଗୁଣରେ ଏ ପ୍ରେମ କାଙ୍ଗାଳ ବୁଧର ଅନ୍ତରକୁ ପ୍ରେମ ରସାପ୍ଳୁତ କର ।’’

 

ଖିଲ୍ ଖିଲ୍ ହୋଇ ହସିଉଠିଲେ ଇଳା, ହସି ଉଠିଲେ ବୁଧ । ହସି ହସି ଦୁହେଁ ଭୂଇଁରେ ଗଡ଼ିଗଲେ । ଗଡ଼ି ଗଡ଼ି ଦୁହେଁ ଏକ ହୋଇଗଲେ । ଦୁହେଁ ଏକ ହୋଇ ବୁଧ ଭୁଲିଗଲେ ନିଜର ସତ୍ତା ଏବଂ ଇଳା ଭୁଲିଗଲେ ନିଜର ସହଚରୀମାନଙ୍କୁ ।

 

କେବେ ବନ ମଧ୍ୟରେ ଦୁହେଁ ବୁଲି ବୁଲି ବନର ଶୋଭା ଉପଭୋଗ କରନ୍ତି । ଯେତେବେଳେ ସେମାନେ ବୁଲି ବୁଲି କ୍ଳାନ୍ତ ଅନୁଭବ କରନ୍ତି, ସେତେବେଳେ ପୁଷ୍ପିତ ବୃକ୍ଷତଳେ ଅଥବା ଲତା ଗହଳିରେ ବସି ଟିକିଏ ବିଶ୍ରାମ ନିଅନ୍ତି । କେବେ ଇଳାଙ୍କ କୋଳର ବୁଧ ମୁଣ୍ଡରଖି ଶୋଇ ପଡ଼ନ୍ତି ତ କେବେ ବୁଧଙ୍କ କୋଳରେ ଇଳା ମୁଣ୍ଡରଖି ଶୋଇ ପଡ଼ନ୍ତି । ବୁଧ ଅର୍ଦ୍ଧସୁପ୍ତ ଇଳାଙ୍କ କେଶଗୁଚ୍ଛକୁ ସଜାଡ଼ି ଦେଇ ତାଙ୍କ ରକ୍ତିମ ମୁଖଦେଶରେ ଚୁମ୍ୱନର ଦାଗ ଆଙ୍କି ଆହୁରି ରକ୍ତିମ କରିଦିଅନ୍ତି । ତାଙ୍କ ଗାଢ଼ କୃଷ୍ଣ କୁନ୍ତଳରେ ବିଭିନ୍ନ ରଙ୍ଗର ପୁଷ୍ପ ଖଞ୍ଜି କୁନ୍ତଳର ଶୋଭାକୁ ବହୁଗୁଣ ବର୍ଦ୍ଧିତ କରନ୍ତି । ସେହିଭଳି ଇଳା ବୁଧଙ୍କ ସୌଖିନ କେଶଗୁଚ୍ଛକୁ କୁଣ୍ଡାଇ ଦେଇ ଚିକ୍କଣ କରି ଦିଅନ୍ତି । ବୁଧଙ୍କ ଅଧରରେ ଅଧର ମିଶାଇ ପ୍ରେମ ବିଭୋର କରିପକାନ୍ତି । ବେଳେ ବେଳେ ସରୋବର ମଧ୍ୟରେ ମରାଳ ଦମ୍ପତ୍ତିଙ୍କ ପରି ଉଭୟେ ସନ୍ତରଣ କରି ବୁଲନ୍ତି । ଜଳ ମଧ୍ୟରେ ଦୁହେଁ କେଳି କରି ଦୁଇଟି ପ୍ରାଣକୁ ଏକ କରି ତୋଳନ୍ତି । ବାସ୍ତବରେ ଦୁହେଁ ଦୁହିଁଙ୍କ ପ୍ରେମ ଆସ୍ୱାଦନ କରି ବିଭୋର ହୋଇଯାଆନ୍ତି । ସେମାନେ ସଂପୂର୍ଣ୍ଣ ରୂପେ ଭୁଲିଯାଆନ୍ତି ନିଜକୁ ତଥା ବିଶ୍ୱକୁ । ମାତ୍ର ବୁଧ ଇଳାଙ୍କ ପ୍ରେମ ସବୁଦିନ ପାଇ ପାରନ୍ତି ନାହିଁ ।

 

ସେ ଦିନ ରାତ୍ରିରେ ଦୁହେଁ ଦୁହିଁଙ୍କୁ ଗାଢ଼ ଆଲିଙ୍ଗନ କରି ଶୋଇଯାଇ ଥାଆନ୍ତି । ପ୍ରଭାତର ପୂର୍ବ ମୁହୂର୍ତ୍ତରୁ ବୁଧ ଉଠିଯାଇଥିଲେ କୁଟୀରର ବର୍ହିଦେଶକୁ । ଫେରିଆସି ଦେଖିଲେ ଇଳା ଆଉ ଇଳା ହୋଇ ନାହାନ୍ତି । ନିଦ୍ରାରୁ ଉତ୍ଥିତ ପରି ମହାରାଜ ଇଳା ବିଛଣାରୁ ଉଠି ବର୍ହିଦେଶକୁ ଚାହୁଁଛନ୍ତି । ବୁଧ କୁଟୀର ମଧ୍ୟରେ ପ୍ରବେଶ କରିବା ମାତ୍ରେ ସେ ତାଙ୍କୁ ପ୍ରଶ୍ନ କଲେ, ମୁଁ ବର୍ତ୍ତମାନ କେଉଁଠି ? ମୋର ସୈନ୍ୟସାମନ୍ତମାନେ କାହାନ୍ତି ? ଉତ୍ତରରେ ବୁଧ କୁହନ୍ତି, ମହାରାଜ ଇଳ, ତୁମେ ବର୍ତ୍ତମାନ ଚନ୍ଦ୍ରଙ୍କ ପୁତ୍ର ବୁଧଙ୍କ ଆଶ୍ରମରେ । ତୁମେ ଘୋର ଅରଣ୍ୟରେ ଶିକାର କରୁଥିବା ବେଳେ ଭୟଙ୍କର କରକାପାତ ହେଲା ଯଦ୍ୱାରା ତୁମ ସୈନ୍ୟସାମନ୍ତ ଏବଂ ବାହନ ସେହି କରକା ପାତରେ ମୃତ୍ୟୁ ବରଣ କଲେ । ଭାଗ୍ୟକୁ ତୁମେ ମୋ ଆଶ୍ରମ ମଧ୍ୟର ରହିଯାଇଥିବା ହେତୁ ବଞ୍ଚିଗଲ । ବର୍ତ୍ତମାନ ତୁମର ଦୁର୍ଦ୍ଦିନ ଘୁଞ୍ଚିନାହିଁ । ତେଣୁ ସୁଦିନ ଆସିବା ପର୍ଯ୍ୟନ୍ତ ଏହିଠାରେ ରହିଯାଅ । ମୁଁ ମୋର ତପଶ୍ଚରଣ ଶେଷକରି ଯେତେବେଳେ କୁଟୀରକୁ ଫେରିବି ସେତେବେଳେ ଦୁହେଁ ଧର୍ମାଲୋଚନା କରିବା । ଗୋଟିଏ ବର୍ଷ ପରେ ମୁଁ ଚେଷ୍ଟାକରିବି ତୁମର ହିତ ନିମିତ୍ତ ।

 

ମହାରାଜ ଇଳ ଆପାତତଃ ବାଧ୍ୟ ହୁଅନ୍ତି ବୁଧଙ୍କ କଥାରେ ସମ୍ମତ୍ତିଜ୍ଞାପନ କରିବାକୁ । ପ୍ରତିଦିନ ପ୍ରଭାତ ହେବା ମାତ୍ରେ ବୁଧ ସେହି ସରୋବର ମଧ୍ୟରେ ପ୍ରବେଶ କରି ତପସ୍ୟାରେ ମଗ୍ନ ହୁଅନ୍ତି । ପ୍ରଥମେ କେତେ ଦିନ ବୁଧଙ୍କ ମନ ବ୍ୟସ୍ତ ହୋଇପଡ଼େ ସୁନ୍ଦରୀ ଇଳାଙ୍କ ପାଇଁ । ସେହି ସରୋବର ଜଳ ମଧ୍ୟରେ ସନ୍ତରଣ କରୁଥିବା ମରାଳ ଦମ୍ପତ୍ତିଙ୍କ କେଳି ଅବଲୋକନ କରି ତାଙ୍କ ଆଖି ଆଗରେ ଦିଶିଯାଏ ଇଳାଙ୍କ ମୁଖ । କଳ୍ପନା ଜାଲରେ ଛନ୍ଦି ହୋଇ ଅନୁଭବ କରନ୍ତି ଇଳାଙ୍କ ଗଣ୍ଡଦେଶରେ ଚୁମ୍ୱନର ସ୍ୱାଦ । କିନ୍ତୁ ଖୁବ୍ ଅଳ୍ପଦିନ ମଧ୍ୟରେ ଆୟତ କରି ନିଅନ୍ତି ତାଙ୍କର ଅଣାୟତ ମନକୁ । ମାତ୍ର ତାହା ବା କେତେଦିନ ? ଠିକ୍ ମାସକ ପରେ ମହାରାଜ ଇଳ ହୋଇଯାଆନ୍ତି ଇଳା । କୁସୁମ ଲତିକା ଭଳି ବୁଧଙ୍କ ଦେହରେ ଗୁଡ଼ାଇ ହୋଇ ପ୍ରେମ ପାଗଳ କରିପକାନ୍ତି । ତପସ୍ୱୀ ବୁଧ ପୂଜାର୍ଚ୍ଚନା ତ୍ୟାଗ କରି ଧାଇଁ ବୁଲନ୍ତି ରୂପସୀ ଇଳାଙ୍କ ପଛେ ପଛେ ।

 

ମହାଦେବୀ ପାର୍ବତୀଙ୍କ ବାକ୍ୟାନୁଯାୟୀ ଇଳା ଆଉ ଇଳାଙ୍କ କଥା ସ୍ମରଣ କରିପାରନ୍ତି ନାହିଁ କିମ୍ୱା ଇଳ ମଧ୍ୟ ଇଳାଙ୍କ କଥା ମନେପକାଇ ପାରନ୍ତି ନାହିଁ । ବୁଧ ଇଳାଙ୍କ ସହିତ ଅବସ୍ଥାନ କରି ଯେତିକି ଆନନ୍ଦପାନ୍ତି, ଇଳା ଇଳ ହେବା ପରେ ସେତିକି ଇଳାଙ୍କ ପାଇଁ ପାଗଳ ହୋଇପଡ଼ନ୍ତି-। ଗୋଟିଏ ମାସ ଅତି ବ୍ୟସ୍ତରେ କଟାଇ ଯେତେବେଳେ ଇଳ ଇଳା ହୋଇଯାଆନ୍ତି ସେତେବେଳେ ମହାତ୍ମା ବୁଧ ଭୁଲିଯାନ୍ତି ଗତ ମାସଟିକୁ ।

 

ମାସ ମାସ ହୋଇ ଆଠମାସ ବିତିଗଲା । ଇଳା ବୁଧଙ୍କ ସହ ସହବାସ କରି ଗର୍ଭବତୀ ହେଲା । ଅଷ୍ଟମ ମାସପରେ ଇଳ ଯେତେବେଳେ ଇଳା ହେଲେ ସେତେବେଳେ ସ୍ୱାଭାବିକ ଗତିରେ ଚାଲିପାରିଲେ ନାହିଁ । ତାର କିଛିଦିନ ପରେ ସେ ପ୍ରସବ କଲେ ଗୋଟିଏ ଶିଶୁପୁତ୍ର । ବୁଧ ତାର ନାମ ରଖିଲେ ପୂରୁରବା । ଜନ୍ମ ପରେ ଇଳା ହସି ହସି ବୁଧଙ୍କ ହସ୍ତରେ ସେହି ଶିଶୁପୁତ୍ରଟିକୁ ଅର୍ପଣ କରି କହିଲେ, ପ୍ରିୟ ! ଏହି ସନ୍ତାନଟି ଅବିକଳ ତୁମରି ଭଳି ହୋଇଛି । ତୁମେ ତାର ସମସ୍ତ ଭାର ବହନ କର ।

 

ବୁଧ ଉପାୟନ୍ତର । ରାତି ପାହିଲେ ଇଳା, ଇଳରେ ପରିଣତ ହେବ । ଶିଶୁଟିର ସମସ୍ତ ଭାର ତାଙ୍କୁହିଁ ବହନ କରିବାକୁ ପଡ଼ିବ ।

 

ବୁଧ ଚିନ୍ତିତ ହୋଇପଡ଼ିଲେ । ତଥାପି ସୁନ୍ଦରୀ ଇଳାଙ୍କ ମୁଖକୁ ଥରେ ଚାହିଁ ବୁଧ ତାଙ୍କର ସନ୍ତାପ ପାଶୋରି ପକାନ୍ତି । ଇଳାଙ୍କ ମୁଖଦେଶରେ ଚୁମ୍ୱନ ଗାର ଆଙ୍କି ଭୁଲିଯାନ୍ତି ଭବିଷ୍ୟତ ଦୁଃଖକୁ । ଇଳାଙ୍କ ସୁକୋମଳ ଗଣ୍ଡଦେଶରେ ନିର ମୁଖ ସ୍ଥାପନ କରି ଇଳାଙ୍କ ଗଣ୍ଡର କୋମଳତା ଅନୁଭବ କରନ୍ତି ।

 

ଅଳ୍ପ ସମୟ ପରେ ରାତି ପାହିଯିବ । ବୁଧ ଇଳାଙ୍କ ଅନୁନୟ କଲେ କାମାଶକ୍ତ ହୋଇ ହସିଉଠିଲେ ଇଳା । ବୁଧ ହସ୍ତ ପ୍ରସାର କଲେ ଇଳାଙ୍କ ବକ୍ଷୋଜ ଆଡ଼େ ।

 

ହଠାତ୍ କିଏ ଜଣେ ବୁଧଙ୍କୁ ଡାକି କହିଲା, ସାବଧାନ ବୁଧ ! ତୁମେ ବ୍ରାହ୍ମଣ ହୋଇ ବ୍ରାହ୍ମଣର ବହିର୍ଭୂତ କାର୍ଯ୍ୟ କରୁଛ ।

 

ଚମକି ଉଠିଲେ ବୁଧ । କିଏ ? କିଏ ତାଙ୍କୁ ସତର୍କ କରିଦେଉଛି ? ଆତଙ୍କିତ ହୋଇଉଠିଲେ ସେ । ପ୍ରକୃତ ବ୍ରାହ୍ମଣ ହୋଇ ସେ ନୀତି ଗର୍ହିତ କାର୍ଯ୍ୟ କରୁଛନ୍ତି । ସୁନ୍ଦରୀ ଇଳାଙ୍କଠାରୁ ପୁତ୍ର ସନ୍ତାନଟିଏ ଲାଭ କଲାପରେ ପୁଣି ତାଙ୍କ ସହିତ ବସବାସ ଏକ ନୈତିକହୀନ ବ୍ୟକ୍ତିର କାର୍ଯ୍ୟ । ତଥାପି ତାଙ୍କୁ କିଏ ସେ ସତର୍କ କରି ଦେଉଛି ?

 

ବୁଧ ସୁନ୍ଦରୀ ଇଳାଙ୍କଠାରୁ ଟିକିଏ ଦୂରେଇ ଆସିଲେ । ସେ ଚକିତ ହୋଇ ଚତୁର୍ଦ୍ଦିଗକୁ ଚାହିଁବାକୁ ଲାଗିଲେ—କାହିଁ, କାହାରିକୁ ସେ ତ ଦେଖୁନାହାନ୍ତି । ହୁଏତ ତାହା ତାଙ୍କ ମନର ଭ୍ରମ ହୋଇପାରେ ।

 

ପୃଥୁଳା ସ୍ତନ ଇଳା ଶୋଇଛି ତାଙ୍କ ସମ୍ମୁଖରେ । ତାର ସନ୍ତାନଟି ତାହାରି ନିକଟ ଏକ ଦୋଳିରେ ଝୁଲୁଛି । ରାତ୍ରି ବୋଧେ ଶେଷ ପ୍ରହର । ସୂର୍ଯ୍ୟ ପୂର୍ବନଭରେ ଉଦୟ ନ ହେଉଣୁ ଇଳା ପୁରୁଷ ହୋଇ ଇଳ ହୋଇଯିବେ । ଦୀର୍ଘ ଗୋଟିଏ ମାସ ଇଳାଙ୍କର ବିଚ୍ଛେଦ ତାଙ୍କୁ ସହିବାକୁ ପଡ଼ିବ ଏବଂ ସହିବାକୁ ପଡ଼ିବ ତାଙ୍କ ସନ୍ତାନର ଲାଳନପାଳନ ଭାର ।

 

ବୁଧ ଟିକିଏ ଚିନ୍ତାକରି କୁଟୀରର ବର୍ହିଦେଶକୁ ଆସି ଦେଖିଲେ ରାତ୍ରି ଶେଷ ପ୍ରାୟ । ନିଶବ୍ଦ ବନଭୂମି ପକ୍ଷୀମାନଙ୍କ କୂଜନରେ ମୁଖରିତ ହେଉଛି । ଗୋଟିଏ ମୁହୂର୍ତ୍ତପରେ ମହାରାଜ ଇଳ ଶଯ୍ୟା ତ୍ୟାଗକରି ଉଠିବେ । କିନ୍ତୁ ଇଳାଙ୍କ ସହିତ ସେ କଣ ଆଉ ଯୌନ ସମ୍ପର୍କ ରଖିପାରିବେ ନାହିଁ ।

 

ସାରା ରାତି ବିନିଦ୍ରଭାବେ ମହାତ୍ମା ବୁଧ କଟାଇଛନ୍ତି । ବହୁ ଚେଷ୍ଟା କରିଛନ୍ତି ସୁନ୍ଦରୀ ଇଳାଙ୍କ ସ୍ପର୍ଶ କରିବାକୁ । ମାତ୍ର ପାରିନାହାନ୍ତି । ଯେତେଥର ଚେଷ୍ଟା କରିଛନ୍ତି ସେତେଥର ଶୁଣିଛନ୍ତି କେହି ଜଣେ ତାଙ୍କୁ କଠୋର ଭାବରେ କହୁଛି, ସାବଧାନ ବୁଧ ! ସମ୍ଭୋଗ ବାସନା ଧରି ତୁମେ ଇଳାଙ୍କୁ ଯେତିକି ଉପଭୋଗ କରିଛ ତା ବଦଳରେ କଣ ପ୍ରତିଦାନ ଦେଇଛ । ତୁମେ ଭଲ ଭାବେ ଜାଣିଛ ସେ ନାରୀ ନୁହନ୍ତି ପୁରୁଷ । ଦୁର୍ଭାଗ୍ୟବଶତଃ ସେ ନାରୀ ହୋଇଯାଇଛନ୍ତି । ଏହା ବୋଲି ତୁମେ କଣ ତାଙ୍କୁ ଚିରଦିନ ନାରୀଭାବେ ଦେଖିବାକୁ ଚାହଁ ! ତାହା ଯଦି ତୁମେ କର ତାହାହେଲେ ତୁମର ସବୁକିଛି ଧ୍ୱଂସ ହୋଇଯିବ । ଜଣେ ଲମ୍ପଟ ପୁରୁଷ ବୋଲି ବିଶ୍ୱରେ ତୁମେ ଖ୍ୟାତ ହେବ । ତୁମେ ମହାରାଜ ଇଳଙ୍କୁ ପ୍ରତିଶ୍ରୁତି ଦେଇଛ ବର୍ଷକ ପରେତାଙ୍କର ମଙ୍ଗଳ ନିମିତ୍ତ ଚେଷ୍ଟା କରିବ ।

 

ସତେତ ! ମହାରାଜ ଇଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବର୍ଷକ ପରେ ତାଙ୍କର ମଙ୍ଗଳ ନିମିତ୍ତ କାର୍ଯ୍ୟାନୁଷ୍ଠାନ କରିବାପାଇଁ । ଇଳାଙ୍କ ସହିତ ସମ୍ପର୍କ ରଖି ନବମ ମାସରେ ସେ ଏକ ସନ୍ତାନ ପାଇପାରିଛନ୍ତି । ବର୍ତ୍ତମାନ ଯଦି ଇଳାଙ୍କ ସହିତ ସେହିଭଳି ସମ୍ପର୍କ ରହେ ତେବେ ବର୍ଷକ ପରେ ଇଳାଙ୍କୁ ସମ୍ପୂର୍ଣ୍ଣ ପୁରୁଷ କରିବା ସମ୍ଭବ ନୁହେଁ ।

 

ଚିନ୍ତିତ ହୋଇପଡ଼ିଲେ ସୋମଙ୍କ ପୁତ୍ର ବୁଧ । ଆଉ ଦୁଇ ମାସ ପରେ ତାଙ୍କୁ ସଂପୂର୍ଣ୍ଣ ପୁରୁଷ ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ । କି ବ୍ୟବସ୍ଥା ବା ଗ୍ରହଣ କରାଯିବ ! ପୁଣି ସେହି ଶୂନ୍ୟବାଣୀ ବୁଧ ଶୁଣିଲେ । ତୁମେ ଅଶ୍ୱମେଧ ଯଜ୍ଞର ବ୍ୟବସ୍ଥା କର । ଶିବଙ୍କୁ ସନ୍ତୁଷ୍ଟ ପାଇଁ ଅଶ୍ୱମେଧ ହିଁ ଉପଯୁକ୍ତ ବ୍ୟବସ୍ଥା । ଜାଣିରଖ ଶ୍ରୀଜଗନ୍ନାଥ ଯେଉଁ ଅଞ୍ଚଳରେ ଉପାସିତ ସେ ଅଞ୍ଚଳ ଇନ୍ଦ୍ରଙ୍କ ପୁତ୍ର ଉତ୍କଳ ଶାସନ କରିବେ । ସେଥିପାଇଁ ଇଳଙ୍କ ମୁକ୍ତି ନିମିତ୍ତ ଚେଷ୍ଟା ନିତାନ୍ତ ଆବଶ୍ୟକ । ସ୍ୱୟଂ କର୍ଦ୍ଦମ ପ୍ରଜାପତି ଏହି ଯଜ୍ଞରେ ଉପସ୍ଥିତ ରହିବେ । ତୁମେ ସମସ୍ତ ଆୟୋଜନ କର । ତତ୍‍ପରେ ସବୁ ଆପେ ଆପେ ହୋଇଯିବ ।

 

ଯେଉଁଆଡ଼ୁ ଶବ୍ଦ ଆସୁଥିଲା ବୁଧ ସେହି ଦିଗକୁ ଲକ୍ଷ୍ୟ କଲା ମାତ୍ରକେ ଦୁଇଟି ଗୋଲାକାର ଚକ୍ଷୁ ତାଙ୍କ ଦେଖାଦେଇ ଶୂନ୍ୟରେ ମିଶିଗଲା । ବିସ୍ମିତ ହୋଇ ବୁଧ ସେହିଦିଗକୁ ଅନାଇଲେ । ସତେ ଯେପରି ସେହି ଶୂନ୍ୟ ମଧ୍ୟରେ ସେହି ଗୋଲାକାର ଚକ୍ଷୁ ଲିଭିଯାଇ ନାହିଁ । ସେ ଥରକୁ ଥର ତାଙ୍କୁ ଦେଖାଦେଇ କହୁଛି ସାବଧାନ ବୁଧ ! ଇଳଙ୍କ ପାଇଁ ଅଶ୍ୱମେଧ ଯଜ୍ଞର ଆୟୋଜନରେ ସାମାନ୍ୟ ତୃଟି ହେଲେ ତୁମେ ଉପଯୁକ୍ତ ଶାସ୍ତି ପାଇବ ।

 

ସୋମଙ୍କ ପୁତ୍ର ବୁଧ ନିଜର ସ୍ଥିତିପାଇଁ ବ୍ୟସ୍ତ ହୋଇ ପଡ଼ିଲେ । ଚକ୍ଷୁ ଦୁଇଟି ବୁଜି ତପଶ୍ଚରଣ ଦ୍ୱାରା ଜାଣିବାକୁ ଚାହିଁଲେ ଏ ଚକ୍ଷୁ ଦୁଇଟି କାହାର ଏବଂ କିଏ ତାଙ୍କୁ ସତର୍କବାଣୀ ଶୁଣାଉଛି । ମାତ୍ର ମନ ତାଙ୍କର ଅସ୍ଥିର ହୋଇ ପଡ଼ିଲା । ସେ ଯେତେ ଚେଷ୍ଟାକଲେ ମଧ୍ୟ ମନକୁ ସ୍ଥିର ରଖି ଧ୍ୟାନମଗ୍ନ ହୋଇ ପାରିଲେ ନାହିଁ । କେବଳ ସେହି ଦୁଇଟି ଗୋଲାକାର ଆଖି ତାଙ୍କ ନିର୍ଭୟ ମନକୁ ଭୟ ବିହ୍ୱଳ କରି ପକାଇଲା ।

 

ସେ ଧାଇଁଲେ ଋଷିମାନଙ୍କ ପାଖକୁ । ତାଙ୍କୁ ପ୍ରାୟଶ୍ଚିତ କରିବାକୁ ହେବ ଇଳାଙ୍କ ପାଇଁ ସେ ପ୍ରାୟଶ୍ଚିତ କେବଳ ଅଶ୍ୱମେଧ ଯଜ୍ଞଦ୍ୱାରା ତାଙ୍କୁ ପୂରାପୂରି ଇଳରେ ପରିଣତ କରିବା ଛଡ଼ା ଅନ୍ୟ କିଛି ନୁହେଁ ।

☆☆☆

 

ମହାଯଜ୍ଞ

 

ଗୋଟିଏ ମୁହୂର୍ତ୍ତରେ ଚାରିଆଡ଼େ ପ୍ରଚାର ହୋଇଗଲା, ଆମ୍ରଯଷ୍ଟିକୁ ତଥାଗତ ବୁଦ୍ଧଙ୍କର ଆଗମନ ହୋଇଛି । ଶୁଣୁ ଶୁଣୁ ଲୋକେ ଧାଇଁଲେ ତାଙ୍କ ଦର୍ଶନପାଇଁ । ଆବାଳବୃଦ୍ଧବନିତା ପ୍ରତ୍ୟେକ । ଜାତି ଅଜାତିଙ୍କ ପ୍ରଶ୍ନ ତାଙ୍କ ପାଖରେ ଉଠେ ନାହିଁ । ତେଣୁ ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତ ମହାମାନବ ଗୌତମଙ୍କ ଦର୍ଶନ ପାଇଁ ଆଗ୍ରହୀ ।

 

ସମ୍ୱାଦ ପ୍ରଚାର ହେଉ ହେଉ ଖାଣୁମତର ବ୍ରାହ୍ମଣମାନେ ବାହାରି ପଡ଼ିଲେ ତାଙ୍କ ସାକ୍ଷାତ ପାଇଁ । ସେତେବେଳେ ଖାଣୁମତରେ ଚାଲିଥାଏ ବିରାଟ ଯଜ୍ଞର ଆୟୋଜନ । ଯଜ୍ଞକର୍ତ୍ତା ସ୍ୱୟଂ ମହାପ୍ରାଜ୍ଞ କୂଟଦନ୍ତ । କୂଟଦନ୍ତଙ୍କ ପାଣ୍ଡିତ୍ୟରେ ସ୍ୱୟଂ ମଗଧର ସମ୍ରାଟ ବିମ୍ୱିସାର ସନ୍ତୁଷ୍ଟ । ଅତି ଆନନ୍ଦର ସହକାରେ ସେ ଦାନ କରିଛନ୍ତି ଖାଣୁମତ ଗ୍ରାମ କୂଟଦନ୍ତଙ୍କୁ । କେବଳ ଗ୍ରାମ ନୁହେଁ ମହାପ୍ରାଜ୍ଞ ଉପାଧି ମଧ୍ୟ ସେ ପ୍ରଦାନ କରିଛନ୍ତି । ଏହିଭଳି ସମ୍ମାନ ସୂଚକ ପୁରସ୍କାର ତଥା ପଦବୀ ପ୍ରାପ୍ତ ହେଲାପରେ ମହାପ୍ରାଜ୍ଞ କୂଟଦନ୍ତ ଏକ ବିରାଟ ଯଜ୍ଞର ଆୟୋଜନ କଲେ ।

 

ଯଜ୍ଞପାଇଁ ସମସ୍ତ ଉପକରଣ ପ୍ରସ୍ତୁତ । ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ଉପସ୍ଥିତ ହେଉଥାନ୍ତି ବହୁ ଯାଜ୍ଞିକ ବ୍ରାହ୍ମଣ । ସେ ଯଜ୍ଞପାଇଁ ବନ୍ଧା ହୋଇଥାନ୍ତି ସାତଶହ ବଳଦ, ସାତଶହ ଅଣ୍ଡିରା ବାଛୁରୀ, ସାତଶହ ମେଣ୍ଢା ଏବଂ ଛେଳି । ସାଧାରଣ ଲୋକମାନେ ଯଜ୍ଞର ଆୟୋଜନ ଦର୍ଶକ କରି କୁହାକୁହି ହେଉଥାନ୍ତି ଏଭଳି ଯଜ୍ଞ ଦେଖିବାତ ଦୂରର କଥା କେହି କେବେ ଶୁଣି ମଧ୍ୟ ନାହାନ୍ତି । ବହୁ ପରିଶ୍ରମ କରି କୂଟଦନ୍ତ ସବୁ ଯୋଗାଡ଼ କରୁଥାନ୍ତି । ଏହି ସମୟରେ ତଥାଗତ ବୁଦ୍ଧଙ୍କ ଆବିର୍ଭାବ ଉପଗତ ବ୍ରାହ୍ମଣମାନେ ମଧ୍ୟରେ ଏକ ଆଲୋଡ଼ନ ସୃଷ୍ଟି କଲା । କେତେକ ସନ୍ଦେହ କଲେ ସମ୍ଭବତ ବୁଦ୍ଧ ଯଜ୍ଞ ବିରୁଦ୍ଧରେ ମତବ୍ୟକ୍ତ କରିବାକୁ ଖାଣୁମତର ଆମ୍ରଯଷ୍ଟିରେ ଉପବେଶନ କରିଛନ୍ତି । ପୁଣି କେତେକ ଭାବିଲେ ସମ୍ଭବତଃ ମହାପ୍ରାଜ୍ଞ କୂଟଦନ୍ତଙ୍କ ଯଜ୍ଞ ଦର୍ଶନ କରିବାକୁ ସେ ଏଠାକୁ ଆସିଛନ୍ତି-

 

ବାହାରୁ ଆସୁଥିବା ଯାଜ୍ଞିକ ବ୍ରାହ୍ମଣମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାମାନ ହୋଇଥାଏ ସେମାନେ ସରଞ୍ଜାମମାନ ତନଖି ଦେଖୁଥାନ୍ତି । ନବନିର୍ମିତ ଯଜ୍ଞ ମଣ୍ଡପ-ଯୂପକାଷ୍ଠାଦି ଦର୍ଶନ କରି ପଣ୍ଡିତମାନେ ପ୍ରସଂସା କରୁଥାନ୍ତି କୂଟଦନ୍ତଙ୍କୁ । ପୁରୁଖା ପୁରୁଖା ଲୋକମାନେ କହୁଥାନ୍ତି ସ୍ୱୟଂ ମଗଧର ସମ୍ରାଟ ଏଭଳି ଏକ ବିରାଟ ଯଜ୍ଞ କରବାକୁ ସମର୍ଥ ହୋଇ ନାହାନ୍ତି, କେବଳ ମହାପ୍ରାଜ୍ଞଙ୍କୁ ପ୍ରତ୍ୟେକ ରାଜା ମହାରାଜ ସମ୍ମାନ କରୁଥିବାରୁ ମହାପ୍ରାଜ୍ଞଙ୍କ ଅନୁରୋଧ ପତ୍ର ପ୍ରାପ୍ତ ମାତ୍ରେ ସମସ୍ତେ ଯଥା ସମ୍ଭବ ଦ୍ରବ୍ୟମାନ ପଠାଇ ଦେଇଛନ୍ତି । ଏପରିକି ସୁଢ଼ଳ ସର୍ବ ସୁନ୍ଦର ବଳି ଦ୍ରବ୍ୟ ମଧ୍ୟ ।

 

କୂଟଦନ୍ତ ହଠାତ୍ ଯେତେବେଳେ ଜାଣିଲେ ତାଙ୍କ ସାଶନର ବହୁ ବ୍ରାହ୍ମଣ ତଥାଗତ ବୁଦ୍ଧଙ୍କ ଦର୍ଶନ ପାଇଁ ବାହାରିଛନ୍ତି, ସେତେବେଳେ ସେ ଲୋକପଠାଇ ସେମାନଙ୍କୁ ଖବର ଦେଲେ ସେ ମଧ୍ୟ ଗୌତମଙ୍କ ଦର୍ଶନପାଇଁ ଆଗ୍ରହୀ । ଟିକିଏ ଅପେକ୍ଷା କଲେ ସେ ମଧ୍ୟ ସେମାନଙ୍କ ସହିତ ତାଙ୍କ ଦର୍ଶନ ପାଇଁ ଯିବେ ।

 

କୂଟଦନ୍ତ ଗୌତମ ବୁଦ୍ଧଙ୍କ ଦର୍ଶନ ପାଇଁ ଯିବା କଥା ଶୁଣି ଆସିଥିବା ଯାଜ୍ଞିକ ବ୍ରାହ୍ମଣମାନେ କୂଟଦନ୍ତଙ୍କ କଥାକୁ ସ୍ୱାଗତ କରି ପାରିଲେ ନାହିଁ । ସେମାନେ କୂଟଦନ୍ତଙ୍କୁ ପାରିଲେ ତୁମେ ଗୌତମଙ୍କ ଦର୍ଶନକୁ ଯିବାକୁ ଇଚ୍ଛା କରୁଛ କାହିଁକି ?

 

ସରଳଭାବେ କୂଟଦନ୍ତ କହିଲେ, ଗୌତମ ବୁଦ୍ଧଙ୍କ ଭଳି ଏକ ମହାନ୍ ବ୍ୟକ୍ତି ଯେତେବେଳେ ତାଙ୍କ ଗ୍ରାମକୁ ଆଗମନ କରିଛନ୍ତି ସେତେବେଳେ ତାଙ୍କୁ ସାକ୍ଷାତ କରିବା ଉଚିତ୍ । ଯଦି ଯଜ୍ଞ କର୍ମ ଆରମ୍ଭ ହୋଇଯିବ ତେବେ ତାଙ୍କର ଆଉ ସମୟ ହେବନାହିଁ ଥରେ ତାଙ୍କୁ ଦେଖାକରିବାକୁ । ପୁଣି ଏହି ଅବସରରେ ଯାଇ ତାଙ୍କୁ ଯଜ୍ଞଙ୍କୁ ନିମନ୍ତ୍ରଣ ନିଜେ କରିଆସିବେ ।

 

କୂଟଦନ୍ତଙ୍କ କଥାରେ ଆପତ୍ତି କଲେ ବ୍ରାହ୍ମଣମାନେ । ସେମାନେ କୂଟଦନ୍ତଙ୍କୁ କହିଲେ ତୁମେ ଯଦି ଗୌତମଙ୍କ ଦର୍ଶନପାଇଁ ଯିବ ତେବେ ଗୌତମଙ୍କଠାରରୁ ତୁମେ ନ୍ୟୁନ ହୋଇଯିବ ଏବଂ ଗୌତମଙ୍କର ଯଶ ବଢ଼ିଯିବ । ତୁମେ ଧନୀ–ବିଦ୍ୱାନ–ସୁଶୀଳ । ବହୁ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କର ଆଚାର୍ଯ୍ୟ ତୁମଠାରୁ ଦେବମନ୍ତ୍ର ଶିକ୍ଷା କରିବାକୁ ଆସୁଛନ୍ତି । ଗୁରୁଭାବେ ତୁମେ ପ୍ରସିଦ୍ଧ । ତେଣୁ ବହୁ ବିଶିଷ୍ଟ ବ୍ୟକ୍ତଙ୍କ ସନ୍ତାନ ତୁମର ଶିଷ୍ୟତ୍ୱ ଗ୍ରହଣ କରି ଗର୍ବାନ୍ୱିତ । ସର୍ବୋପରି ତୁମେ ଜ୍ୟେଷ୍ଠ ଗୌତମଙ୍କ ଠାରୁ । ପୁଣି ମହାରାଜ ଶ୍ରେଷ୍ଠ ପଣ୍ଡିତ ଭାବେ ତୁମକୁ ସମ୍ମାନିତ କରିଛନ୍ତି । ଏପରି ସ୍ଥଳେ ଗୌତମ ତୁମ ସାକ୍ଷାତକୁ ଆସିବା ଉଚିତ; ମାତ୍ର ତୁମେ ନୁହଁ ।

 

ବେଦ ବେଦାନ୍ତଜ୍ଞ ଯାଜ୍ଞିକ ବ୍ରାହ୍ମଣମାନଙ୍କ ଉକ୍ତି ଶୁଣି ମହାପ୍ରାଜ୍ଞ କୂଟଦନ୍ତ କହିଲେ, ହେ ଜ୍ଞାନୀ ବିପ୍ରଗଣ ! ତୁମେମାନେ ବୋଧେ ଗୌତମଙ୍କ ସମ୍ୟକ ପରିଚୟ ପାଇନାହିଁ । ଗୌତମ ମଧ୍ୟ ଉଚ୍ଚକୁଳ ସମ୍ଭୂତ ଏବଂ ସେ ବିପୁଳ ସମ୍ପତ୍ତି ତ୍ୟାଗପୂର୍ବକ ଶ୍ରମଣ ହୋଇଛନ୍ତି । ସେ ମଧ୍ୟ ତେଜସ୍ୱୀ ଏବଂ ସୁଶୀଳ । ତାଙ୍କର କଲ୍ୟାଣ ପ୍ରଦ ମଧୁର ବଚନ ଶତୃକୁ ମଧ୍ୟ ମିତ୍ର କରିଥାଏ । ସେ ଆଚାର୍ଯ୍ୟ ଏବଂ ପ୍ରାଚାର୍ଯ୍ୟ । ସେ ବିଷୟ ମୁକ୍ତ ହୋଇ ଶାନ୍ତ, କର୍ମବାଦୀ ଓ କ୍ରିୟାବାଦୀ–ଆଉ ସେ ସମ୍ୟକ ସଂବୁଦ୍ଧ, ବିଦ୍ୟାଚରଣ ସମ୍ପନ୍ନ ଲୋକବିଦ୍ ଦମ୍ୟ ପୁରୁଷମାନଙ୍କର ସାରଥୀ ଏବଂ ଦେବମନୁଷ୍ୟଙ୍କର ସେ ଶାସ୍ତ୍ର । ସବୁଦେଶରେ ଲୋକେ ତାଙ୍କ ଧର୍ମର ଗୂଢ଼ତତ୍ତ୍ୱ ଗ୍ରହଣ କରି ତାଙ୍କ ପଦପ୍ରାନ୍ତେ ମସ୍ତକ ଅବନତ କରୁଥିବା ହେତୁ ତାଙ୍କର ଯଶ ସର୍ବତ୍ର ବ୍ୟାପ୍ତ । କୋଶଳର ସମ୍ରାଟ ପସେନଦୀ ଏବଂ ସ୍ୱୟଂ ମହାରାଜ ବିମ୍ୱିସାର ସକୁଟୁମ୍ୱେ ତାଙ୍କର ଶ୍ରାବକ । କେବଳ ରାଜା ମହାରାଜା କାହିଁକି ପୌଷ୍କରସାଦୀଙ୍କ ଭଳି ବ୍ରାହ୍ମଣଙ୍କର ମଧ୍ୟ ସେ ପୂଜନୀୟ । ତେଣୁ ଏଭଳି ଜଣେ ମହାନ୍ ଜ୍ଞାନୀ ବ୍ୟକ୍ତିଙ୍କୁ ମୁଁମୋ ଗ୍ରାମରେ ଅତିଥି ରୂପେ ପାଇ ତାଙ୍କର ଉପଯୁକ୍ତ ସତ୍କାର କରିବା ମୋଭଳି ଲୋକ ପକ୍ଷରେ ପରମ ସୌଭାଗ୍ୟ । ତାଙ୍କପରି ଜଣେ ମହାନ୍ ବ୍ୟକ୍ତିଙ୍କ ଦର୍ଶନ କେବଳ ସୌଭାଗ୍ୟରୁ ହିଁ ହୋଇଥାଏ । ତାଙ୍କର ଜ୍ଞାନ ତୁଳନାରେ ଆମେ ସମସ୍ତେ ଅତି ତୁଚ୍ଛ ।

 

ମହାପ୍ରାଜ୍ଞ କୂଟଦନ୍ତ ଗୌତମଙ୍କ ବିଷୟରେ ଯାହା କହିଲେ ତାହା ଶ୍ରବଣ କରି ବିରୋଧ କରୁଥିବା ବ୍ରାହ୍ମଣମାନଙ୍କର ମଧ୍ୟ ଇଚ୍ଛାହେଲା ଥରେ ସେହି ବିରାଟ ପୁରୁଷଙ୍କ ଦର୍ଶନ କରି ଚକ୍ଷୁ କର୍ଣ୍ଣ ବିବାଦ ଭଞ୍ଜନ କରିବାକୁ । ତେଣୁ ସେମାନେ ମଧ୍ୟ କୂଟଦନ୍ତଙ୍କ ସହିତ ତଥାଗତଙ୍କ ଦର୍ଶନ ପାଇଁ ବହିର୍ଗତ ହେଲେ । ପଥ ମଧ୍ୟରେ କୂଟଦନ୍ତ ଗୌତମଙ୍କ ବିଷୟରେ ବହୁ କଥା କହି ସେ ଯେ ପ୍ରକୃତ ଜଣେ ବିରାଟ ଲୋକ ତାହା ଅନ୍ୟମାନଙ୍କ ହୃଦବୋଧ କରାଇବାକୁ ଚେଷ୍ଟା କଲେ । କଥାବାର୍ତ୍ତା ହୋଇ ହୋଇ ସେମାନେ ଗୌତମଙ୍କ ନିକଟରେ ପହଞ୍ଚି ଦେଖିଲେ,ତଥାଗତ ଏକ ଆମ୍ରବୃକ୍ଷତଳେ ଉପବେଶନ କରିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ନମସ୍କାର କରି ଓ ଆଉ କେତେକ ନିଜ ନିଜର ନାମଗୋତ୍ର କହି ଏବଂ କୁଶଳ ପ୍ରଶ୍ନାଦି ପଚାରି ତାଙ୍କ ପାଖରେ ଉପବେଶନ କଲେ ।

 

କୂଟଦନ୍ତ ଲକ୍ଷ୍ୟ କଲେ ଗୌତମଙ୍କ ବଦନ ମଣ୍ଡଳ ଅତି ପ୍ରଶାନ୍ତ । ସେ କାହାକୁ କିଛି ଜିଜ୍ଞାସା କରିବା ପୂର୍ବରୁ ତାଙ୍କ ସହିତ ସେ କିଛି ଆଳାପ କରିବା ଉଚିତ । ତେଣୁ ସେ ବିନୟ ସହକାରେ କହିଲେ—ମୁଁ ଶୁଣିଛି ଆପଣ ଉତ୍ତମ ଯଜ୍ଞ ବିଦ୍ଧି ଜାଣିଛନ୍ତି । ଆମ୍ଭମାନଙ୍କର ବିଶେଷ ଇଚ୍ଛା ଆପଣଙ୍କଠାରୁ ଥରେ ସେହି ଯଜ୍ଞ ବିଷୟକ ବିଧିବିଧାନ ଶ୍ରବଣ କରିବାକୁ । ଯଦି ଅନୁଗ୍ରହ କରି ଆପଣ କିଛି ବ୍ୟକ୍ତ କରନ୍ତେ ଆମ୍ଭେମାନେ ଉପକୃତ ହୁଅନ୍ତୁ ।

 

ବୁଦ୍ଧ କହିଲେ, ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଯଜ୍ଞ ହୋଇଥାଏ । ତନ୍ମଧ୍ୟରୁ କେତେକ ଉତ୍ତମ ଏବଂ କେତେକ ଅଧମ । ମୁଁ ମହାବିଜିତଙ୍କ ଏକ ଯଜ୍ଞ ବିଷୟ ଜାଣିଛି । ସେହିଭଳି ଯଜ୍ଞ ପ୍ରକୃତ କରାଯିବା ଉଚିତ୍ । ଯେଉଁ ଯଜ୍ଞରେ କି ଦେଶ ତଥା ଜାତିର ମଙ୍ଗଳ ହେବ । ଯଦି ଦେଶ ଜାତିର କିଛି ଅମଙ୍ଗଳ ହୁଏ ସେଭଳି ଯଜ୍ଞ କୌଣସି ଜ୍ଞାନୀ ବ୍ୟକ୍ତି କରିବା କେବେ ଉଚିତ ହେବ ନାହିଁ । ଯଜ୍ଞ ମଙ୍ଗଳ ନିମିତ୍ତ ହିଁ କରାଯାଏ ।

 

ମହାବିଜିତ ନାମରେ ଜଣେ ପ୍ରସିଦ୍ଧ ରାଜା ପୂର୍ବେ ରଜତ୍ୱ କରୁଥିଲେ । ଥରେ ସେ ଚିନ୍ତାକଲେ ମୋ ପାଖରେ ବହୁ ଧନ ସମ୍ପଦ ଅଛି । ଏହି ଧନଦ୍ୱାରା ଗୋଟିଏ ମହାଯଜ୍ଞ ହୋଇ ପାରନ୍ତା ଏବଂ ସେହି ଯଜ୍ଞ ଫଳ ପାଇଁ ରାଜ୍ୟ ବହୁ ହିତାବହ ଓ ସୁଖାବହ ବି ହୁଅନ୍ତା । ଏହିଭଳି ଚିନ୍ତାକୁ ରାଜା ଏକ ସୁଚିନ୍ତା ବୋଲି ଧାରଣା କରି ପୁରୋହିତଙ୍କୁ ଡକାଇ ପଠାଇଲେ । ସଙ୍ଗେ ସଙ୍ଗେ ମଧ୍ୟ ପୁରୋହିତ ରାଜାଙ୍କୁ ଭେଟି ଡକାଇବାର କାରଣ ଜିଜ୍ଞାସା କଲେ । ରାଜା ତାଙ୍କ ମନକଥା ବ୍ୟକ୍ତ କରି କହିଲେ, ଆପଣ ଏଭଳି ଗୋଟିଏ ଯଜ୍ଞ ବିଷୟ କୁହନ୍ତୁ ଯାହା ଦେଶର ହିତାବହ ଓ ସୁଖାବହ ହେବ ।

 

ରାଜାଙ୍କ କଥା ଶୁଣି ପୁରୋହିତ କିଛି ସମୟ ଚିନ୍ତାକଲେ । ତା’ପରେ କହିଲେ ଦେଖନ୍ତୁ ବର୍ତ୍ତମାନ ଆପଣଙ୍କ ରାଜ୍ୟରେ ଶାନ୍ତି ନାହିଁ । ଗ୍ରାମ ନଗର ମାନଙ୍କରେ ଲୁଟତରାଜ ଚାଲିଛି । ଚାଲିଛି ମଧ୍ୟ ଦିନ ଦ୍ୱି’ପ୍ରହରେ ଡକାୟତି । ସ୍ତ୍ରୀମାନଙ୍କ ଇଜତରେ ମଧ୍ୟ ଆଞ୍ଚ ଆସିଛି । ଉନ୍ମତ୍ତ ହୋଇ ଉଠିଛନ୍ତି ଯୁବକମାନେ । ଗୋଟାଏ ଉତ୍ସୃଂଖଳା ଦେଖା ଦେଇଛି । ଏହିପରି ଅବସ୍ଥାରେ ଗୋଟିଏ ବିରାଟ ଯଜ୍ଞର ଆୟୋଜନ କରି ଯଦି ଲୋକଙ୍କ ଉପରେ କରଭାର ଲଦି ଦିଅନ୍ତି ତେବେ ନିଶ୍ଚୟ ଆପଣ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହେବେ ।

 

ଆପଣ ହୁଏତ ଚୋରମାନଙ୍କର ମସ୍ତକ କର୍ତ୍ତନ କରି, କାହାକୁ କାହାକୁ କାରାରୁଦ୍ଧ କରି କାହାକ ବା ଅର୍ଥ ଦଣ୍ଡଦେଇ ଅଥବା କାହାକୁ ନିର୍ବାସନା ଦ୍ୱାରା ଏ ଅଶାନ୍ତିକୁ ଦବାଇ ଦେଇ ପାରନ୍ତି । କିନ୍ତୁ ଏହି ଉପାୟ ଦ୍ୱାରା ପୂର୍ଣ୍ଣ ମାତ୍ରାରେ ବିଦ୍ରୋହର ଅବସାନ ଘଟି ନ ପାରେ । କାରଣ ଏହା ନିରାଟ ସତ୍ୟ ଯେ ସମସ୍ତ ଚୋର ଡକାୟତ କେବେ ଦଣ୍ଡପାଇ ପାରିବେ ନାହିଁ । ଅବଶିଷ୍ଟ ଯେଉଁମାନେ ରହିଯିବେ ସେମାନେ ପୁଣି ପରେ ବିଦ୍ରୋହ କରି ଉଠିବେ । ତେଣୁ ଏହାକୁ ସଂପୂର୍ଣ୍ଣ ରୂପେ ଶାନ୍ତ କରିବାକୁ ହେଲେ, ଯେଉଁମାନେ ଆପଣଙ୍କ ରାଜ୍ୟରେ କୃଷି କରିବାକୁ ଚାହୁଛନ୍ତି ସେମାନଙ୍କୁ ଯଥେଷ୍ଟ ପରିମାଣରେ କୃଷିଉପକରଣ, ବିହନ ଆଦି ଦେବାର ବ୍ୟବସ୍ଥା କରନ୍ତୁ । ଯେଉଁମାନେ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ତାଙ୍କ ଚାହିଦାମତେ ଧନ ଦିଅନ୍ତୁ । ଯେଉଁମାନେ ବ୍ୟବସାୟାଦି ନ କରି ରାଜକର୍ମରେ ନିୟୋଜିତ ହେବାକୁ ଚାହୁଛନ୍ତି ତାଙ୍କୁ ଉଚିତ ବେତନ ଦେଇ ଉପଯୁକ୍ତ କାର୍ଯ୍ୟରେ ଲଗାନ୍ତୁ । ଏହିପରି ପ୍ରତ୍ୟେକ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ଜୀବିକା ଉପାର୍ଜନ କଲେ ରାଜ୍ୟରେ ବିଦ୍ରୋହର ସମ୍ଭାବନା ରହିବ ନାହିଁ । ଧୀରେ ଧୀରେ ରାଜ୍ୟର ଦୂରାବସ୍ଥା ସୁଧୁରି ଗଲେ ଲୋକେ ଋଣ କରାଦି ପରିଶୋଧ କରିଦେବେ । ପୂର୍ବାପେକ୍ଷା ରାଜ୍ୟର ଶ୍ରୀବୃଦ୍ଧି ଘଟିବ । ଆଉ ରାଜଦ୍ରୋହ ସମ୍ଭବପର ହେବ ନାହିଁ । ତେଣୁ ସାଧାରଣ ଲୋକେ ଅନାୟାସରେ ଯାତାୟାତ କରି ପାରିବେ ।

 

ପୁରୋହିତଙ୍କ ବିଦ୍ରୋହ ଦମନର ଉପାୟ ରାଜାଙ୍କ ମନକୁ ବେଶ୍ ପାଇଲା । ପୁରୋହିତଙ୍କ କଥା ମୁତାବକ ଯେଉଁମାନେ ଚାଷ କରିବାକୁ ଇଚ୍ଛାକଲେ ସେମାନଙ୍କୁ ଭଲ ବିହନ ସହିତ କୃଷିଉପକରଣ, ବ୍ୟବସାୟ କରିବାକୁ ଚାହୁଁଥିବା ଲୋକଙ୍କୁ ଯଥେଷ୍ଟ ଅର୍ଥ ଏବଂ ଯେଉଁମାନେ ରାଜକାର୍ଯ୍ୟରେ ନିଯୁକ୍ତ ହେବାକୁ ଚାହିଁଲେ ସେମାନଙ୍କୁ ଯୋଗ୍ୟତାନୁଯାୟୀ କର୍ମସଂସ୍ଥା ଯୋଗାଇ ଦେଲେ । ଏହାଦ୍ୱାରା ଖୁବ୍ ଅଳ୍ପଦିନ ମଧ୍ୟରେ ମହାବିଜେତାଙ୍କ ରାଜ୍ୟ ସମୃଦ୍ଧ ହୋଇ ଉଠିବାକୁ ସକ୍ଷମ ହେଲା । ସତ୍ ଉପାୟରେ ଜୀବିକାର୍ଜନ କରିବାର ବ୍ୟବସ୍ଥାଦ୍ୱାରା କିଏବା କାହିଁକି ଅସତ୍ ଉପାୟ ଅବଲମ୍ୱନ କରି ଦଣ୍ଡନୀୟ ହେବ ? ଫଳରେ ଚୋରି ଡକାୟତି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଗଲା । ଏଣେ ପ୍ରଜାମାନେ ବାକିଥିବା କର ଓ ନେଇଥିବା ଋଣାଦି ରାଜକୋଷରେ ରୀତିମୁତାବକ ଜମା ଦେଲେ । ସାଧାରଣ ଲୋକଙ୍କ ମନରୁ ଭୟ ଦୂର ହୋଇଯିବାକୁ ସ୍ତ୍ରୀ ପିଲା ଧରି ନିର୍ଭୟରେ ଲୋକେ ବସବାସ କଲେ ।

 

ଏକଦା ମହାବିଜିତ ନିଜ ପୁରୋହିତଙ୍କ ପୁନର୍ବାର ଡାକି କହିଲେ ତୁମେ ଯେଉଁ ଉପାୟ କହିଲ ତଦ୍ଦ୍ୱାରା ମୋ ରାଜ୍ୟରେ ବ୍ୟାପୁଥିବା ଅନ୍ୟାୟ ଉପଦ୍ରବ ଦୂର ହୋଇଯାଇଛି । ରାଜକୋଷ ପୂର୍ବ ଅପେକ୍ଷା ଅଧିକ ସମୃଦ୍ଧ ହେବା ସଙ୍ଗେ ସଙ୍ଗେ ଲୋକମାନଙ୍କର ଭୟଭ୍ରାନ୍ତି ଦୂର ହୋଇଯାଇଛି-। ବର୍ତ୍ତମାନ ମୁଁ ମହାଯଜ୍ଞ କରିବାକୁ ଇଚ୍ଛା କରୁଛି । ଅନୁଗ୍ରହ କରି ତାର ସମସ୍ତ ବିଧିବିଧାନ ମୋତେ ବତାଇ ଦିଅନ୍ତୁ ।

 

ବୁଦ୍ଧିମାନ ପୁରୋହିତ ମହାରାଜାଙ୍କୁ କହିଲେ, ଆପଣଙ୍କ ଭଣ୍ଡାରରେ ଗଚ୍ଛିତଥିବା ଧନ କେବଳ ଆପଣଙ୍କର ବୋଲି ଭାବିବା ଉଚିତ୍ ନୁହେଁ । ତେଣୁ ରାଜ୍ୟର ପ୍ରଜାମାନଙ୍କଠାରୁ ଏହି ଯଜ୍ଞ ନିମିତ୍ତ ଅନୁମତି ଆଣିବା ବିଧେୟ । ପୁରୋହିତଙ୍କ ପରାମର୍ଶ ଅନୁସାରେ ରାଜା ପ୍ରଜାମାନଙ୍କ ଅନୁମତି ଲୋଡ଼ିବାରେ ସାରାରାଜ୍ୟ ଆନନ୍ଦରେ ଅନୁମତି ପ୍ରଦାନ କଲା । ତତ୍ପରେ ପୁରୋହିତ ଯଜ୍ଞର ବ୍ୟବସ୍ଥା କରିବାକୁ ଯାଇ କହିଲେ, ଯଜ୍ଞରେ ବହୁ ଧନସମ୍ପତ୍ତି ବ୍ୟୟହେବ ଏହିପରି ଧାରଣା ପୋଷଣ କରିବା ଆପଣଙ୍କର ମୋଟେ ଉଚିତ ନୁହେଁ । ଆଉ ମଧ୍ୟ ଯେତେବେଳେ ଯଜ୍ଞକାର୍ଯ୍ୟ ଚାଲିଥିବ ସେତେବେଳେ ଆପଣଙ୍କ ମନରେ ଯେପରି ମୋଟେ ସ୍ଥାନ ନ ପାଏ ଯେ ମୋର ବହୁ ସମ୍ପତ୍ତି ଏହାଦ୍ୱାରା ନଷ୍ଟ ହୋଇଯାଉଛି ବା ଯଜ୍ଞକାର୍ଯ୍ୟ ସମାପ୍ତ ପରେ ଆପଣ ଯେପରି କେବେ ଭାବିବେ ନାହିଁ ଯେ ଯଜ୍ଞଦ୍ୱାରା ମୋର ବହୁ ସମ୍ପତ୍ତି ବ୍ୟୟ ହୋଇଗଲା ବୋଲି । ଆପଣଙ୍କ ଯଜ୍ଞକୁ ବିଭିନ୍ନ ମନୋବୃତ୍ତିର ଲୋକେ ଆସିବେ—ସେମାନଙ୍କ ମଧ୍ୟରୁ ସତ୍ ପ୍ରକୃତିର ଲୋକଙ୍କ ଉପରେ ଦୃଷ୍ଟି ରଖି ଯଜ୍ଞ କରିବେ ଏବଂ ସବୁବେଳେମନକୁ ପ୍ରଫୁଲ୍ଲ ରଖିବେ ।

 

ତଥାଗତ ବୁଦ୍ଧ କହିଲେ ମହାବିଜିତଙ୍କର ସେଇ ଯଜ୍ଞରେ ଗାଈ, ବଳଦ, ଛେଳି, ମେଣ୍ଢା କାହାରି ରକ୍ତପାତ ହୋଇ ନ ଥଲା କିମ୍ୱା ସେହିସବୁ ପ୍ରାଣୀଙ୍କୁ ବଧ ନିମିତ୍ତ କୌଣସି ବୃକ୍ଷ କଟାଯାଇ ଯୂପ ପ୍ରସ୍ତୁତ ହୋଇ ନଥିଲା । ଆବଶ୍ୟକ ହୋଇ ନଥିଲା ଦଭାସନ । ଆଉ ମଧ୍ୟ ବଳପୂର୍ବକ କାର୍ଯ୍ୟ ହାସଲ କରାଯାଇ ନଥିଲା ଦାସ, ଦୂତ କିମ୍ୱା ମୂଲିଆଙ୍କଠାରୁ । ଯେଉଁମାନଙ୍କର ଇଚ୍ଛା ଥିଲା ସେମାନେକାମ କରୁଥିଲେ ଏବଂ ଯେଉଁମାନଙ୍କର ଇଚ୍ଛା ନଥିଲା ସେମାନଙ୍କୁ କେହି ଜୋର କିମ୍ୱା ଘୃଣା କରୁ ନ ଥିଲେ । ସେ ଯଜ୍ଞ ସମାପ୍ତ ହୋଇଥିଲା ଘିଅ, ତେଲ, ଲହୁଣୀ, ମହୁ ଓ ଗୁଡ଼ଦ୍ୱାରା । ଯଜ୍ଞ ଶେଷ ହେଲାପରେ ରାଜ୍ୟର ଧନୀ ବ୍ୟକ୍ତିମାନେ ମହାରାଜ ମହାବିଜିତଙ୍କ ଦର୍ଶନାଭିଳାଷରେ ବହୁ ଉପହାରମାନ ଧରି ଆସିଲେ । ରାଜା ସେମାନଙ୍କୁ ସମ୍ୱୋଧନ କରି କହିଲେ ହେ ସଜ୍ଜନବର୍ଗ ! ଆପଣଙ୍କର ଏ ସବୁ ଉପହାର ମୋର କୌଣସି ଆବଶ୍ୟକ ନାହିଁ । ରାଜଧର୍ମାନୁଯାୟୀ ବହୁ ଧନ ରାଜକୋଷରେ ଗଚ୍ଛିତ କରି ରଖିଛି । ତାହା ତୁମରିମାନଙ୍କଠାରୁ ନେଇଥିଲି । ଯଦି ଆବଶ୍ୟକ ହୁଏ ତେବେ ତାହା ଆପଣମାନେ ସଂକୋଚବିହୀନ ଭାବେ ମୋଠାରୁ ଗ୍ରହଣ କରନ୍ତୁ । ଏହାଦ୍ୱାରା ମୁଁ ଅଧିକ ସୁଖୀ ହେବି ।

 

ଉପହାର ନେବାକୁ ରାଜା ଯେତେବେଳେ ନାସ୍ତିକଲେ ସେତେବେଳେ ସେହି ବ୍ୟକ୍ତିମାନେ ଯଜ୍ଞଶାଳା ନିକଟରେ ଧର୍ମଶାଳାମାନ ନିର୍ମାଣ କଲେ ଓ ଦରିଦ୍ରମାନଙ୍କୁ ଅର୍ଥ ଦାନ କଲେ । ଯେଉଁ ଧନୀ ବ୍ୟକ୍ତିମାନେ ନିଜକୁ ଧନାଢ଼୍ୟ କରି ତୋଳିବାକୁ କେତେ କଣ କରି ନ ଯାଇଛନ୍ତି ସେମାନେ ରାଜାଙ୍କ ଉକ୍ତିରେ ବଦଳିଗଲେ ।

 

ଗୌତମ କହିଲେ, ହେ କୂଟଦନ୍ତ ତୁମେ ଜଣେ ଜ୍ଞାନୀ ବ୍ୟକ୍ତି । ଥରେ ଚିନ୍ତାକରି ଦେଖ ଦେବତାମାନେ ଯେଉଁ ଜୀବ ସୃଷ୍ଟି କରିଛନ୍ତି ସେମାନେ କଣ ତାଙ୍କରି ରକ୍ତ ଚାହାନ୍ତି ? ଯଦି ସେ କୌଣସି ଜୀବର ରକ୍ତ ଚାହୁଁଥାନ୍ତି ତେବେ ରକ୍ତକାମୀ ଦେବତା କଣ ବିଶ୍ୱର ମଙ୍ଗଳ କରିପାରିବେ ? ଆଉ କେହି ଯଦି ଯଜ୍ଞ ପରପୀଡ଼ନରେ କରିଥାଏ, ତାର ଫଳ କଣ ସେ କେବେ ସୁଫଳଭାବେ ପାଇ ପାରିବେ ? ତୁମ ଯଜ୍ଞରେ ଯଦି ଟିକିଏ ହେଲେ ଆବିଳତା ରହିଯାଏ ତେବେ ସେହି ଟିକିଏ ଯଜ୍ଞ ଶେଷ ବେଳକୁ ବିରାଟ ଅମଙ୍ଗଳରେ ଉପନୀତ ହେବ । ବିଶ୍ୱର ମଙ୍ଗଳ ପାଇଁ ଯଜ୍ଞ ବାଞ୍ଛନୀୟ ସତ କିନ୍ତୁ ସେ ଯଜ୍ଞରେ କାହାରି ଯେପରି ଅଶାନ୍ତି ନ ଆସେ ତାହା ଯଜ୍ଞକର୍ତ୍ତା ପ୍ରଥମେ ଦେଖିବା ଉଚିତ ।

 

ଗୌତମ ବୁଦ୍ଧଙ୍କ ଉକ୍ତି କୂଟଦନ୍ତ ଏବଂ ଅନ୍ୟାନ୍ୟ ଯାଜ୍ଞିକ ବ୍ରାହ୍ମଣ ବେଶ୍ ଉପଲବ୍ଧି କଲେ-। ବୁଦ୍ଧ ଯଜ୍ଞରେ ପଶୁବଳିର ବିରୋଧ କାହିଁକି କରୁଛନ୍ତି ତାହା ମଧ୍ୟ ଜାଣିବାକୁ ତାଙ୍କର ବାକି ରହିଲା ନାହିଁ । ଆଲୋଚନା ଶେଷରେ ସେମାନେ ଯେତେବେଳେ ଉଠିଲେ ଯିବାକୁ ସେତେବେଳେ ମନେ ମନେ ସ୍ଥିର କଲେ ଯଦି କୌଣସି ଯଜ୍ଞରେ ପଶୁବଳି ଦିଆଯିବାର ବ୍ୟବସ୍ଥା ହେବ ସେମାନେ ମଧ୍ୟ ବୁଦ୍ଧଙ୍କ ଭଳି ତାର ବିରୋଧ କରିବେ ।

 

ବ୍ରାହ୍ମଣମାନେ ନୀରବରେ ଗୌତମ ବୁଦ୍ଧଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ କରି ବିଦାୟ ନେଲେ । ଖୁବ୍ ଅଳ୍ପ ସମୟ ପରେ ବୁଦ୍ଧ ଦେଖିବାକୁ ପାଇଲେ ବହୁ ଗୋରୁ ମେଣ୍ଢାଦି ପଶୁ ଖାଣୁମତ ଗ୍ରାମରୁ ବାହାରି ଆସୁଛନ୍ତି । ତାଙ୍କ ପଛରେ ଅଛନ୍ତି କିଛି ସମୟ ପୂର୍ବରୁ ତାଙ୍କ ପାଖକୁ ଆସିଥିବା ବ୍ରାହ୍ମଣମାନେ ଓ ସ୍ୱୟଂ ଯଜ୍ଞ କର୍ତ୍ତା କୂଟଦନ୍ତ ।

☆☆☆

 

ମହାମାନବ

 

ସମସ୍ତଙ୍କର ସେହି ଗୋଟିଏ କଥା, ଜାତି ମଧ୍ୟରେ ଶ୍ରେଷ୍ଠ ଜାତି ବ୍ରାହ୍ମଣ । ବ୍ରାହ୍ମଣ ବ୍ରହ୍ମ ପୁରୁଷଙ୍କ ମୁଖ ଦେଶରୁ ଜନ୍ମ—ଅନ୍ୟମାନେ ବାହୁରୁ, ଉରୁରୁ ଏବଂ ପାଦରୁ ଜନ୍ମ । ଜଣେ ବ୍ରାହ୍ମଣ ଋଗବେଦ ପୁରୁଷ ସୂକ୍ତରୁ ଗାଇ ଉଠିଲେ—

 

‘ବ୍ରାହ୍ମଣୋଽସ୍ୟ ମୁଖ ମାସୀଦ୍ ବହୁ ରାଜନ୍ୟ କୃତଃ

ଉରୁ ତଦସ୍ୟ ଯଦ୍ ବୈଶଃ ପଦ୍‍ଭ୍ୟାଂ ଶୂଦ୍ରୋଽଜାୟତ’

 

ସଙ୍ଗେସଙ୍ଗେ ଜଣେ ବୃଦ୍ଧ ବ୍ରାହ୍ମଣ ତାଙ୍କ ଶୁକ୍ଳ ସ୍ମଶୃକୁ ହଲାଇ କହି ଉଠିଲେ, ଏଥିରେ କ’ଣ ଆଉ କାହାର ଦ୍ୱିମତ ଅଛି ? ବେଦ ତ ଆମେ କରି ନାହୁଁ କି ଏବେ ତାକୁ କେହି ଲେଖିଦେଲା ନାହିଁ, ଏ ବ୍ରହ୍ମାଣ୍ଡ ଯାହା ମାନିଆସିଛି ତାକୁ କଣ ଗୌତମ ନାହିଁ କରିଦେବେ ? ଚାଲ ସମସ୍ତେ ତାଙ୍କୁ ପଚାରିବା ବେଦ ଯାହା କହୁଛି ତାହା ଠିକ୍ ନା ତୁମେ ଯାହା କହୁଛ ତାହା ଠିକ୍ ।

 

ସଙ୍ଗେ ସଙ୍ଗେ ତାଙ୍କ ସ୍ୱର ସହିତ ମିଶାଇ କହି ଉଠିଲେ ଜଣେ ପ୍ରୌଢ଼, ଗୌତମ କଣ ଭଗବାନ୍ ଯେ ତାଙ୍କ କଥା ବେଦର ଗାର ହେବ ? ଗୌତମ ଜଣେ ସାଧାରଣ ସନ୍ନ୍ୟାସୀ—କେବଳ କପିଳବାସ୍ତୁର ରାଜପୁତ୍ର ବୋଲି ରାଜାମାନ ତାଙ୍କୁ ଟେକି ଧରିଛନ୍ତି । ନ ହେଲେ କିଏ ତାଙ୍କୁ ପଚାରନ୍ତା—କି’ବା ଲୋକକି ସେ ?

 

ଅଶ୍ୱଳାୟନ କହିଲେ, ନା ନା ଆପଣମାନେ ଗୌତମଙ୍କୁ ଜଣେ ସାଧାରଣ ସନ୍ୟାସୀ ବୋଲି ଭାବନ୍ତୁ ନାହିଁ । ତାଙ୍କଭଳି ସନ୍ୟାସୀ ଆଉ କେଉଁଠି ଥିବେ କି ନା ସନ୍ଦେହ ଜଣେ ଅତି ବୃଦ୍ଧ ପଣ୍ଡିତ ସେଠାରେ ଉପସ୍ଥିତ ଥିଲେ । ସମସ୍ତେ ତାଙ୍କୁ ମଧ୍ୟ ସମ୍ମାନ କରିଥାନ୍ତି । ତାଙ୍କର ଦାନ୍ତ ନ ଥିବାରୁ ତାଙ୍କ କଥା ସ୍ପଷ୍ଟ ଭାବେ ଶୁଭିବ ନାହିଁ ବୋଲି ସେ କିଛି କହୁ ନ ଥିଲେ । ଅଶ୍ୱଳାୟନଙ୍କ କଥା ଶୁଣି ସେ କହିଲେ, ହଁ ସେ ଜଣେ ବଡ଼ ସନ୍ୟାସୀ । ଏହା ବୋଲି କଣ ଶାସ୍ତ୍ର ମତକୁ କାଟି ଦେବେ ? ଗୌତମଙ୍କ ପିତାଙ୍କୁ ମୁଁ ଜାଣେ । ସେ କେବେ ଶାସ୍ତ୍ରମତକୁ ଅବଜ୍ଞା କରୁ ନ ଥିଲେ ।

 

କିଛି ସମୟ କେହି କିଛି ଆଲୋଚନା ନ କରି ନୀରବ ରହିଲେ ବୃଦ୍ଧଙ୍କ କଥାପରେ—ଏଭଳି ସମସ୍ତେ ନୀରବ ହୋଇଗଲେ ଯେ, ସେଠାରେ ପାଞ୍ଚଶହ ବ୍ରାହ୍ମଣ ଉପସ୍ଥିତ ଥିଲେ ମଧ୍ୟ କେହି ସେଠାରେ ନ ଥିଲା ପରି ବୋଧ ହେଲା ।

 

ସେତେବେଳେ ସେହି ଶ୍ରୀବସ୍ତିରେ ଗୌତମ ବୃଦ୍ଧ ରହୁଥାନ୍ତି । ଗୌତମ ବୁଦ୍ଧଙ୍କର ପ୍ରସସ୍ଥି ଏତେ ବ୍ୟାପୀ ଯାଇଥାଏ ଯେ ସେ ଯେଉଁଠାରେ ଥାନ୍ତି ସେଠାର ନିତି ଆଲୋଚନା ସଭାମାନ ହେଉଥାଏ । ସେହି ସଭାର ଗୌତମବୁଦ୍ଧ ଧର୍ମ ବିଷୟରେ ସାଧାରଣ ଲୋକମାନଙ୍କୁ ଅତି ସରଳ ଭାବେ ଜଟିଳ ତତ୍ତ୍ୱ ବୁଝାଇ ଦେଉଥାନ୍ତି । ସେ ଯେ ବେଦକୁ ମାନୁ ନ ଥାନ୍ତି ତାହା ନୁହେଁ କିନ୍ତୁ ବେଦର ଅର୍ଥ ସେ ଅନ୍ୟ ଭାବରେ ଲୋକଙ୍କୁ ବୁଝାଇ ଦେଉଥିଲେ । ଯାହା ଶୁଣିଲା ପରେ ଭୁଲରେ କେହି ଦ୍ୱିମତ ହେଉ ନ ଥିଲେ ।

 

ବ୍ରାହ୍ମଣ ଜାତି ମଧ୍ୟରେ ଶ୍ରେଷ୍ଠ ଏହା ଗୌତମ ସ୍ୱୀକାର କରି ମଧ୍ୟ କରୁ ନ ଥିଲେ । ତାଙ୍କୁ ପ୍ରବଳ ଯୁକ୍ତିରେ ପରାସ୍ତ କରି ବ୍ରାହ୍ମଣ ଜାତି ମଧ୍ୟରେ ଶ୍ରେଷ୍ଠ ଏହା ସ୍ୱୀକାର କରାଇବା ପାଇଁ ପଣ୍ଡିତମାନେ ଏକତ୍ରୀତ ହୋଇ ଆଲୋଚନା କରୁଥିଲେ ସମସ୍ତେ ଅଶ୍ୱଳାୟନଙ୍କୁ କହୁଥିଲେ । ସମସ୍ତଙ୍କ ସହିତ ସେ ଗୌତମଙ୍କ ନିକଟକୁ ଗମନ କରି ମୁଖ୍ୟ ଆଲୋଚକ ଭାବେ ସେଠାର ଅଂଶ ଗ୍ରହଣ କରନ୍ତୁ । ମାତ୍ର ଅଶ୍ୱଳାୟନ ତାଙ୍କ କଥାରେ ଏକମତ ନ ଥିଲେ । ଅଶ୍ୱଳାୟନ ଅନେକ ଥର ଗୌତମଙ୍କୁ ପ୍ରତ୍ୟକ୍ଷ କରିଛନ୍ତି । ସେ ଜାଣିଛନ୍ତି ଗୌତମ ସାଧାରଣ ମାନବ ନୁହନ୍ତି ଯେ ପ୍ରବଳ ଯୁକ୍ତିତର୍କ ସ୍ରୋତରେ ତାଙ୍କୁ ଭସାଇ ନେଇ ତାଙ୍କ ମତକୁ ଖଣ୍ଡନ କରିଦେଇ ହେବ ।

 

ନିର୍ଘଣ୍ଟୁ, ଛନ୍ଦଃଶାସ୍ତ୍ର, ବେଦାଙ୍ଗ ସହିତ ଚାରି ବେଦ ଅଶ୍ୱଳାୟନ କଣ୍ଠସ୍ଥ କରିଥାନ୍ତି । ଆଉ କୌଣସି ଶାସ୍ତ୍ର ବାକି ନ ଥାଏ ଯାହାକି ଅଶ୍ୱଳାୟନ ଜାଣି ନ ଥାନ୍ତି । ସେତେବେଳେ ଅଶ୍ୱଳାୟନଙ୍କୁ ସର୍ବ ଶାସ୍ତ୍ରଜ୍ଞ ବୋଲି ସମସ୍ତେ ଭାବୁଥାନ୍ତି । ପ୍ରକୃତରେ ଆଉ କୌଣସି ଶାସ୍ତ୍ର ନ ଥାଏ ଯାହାକି ଅଶ୍ୱଳାୟନ ସେ ବିଷୟରେ ଅଜ୍ଞ ଥିଲେ । ସବୁ ଶାସ୍ତ୍ର ଅଧ୍ୟୟନ କରିଥିଲେ ମଧ୍ୟ ଗୌତମଙ୍କ ଉପସ୍ଥିତିରେ କୌଣସି ଯୁକ୍ତି ତର୍କ କରିବାକୁ ଅଶ୍ୱଳାୟନ ମୋଟେ ପ୍ରସ୍ତୁତ ହେଉ ନ ଥିଲେ ।

 

ଅଶ୍ୱଳାୟନ ସ୍ପଷ୍ଟ କହିଦେଲେ, ମୁଁ ବେଦ ବେଦାନ୍ତାଦିରେ ଯଥେଷ୍ଟଜ୍ଞାନ ଅର୍ଜନ କରିଥିଲେ ମଧ୍ୟ ଗୌତମଙ୍କ ସହିତ ବିବାଦ କରିବା ପାଇଁ ସମର୍ଥ ନୁହେଁ । କାରଣ ଗୌତମଙ୍କ ସହିତ ଶାସ୍ତ୍ରଚର୍ଚ୍ଚା କରିବା ବଡ଼ ଦୁଃସାଧ୍ୟ । ଶାସ୍ତ୍ରରେ ଲିଖିତ ଥିବା ପ୍ରବଳ ଯୁକ୍ତିକୁ ଏଡ଼ାଇ ଦେଇ ନୂତନ ତଥ୍ୟ ଜଗତ୍ ସମ୍ମୁଖରେ ଉପସ୍ଥାପିତ କରିବା ଗୌତମଙ୍କ ପକ୍ଷରେ କଷ୍ଟ ନୁହେଁ । ତେଣୁ ଗୌତମ ଧର୍ମବାଦୀ ।

 

ଏ ବିଷୟରେ ବହୁ ସମୟ ଯୁକ୍ତିତର୍କ ହେଲା । ଅଶ୍ୱଳାୟନଙ୍କୁ ଛାଡ଼ିଦେଲେ ପ୍ରକୃତ ତାଙ୍କ ଭଳି ଆଉ ଜଣେ ସର୍ବଶାସ୍ତ୍ରଜ୍ଞଙ୍କୁ କେହି ନିର୍ବାଚନ କରିବାକୁ ସକ୍ଷମ ହେଲେ ନାହିଁ । ବହୁ ପଣ୍ଡିତ ସେଠାରେ ଥିଲେ ମଧ୍ୟ ଅଶ୍ୱଳାୟନଙ୍କ ପରି ସେପରି କେହି ବିଜ୍ଞ ବ୍ୟକ୍ତି ଯେ କି ଶାସ୍ତ୍ରର ନିଗୂଢ଼ ତଥ୍ୟ ପରିବେଷଣ କରି ଗୌତମଙ୍କ ଭଳି ଜଣେ ମହାନ୍ ବ୍ୟକ୍ତିଙ୍କୁ ପରାସ୍ତ କରିପାରିବ ସେଭଳି କେହି ନ ଥିଲେ । ଦେଶର ବିଭିନ୍ନ ପ୍ରାନ୍ତରରୁ ଏଥିପାଇଁ ବଛା ବଛା ବହୁ ପଣ୍ଡିତ ଆସିଥାନ୍ତି କିନ୍ତୁ ଅଶ୍ୱଳାୟନ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ପଣ୍ଡିତ ବୋଲି ବିବେଚିତ ହେଉଥିଲେ ।

 

ଶେଷରେ ବହୁ କଣ୍ଠ ଏକ ସ୍ୱରରେ କହି କହିଉଠିଲେ, ହେ ଅଶ୍ୱଳାୟନ ! ତୁମେ ପରିବ୍ରାଜକ ଧର୍ମ ମଧ୍ୟ ଅଧ୍ୟୟନ କରିଛ । ଏ କ୍ଷେତ୍ରରେ ତୁମ ଶକ୍ତିର ପରୀକ୍ଷା ଦେବା ଉଚିତ । ଏହାଦ୍ୱାରା ତୁମର ବ୍ୟକ୍ତିତ୍ୱ ତଥା ମଧ୍ୟ ଶ୍ରେଷ୍ଠତ୍ୱ ପ୍ରତିପାଦିତ ହେବ ।

 

ଅଶ୍ୱଳାୟନ ଶୁଖିଲା ହସଟିଏ ମୁହଁରେ ଫୁଟାଇ କହିଲେ, ମହାଜ୍ଞାନୀ ଗୌତମଙ୍କ ସହିତ ଯୁକ୍ତିତର୍କ କରିବା ସହଜ କଥା ନୁହେଁ । ତଥାପି ଆପଣମାନଙ୍କ ମନରେ ଯେତେବେଳେ ଆଗ୍ରହ ଜନ୍ମିଛି ସେତେବେଳେ ଆପଣମାନଙ୍କ ସହିତ ଗୌତମଙ୍କ ନିକଟକୁ ଗମନ କରିବାରେ ମୋର ଆପତ୍ତି ନାହିଁ । କିନ୍ତୁ ପରିଣାମ ପାଇଁ ମୁଁ ଦାୟୀ ନୁହେଁ । ଅଶ୍ୱଳାୟନଙ୍କର ଏତିକି କଥାହିଁ ଉପସ୍ଥିତ ପଣ୍ଡିତ ସମାଜଙ୍କ ପାଖରେ ଥିଲା ଯଥେଷ୍ଟ । ଥରେ ଗୌତମଙ୍କ ସହିତ ଅଶ୍ୱଳାୟନ ଯୁକ୍ତିତର୍କରେ ମାତିଗଲେ ସେ ନିଶ୍ଚୟ ଗୌତମଙ୍କୁ ପରାସ୍ତ କରିଦେବେ ଏହା ଥାଏ ଉପଗତ ବ୍ରାହ୍ମଣ ସମାଜର ଅନ୍ତରର ମତ ।

 

ସେତେବେଳେ ଗୌତମ ରହୁଥାନ୍ତି ‘ଅନାଥ ପିଣ୍ଡକ’ ଉପବନରେ । ବ୍ରାହ୍ମଣମାନେ ଅଶ୍ୱଳାୟନଙ୍କୁ ସଙ୍ଗରେ ଧରି ସେହିଠାରେ ଉପସ୍ଥିତ ହେଲେ । ସେତେବେଳେ ଗୌତମ ଶିଷ୍ୟମାନଙ୍କ ସହିତ ଶାସ୍ତ୍ରାଲୋଚନାରେ ରତ । ଜ୍ଞାନୀ ଗୌତମ କୌଣସି ବିଷୟ ବ୍ୟାଖ୍ୟା କଲାବେଳେ ଶିଷ୍ୟମାନେ ତାହାକୁ ଭଲଭାବେ ବୁଝିବା ପାଇଁ ଯେଉଁ ପ୍ରଶ୍ନ କରିଥାନ୍ତି ଏବଂ ଗୌତମ ସେହି ପ୍ରଶ୍ନଗୁଡ଼ିକର ଯେଉଁ ସାରଭାବଗର୍ଭକ ଉତ୍ତର ଦେଉଥାନ୍ତି ତାହା ଉପସ୍ଥିତ ସୁଧି ସମାଜର ବେଶ ଉପଭୋଗ୍ୟ ହେଉଥାଏ । ଏହି ସମୟରେ ବ୍ରାହ୍ମଣମାନେ ସେଠାରେ ଉପସ୍ଥିତ ପୂର୍ବକ ଗୌତମଙ୍କୁ କୁଶଳ ପ୍ରଶ୍ନାଦି କରି ତାଙ୍କ ସମ୍ମୁଖର ଏକ ପାର୍ଶ୍ୱରେ ବସିଗଲେ ।

 

ସମସ୍ତେ ଆସନ ଗ୍ରହଣ କଲାପରେ ଅଶ୍ୱଳାୟନ ବିନୟ ସହକାରେ କହିଲେ, ହେ ଗୌତମ ! ବ୍ରାହ୍ମଣମାନେ କହନ୍ତି ବ୍ରାହ୍ମଣ ବର୍ଣ୍ଣ ହେଉଛି ଶ୍ରେଷ୍ଠ ଆଉ ଅନ୍ୟମାନେ ହୀନବର୍ଣ୍ଣ । ବ୍ରାହ୍ମଣ ବର୍ଣ୍ଣ ଶୁକ୍ଳ ଓ ଅନ୍ୟ ବର୍ଣ୍ଣମାନେ କୃଷ୍ଣ । ଶାସ୍ତ୍ର ମତରେ କେବଳ ବ୍ରାହ୍ମଣମାନଙ୍କୁ ମୁକ୍ତି ମିଳିଥାଏ, ଅନ୍ୟମାନଙ୍କୁ ନୁହେଁ । ବ୍ରାହ୍ମଣମାନେ ଉତ୍ପନ୍ନ ହୋଇଛନ୍ତି ବ୍ରହ୍ମଦେବଙ୍କ ମୁଖରୁ ଏବଂ ସେମାନେ ହିଁ କେବଳ ତାଙ୍କ ଔରସ ପୁତ୍ର, ତେଣୁ ସେମାନେ ହେଉଛନ୍ତି ବ୍ରହ୍ମଦେବଙ୍କ ଦାୟାଦ । ହେ ଗୌତମ ଏ ବିଷୟରେ ଆପଣଙ୍କ ମତ କ’ଣ ?

 

ଗୌତମ କହିଲେ, ହେ ଅଶ୍ୱଳାୟନ ! ବ୍ରାହ୍ମଣମାନଙ୍କ ସ୍ତ୍ରୀମାନେ ଋତୁମତି ହେଉଛନ୍ତି, ଗର୍ଭବତୀ ହେଉଛନ୍ତି, ସନ୍ତାନ ଜନ୍ମ କରୁଛନ୍ତି ଓ ସେମାନଙ୍କୁ ସ୍ତନ୍ୟ ମଧ୍ୟ ଦେଉଛନ୍ତି । ଅନ୍ୟାନ୍ୟ ବର୍ଣ୍ଣଙ୍କ ପରି ଯଦି ବ୍ରାହ୍ମଣ ସନ୍ତାନ ମାତୃଗର୍ଭରୁ ଜନ୍ମ ହେବା ସତ୍ତ୍ୱେ ବ୍ରାହ୍ମଣମାନେ କହିବେ ସେମାନେ ବ୍ରହ୍ମଦେବଙ୍କ ମୁଖରୁ ଉତ୍ପନ୍ନ, ତେବେ ଏହା କଣ ଗୋଟାଏ ଅଦ୍ଭୁତ କଥା ନୁହେଁ କି ? ଏହିଭଳି ଅଦ୍ଭୁତକଥା ଯେଉଁ ଶାସ୍ତ୍ରରେ ଲିପିବଦ୍ଧ ହୋଇଛି ସେ ଶାସ୍ତ୍ର କଣ ଏକ ଅଦ୍ଭୁତ ଶାସ୍ତ୍ର ନୁହେଁ କି ?

 

ଗୌତମଙ୍କ ଯୁକ୍ତି କେବଳ ଅଶ୍ୱଳାୟନ କାହିଁକି ଉପସ୍ଥିତ ସମସ୍ତ ବ୍ରାହ୍ମଣଙ୍କ ପଠିତ ଯୁକ୍ତି ଶାସ୍ତ୍ରକୁ ପରାଭୂତ କରିଦେଲା । ପ୍ରକୃତ ବ୍ରାହ୍ମଣ ଜନ୍ମଗତ ଅଧିକାରରୁ ହୁଏ ନାହିଁ । ବ୍ରହ୍ମ କି ବସ୍ତୁ ତାହା ଅନୁଭୂତ ନହେଲେ ବ୍ରାହ୍ମଣର ସନ୍ତାନ ହେଲେ ମଧ୍ୟ ବ୍ରାହ୍ମଣ ହୋଇପାରିବ ନାହିଁ । ତଥାପି ଅଶ୍ୱଳାୟନ କହିଲେ, ହେ ଗୌତମ ! ଆପଣଙ୍କର ଯାହା ଇଚ୍ଛା ତାହା କହିପାରନ୍ତି କିନ୍ତୁ ବ୍ରାହ୍ମଣଙ୍କର ଏହା ଦୃଢ଼ ବିଶ୍ୱାସ ଯେ ସେମାନେ ହେଉଛନ୍ତି ବ୍ରହ୍ମଦେବଙ୍କ ଦାୟାଦ ।

 

ଗୌତମ କହିଲେ ହେ ଅଶ୍ୱଳାୟନ ! ଯୌନ, କାମ୍ୱୋଜ ପ୍ରଭୃତି ସମ୍ଭ୍ରାନ୍ତ ପ୍ରଦେଶରେ ଆର୍ଯ୍ୟ ଓ ଦାସ ଦୁଇଟି ଜାତି ଅଛନ୍ତି । ପୁଣି କେବେ କେବେ ଆର୍ଯ୍ୟମାନେ ଦାସ ଓ ଦାସମାନେ ମଧ୍ୟ ଆର୍ଯ୍ୟ ହେଉଛନ୍ତି । ତୁମେ କଣ ଏହିକଥା ଶୁଣିନାହିଁ ?

 

ଅଶ୍ୱଳାୟନ କହିଲେ, ଆଜ୍ଞା ହଁ ମୁଁ ଏହିକଥା ଶୁଣିଛି ।

 

ଗୌତମ ଟିକିଏ ହସି କହିଲେ, ଯଦି ଏପରି ହେଊଥାଏ, ତେବେ ବ୍ରହ୍ମଦେବ କେବଳ ବ୍ରାହ୍ମଣଙ୍କୁ ନିଜ ମୁଖରୁ ଜାତ କରାଇଛନ୍ତି ଏବଂ ସବୁ ଜାତି ମଧ୍ୟରେ ସେମାନେ ପ୍ରକୃତ ଶ୍ରେଷ୍ଠ ବୋଲି କହିବାରେ କେଉଁ ଯୁକ୍ତି ନିହିତ ଅଛି ?

 

ଗୌତମଙ୍କ କଥାର ଉତ୍ତର ଦେବାକୁ ଯାଇ ଅଶ୍ୱଳାୟନ କହିଲେ, ଆପଣ ଯାହା କହିବାର କୁହନ୍ତୁ ପଛକେ ବ୍ରାହ୍ମଣମାନଙ୍କର ଏହା ଦୃଢ଼ ବିଶ୍ୱାସ ଯେ କେବଳ ବ୍ରାହ୍ମଣହିଁ ବର୍ଣ୍ଣ ମଧ୍ୟରେ ଶ୍ରେଷ୍ଠ ଓ ଅନ୍ୟ ବର୍ଣ୍ଣମାନେ ହେଉଛନ୍ତି ହୀନ ।

 

ଟିକିଏ ଆଶ୍ଚର୍ଯ୍ୟ ହୋଇ ଗୌତମ କହିଲେ, ତୁମେ କଣ ଏହିଭଳି ଭାବୁଛ କି—ଯଦି କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ର, ହତ୍ୟା, ବ୍ୟଭିଚାର, ଅସତ୍ୟ ଭାଷଣ, ଚୁଗୁଲି ଗାଳି, ଗୁଳଜ ବୃଥାପ୍ରଳାପ କରନ୍ତି, ପରଧନ ହରଣ କରନ୍ତି, ଦ୍ୱେଷଭାବ ବଢ଼ାନ୍ତି, ନାସ୍ତିକତାଦି ପୋଷଣ କରନ୍ତି ତେବେ ଦେହତ୍ୟାଗ ପରେ କେବଳ ସେହିମାନେ ନରକ ଗମନ କରିବେ ଏବଂ ଯଦି ବ୍ରାହ୍ମଣମାନେ ସେହିସବୁ କାର୍ଯ୍ୟ କରିଥାନ୍ତି ତେବେ ସେମାନେ ନରକରେ ପଡ଼ିବେ ନାହିଁ ?

 

ଗୌତମଙ୍କର ଏଭଳି ଯୁକ୍ତିକୁ ଅଶ୍ୱଳାୟନ ଅସମ୍ମାନ କରିପାରିଲେ ନାହିଁ । ସେ କହିଲେ, ହେ ଗୌତମ ! ଯେ କୌଣସି ବର୍ଣ୍ଣର ଲୋକ ଯଦି ଏହି ପାପ କରନ୍ତି, ତେବେ ମରିବା ପରେ ସେମାନେ ନରକରେ ନିଶ୍ଚୟ ପଡ଼ିବେ । ବ୍ରାହ୍ମଣ ହୁଅନ୍ତୁ ବା ଅବ୍ରାହ୍ମଣ ହୁଅନ୍ତୁ, ପ୍ରତ୍ୟେକଙ୍କୁ ନିଜ ନିଜର କର୍ମଫଳ ଭୋଗ କରିବାକୁ ପଡ଼ିବ ।

 

ଏହି ପଞ୍ଚଶତ ବ୍ରାହ୍ମଣଙ୍କ ବ୍ୟତୀତ ବହୁ ଶ୍ରମଣ ବହୁ ସାଧାରଣ ଲୋକ ସେଠାରେ ଉପବେଶନ କରିଥାନ୍ତି । ପ୍ରତ୍ୟେକ ମନଯୋଗ ସହକାରେ ଶୁଣୁଥାନ୍ତି ଉଭୟଙ୍କର କଥୋପକଥନକୁ-। କେହି ଭୁଲରେ ବି କାଶୁ ନଥାଏ କି ହସୁ ନଥାଏ ।

 

ଗୌତମ ଗମ୍ଭୀର ହୋଇ କହିଲେ, ତୁମେ କଣ ଭାବୁଛ ଯେ, ଯଦି କୌଣସି ବ୍ରାହ୍ମଣ ପ୍ରାଣଘାତରୁ ନିବୃତ ରହେ, ଚୋରୀ, ବ୍ୟଭିଚାର, ଅସତ୍ୟ ଭାଷଣ ଚୁଗୁଲି, ଗାଳିଗୁଲଜ, ବୃଥା ପ୍ରଳାପ, ପରଧନେ ଲୋଭ, ଦ୍ୱେଷ ଏବଂ ନାସ୍ତିକତା ନାମକ ଦଶପାପର ନିବୃତ୍ତ ରହେ ତେବେ କେବଳ ସେହି ବ୍ରାହ୍ମଣ ସ୍ୱର୍ଗକୁ ଯିବ ଏବଂ ଏସବୁ ପାପ ନ କରୁଥିବା ଅନ୍ୟ ବର୍ଣ୍ଣର ଲୋକ ସ୍ୱର୍ଗକୁ ଯିବ ନାହିଁ ?

 

ଏହି ଉକ୍ତିରେ ସମ୍ମତି ପ୍ରକାଶ କରି ଅଶ୍ୱଳାୟନ କହିଲେ, ଯେ କୌଣସି ବର୍ଣ୍ଣର ଲୋକ ଏହି ପାପରୁ ଯଦି ନିବୃତ ରହେ, ତେବେ ସେ ନିଷ୍ପାପ ହୋଇ ସ୍ୱର୍ଗଗମନ କରିବ । ପୁଣ୍ୟାଚାରଣର ଫଳ ବ୍ରାହ୍ମଣ ଅବ୍ରାହ୍ମଣ ଦୁହିଁଙ୍କୁ ସମାନ ଭାବରେ ମିଳିଥାଏ ।

ତେବେ ତୁମେ କଣ ମନେ କରୁଛକି, ଏହି ପ୍ରଦେଶରେ କେବଳ ବ୍ରାହ୍ମଣ ଦ୍ୱେଷ ବୈରଭାବ ଶୂନ୍ୟ ମୈତ୍ରୀଭାବନା କରିପାରେ—ଆଉ କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ର ସେହି ଭାବନା କରିପାରିବେ ନାହିଁ ।

ପଣ୍ଡିତ ଅଶ୍ୱଳାୟନ ବିନୀତ ସହକାରେ କହିଲେ, ଚାରିବର୍ଣ୍ଣଯାକ ସେହି ମୈତ୍ରୀଭାବନା କରିପାରନ୍ତି ।

ଯଦି ଚାରିବର୍ଣ୍ଣଯାକ ମୈତ୍ରୀଭାବନା କରିପାରନ୍ତି, ତାହା ହେଲେ ବ୍ରାହ୍ମଣ ଶ୍ରେଷ୍ଠ ବର୍ଣ୍ଣର ଏବଂ ଅନ୍ୟ ବର୍ଣ୍ଣମାନେ ହୀନ ବୋଲି କହିବାରେ କି ଯୁକ୍ତି ଅଛି ? ଗୌତମ କହିଲେ ।

ମାତ୍ର ପୂନର୍ବାର ଅଶ୍ୱଳାୟନ ସେହି ପୁରୁଣା କଥାର ଦୁଆ ଉଠାଇ କହିଲେ ଆପଣ ଯାହା କହନ୍ତୁ ପଛକେ, ଏକଥା ପୂରାପୂରି ସତ ଯେ ବ୍ରାହ୍ମଣ ନିଜକୁ ଶ୍ରେଷ୍ଠ ବୋଲି ମନେକରେ । ଅନ୍ୟମାନଙ୍କୁ ତାହାଠାରୁ ହୀନ ବୋଲି ଭାବିଥାଏ ।

ଗୌତମ କଥାଟି ଆହୁରି ଟିକିଏ ବୁଝାଇବାକୁ ଯାଇ କହିଲେ, ହେ ଅଶ୍ୱଳାୟନ ! କୌଣସି ରାଜଚକ୍ରବର୍ତ୍ତୀ ଯଦି ସବୁ ଜାତିର ଶହେ ପୁରୁଷଙ୍କୁ ଏକାଠି କରନ୍ତି ଓ ସେମାନଙ୍କ ମଧ୍ୟରୁ ବ୍ରାହ୍ମଣ, କ୍ଷତ୍ରିୟ କିମ୍ୱା ରାଜକୁଳୋଦ୍ଭବ ଲୋକଙ୍କୁ କହନ୍ତି, ହଇହେ ଏଠାକୁ ଆସ ଏବଂ ଶାଳ ବା ଚନ୍ଦନ ପରି ଉତ୍ତର ବୃକ୍ଷର ଉତ୍ତରଣି ନେଇ ଅଗ୍ନିଜାତ କରାଅ । ପୁଣି ଅନ୍ୟଆଡ଼େ ଚଣ୍ଡାଳ, ନିଷାଦହୀନ କୁଳର ଲୋକଙ୍କୁ ଯଦି ଡାକି କହନ୍ତି ହଇହେ ଇଆଡ଼କୁ ଆସ—କୁକୁରକୁ ଖାଇବାକୁ ଦିଆଯାଉଥିବା ପାତ୍ରରେ ବା ଘୁଷୁରିକୁ ଆହାର ଦିଆଯାଉଥିବା ପାତ୍ରରେ ଅଥବା ତନ୍ତୀର ରଙ୍ଗଦିଆ ପାତ୍ରରେ–ଗବ କାଠର ଉତ୍ତରାରଣିରେ ନିଆଁ ବାହାର କର, ତାହାହେଲେ ହେ ଅଶ୍ୱଳାୟନ ତୁମ୍ଭେ କଣ ମନେ କରିବ ଯେ ଉତ୍ତମ ଅରଣିରୁ ଉତ୍ପନ୍ନ ଅଗ୍ନି ଭାସ୍ୱର ଓ ତେଜିୟାନ ହେବ ଆଉ ଅନ୍ୟ ଅରଣିରୁ ଉତ୍ପନ୍ନ ଅଗ୍ନି କେବେ ସେପରି ହୋଇପାରିବ ନାହିଁ—ଏହି ଅଗ୍ନିରେ ମଧ୍ୟ ଦହନ କାର୍ଯ୍ୟ ସମ୍ପାଦନ କରିବା କଷ୍ଟକର ହେବ ?

ଅଶ୍ୱଳାୟନ କହିଲେ, ଯେ କୌଣସି ବର୍ଣ୍ଣର ବ୍ୟକ୍ତି ଉତ୍ତମ ବା ଅଧମକାଠର ଉତ୍ତରାରଣି ପ୍ରସ୍ତୁତ କରି ଯେ କୌଣସି ସ୍ଥାନରେ ଅଗ୍ନି ଉତ୍ପାଦନ କରୁନା କାହିଁକି ତାହା ସମାନ ଭାବରେ ଭାସ୍ୱର ହେବ ଏବଂ ଅଗ୍ନିର ଯେ କୌଣସି କାର୍ଯ୍ୟ ସେହି ଅଗ୍ନିରେ ସମ୍ପାଦନ ହୋଇପାରିବ-

ଗୌତମ ଆଉ ଏକ ଯୁକ୍ତି ଦର୍ଶାଇ କହିଲେ, ଯଦି କୌଣସି କ୍ଷତ୍ରିୟ କୌଣସି ବ୍ରାହ୍ମଣ କନ୍ୟା ସହିତ ଦୈହିକ ସମ୍ବନ୍ଧ ରଖେ ଓ ତାହା ଫଳରେ ତାଙ୍କର ପୁତ୍ର ଜାତହୁଏ ତେବେ ସେ ତାର ପିତା ମାତାଙ୍କ ସଦୃଶ ଜଣେ ମଣିଷ ହେବନାହିଁ ? ପୁଣି କୌଣସି ବ୍ରାହ୍ମଣ କୁମାର ଯଦି କୌଣସି କ୍ଷତ୍ରିୟ କନ୍ୟାକୁ ବିବାହ କରେ ଓ ତାଙ୍କର ପୁତ୍ର ଜାତ ହୁଏ, ତେବେ ତୁମେ କଣ ମନେ କରିବ ସେହି ସନ୍ତାନ ପିତା ମାତାଙ୍କ ପରି ନ ହୋଇ ଅନ୍ୟ ପ୍ରକାର ହେବ ?

ଏ ପ୍ରକାର ମିଶ୍ରିତ ବିବାହରୁ ଜାତ ହେବା ସନ୍ତାନ ତାର ପିତାମାତାଙ୍କ ପରି ହିଁ ହେବ । ତାକୁ ଆମେ ବ୍ରାହ୍ମଣ କହିପାରୁ କିମ୍ୱା କ୍ଷତ୍ରିୟ ମଧ୍ୟ କହିପାରୁ ।

କିନ୍ତୁ ହେ ଅଶ୍ୱଳାୟନ ! କୌଣସି ଘୋଡ଼ାର ଓ ଗଧର ଶରୀର ସମ୍ପର୍କରୁ ଯେଉଁ ପିଲା ଜନ୍ମ ହେବ ତାକୁ କଣ ଆମେ ତାର ବାପ ମାଙ୍କ ଭଳି କହି ପାରିବା କି ? ତାକୁ ଆମେ ଘୋଡ଼ା କହିବା ନା ଗଧ କହିବା ?

ଅଶ୍ୱଳାୟନ ମୁଣ୍ଡ ହଲାଇ କହିଲେ ନା, ତାକୁ ଘୋଡ଼ା କିମ୍ୱା ଗଧ କୁହାଯାଇ ପାରିବ ନାହିଁ । ସେ ହେବ ଏକ ଭିନ୍ନ ପ୍ରକାର ପ୍ରାଣୀ । ତାକୁ ଆମେ ଖେଚର ନାମରେ ଅଭିହିତ କରିଥାଉ । କିନ୍ତୁ ବ୍ରାହ୍ମଣ ଏବଂ କ୍ଷତ୍ରିୟଠାରୁ ଉତ୍ପନ ଶିଶୁଠାରେ ଏହା ପ୍ରଯୁଜ୍ୟ ନୁହେଁ ।

 

ହେ ଅଶ୍ୱଳାୟନ ! ବ୍ରାହ୍ମଣ ଦୁଇଭାଇଙ୍କ ମଧ୍ୟରୁ ଜଣେ ଶିକ୍ଷିତ ଓ ବେଦଧ୍ୟାୟୀ । ଅନ୍ୟ ଜଣେ ଅଶିକ୍ଷିତ । ଶ୍ରାଦ୍ଧ ତଥା ଯଜ୍ଞ କାର୍ଯ୍ୟରେ ଆମେ କେଉଁ ଭାଇଙ୍କୁ ନିମନ୍ତ୍ରଣ କରିବା ?

 

ଶିକ୍ଷିତ ପୁତ୍ରଙ୍କୁ ନିମନ୍ତ୍ରଣ କରିବା ବିଧେୟ, ଅଶ୍ୱଳାୟନ କହିଲେ ।

 

ମନେକର ଦୁଇଭାଇଙ୍କ ମଧ୍ୟରୁ ଜଣେ ବଡ଼ ପଣ୍ଡିତ ଅଥଚ ଦୂରାଚାରି । ଅନ୍ୟ ଭାଇଟି ବିଦ୍ୱାନ ନୁହେଁ କିନ୍ତୁ ସୁଶୀଳ । ଏହି ଦୁଇଭାଇଙ୍କ ମଧ୍ୟରୁ ତୁମେ କାହାକୁ ନିମନ୍ତ୍ରଣ କରିବ ।

 

ଯେ ଶୀଳବାନ ତାକୁହିଁ ପ୍ରଥମେ ନିମନ୍ତ୍ରଣ ଦିଆଯିବ । ଦୂରାଚାରି ଲୋକକୁ ଦାନ ଦେଲେ ସେ କଣ ଫଳପ୍ରଦ ହୋଇପାରିବ ?

 

ଜ୍ଞାନୀ ଗୌତମ କହିଲେ ହେ ଅଶ୍ୱଳାୟନ ! ପ୍ରଥମେ ତୁମେ ଜାତି ଉପରେ ଗୁରୁତ୍ୱ ଦେଉଥିଲ । ବର୍ତ୍ତମାନ ପୁଣି ବେଦପାଠ ଏବଂ ଶୀଳତା ଉପରେ ଗୁରୁତ୍ୱ ଦେଉଛ । ଅର୍ଥାତ୍ ଯେଉଁ ଋତୁବର୍ଣ୍ଣ୍ୟ ଶୁଦ୍ଧି କଥା ମୁଁ କହୁଛି ତୁମେ ତାକୁ ପୂରାପୂରି ମାନିଗଲ ।

 

ଗୌତମଙ୍କ କଥାର କୌଣସି ଉତ୍ତର ଦେବାପାଇଁ ଅଶ୍ୱଳାୟନ ବୁଦ୍ଧି ପାଇଲେ ନାହିଁ । ସେ ତୁନି ହୋଇ ବସିଗଲେ । ଅନ୍ୟାନ୍ୟ ବ୍ରାହ୍ମଣମାନେ ଆଉ କଣ କହିବେ ଠିକ୍ କରିପାରିଲେ ନାହିଁ-। ସେମାନେ ଉପଲବ୍ଧି କଲେ ପ୍ରଥମେ ଅଶ୍ୱଳାୟନ କାହିଁକି ଗୌତମଙ୍କ ସହିତ ଯୁକ୍ତିତର୍କ କରିବା ପାଇଁ ରାଜି ହେଉ ନ ଥିଲେ । ସାଧାରଣ ସନ୍ୟାସୀଙ୍କ ଭଳି ଗୌତମ କେବେ ନୁହନ୍ତି ଶାସ୍ତ୍ରର ବହୁ ଊର୍ଦ୍ଧ୍ୱରେ ତାଙ୍କ ଦୃଷ୍ଟି । ନୂତନ ଶାସ୍ତ୍ର ସୃଷ୍ଟ କରିବା ତାଙ୍କ ପକ୍ଷେ ବିଚିତ୍ର ନୁହେଁ । ତେଣୁ ସମସ୍ତେ ତାଙ୍କୁ ବୁଦ୍ଧ ବୋଲି ଜ୍ଞାନ କରୁଛନ୍ତି । ଏହିଭଳି ଏକ ମହାନ୍ ବ୍ୟକ୍ତିଙ୍କ ସହିତ କେବଳ ଜ୍ଞାନ ଆହାରଣ ପାଇଁ ଯୁକ୍ତି କରାଯାଇପାରେ ।

 

ଅନାଥପିଣ୍ଡକ ଉପବନ ନିରବ ନିସ୍ତବ୍ଦ । ବୃକ୍ଷ ଉପରେ ପକ୍ଷୀ ମଧ୍ୟ ସ୍ଥାଣୁ ଭଳି ବସିରହିଛି ।

 

ଭାଙ୍ଗିଯାଇଛି ବ୍ରାହ୍ମଣମାନଙ୍କର ଜାତି ଅହମିକା । ମହାସାଗରର ଜଳକୁ କାତଦ୍ୱାରା ଗଭୀରତା ମାପିଲା ଭଳି ତାଙ୍କର ଅବସ୍ଥା ହୋଇଛି । ଆପେ ଆପେ ସଙ୍କୁଚିତ ହୋଇ ଯାଉଛନ୍ତି ସେମାନେ । ଏହି ସମୟରେ ଅଶ୍ୱଳାୟନ କରଯୋଡ଼ି ଗାଇଉଠିଲେ–

 

ବୁଦ୍ଧଂ ଶରଣଂ ଗଚ୍ଛାମି

☆☆☆

 

ନିର୍ବାସିତ

 

ମହାରାଜ ଅରୁଣ ସିଂହାସନ ଉପରେ ଉପବେଶନ କରିଛନ୍ତି । ତାଙ୍କ ସମ୍ମୁଖ ଭାଗରେ ବସିଛନ୍ତି ସଭାସଦଗଣ । ସଭା କାର୍ଯ୍ୟ ଆରମ୍ଭ ପ୍ରାୟ । ବେଳେ ବେଳେ ବୟସ୍ୟ ଶ୍ରାବଣ ଆକାଶ ପରି ଗମ୍ଭୀର ସଭା ମଣ୍ଡପକୁ ହାସ୍ୟରୋଳରେ ମୁଖରିତ କରାଇ ଦେଉଛନ୍ତି; କିନ୍ତୁ ମହାରାଜ ଗମ୍ଭୀର-। ହାସ୍ୟରସିକ ପାରିଷଦଙ୍କ କଥା ତାଙ୍କ କର୍ଣ୍ଣରେ ବାଜି ଫେରିଯାଉଛି । ଭିତରେ ପ୍ରବେଶ କରି ମନକୁ ହାସ୍ୟରସରେ ଆପ୍ଳୁତ କରିବା ଶକ୍ତି ତା’ର ନାହିଁ ଯେପରି ।

 

ହଠାତ୍ ବାହାରୁ କାହାର କରୁଣ୍ୟ କଣ୍ଠସ୍ୱର ଭାସିଆସିଲା । ଉଚ୍ଚ ହାସ୍ୟରୋଳ ଅତିକ୍ରମ କରି ଏକ କ୍ଷୀଣସ୍ୱର ମହାରାଜଙ୍କ କର୍ଣ୍ଣ ମଧ୍ୟରେ ପ୍ରବେଶ କଲା ।

 

ବଡ଼ ଉଦ୍‍ବିଘ୍ନ ହୋଇଉଠିଲେ ମହାରାଜ ‘ଅରୁଣ’ ।

 

ହଠାତ୍ ବନ୍ଦ ହୋଇଗଲା ହାସ୍ୟରୋଳ, ମହାରାଜଙ୍କ ଉଦ୍‍ବିଘ୍ନତା ଦେଖି ।

 

ଅବାରିତ ରାଜଦ୍ୱାର । ଯେ କେହି ବିନା ବାଧାରେ ତା’ର ଅଭାବ ଅସୁବିଧା ବ୍ୟକ୍ତ କରିପାରେ । ବିଚାରରେ ପକ୍ଷପାତିତା ନାହିଁ । ରାଜଦଣ୍ଡ ସମସ୍ତଙ୍କ ପାଇଁ ସମାନ । ରାଜପୁତ୍ର ମଧ୍ୟ ଦୋଷୀ ବୋଲି ସାବ୍ୟସ୍ତ ହେଲେ ସାଧାରଣ ଲୋକ ଭଳି ସେ ଦଣ୍ଡରୁ କ୍ଷାନ୍ତ ହେବ ନାହିଁ ।

 

ଅଳ୍ପ ସମୟ ପରେ ଦ୍ୱାରୀ ପ୍ରବେଶ କରି ଅଭିବାଦନ ଜ୍ଞାପନ କଲା । ରାଜଦ୍ୱାରରେ ଜଣେ ବ୍ରାହ୍ମଣ ବିଚାର ପାଇଁ ଉପଗତ । ତା’ର ସର୍ବନାଶ ହୋଇଛି ।

 

ସଙ୍ଗେ ସଙ୍ଗେ ରାଜାଦେଶ ହେଲା ସସମ୍ମାନେ ତାଙ୍କୁ ଘେନିଆସ ।

 

ଅବିଳମ୍ୱେ ଦ୍ୱାରୀ ବାହାରକୁ ଯାଇ ଜଣେ ବ୍ରାହ୍ମଣଙ୍କୁ ରାଜଦରବାରରେ ପ୍ରବେଶ କରାଇଲେ । ବ୍ରାହ୍ମଣ ବାସ୍ତବରେ ଜଣେ ବିପନ୍ନଭଳି ଦେଖାଯାଉଥାନ୍ତି ।

 

ମହାରାଜ ତାଙ୍କୁ କିଛି ପ୍ରଶ୍ନ କରିବା ପୂର୍ବରୁ ସେ ଉଚ୍ଚ କାରୁଣ୍ୟଜଡ଼ିତ କଣ୍ଠରେ କହିଉଠିଲେ, ମହାରାଜ ! ଯୁବରାଜଙ୍କ ପାଇଁ ମୋ ଭଳି ଲୋକ ଆପଣଙ୍କ ରାଜ୍ୟରେ ରହିପାରିବେ ନାହିଁ ।

 

ବିସ୍ଫାରିତ ହୋଇଗଲା ମହାରାଜଙ୍କ ଚକ୍ଷୁ ଦୁଇଟି । ତାଙ୍କର ଗମ୍ଭୀର ମୁଖମଣ୍ଡଳ ଆହୁରି ଗମ୍ଭୀର ହୋଇଉଠିଲା । ସେ ଦୁଃଖ-କ୍ରୋଧ-ମିଶ୍ରିତ ଗଳାରେ କହି ଉଠିଲେ ଚଣ୍ଡାଳ ଆଜି ବି ଅପକର୍ମ କରିବାରେ ପଛାଇ ଯାଇନାହିଁ ।

 

ଦୁଃଖ କ୍ରୋଧରେ ଫାଟି ପଡ଼ୁଥାଏ ରାଜାଙ୍କ ଅନ୍ତରତମ ପ୍ରଦେଶ । ତଥାପି ଅଭିଯୋଗ ଶୁଣିବାକୁ ଉଦବେଗ ହୋଇ କହିଲେ, ସେ ଚଣ୍ଡାଳ କ’ଣ କରିଛି !

 

ବିବାହ ବେଦୀ ଉପରୁ ମୋର କନ୍ୟାକୁ ହରଣ କରି ନେଇଛନ୍ତି ।

 

ଚମକି ଉଠିଲେ ସଭାସଦ୍ । ସଭାସଦ୍‍ଙ୍କ ମଧ୍ୟରୁ ବଶିଷ୍ଠ କହି ଉଠିଲେ, ତାହାହେଲେ ତୁମ କନ୍ୟାର କ’ଣ ବିବାହ କର୍ମ ସମ୍ପନ୍ନ ହୋଇସାରିଥିଲା ?

 

ନା, ତାହା ହୋଇପାରିଲା କେଉଁଠି ! ଆରମ୍ଭ ହେବା ସମୟରେ ସେ’ତ ଜୋର କରି କନ୍ୟାକୁ ବେଦୀ ଉପରୁ ନେଇ ଚାଲିଗଲେ । କନ୍ୟା କେବଳ ଯାହା କାନ୍ଦୁଥିଲା ସେତିକି ଛଡ଼ା ମୁଁ ଆଉ କିଛି ଶୁଣିପାରି ନାହିଁ । ମୋ’ର ଧୈର୍ଯ୍ୟ ନଥିଲା କିଛି ଶୁଣିବାକୁ ।

 

ଯାହାହେଉ ବ୍ରାହ୍ମଣ ଘରର କନ୍ୟା ତ । ଉଚ୍ଚ ଜାତିରୁ କନ୍ୟାନେବା ଶାସ୍ତ୍ରବିରୁଦ୍ଧ । ଏ ପୁଣି ବ୍ରାହ୍ମଣ କନ୍ୟା । ଯୁବରାଜ ଗୁରୁତର ଅପରାଧ କରିଛନ୍ତି, ବଶିଷ୍ଠ କହିଉଠିଲେ ।

 

ସଭାସଦ୍‍ମାନେ ବଶିଷ୍ଠଙ୍କ କଥାକୁ ସମର୍ଥନ କରିବେ କି ନା କିଛି ସ୍ଥିରକରି ପାରିଲେ ନାହିଁ । ବ୍ରାହ୍ମଣ କନ୍ୟା ଅପହରଣ କରିବା ଗୁରୁତର ଅପରାଧ । କିନ୍ତୁ ଏ ଯେ ଯୁବରାଜ । କାଲି ସକାଳେ ବୃଦ୍ଧ ମହାରାଜାଙ୍କଠାରୁ ସେ ରାଜ୍ୟଶାସନ ଗ୍ରହଣ କରିବେ । ତାଙ୍କ ବିରୁଦ୍ଧରେ ଖୋଲା ଖୋଲି କିଛି ବ୍ୟକ୍ତ କରିବା ଏକ ଦୁଃସାହସିକ କାର୍ଯ୍ୟ । ତେଣୁ ନୀରବ ରହିବା ଶ୍ରେୟସ୍କର ।

 

ମହାରାଜ ମୁଣ୍ଡରେ ହାତଦେଇ ବସିଥାନ୍ତି; ସେ ପୁତ୍ର ସତ୍ୟବ୍ରତଙ୍କ କାର୍ଯ୍ୟରେ ବଡ଼ ମର୍ମାହତ । ଅଭିଯୋଗକାରୀ ବ୍ରାହ୍ମଣଙ୍କୁ ପ୍ରଶ୍ନ କରି ଆଉ କିଛି ବୁଝିବା ତାଙ୍କ ଧୈର୍ଯ୍ୟସୀମାର ବାହାରେ । ସେ ସ୍ୱପ୍ନ ଦେଖିଲା ଭଳି ବିଗତ ଦିନକୁ ଫେରିଯାଉଥାନ୍ତି–ସେହି ବିଗତହିଁ ଦିନର ସ୍ମୃତି–ଅପୁତ୍ରିକ ସେ । ପୁତ୍ର ପାଇଁ କେତେ ଯାଗ ଯଜ୍ଞ କଲେ; କିନ୍ତୁ କେଉଁଥିରେ ତାଙ୍କର ସନ୍ତାନପ୍ରାପ୍ତିର କୌଣସି ଆଶା ଦେଖି ପାରିଲେ ନାହିଁ । ଶେଷରେ ସେ ମହାମାୟାଙ୍କ ଶରଣାପନ୍ନ ହେଲେ ।

 

ମହାମାୟା କ’ଣ ଏହିଭଳି ଗୋଟିଏ ସନ୍ତାନ ଦେଲେ ?

 

ମହାରାଜ ଆମେ କ’ଣ କନ୍ୟାବଧୂ ଧରି ରାଜ୍ୟରେ ରହିପାରିବୁ ନାହିଁ ?

 

ଚିନ୍ତାରାଜ୍ୟରୁ ଫେରି ଆସିଲେ ମହାରାଜ । ନା, ଆଉ ନୁହେଁ । ଏହାର ସୁବିଚାର କରିବାକୁ ହେବ । ସେ ଯେ ହେଉନା କାହିଁକି ଦୋଷ ଅନୁପାତରେ ଦଣ୍ଡ ନିଶ୍ଚୟ ଦିଆଯିବ । ତାହା ନ ହେଲେ ରାଜ୍ୟରେ ଶୃଙ୍ଖଳା ରହିବ ନାହିଁ ।

 

ଆଶ୍ୱାସନା ଦେଇ ମହାରାଜା କହିଲେ, କ୍ଷଣମାତ୍ର ଅପେକ୍ଷା କର ଦ୍ୱିଜ । ମୁଁ ଏହାର ସୁବିଚାର କରୁଛି । ମହାରାଜ ଅରୁଣଙ୍କ ବିଚାରରରେ ସାମାନ୍ୟ ପ୍ରଜା ଏବଂ ଯୁବରାଜଙ୍କ ମଧ୍ୟରେ କୌଣସି ବ୍ୟତିକ୍ରମ ନାହିଁ ।

 

ମହାରାଜ ଚାହିଁଲେ ସଭାମଣ୍ଡଳୀଙ୍କୁ । ସମସ୍ତେ ନୀରବ । ସମସ୍ତେ ଅପେକ୍ଷା କରିଛନ୍ତି ମହାରାଜାଙ୍କ ମୁହଁରୁ କ’ଣ ବାହାରିବ ତାହା ଶୁଣିବାକୁ ।

 

ପୁତ୍ରର କାର୍ଯ୍ୟରେ ବଡ଼ ଉତ୍‍କ୍ଷିପ୍ତ ହୋଇଉଠିଛନ୍ତି ମହାରାଜ । କୌଣସି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ କୁଳଗୁରୁ ବଶିଷ୍ଠଙ୍କ ସମ୍ୱୋଧନ କରି କହିଲେ ବର୍ତ୍ତମାନର ଏ ଗୁରୁତର ଅଭିଯୋଗର ନ୍ୟାୟୋଚିତ ବିଚାର କ’ଣ ହୋଇପାରେ ଦୟାକରି ଆପଣ ମୋତେ ପରାମର୍ଶ ଦିଅନ୍ତୁ ।

 

ବୟୋଜ୍ୟେଷ୍ଠ କୁଳଗୁରୁ ବଶିଷ୍ଠ ଥରେ ସଭାର ପରିଷଦମାନଙ୍କୁ ଦୃକ୍‍ପାତ କରି ମହାରାଜଙ୍କ ଆଡ଼କୁ ଅନାଇଁ କହିଲେ, ଏ ଗୁରୁତର ଅଭିଯୋଗ ମହାରାଜ ! ଚଣ୍ଡାଳଭଳି ବିଚାରଶୂନ୍ୟ ହୋଇ ଯୁବରାଜ ବଡ଼ ଅସାମାଜିକ କାର୍ଯ୍ୟ କରିଛନ୍ତି । ଏ ପୁଣି ଶାସ୍ତ୍ରର ବିରୁଦ୍ଧ ବ୍ୟବସ୍ଥା; ତେଣୁ ଯୁବରାଜ ରାଜ୍ୟରୁ ନିର୍ବାସିତ ହୋଇ ଚଣ୍ଡାଳପଲ୍ଲୀରେ ଅବସ୍ଥାନ କରନ୍ତୁ । ତାହା ନ ହେଲେ ରାଜ୍ୟରେ ଶୃଙ୍ଖଳା ବ୍ୟାହତ ହେବ ।

 

‘‘ମଞ୍ଜୁର । ଏହାହିଁ ଉଚିତ ପରାମର୍ଶ ।’’ ଗମ୍ଭୀରଭାବେ ମହାରାଜ କହିଲେ ।

 

ରାଜାଦେଶ ଯୁବରାଜଙ୍କୁ ଯଥାଶୀଘ୍ର ଜଣାଇଦେବା ଉଚିତ୍ । ସଙ୍ଗେ ସଙ୍ଗେ ଯୁବରାଜଙ୍କୁ ରାଜଦରବାରକୁ ଡକାଇ ଅଣାଗଲା । ନିୟମ ଅନୁସାରେ ମହାମନ୍ତ୍ରୀ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଏବଂ ସେ ବିଷୟରେ ବିଚାର ହୋଇ ଅନୁମୋଦିତ ସିଦ୍ଧାନ୍ତଟି ମଧ୍ୟ ଯୁବରାଜ ସତ୍ୟବ୍ରତଙ୍କୁ ଜଣାଇ ଦିଆଗଲା ।

 

ଯୁବରାଜ ଧୀରଭାବେ କହିଲେ, ଗୋଟିଏ ପକ୍ଷରୁ ଅଭିଯୋଗଟି ଶୁଣି ପ୍ରତିବାଦୀଠାରୁ ତା’ର ବକ୍ତବ୍ୟ ଶୁଣିବା ମହାରାଜାଙ୍କର ଉଚିତ୍ ଥିଲା । ଯାହାହେଉ ରାଜାଦେଶକୁ ମୁଁ ମୁଣ୍ଡପାତି ଗ୍ରହଣ କରିନେଉଛି; କିନ୍ତୁ ମହାରାଜଅରୁଣଙ୍କ ପକ୍ଷରେ ଏହା ଆଦୌ ଉଚିତ୍ ନୁହେଁ ।

 

ନୀରବ ନିଶ୍ଚଳ ସଭାଟି କ୍ଷଣକ ପାଇଁ ପାରିଷଦଙ୍କ ଗୁଞ୍ଜରଣରେ ଗୁଞ୍ଜରିତ ହୋଇଉଠିଲା । ମହାରାଜ କିଛି କହିବା ପୂର୍ବରୁ ଜଣେ ଯୁବ-ପାରିଷଦ କହିଲେ, ଅଭିଯୁକ୍ତ ଯୁବରାଜ କ’ଣ କହିବା ପାଇଁ ଚାହାଁନ୍ତି, ଅଭିଯୋଗକାରୀ ବ୍ରାହ୍ମଣ କନ୍ୟାକୁ ସେ ତା’ର ବିବାହବେଦୀ ଉପରୁ ଅପହରଣ କରିନେଇ ନାହନ୍ତି ? ଏ ଅଭିଯୋଗ ଆମୂଳକ ?

 

ନିର୍ଭୀକ ଭାବରେ ଯୁବରାଜ କହିଲେ, ମୁଁ ବିବାହବେଦୀ ଉପରୁ ବ୍ରାହ୍ମଣ କନ୍ୟାଙ୍କୁ ନେଇ ଯାଇଛି ସତ୍ୟ; କିନ୍ତୁ ତା ସେ କନ୍ୟାର ଇଚ୍ଛା ବିରୁଦ୍ଧରେ ନୁହେଁ । ଜଣେ କୁତ୍ସିତ ଅକର୍ମା ବ୍ରାହ୍ମଣକୁ ବିବାହ କରିବାରେ ଅମତ ଯୁବତୀକୁ ରକ୍ଷା କରିବାକୁ ଯାହା କରାଯାଇପାରେ ସେତିକି କରିଛି ମାତ୍ର; ଯାହାକି ଯେ କେହି ରାଜକର୍ମଚାରୀ କରିପାରିଥାଆନ୍ତେ ।

 

ପୁଣି ଯୁବ ପାରିଷଦ ପ୍ରଶ୍ନ କଲେ, ‘‘ସେ ଯୁବତୀଟି କ’ଣ ଆପଣଙ୍କ ନିକଟରେ ପିତାଙ୍କ ଅନ୍ୟାୟ କର୍ମପାଇଁ ଅଭିଯୋଗ କରିଥିଲେ ?’’

 

କେବଳ ମୋ ପାଖରେ ନୁହେଁ ସମସ୍ତଙ୍କ ପାଖରେ ଅଶ୍ରୁଳ ବଦନରେ ସେ ଅଭିଯୋଗ କରୁଥିଲା, ପିତାର ଏ ଅନ୍ୟାୟ କାର୍ଯ୍ୟରୁ ମୋତେ ରକ୍ଷାକର । ଯୁବରାଜ କହିଲେ ।

 

ଅଭିଯୋଗକାରୀ ବ୍ରାହ୍ମଣ କହିଲେ, ସେ ଯୁବତୀ ହେଲେ ମଧ୍ୟ ମୋର କନ୍ୟା । ମୁଁ ତା’ପାଇଁ ପାତ୍ର ସ୍ଥିର କରି ବିବାହ ବ୍ୟବସ୍ଥା କରୁଥିଲି । ମୁଁ ଯାହା କରୁଥିଲି ସେଥିରେ ତା’ର ବିଶେଷ ଆପତ୍ତି ନ ଥିଲା । କେବଳ ଆପତ୍ତି ଥିଲା ପାତ୍ରଟିର ବୟସ ଉପରେ; ମାତ୍ର ପୁରୁଷର ବୟସ ପୁଣି କ’ଣ ?

 

ସଙ୍ଗେ ସଙ୍ଗେ ସଭାସ୍ଥଳ ନୀରବ ହୋଇଗଲା । ଯୁବରାଜ ନତମସ୍ତକରେ ସଭାସ୍ଥଳ ଛାଡ଼ି ଚାଲିଗଲେ । କେବଳ ସଭାସ୍ଥଳ ନୁହେଁ ରାଜ୍ୟଛାଡ଼ି ମଧ୍ୟ ସେ ଅନ୍ୟ ରାଜ୍ୟର ଚଣ୍ଡାଳପଲ୍ଲୀରେ ବାସ କରିବାକୁ ଚାଲିଲେ ପଡ଼ୋଶୀ କୋଶଳ ରାଜ୍ୟକୁ ।

 

ଯୁବରାଜ ସତ୍ୟବ୍ରତ ସର୍ବଗୁଣରେ ପୂର୍ଣ୍ଣ । ତେଣୁ ଅଯୋଧ୍ୟାରୁ ସେ ନିର୍ବାସିତ ହେଲେ ମଧ୍ୟ କୋଶଳ ରାଜ୍ୟ ତାଙ୍କୁ ସାଦରରେ ଗ୍ରହଣ କଲା । ସେ ଏକ ଚଣ୍ଡାଳ ପଲ୍ଲୀରେ ଅବସ୍ଥାନପୂର୍ବକ ଦେହରେ ବର୍ମ ହାତରେ ଧନୁଶରଧାରଣକରି ଜୀବନ ବଞ୍ଚାଇବାକୁ ଚେଷ୍ଟାକଲେ । ରାଜାଦେଶକୁ ମୁଣ୍ଡପାତି ମାନିନେଲେ ମଧ୍ୟ ଏଥିପାଇଁ ବଶିଷ୍ଠଙ୍କୁ ସେ ଦାୟୀକଲେ । ତାଙ୍କରି ଯେଗୁ ସେ ଏ ଦଣ୍ଡ ଭୋଗକରିଛନ୍ତି । ଏ ବିଶ୍ୱାସ ତାଙ୍କର ବେଳକୁ ବେଳ ଦୃଢ଼ୀଭୂତ ହେବାକୁଲାଗିଲା । ବିଶେଷ କରି ସେ ଏକଦା ଶୁଣିବାକୁ ପାଇଲେ ଅଯୋଧ୍ୟା ତ୍ୟାଗକରି ଆସିବା ପରେ ପରେ ମହାରାଜ ଅରୁଣ ରାଜ୍ୟ ଶାସନ ଭାର କୁଳଗୁରୁ ବଶିଷ୍ଠଙ୍କୁ ଦେଇ କିଛିଦିନ ପାଇଁ ବନଗମନ କରିଛନ୍ତି । ପୁତ୍ର ବିରହ ଯେ ତାଙ୍କୁ ରାଜ୍ୟଠାରୁ ଦୂରେଇ ନେଇଛି, ଏହା ଜାଣିବାରେ ସତ୍ୟବ୍ରତଙ୍କର ଟିକିଏ ହେଲେ ସନ୍ଦେହ ରହିଲା ନାହିଁ ।

 

ଗୋଟିଏ ଭୁଲ୍‍କୁ ଠିକ୍ ବୋଲି ପ୍ରତିପାଦିତ କରିବାକୁ ଯାଇ ବହୁତ ଭୁଲରେ ଆଶ୍ରୟ ନେବାକୁ ହୋଇଥାଏ । ମର୍ତ୍ତ୍ୟରେ ଘଟୁଥିବା ଘଟଣାମାନଙ୍କ ସମ୍ୱନ୍ଧରେ ସ୍ୱର୍ଗରେ ବିଚାର କରାହୁଏ; ନ୍ୟାୟୋଚିତ କର୍ମର ଫଳସ୍ୱରୂପ ଯେଭଳି ଧରଣୀରେ ସୁଖଶାନ୍ତି ବିରାଜମାନ କରେ, ସେହିଭଳି ଅନ୍ୟାୟ କର୍ମଫଳ ଯୋଗୁ ଧରଣୀ ନାନା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଏ ।

 

ଦେବତାଙ୍କ ସୁଧର୍ମା ସଭାରେ ବିଚାର ହେଲା ସତ୍ୟବ୍ରତଙ୍କ ନିର୍ବାସନ ବିଷୟ । ଦେବତାମାନଙ୍କ ବିଚାରରେ ସ୍ଥିରହେଲା ବଶିଷ୍ଠଙ୍କ ମହାରାଜ ଅରୁଣଙ୍କୁ ପ୍ରଦତ୍ତ ପରାମର୍ଶ ନ୍ୟାୟୋଚିତ ହୋଇନାହିଁ । ବ୍ରାହ୍ମଣଠାରୁ ଜାତ ସନ୍ତାନସନ୍ତତି ଶୂଦ୍ରଶୂଦ୍ରା ନାମରେ ଅଭିହିତ । ବ୍ରତ ପରେ ବ୍ରାହ୍ମଣପୁତ୍ର ଦ୍ୱିଜ ହୋଇଥାଏ ଓ ବ୍ରହ୍ମ କି ବସ୍ତୁ ତାହା ଜାଣିଲା ପରେ ସେ ହୁଏ ବ୍ରାହ୍ମଣ । ବ୍ରାହ୍ମଣର କନ୍ୟା ବ୍ରାହ୍ମଣକୁ ବିବାହ ପରେ ସେ ହୁଏ ବ୍ରାହ୍ମଣୀ । ଅନ୍ୟଥା ସେ ଶୂଦ୍ରଭାବେ ପରି ଗଣିତା ହୁଏ । ଗୋଟିଏ ଶୂଦ୍ରାକୁ କ୍ଷତ୍ରୀୟ ସନ୍ତାନ ସତ୍ୟବ୍ରତ ବିବାହ କରିବାଦ୍ୱାରା ଶାସ୍ତ୍ରର ତ ଅମର୍ଯ୍ୟାଦା ହୋଇ ନାହିଁ । ଶାସ୍ତ୍ର ଅନୁସାର ଉଚ୍ଚଜାତି ନିଚ୍ଚ ଜାତିରୁ କନ୍ୟା ଗ୍ରହଣ କରିପାରେ; ତେଣୁ ଏହାଦ୍ୱାରା ସମାଜର ବିଶୃଙ୍ଖଳା ପ୍ରଶ୍ନ ଉଠୁଛି କେଉଁଠି ?

 

ଯୁବରାଜ ସତ୍ୟବ୍ରତ କ୍ଷତ୍ରିୟ । ସେ କନ୍ୟାର ଅନିଚ୍ଛାରେ ତାକୁ ମଧ୍ୟ ବିବାହ କରିନାହାନ୍ତି-। ଏକ ବୃଦ୍ଧ ଅକର୍ମଣ୍ୟ ବ୍ରାହ୍ମଣକୁ ବିବାହ କରିବାକୁ ବ୍ରହ୍ମଣର ଯୁବତୀ କନ୍ୟା ଅନିଚ୍ଛା ପ୍ରକାଶ କରି ସତ୍ୟବ୍ରତଙ୍କୁ ସ୍ୱାମୀଭାବେ ଗ୍ରହଣ କରିବା ଅନ୍ୟାୟ ନୁହେଁ । ଏ କ୍ଷେତ୍ରରେ ବଶିଷ୍ଠ ଭୁଲ୍‍ ଏବଂ ଅନ୍ୟାୟ ପରାମର୍ଶ ମହାରାଜାଙ୍କୁ ଦେଇଛନ୍ତି । ସେଥିପାଇଁ ଇନ୍ଦ୍ର ମେଘମାନଙ୍କ ଡାକି ଆଦେଶ ଦେଲେ ତୁମ୍ଭେମାନେ ମର୍ତ୍ତ୍ୟରେ ବୃଷ୍ଟି କରନାହିଁ ।

 

ଅନାବୃଷ୍ଟି ଫଳରେ ଧରଣୀ ହେଲା ଦୁର୍ଭିକ୍ଷ ପ୍ରପୀଡ଼ିତ । କେବଳ ଅଯୋଧ୍ୟା ନୁହେଁ, ପାଖ ଆଖ ବିଭିନ୍ନ ରାଜ୍ୟରେ ବୃଷ୍ଟି ହେଲା ନାହିଁ । ଗୋଟିଏ ରାଜ୍ୟର ରାଜା ଅନ୍ୟାୟ କଲେ ସନ୍ନିକଟବର୍ତ୍ତୀ ରାଜ୍ୟର ରାଜାମାନେ ତା’ର ପ୍ରତିବାଦ କରିବା ଉଚିତ୍ । ତାହା କେହି କରି ନାହାନ୍ତି ତେଣୁ ସମସ୍ତ ରାଜ୍ୟରେ ମେଘ ଜଳବର୍ଷା କଲାନାହିଁ ।

 

ମହାରାଜ ଅରୁଣ ରାଜ୍ୟଭାର ବଶିଷ୍ଠଙ୍କୁ ପ୍ରଦାନ କରି ବନଗମନ କରିଛନ୍ତି; ତେଣୁ ରାଜ୍ୟର ସମସ୍ତ ହାନିଲାଭ ବଶିଷ୍ଠଙ୍କ ଉପରେ । ରାଜ୍ୟରେ ବର୍ଷା ହେଲା ନାହିଁ । ଏଥିପାଇଁ ଦାମୀ ବଶିଷ୍ଠ । ବର୍ଷା ନ ହେଲେ ରାଜ୍ୟରେ ଦୁର୍ଭିକ୍ଷ ପଡ଼ିବ । ସବୁକୁ ଚିନ୍ତାକରି ବଶିଷ୍ଠ କାମଧେନୁ ନନ୍ଦିନୀଦ୍ୱାରା ବର୍ଷା କରାଇବାକୁ ସ୍ଥିରକଲେ ।

 

କାମଧେନୁ ଇଚ୍ଛା କଲାମାତ୍ରେ ଅସମ୍ଭବ ସମ୍ଭବ ହୋଇପାରେ ।

 

ଏକଦା ମହାରାଜ ବିଶ୍ୱାମିତ୍ର ଅସମୟରେ ବଶିଷ୍ଠଙ୍କ ଆଶ୍ରମରେ ସୈନ୍ୟ ସାମନ୍ତଙ୍କ ସହ ଉପସ୍ଥିତ ହେଲେ । ଅସମୟ ହେଲେ ମଧ୍ୟ ବଶିଷ୍ଠ କାମଧେନୁ ନନ୍ଦିନୀଙ୍କୁ ପ୍ରାର୍ଥନା କରି ବିଶ୍ୱାମିତ୍ରଙ୍କ ସହିତ ସମସ୍ତ ସୈନ୍ୟସାମନ୍ତଙ୍କ ଯଥାଯୋଗ୍ୟ ସମ୍ୱର୍ଦ୍ଧନା କରିପାରିଥିଲେ । ଅସମୟରେ ଋଷି କିପରି ସମସ୍ତଙ୍କୁ ରାଜୋଚିତ ସଂବର୍ଦ୍ଧନାରେ ଆପ୍ୟାୟିତ କଲେ ତାହା ଜାଣିବାକୁ ଚେଷ୍ଟା କରି ଯେତେବେଳେ ଜାଣିଲେ ନନ୍ଦିନୀଙ୍କୁ ଯୋଗୁ ଏହା ସମ୍ଭବ ହୋଇଛି, ସେତେବେଳେ ସେ ବଶିଷ୍ଠଙ୍କ ନିକଟରେ କାମଧେନୁ ନିମିତ୍ତ ପ୍ରାର୍ଥୀ ହେଲେ; କିନ୍ତୁ ବଶିଷ୍ଠ ନିଜର ସର୍ବସ୍ୱ କାମଧେନୁଟି ଦେବାକୁ ରାଜି ହେଲେନାହିଁ । ଫଳରେ ବିଶ୍ୱାମିତ୍ର ନିଜର ସୈନ୍ୟ ସାମନ୍ତଙ୍କ ସହିତ ଚେଷ୍ଟାକଲେ ନନ୍ଦିନୀଙ୍କୁ ଜୋର କରି ନେଇଯିବାକୁ, ମାତ୍ର ମୁହୂର୍ତ୍ତକ ମଧ୍ୟରେ ନନ୍ଦିନୀ ଅସଂଖ୍ୟ ଅସ୍ତ୍ରଶସ୍ତ୍ରେ ସୁସଜ୍ଜିତ ସୈନ୍ୟ ମଧ୍ୟରୁ ନିର୍ଗତ କରାଇ ରାଜାଙ୍କୁ ପରାସ୍ତ କରିଦେଲେ । ଏହିଭଳି ଏକ କାମଧେନୁ ଥାଉଁ ଥାଉଁ ଇନ୍ଦ୍ର କ’ଣ କ୍ଷତି କରିବେ ?

 

ବଶିଷ୍ଠ ନନ୍ଦିନୀଙ୍କୁ ପ୍ରାର୍ଥନା କଲେ ବର୍ଷା ନିମିତ୍ତ । ନନ୍ଦିନୀ ପ୍ରସନ୍ନ ହେଲା ମାତ୍ରେ ଅଯୋଧ୍ୟାର ଚତୁର୍ଦ୍ଦିଗରେ ବର୍ଷା ହେବାକୁ ଲାଗିଲା; ମାତ୍ର କୋଶଳ ସେଥିରୁ ହେଲା ବଞ୍ଚିତ । ଆସନ୍ନ ଦୁର୍ଦ୍ଦିନ ଲକ୍ଷ୍ୟ କରି କୋଶଳର ମହାରାଜ ବିଶ୍ୱାମିତ୍ର କିଭଳି ଭାବେ ରାଜ୍ୟକୁ ରକ୍ଷା କରିହେବ ସେଥିନିମିତ୍ତ ତପଶ୍ଚରଣ ପାଇଁ ବନଗମନ କଲେ ।

 

ଅଯୋଧ୍ୟା ଯେଉଁଠି ସରିଛି ଏବଂ କୋଶଳ ଯେଉଁଠୁ ଆରମ୍ଭ ହୋଇଛି ସେହିଠାରୁ ରାଣ ଦେଲାଭଳି କୋଶଳ ମଧ୍ୟରେ ବର୍ଷା ନାହିଁ; ଅଥଚ ଅଯୋଧ୍ୟାର ଶସ୍ୟକ୍ଷେତ୍ରରେ ପ୍ରଚୁର ପାଣି ଠିଆହୋଇଛି । ପ୍ରଜାକୁଳ ଏହା ଲକ୍ଷ୍ୟ କରି ଚମତ୍କୃତ । ସେମାନଙ୍କର ଧାରଣା ସମ୍ଭବତଃ ରାଜ୍ୟର ଅନ୍ୟାୟ ଅନୀତି ପାଇଁ ବର୍ଷା ପାଳୁନାହିଁ । ଅଯୋଧ୍ୟା ସତ୍ୟ ନ୍ୟାୟରେ ଚାଲିଥିବା ହେତୁ ସେଠାରେ ଆବଶ୍ୟକମତେ ବର୍ଷା ହେଉଛି ।

 

ବର୍ଷା ନାହିଁ । ଏଣେ ପ୍ରଚଣ୍ଡ ସୂର୍ଯ୍ୟତାପ ଲୋକେ ସହ୍ୟ କରି ପାରୁନାହାନ୍ତି । ଯାହା ଘରେ ଖାଦ୍ୟ ସାମଗ୍ରୀ ଥିଲା ତାହା ଧିରେ ଧିରେ ସରି ସରି ଆସିଲା । ଚତୁର୍ଦ୍ଦିଗରେ ଦେଖା ଦେଲା ଦୁର୍ଭିକ୍ଷର କରାଳ ଛାୟା । ଦରିଦ୍ର ମଧ୍ୟବିତ୍ତ ଲୋକ ଘରେ ଥିବା ସୁନା ରୂପାଠାରୁ କଂସା ବାସନ ପର୍ଯ୍ୟନ୍ତ ଧନୀକ ପାଖରେ ବିକ୍ରୀ କରି ଜୀବନ ବଞ୍ଚାଇବାକୁ ପାଥେୟ ସଂଗ୍ରହ କଲେ । ମାତ୍ର ତାହା କେତେ ଦିନ । ଅବଶେଷରେ ପ୍ରାଣ ବଞ୍ଚାଇବାକୁ କୋଶଳର ପ୍ରଜାମାନେ ରାଜ୍ୟଛାଡ଼ି ଦଳ ଦଳ ହୋଇ ଅଯୋଧ୍ୟାମୁଖେ ଯାତ୍ରା କଲେ ।

 

କୋଶଳର ଅବସ୍ଥା ଅତି ଶୋଚନୀୟ । ରାଜ୍ୟ ସୀମାରେ ଏକ ଚଣ୍ଡାଳ ପଲ୍ଲୀରେ ଅଯୋଧ୍ୟାର ଯୁବରାଜ ସବୁ ଲକ୍ଷ୍ୟ କରି ମ୍ରିୟମାଣ; ମାତ୍ର ସେ କରିବେ କ’ଣ ? ଉପାୟ କାହିଁ ତାଙ୍କର ଆଶ୍ରୟ ନେଇଥିବା କୋଶଳ ରାଜ୍ୟକୁ ବଞ୍ଚାଇବା ପାଇଁ କେବଳ କୋଶଳ ଦୁଃଖରେ ଦୁଃଖି ହେବା ଛଡ଼ା ସେ କ’ଣ ବା କରି ପାରିବେ । ଆଖି ଆଗରେ ଦେଖୁଛନ୍ତି କଙ୍କାଳସାର କୋଶଳ ପ୍ରଜା ତଥା ଗୃହପାଳିତ ପଶୁ । ପ୍ରଚଣ୍ଡ ଗ୍ରୀଷ୍ମତାପରେ ସାରା ରାଜ୍ୟ ଶୁଷ୍କ । ଦିବା ଦ୍ୱିପ୍ରହରେ ଆକାଶରୁ ଅଗ୍ନିବୃଷ୍ଟି ହେଲାଭଳି ହଠାତ୍ କେଉଁଠି ନିଆଁ ଜଳିଉଠି ଗ୍ରାମ, ନଗର ଦଗ୍ଧୀଭୂତ କରୁଛି । ନିରାଶ୍ରୟ ପ୍ରଜା କାନ୍ଦି କାନ୍ଦି ଚାଲି ଯାଉଛନ୍ତି ଅନ୍ୟ ରାଜ୍ୟକୁ ।

 

ପଳାୟନପର ପ୍ରଜାମାନଙ୍କୁ ଦେଖି ଯୁବରାଜ ଧାଇଁଯା’ନ୍ତି ତାଙ୍କ ପାଖକୁ । ପଚାରନ୍ତି ତାଙ୍କ ଦୁର୍ଦ୍ଦଶା କଥା । ତତ୍ପରେ ସବୁ ଶୁଣି ଫେରିଆସନ୍ତି ନିଜ କୁଟୀରକୁ । ଉପାୟ ଶୂନ୍ୟ ସେ । ହୁଏ ତ ମହାରାଜ ବିଶ୍ୱାମିତ୍ର ଥିଲେ କିଛି କରି ପାରିଥାନ୍ତେ । ତଥାପି ସେ ଦୌଡ଼ନ୍ତି ଦୁର୍ଦ୍ଦଶାଗ୍ରସ୍ତ ପଳାୟନପର ଲୋକମାନଙ୍କ ପାଖକୁ । ଭାଷା ପାଏ ନାହିଁ ତାଙ୍କର ସେମାନଙ୍କୁ ସାନ୍ତ୍ୱନା ଦେବାକୁ । କେବଳ ସେମାନଙ୍କ ଦୁଃଖ ଶୁଣି ପରେ ଆସିବା ଯାହା ସାର ହୁଏ ।

 

କେତେ ଦିନ ପରେ ସେ ଲକ୍ଷ୍ୟ କରି ଦେଖିଲେ କୋଶଳ ରାଜ୍ୟରୁ ଆଉ ବେଶି ଲୋକ ପଳାଉ ନାହାନ୍ତି । ବୋଧେ ରାଜ୍ୟସାରା ଜନଶୂନ୍ୟ ହେବାକୁ ବସିଲାଣି । ତେଣୁ ଧୀରେ ଧୀରେ କମି କମି ଆସୁଛନ୍ତି ଲୋକସଂଖ୍ୟା । ଯେ ଅଯୋଧ୍ୟାର ଯୁବରାଜ ହେଲେ ମଧ୍ୟ କୋଶଳର ପ୍ରଜା । କୋଶଳର ଦୁର୍ଦ୍ଦିନ ତାଙ୍କୁ ବଡ଼ କଷ୍ଟ ଦେଉଛି ।

 

ସେଦିନ ସକାଳେ ସତ୍ୟବ୍ରତ ଦେଖିଲେ ଜଣେ ପୌଢ଼ା ସ୍ତ୍ରୀଲୋକ ଗୋଟିଏ ପିଲାର ଗଳଦେଶରେ ତୃଣବାନ୍ଧି ଦେଶ ବାହାରକୁ ନେଇ ଯାଉଛନ୍ତି । ବିଚରା ପିଲାଟି ବିକଳରେ କାନ୍ଦୁଛି । ସହ୍ୟ କରିପାରିଲେ ନାହିଁ ଯୁବରାଜ । ଧାଇଁଗଲେ ରାଜପଥ ଦେଇ ଯାଉଥିବା ପିଲା ଏବଂ ସେ ସ୍ତ୍ରୀ ଲୋକଙ୍କ ପାଖକୁ । ସେହି ଗୋଟିଏ ପ୍ରଶ୍ନ ତାଙ୍କର ତୁମେ କିଏ, କୁଆଡ଼େ ଚାଲିଛ ଏବଂ କାହିଁକି ? ପୌଢ଼ା ସ୍ତ୍ରୀଲୋକଟି କହିଲେ, ସେ ଅତି ଦୁଃଖ ପୁଅ; ଭାଷା ନାହିଁ କହିବାକୁ । ତଥାପି ସେ ଯାହା କହିଲେ ତାହା ଶୁଣି କ୍ଷତ୍ରିୟଜ ବଳବପୁବାନ ଯୁବରାଜ ସତ୍ୟବ୍ରତ ଧୈର୍ଯ୍ୟଧରି ରହିପାରିଲେ ନାହିଁ ।

 

ଏ ମହିଳାଟି ସାଧାରଣ ମହିଳା ନୁହେଁ । ସ୍ୱୟଂ କୋଶଳର ମହାରାଣୀ । ରାଜ୍ୟର ଦୁର୍ଦ୍ଦିନ ଲକ୍ଷ୍ୟକରି ଗନ୍ତାଘରେ ସଞ୍ଚିତ ଖାଦ୍ୟ ତଥା ଧନରତ୍ନ ପ୍ରଜାମାନଙ୍କୁ ବିତରଣ କରିବାକୁ ଲାଗିଲେ; ମାତ୍ର ଏହି ଦୁର୍ଭିକ୍ଷ ତ ଦିନେ କିମ୍ବା ମାସେ ନୁହେଁ–ମାସ ମାସ ବର୍ଷ ବର୍ଷ ଧରି ଦୁର୍ଭିକ୍ଷର ଜୟଯାତ୍ରା ଚାଲିଛି । ନଦୀ ତଡ଼ାଗ ସବୁ ଶୁଷ୍କ । କେତେଦିନ କେତେ କାହାକୁ ଦେବେ ? ବଶିଷ୍ଠ ବଂଶର ଗୁରୁ ହେଲେ ମଧ୍ୟ ରାଜାଙ୍କ ସହିତ ତାଙ୍କର ସମ୍ପର୍କ ଭଲ ନୁହେଁ । ତେଣୁ ତାଙ୍କ ଅନୁରୋଧ କରି କିଛି ଲାଭନାହିଁ । ମହାରାଜ ବିଶ୍ୱାମିତ୍ର ମଧ୍ୟ ରାଜ୍ୟରେ ନାହାନ୍ତି । ଦୁର୍ଦ୍ଦିନରେ ଲୋକଙ୍କୁ ବଞ୍ଚାଇବା ପାଇଁ ସେ କେଉଁଠି ତପଶ୍ଚରଣ କରୁଛନ୍ତି ତାହା କେବଳ ତାଙ୍କୁ ଜଣା । ଏହିଭଳି ଭାବେ କିଛିଦିନ ଗତକଲା ପରେ ତାଙ୍କ ନିଜ ଘରୁ ମଧ୍ୟ ଖାଦ୍ୟ ସରିଗଲା । ଚାକର ଚାକରାଣୀ ଧୀରେ ଧୀରେ ସମସ୍ତେ ବିଦାୟ ନେଲେ; ତଥାପି ଯେଉଁ କେତେଜଣ ସେ ଓ ତାଙ୍କ ଗର୍ଭଜ ରହିଲେ ତାଙ୍କୁ ବଞ୍ଚାଇବାକୁ ସମ୍ୱଳ ନାହିଁ । ଉପବାସ ବା କେତେଦିନ ରହିହେବ ! ଶେଷରେ ସେ ସ୍ଥିରକଲେ ଗୋଟିଏ ପିଲାକୁ ଅଯୋଧ୍ୟ ହାଟରେ ବିକି ଅବଶିଷ୍ଟ ବଞ୍ଚାଇବେ । ତେଣୁ ପିଲାଟି ବେକରେ ତୃଣବାନ୍ଧି ତାଙ୍କୁ ନେଇ ଯାଉଛନ୍ତି ହାଟକୁ । ଯୁବରାଜ ସତ୍ୟବ୍ରତଙ୍କ ହୃଦୟରେ ଶକ୍ତ ଆଘାତ ଲାଗିଲା-। ସେ ବର୍ତ୍ତମାନ ଅଯୋଧ୍ୟାର ଯୁବରାଜ ନୁହନ୍ତି । ଅଯୋଧ୍ୟାର ଜଣେ ପ୍ରଜା ବି ନୁହଁନ୍ତି । ସେ ଅଯୋଧ୍ୟାରୁ ବଞ୍ଚିତ ନିର୍ବାସିତ; ମାତ୍ର ସେ ପ୍ରଜା କୋଶଳର । କୋଶଳର ଜଣେ ପ୍ରଜା ହୋଇ ସେ କୋଶଳର ରାଜବଂଶକୁ ରକ୍ଷା କରିପାରିବେ ନାହିଁ ଦୁର୍ଭିକ୍ଷ ଦାଉରୁ ।

 

ଥରେ ସେ ନିଜକୁ ଅନାଇଲେ । ପୂର୍ବଭଳି ସେ ବଳବାନ ଅଛନ୍ତି । ନାଗନିନ୍ଦିତ ବାହୁରେ ଯଥେଷ୍ଟ ବଳ ଅଛି । ଦୁର୍ଭିକ୍ଷ ତାଙ୍କୁ ମୋଟେ ବାଧି ନାହିଁ । ବନ୍ୟପଶୁ ଶିକାର କରି ସେ ବେଶ୍ ନିଜକୁ ବଞ୍ଚାଇ ପାରିଛନ୍ତି । ସେହିଭଳି ସେ ବଞ୍ଚାଇବେ ରାଜପରିବାରକୁ । ଅତି ବିନୟ ହୋଇ ସତ୍ୟବ୍ରତ ରାଣୀଙ୍କୁ କହିଲେ ଆପଣ ଫେରିଯାନ୍ତୁ ରାଜ ନବରକୁ ପ୍ରତିଦିନ ଆପଣଙ୍କ ପରିବାର ପାଇଁ ମାଂସ ରାଜନବର ଆଗରେ ରଖିଦେଇ ଆସିବି; ଯାହାଖାଇ ଆପଣମାନେ ସୁସ୍ଥରେ ବଞ୍ଚି ପାରିବେ ।

 

ଖୋଲିଦେଲେ ବିଶ୍ୱାମିତ୍ରଙ୍କ ପୁତ୍ରର ଗଳଦେଶରୁ ତୃଣ ନିଜ ହାତରେ ଯୁବରାଜ । ସେହିଦିନଠାରୁ ସେ ପିଲାଟିର ନାମ ହେଲା ଗାଲବ ।

 

ରାଜଭକ୍ତ ପ୍ରଜାଟିର କଥା ଉପରେ ଭରସା ରଖି ରାଣୀ ପୁଅକୁ ଧରି ଫେରିଗଲେ ରାଜବାଟିକୁ ।

 

ସେହିଦିନଠାରୁ ସତ୍ୟବ୍ରତ ଗୋଟିଏ ମାଂସପୁଡ଼ା ରାଜବାଟି ଆଗରେ ବାନ୍ଧିଦେଇ ଆସନ୍ତି; ଯାହାକି ପରେ ରାଣୀ ନେଇ ପିଲାମାନଙ୍କୁ ରନ୍ଧନକରି ଖାଇବାକୁ ଦିଅନ୍ତି ।

☆☆☆

 

Unknown

ନିସନ୍ତାନହାତ

 

ଦେବକାନ୍ତଙ୍କ କାନରେ ପଣ୍ଡିତଙ୍କର ସେହି ଗୋଟିଏ କଥା ଥରକୁ ଥର ଶୁଭିଯାଉଥାଏ । ତାଙ୍କର କର ଏବଂ କୋଷ୍ଠିରେ ସନ୍ତାନ ନାହାନ୍ତି । କିନ୍ତୁ ତାଙ୍କର ଗୋଟିଏ କନ୍ୟା ଅଛି, ଏହା ପଣ୍ଡିତଙ୍କୁ ଯେତେଥର କହିଲେ ମଧ୍ୟ ପଣ୍ଡିତ ମୁଣ୍ଡ ହଲାଇ ଖାଲି ସେହି ଗୋଟିଏ କଥା କହିଲେ, ଏହା ନିଃସନ୍ତାନ କୋଷ୍ଠି । ନିଃସନ୍ତାନ କୋଷ୍ଠି କିନ୍ତୁ କନ୍ୟାଟିଏ ତାଙ୍କର ହେଲା କିପରି ? ତାହାହେଲେ କ’ଣ ସେ କନ୍ୟା ତାଙ୍କର ନୁହେଁ ଅନ୍ୟ କାହାଦ୍ୱାରା ବବିତା ତାହା କରିପାରିଛି ?

 

ସରଳ ହୃଦୟ ଭିତରେ ଦେବକାନ୍ତଙ୍କର ଘନିଭୂତ ସନ୍ଦେହ ମାଡ଼ି ଆସିଲା । ତାହାପରେ ଯାହା ଘଟିଗଲା ତାହା କେବେ ସୁସ୍ଥ ମନର କଥା ନୁହେଁ । ମନକୁ ସୁସ୍ଥ ରଖିବାପାଇଁ ପ୍ରକୃତ ଦେବକାନ୍ତଙ୍କର ଅନ୍ୟ କୌଣସି ଉପାୟ ନଥିଲା । ତାଙ୍କ ହାତରେ ଏବଂ ଜାତକରେ ଯେତେବେଳେ ସନ୍ତାନ ନାହିଁ ସେତେବେଳେ ହେଲା କିପରି ? ପଣ୍ଡିତ କ’ଣ ମିଛ କହିଲେ ? ନା ତ । ଅନ୍ୟାନ୍ୟ ବିଷୟ ଯାହା ସେ କହିଲେ ତାହା ପ୍ରାୟ ମିଳିଯାଉଛି । ଖାଲି ସେହି କଥାଟି ଯାହା ମିଳିଲା ନାହିଁ । ତେଣୁ ଦେବକାନ୍ତ କିପରି ପଣ୍ଡିତଙ୍କ କଥାକୁ ମିଛ ବୋଲି ଭାବି ନୀରବ ରହିବେ ?

 

ପଣ୍ଡିତଙ୍କ ପାଖରୁ ଫେରିଆସି ଦେବକାନ୍ତ ତାଙ୍କ ସ୍ତ୍ରୀ ବବିତାଙ୍କୁ ସେ ବିଷୟରେ କିଛି କହିନଥିଲେ । କିନ୍ତୁ ଦେବକାନ୍ତ ତାଙ୍କ ସ୍ତ୍ରୀ ପାଖରେ ହୋଇ ଉଠିଲେ ବଡ଼ ଅବୋଧ୍ୟ । ଏଭଳି ଅବୋଧ୍ୟ ହୋଇପଡ଼ିଲେ ଯାଦ୍ୱାରା ସ୍ତ୍ରୀ ତାଙ୍କର ବାଧ୍ୟହେଲା ବାପଘରକୁ ଚାଲିଯିବା ପାଇଁ ।

 

ବହିଗଦା ଭିତରୁ ଆଖି ଦୁଇଟାକୁ ଉଠାଇ ଅନାଇଲେ ଦେବକାନ୍ତ । ହେଇ ସେ କାନ୍ଥରେ ମରା ହୋଇଛି କେତୋଟି କଣ୍ଟା । ସେଠାରେ ଥିଲା ତାଙ୍କ ସ୍ତ୍ରୀ ବବିତାର ଫଟ । ନିଜ ହାତରେ ସେ ତାହା କାଢ଼ି ଦେଇଛନ୍ତି । ଗୋଟାଏ ନଷ୍ଟ ଚରିତ୍ରାର ଫଟ କାନ୍ଥରେ ମାରି ଲାଭ କ’ଣ-? ମାତ୍ର କେବେ ବବିତାର ବ୍ୟବହାର ଚାଲି ଚଳନରୁ ସେ ଚରିତ୍ରହୀନା ବୋଲି ଜାଣିପାରି ନାହାନ୍ତି-। ହୋଇପାରେ ସେ ସୁନ୍ଦର ଅଭିନୟ କରିଛି ତାଙ୍କ ପାଖରେ ।

 

ଦେବକାନ୍ତଙ୍କ ମନ ପରଦାରେ ବବିତାର ଚିତ୍ର ଦେଖାଦେଲା । ସେ ଯେଉଁଦିନ ତା’ର ଝିଅଟିକୁ ନେଇ ବାପ ଘରକୁ ଚରଲିଗଲା ସେଦିନ ସେ ଘରର ଗୋଟି ଗୋଟି ଜିନିଷକୁ ଜିମା ଦେଲାଭଳି ବାରଣ୍ଡାରେ ଛିଡ଼ାହୋଇ କେଉଁଠି କ’ଣ ରହିଛି କହିଯାଉଥାଏ । ସେତେବେଳକୁ ଦେବକାନ୍ତ ତାଙ୍କ କୋଠରୀଟି ମଧ୍ୟର ବସି ସାମୁଦ୍ରିକ ବହି ଖଣ୍ଡେ ପଢ଼ୁ ପଢ଼ୁ ହଠାତ୍ ତାଙ୍କ ଆଖିରେ ପଡ଼ିଲା ନଷ୍ଟ ଚରିତ୍ରର ଲକ୍ଷଣ । ବୃହସ୍ପତି କ୍ଷେତ୍ରରେ କଟା କଟା ଦାଗ, ବୁଢ଼ା ଆଙ୍ଗୁଠି ଟିପରେ ଆଚାଆଡ଼ି ରେଖା, ଶିରରେଖା ଏବଂ ଭାଗ୍ୟରେଖା ଯେଉଁଠି ମିଳିତ ହୋଇଛଇ ସେଠାରେ କେତେ ଦ୍ୱିଜିବିଜି ରେଖା, ହୃଦୟ ରେଖାରେ ଯବ ଚିହ୍ନ ନଷ୍ଟ ଚରିତ୍ରାର ଲକ୍ଷଣ ।

 

ଦେବକାନ୍ତ ଦୁଇ ତିନିଥର ସେ ବିଷୟଟିକୁ ପଢ଼ି ମନେ ପକାଇଲେ ବବିତା ହାତରେ ତାହା ଅଛି କି ନାହିଁ ବୋଲି ବବିତା ହାତରେ କଳା ଲଗାଇ ଗୋଟିଏ ହାତଛାପ ଦେବକାନ୍ତ ରଖିଥିଲେ ତାହା ବାହାରକରି ସେ ମନଯୋଗ ସହକାରେ ଦେଖିଲେ । ନା ତ—ସେଭଳି କିଛି ଚିହ୍ନ ବବିତା ହାତରେ ନାହିଁ । ତାହାହେଲେ କ’ଣ ପଣ୍ଡିତ ମିଛ କହିଥିଲେ ?

 

ଏ ମଧ୍ୟର ବବିତା ଚାବି ନେନ୍ଥାଟି ଟେବୁଲ ଉପରେ ଥୋଇ ଦେଇଗଲା । ତାହା ଦେଖି ସେ ନ ଦେଖିଲା ଭଳି ରହିଲେ । ଛୋଟ ଝିଅଟିକୁ ବବିତା ପଠାଇଲା ଯା ବାପାକୁ ଦଣ୍ଡବତ କରି ଆସିବୁ । ଠୁକୁ ଠୁକୁ ହୋଇ ସେ ଆସିଲା ବା ବା କହି । ଦେବକାନ୍ତଙ୍କ ପିତୃହୃଦୟ ଟିକିଏ ଦବିଗଲା-। ଇଚ୍ଛା ହେଲା ହାତ ବଢ଼ାଇ ତାକୁ ବକ୍ଷ ଉପରକୁ ଟେକି ଆଣିବାକୁ । କିନ୍ତୁ ତା ପର ମୁହୂର୍ତ୍ତରେ ପଣ୍ଡିତଙ୍କ କଥା କାନକୁ ସଦା କହିଲାଭଳି ଶୁଭିଗଲା ଏ ଜାତକ ନିଃସନ୍ତାନ । ଦେବକାନ୍ତଙ୍କର ପିତୃହୃଦୟ ଦବିଗଲା । କାହା ସନ୍ତାନକୁ ସେ ହାତ ବଢ଼ାଇ କୋଳକୁ ଟୋକି ନେବେ-? ସେ କ’ଣ ତାଙ୍କ ସନ୍ତାନ ?

 

ବବିତା ଚାଲି ଯାଇଛି ତା’ର ଝିଅଟିକୁ ଧରି ବାପଘରକୁ । ଦେବକାନ୍ତଙ୍କର ସମସ୍ତ ଭାର ପଡ଼ିଛି ପୁଝାରୀ ଚାକରଙ୍କ ଉପରେ । ବବିତା ଚାଲିଯିବାର କିଛିଦିନ ପରେ ବବିତାର ଖର୍ଚ୍ଚପାଇଁ କିଛି ଟଙ୍କା ମନିଅର୍ଡ଼ର କରିଦେଲେ । କେବଳ ସହାନୁଭୂତି ସୌଜନ୍ୟତା ପାଇଁ ତାହା ସେ କରିଥିଲେ । ମାତ୍ର କେତୋଟି ଦିନ ପରେ ତାହା ଫେରିଆସିଲା—ବବିତା ତାହା ଗ୍ରହଣ କଲାନାହିଁ । ତାହାହେଲେ ବବିତା ତାଙ୍କର କୌଣସିଟା ଗ୍ରହଣ କରିବାକୁ ରାଜି ନୁହେଁ । ଦେବକାନ୍ତଙ୍କ ମନରୁ ଧୀରେ ଧୀରେ ବବିତାର ସ୍ମୃତି ପୋଛିହୋଇ ଯିବାକୁ ଲାଗିଲା । ଜ୍ୟୋତିଷ ଏବଂ ସାମୁଦ୍ରିକ ଶାସ୍ତ୍ର ଘାଣ୍ଟିବା ତାଙ୍କର ହେଲା ମୁଖ୍ୟକାମ । ଏପରିକି ବାଢ଼ି ବାଳ ମଧ୍ୟ କାଟିବାକୁ ଭୁଲିଗଲେ । ବିଭିନ୍ନ ଲୋକଙ୍କ ଜାତକ ତଥା ହାତର ଛାପ ଆଣି ଦେବକାନ୍ତ ଆରମ୍ଭ କଲେ ଗବେଷଣା ।

 

ଅନ୍ୟର ହାତ ଦେଖି, ଜାତକ ଦେଖି ତାଙ୍କ ଭାଗ୍ୟ ସୁନ୍ଦରଭାବେ କହିଚାଲନ୍ତି । କିନ୍ତୁ ନିଜର ଦେଖିଲାବେଳେ ବଡ଼ ଅଡ଼ୁଆରେ ପଡ଼ନ୍ତି । ଦୁଇ ହାତରେ ତାଙ୍କର ରବି ରେଖା, ପିତୃ ରେଖା କିମ୍ୱା ଶୁକ୍ର କ୍ଷେତ୍ରକୁ ପ୍ରବେଶ କରିନାହିଁ । ତାହାହେଲେ ପତ୍ନୀ ବିଚ୍ଛେଦ ହେଲା କିପରି ? ବୁଦ୍ଧିକ୍ଷେତ୍ରରେ ଯେଉଁ ସନ୍ତାନ ରେଖା ଦେଖାଯାଉଛି ତାହାସବୁ ଦୋଷଯୁକ୍ତ ବୋଲି ତାଙ୍କର ମନେହେଲା । ସନ୍ତାନ ରେଖା ଯେତେବେଳେ ଦୋଷଯୁକ୍ତ ସେତେବେଳେ ସନ୍ତାନ ହେଲା କିପରି-? ଖଣ୍ଡେ ପୋଥିରୁ ସେ ଦେଖିଲେ ବୁଦ୍ଧ କ୍ଷେତ୍ରର ପତ୍ନୀ ରେଖାରୁ ଯେଉଁ ରେଖା କନିଷ୍ଠାଙ୍ଗୁଳି ମୂଳ ପର୍ଯ୍ୟନ୍ତ ଯବ ରେଖାଯୁକ୍ତ ହୋଇ ଯାଇଥିବ ତାହା ଦୁର୍ବଳ ସନ୍ତାନ ଅଥବା ଶିଶୁ ଅବସ୍ଥାରେ ସେ ସନ୍ତାନର ମୃତ୍ୟୁ ସୁନିଶ୍ଚିତ ।

 

ଦେବକାନ୍ତ ରହିଯାନ୍ତି ସେହିଠାରେ କିଛି ସମୟ । ଶିଶୁ ଅବସ୍ଥା କହିଲେ କେତେବର୍ଷ ପର୍ଯ୍ୟନ୍ତ ବୁଝାଏ ? ସ୍ଥିରକରି ପାରନ୍ତି ନାହିଁ କିଛି, ମନରେ ତାଙ୍କର ଦ୍ୱିଧା ଆସେ—ତାହାହେଲେ ସେ ଝିଅଟି କ’ଣ ତାଙ୍କର... ନା ନା, ଏହା ଠିକ୍ ନୁହେଁ । ବିଦେଶୀ କରଶାସ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଭାରତୀୟ କରଶାସ୍ତ୍ରୀମାନେ ପୋଥିଗୁଡ଼ିକ ଗବେଷଣା କରି ଯାହା ସତ୍ୟ ତାହାହିଁ କେବଳ ଲିପିବଦ୍ଧ କରିଛନ୍ତି ପୋଥିରେ ଲେଖା ହୋଇଥିବା କଥାଟି ପ୍ରାୟ ସତ ନୁହେଁ । ହୋଇଥିଲେ ସେମାନେ କେହି ଲେଖି ନଥାନ୍ତେ ?

 

ସେ ନିଜ ହାତକୁ ଲକ୍ଷ୍ୟ କଲେ । ଭାରତୀୟ ମତ୍ତରେ ପିତୃରେଖା ଅଥବା ପାଶ୍ଚାତ୍ୟଙ୍କ ଭାଷାରେ ଆୟୁରେଖାଠାରୁ ଯେଉଁ ପ୍ରଭାବଶାଳୀ ରେଖା ଶୁକ୍ର କ୍ଷେତ୍ର ଆଡ଼କୁ ଲମ୍ୱିଯାଇଛି ତାହା ପତ୍ନୀ ରେଖା । ସେ ତାହା ଲକ୍ଷ୍ୟକରି ଦେଖିଲେ ସେ ରେଖାରେ କୌଣସି ଦୋଷ ନାହିଁ । ତାହାହେଲେତାଙ୍କ ସ୍ତ୍ରୀ କ’ଣ ପରଦାର ଗମନ କରିନାହିଁ ? କିଛି ଠିକ୍ କରିପାରନ୍ତି ନାହିଁ । ଭାବନ୍ତି ସେ ଭଲଭାବେ ଦେଖିପାରୁ ନାହାନ୍ତି ବୋଧହୁଏ ନିଜ ରେଖାକୁ । ନହେଲେ ଏଭଳି କିପରି ହୁଅନ୍ତା-। କିଛି ସମୟ ପାଇଁ ବିର୍ବେଦ ହୋଇ ବସିଯାନ୍ତି ସେ ।

 

ବୁଧ କ୍ଷେତ୍ରର ଥିବା ପତ୍ନୀ ରେଖାକୁ ଲକ୍ଷ୍ୟ କରି ଦେଖନ୍ତି । ରେଖାଟି ବେଶ୍ ସୁନ୍ଦର । ମୋଟା ନୁହେଁ କିମ୍ୱା ସରୁ ନୁହେଁ । ଲମ୍ୱା ରେଖାଟିର ଅଗ୍ରଭାଗ ନଇଁ ଆସିଛି ଭାରତୀୟ ମତରେ ଯାହାକୁ ଆୟୁରେଖା କହନ୍ତି ତାହାରି ଆଡ଼କୁ । ଶାସ୍ତ୍ର କହେ ଏହାଦ୍ୱାରା ପତ୍ନୀ ସୁଶ୍ରୀ ଓ ପତିସୋହାଗୀନି ହୁଏ ।

 

ବବିତା ପତି ସୋହାଗିନୀ । ଏହା ସେ ଭାବିପାରନ୍ତି ନାହିଁ ମୋଟେ । ନଷ୍ଟଚରିତ୍ରା କ’ଣ କେବେ ପତି ସୋହାଗିନୀ କେଉଁଠି ହେଲାଣି ।

 

ଦେବକାନ୍ତଙ୍କଠାରୁ ବବିତା ଦୀର୍ଘଦିନ ଧରି ଚାଲିଗଲାଣି । ଭଲରେ କେବେବି ତାଙ୍କର ହୃଦୟରୁ କଣିକାଏ ସ୍ନେହ ବବିତା ପାଇଁ ନିସୃତ ହୋଇ ନାହିଁ । ଦେବକାନ୍ତଙ୍କର ବୁଢ଼ାଙ୍ଗୁଠିଟି ଦୃଢ଼ । ବୁଢ଼ାଙ୍ଗୁଠିଟି ଦୁଇଟି ପବଥାଏ । ଉପର ପର୍ବ ଦୃଢ଼ ଇଛା ଶକ୍ତି ହେଲାବେଳେ ତା ତଳଟି ଯୁକ୍ତିବାଦ ନିର୍ଦ୍ଦେଶ କରେ । ଏହି ପ୍ରଥମ ଦ୍ୱିତୀୟ ପର୍ବ ମଧ୍ୟ ଭାଗଟି ଯଦି ଟିକିଏ ଚଉଡ଼ା ହୁଏ, ତେବେ ବ୍ୟକ୍ତି ଭାବ ପ୍ରବଣ ହୋଇଥାଏ । ଦ୍ୱିତୀୟ ପର୍ବ ଯାହାକି ହାତ ସହିତ ଯୁକ୍ତ ତାହା ପ୍ରଥମ ପର୍ବ ଅପେକ୍ଷା ସରୁ ହୁଏ ତେବେ ବ୍ୟକ୍ତି ସତ୍ୟକୁ ସମ୍ମାନ ଦିଏ । ଏହି ଆଙ୍ଗୁଳିଟି ପଛକୁ ବଙ୍କେଇବାକୁ ଚେଷ୍ଟାକଲେ ଯଦି ପଛକୁ ବାଙ୍କ ଯାଏ ତେବେ ବ୍ୟକ୍ତି ବଡ଼ ଏକଜିଦିଆ ହୋଇଥାଏ । ତେଣୁ ଦେବକାନ୍ତ ବଡ଼ ଏକଜିଦିଆ । ଯାହା ଥରେ ସ୍ଥିର କରନ୍ତି ସେଥିରେ ସେ ଦୃଢ଼ ରହନ୍ତି । ସେଥିପାଇଁ ବବିତାକୁ ଯେତେବେଳେ ନଷ୍ଟଚରିତ୍ରା ବୋଲି ଧରି ନେଲେ; ସେତେବେଳେ ପୁଣି ଚରିତ୍ରବତୀ ବୋଲି ଭାବିବା ତାଙ୍କ ଜାତକରେ ଆସିବ କୁଆଡ଼ୁ !

 

ସେଦିନ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କର ହାତରେ ଛାପ ଦେଖୁଥାନ୍ତି । ତାଙ୍କ ଶିର ରେଖା ଅଳ୍ପ କିଛି ବାଟ ଆସିଲା ପରେ ଦୁଇଭାଗ ହୋଇ ଚାଲିଯାଇଛି । ଏହା ସ୍ୱାଧିନ ଚିନ୍ତାଧାରାର ଲକ୍ଷଣ । ପୁଣି ଭାଗ୍ୟ ରେଖା ଚନ୍ଦ୍ର କ୍ଷେତ୍ରରୁ ବାହାରି ଊର୍ଦ୍ଧ୍ୱକୁ ଗତିକରି ସେ ଶନି କ୍ଷେତ୍ରକୁ ଯାଇଛି । ଏହାଦ୍ୱାରା ବ୍ୟକ୍ତିଟି ନିଶ୍ଚୟ ଜାଣେ ବିଖ୍ୟାତ ରାଜନୈତିକ ନେତା । ବୃହସ୍ପତି କ୍ଷେତ୍ରକୁ ଲକ୍ଷ୍ୟ କଲେ । ବୃହସ୍ପତି କ୍ଷେତ୍ର ଖୁବ୍ ଉଚ୍ଚ । ସେହିଭଳି ପ୍ରଥମ ଅଙ୍ଗୁଳି ବା ବିଶି ଆଙ୍ଗୁଳି ମଧ୍ୟ ଦ୍ୱିତୀୟ ବା ମଝି ଆଙ୍ଗୁଠିର ସମାନ ପ୍ରାୟ ଏହିଭଳି ନେପୋଲିୟନଙ୍କର ଥିଲା । ସେ ଅନାଇଲେ ଶନି କ୍ଷେତ୍ର ଆଡ଼କୁ–ହଠାତ୍ ଡାକପିଅନ ଟେଲିଗ୍ରାମଟିଏ ଧରି ପହଞ୍ଚିଲା । ଦେବକାନ୍ତ ଟିକିଏ ବିରକ୍ତ ହେଲେ କୌଣସି ଗୋଟାଏ କାମ କରୁଥିଲାବେଳେ ମଝିରେ ଗୋଳମାଳ କଲେ ମନ ବଡ଼ ଅଶାନ୍ତି ହୁଏ । କଣ୍ ସେ ବା କହେ ପୋଷ୍ଟମ୍ୟାନକୁ । ତା କାଗଜରେ ଦସ୍ତଖତ କରି ଟେଲିଗ୍ରାମଟିକୁ ହାତକୁ ନେଲେ । ସଙ୍ଗେ ସଙ୍ଗେ ତାହା ଚିରି ଦେଖିଲେସେ ଏକ ଦୀର୍ଘ ଟେଲିଗ୍ରାମ । ମନଯୋଗ ସହକାରେ ଟେଲିଗ୍ରାମଟି ପଢ଼ିଲେ । ପଢ଼ି ସାରିଲା ପରେ ଟିକିଏ ଚିନ୍ତାକଲେ । ଡଃ ମହାପାତ୍ର ଟେଲିଗ୍ରାମ କରିଛନ୍ତି । ବବିତାର ଝିଅ ବେମାର । ଡାକ୍ତରଙ୍କ ମତ ତାର ରକ୍ତ ଜନିତ ରୋଗ । ଏହା ପୁଣି ବାପ କିମ୍ୱା ମାଙ୍କ ଠାରୁ ଆସିଛି । ବବିତାର ରକ୍ତ ପରୀକ୍ଷା ପରେ ଡାକ୍ତରମାନେ ଏକମତ ତାହା ବବିତାଠାରୁ ଆସିନାହିଁ । ଆସିଛି ବୋଧେ ପିଲାଟିର ବାପାଠାରୁ । ତେଣୁ ଡାକ୍ତର ଅନୁରୋଧ କରିଛନ୍ତି ସେ ତାଙ୍କ ରକ୍ତ ପରୀକ୍ଷା କରି ଜଣାଇବାକୁ ପ୍ରକୃତ ତାଙ୍କ ରକ୍ତ ଆର୍.ଏଚ, ନେଗେଟିଭ କି ନା ?

 

ସେ ପର୍ଯ୍ୟନ୍ତ ଯେ କିଛି ଖାଇ ନଥାନ୍ତି । ଟେଲିଗ୍ରାମଟି ପାଇଲାପରେ ହଠାତ୍ ତାଙ୍କ ମନରେ ଏକ କୌତୁହଳ ଜାଗ୍ରତ ହେଲା । ଯଦି ବବିତାର ରକ୍ତରେ ଏ ରୋଗନାହିଁ ତାହାହେଲେ କଣ ତାଙ୍କ ଦେହରେ ଅଛି ? ଯଦି ନଥାଏ ତେବେ ଏଠାରେ ପୂରାପୂରି ପ୍ରମାଣିତ ହୋଇଯିବ ବବିତାର ଝିଅଟି ତାଙ୍କର ନୁହେଁ । ଆଉ ମୁହୂର୍ତ୍ତେ ମାତ୍ର ବିଳମ୍ୱ ନକରି ଦେବକାନ୍ତ ଉଠିଲେ ଡାକ୍ତରଙ୍କ ପାଖକୁ ଯିବାପାଇଁ । ପୂଝାରୀ ଚା ଜଳଖିଆ ଧରି ଆସିଲା ତାକୁ କିଛି କହିବାକୁ ତାଙ୍କର ସମୟ ନାହିଁ । ଟେଲିଗ୍ରାମଟି ହାତରେ ଧରି ସେ ଛୁଟିଲେ ଡାକ୍ତରଙ୍କ ପାଖକୁ ।

 

ଡାକ୍ତର ତାଙ୍କ ରକ୍ତ ପରୀକ୍ଷା କରି କହିଲେ ହଁ ଆର୍, ଏଚ୍, ନେଗେଟିଭ ତୁମ ରକ୍ତରେ ଅଛି । ଦେବକାନ୍ତ ଗାଧୋଇ ନାହାନ୍ତି କିଛି ଖାଇ ନାହାନ୍ତି ତାଙ୍କର ଭୋକ ଶୋକସବୁ କୁଆଡ଼େ ଚାଲିଗଲା ଡାକ୍ତରଙ୍କ ରକ୍ତ ପରୀକ୍ଷା ରିପୋର୍ଟ ଦେଖି ସେଥି ଅବସ୍ଥାରେ ସେ ଛୁଟିଲେ ଟେଲିଗ୍ରାମଟି ଆସିଥିବା ଡାକ୍ତରଙ୍କ ପାଖକୁ ଖଣ୍ଡେ ଟ୍ୟାକସି କରି ଯେତେଶୀଘ୍ର ପାରନ୍ତି ସେତେଶୀଘ୍ର ସେ ପହଞ୍ଚିଲେ ଡାକ୍ତରଙ୍କ ପାଖରେ ।

 

ଡାକ୍ତର ସେତେବେଳେ ଜଣେ ରୋଗୀକୁ ପରୀକ୍ଷା କରୁଥାନ୍ତି । ସେ ସମୟରେ ଭିତରକୁ ଯିବା ଉଚିତ ନୁହେଁ । କିନ୍ତୁ ଦେବକାନ୍ତ ଉଚିତ ଅନୁଚିତ ସବୁ କିଛି ଭୁଲିଯାଇଥାନ୍ତି । ସତେ ସେ କି ଅନ୍ୟାୟ କରିନାହାନ୍ତି ବବିତା ପ୍ରତି । ଗୋଟାଏ ଭୁଲ୍ ବଶବର୍ତ୍ତୀ ହୋଇ ସେ ବବିତାକୁ ଖାଲି ସନ୍ଦେହ କରି ନାହାନ୍ତି ତା ପ୍ରତି ନିଷ୍ଠୁର ହୋଇଛନ୍ତି—ଏକ ପ୍ରକାର ତାକୁ ତାଙ୍କ ଘରୁ ତଡ଼ି ଦେଇଛନ୍ତି ।

 

ଦେବକାନ୍ତଙ୍କ ମନେପଡ଼ିଲା ବବିତା ଯେଉଁଦିନ ତାଙ୍କ ଘରୁ ତା ବାପଘରକୁ ଚାଲିଗଲା ସେହିଦିନ କଥା । ଝିଅ ତାଙ୍କର ବା, ବା କହି ଠୁକୁ ଠୁକୁ ହୋଇ ଚାଲିଆସିଥିଲା ତାଙ୍କ ପାଖକୁ । ନିଷ୍ଠୁର ସେ ଥରୁଟିଏ ବି ତା ଆଡ଼େ ଅନାଇନାହାନ୍ତି । ହିନ୍ଦୁ ରୀତିରେ ଯାହାର ହାତଧରି ପତ୍ନୀଭାବେ ଅଗ୍ନିକୁ ସାକ୍ଷୀ ରଖି ବରଣ କଲେ; ତାହାର ଦଶ ଦୋଷ କାହିଁକି ଗୋଟିଏ ଦୋଷ ବି କ୍ଷମା ଦେଲେ ନାହିଁ । ଓଃ କି ଅନ୍ୟାୟ କରିନାହାନ୍ତି ସେ । ଏଥିପାଇଁ ବବିତା କଣ ତାକୁ କ୍ଷମା ଦେବ ନାହିଁ ।

 

ଦ୍ୱାର ମୁଁହରେ ବସିଥିବା ପିଅନ ବାଧାଦେଲା ଭିତରକୁ ଯିବାକୁ । ଦେବକାନ୍ତ ବିଚାରଶୂନ୍ୟ ହୋଇପଡ଼ିଥାନ୍ତି ସେତେବେଳେ । ସେ ଝିଅ ତାଙ୍କର ତାକୁ ଯେ କୌଣସି ମତେ ବଞ୍ଚାଇବାକୁ ହେବ । ପିଅନକୁ ଠେଲି ଦେବକାନ୍ତ ପଶିଗଲେ ଡାକ୍ତର ରୋଗୀ ପରୀକ୍ଷା କରୁଥିବା ଘର ଭିତରକୁ । ସେତେବେଳେ ରୋଗୀକୁ ଟେବୁଲ ଉପରେ ଶୁଆଇ ଡାକ୍ତର କାନରେ ଷ୍ଟେଥୋ ଦେଇ ପରୀକ୍ଷା କରୁଥାନ୍ତି । ସେ ସବୁ ଭୁଲ ବଡ଼ପାଟିରେ କହିଲେ । ମୁଁ ଦେବକାନ୍ତ ଦାସ ଆସିଛି ଡକ୍ଟର । ଏହି ନିଅନ୍ତୁ ବ୍ଳଡ଼ ରିପୋର୍ଟ.... ମୋ ରକ୍ତ ଆର୍, ଏଚ୍. ନେଗେଟିଭ—ସେ ମୋର ଝିଅ ।

 

ଡାକ୍ତର ମୁଁହ ବୁଲାଇ ଦେବକାନ୍ତଙ୍କ ଆଡ଼କୁ ଅନାଇଲେ । ହାତ ବଢ଼ାଇ ଗ୍ରହଣ କଲେ ବ୍ଲଡ଼ ରିପୋର୍ଟ । ତା’ପରେ ଟେବୁଲରେ ଶୋଇଥିବା ରୋଗୀକୁ ମୁଁ ଆସୁଛି କହି ଚାଲିଗଲେ ବାହାରକୁ । ତାଙ୍କ ପଛେ ପଛେ ଚାଲିଲେ ଦେବକାନ୍ତ । ଅଳ୍ପ ଦୂରରେ ଚିକିତ୍ସା ସେଦିନର ଗୋଟିଏ କୋଠରୀ ଭିତରକୁ ଦେବକାନ୍ତଙ୍କୁ ଯିବାକୁ ଡାକ୍ତର ନୀରବରେ ନିର୍ଦ୍ଦେଶ ଦେଲେ । ପାଗଳଙ୍କ ପରି ଦେବକାନ୍ତ ଛୁଟିଗଲେ ସେହି କୋଠରୀ ଭିତରକୁ । କୋଠରୀ ଭିତରେ ବବିତା ଦ୍ୱାର ଆଡ଼କୁ ପଛ କରି ଛିଡ଼ାହୋଇ କାନ୍ଦୁଛି । ଦେବକାନ୍ତ ବଡ଼ ପାଟିରେ ଡାକି କହିଲେ ବବିତା ମୁଁ ଆସିଛି— ।

 

ସେତେବେଳକୁ ସବୁ ଶେଷହୋଇ ଯାଇଥାଏ । ତାଙ୍କ ଝିଅ ଶୁଭ୍ରାର ଦେହରୁ ଜୀବନ ବାହାରି କେତେବେଳୁ ଚାଲିଯାଇଥାଏ ଦେହଟିକୁ ନିଥର କରି । ଦେବକାନ୍ତକୁ ଦେଖି ବବିତା କାନ୍ଦିଉଠିଲା କଇଁ କଇଁ ହୋଇ ନିଃସନ୍ତାନ ହାତ ତାଙ୍କର । ଦୋଷଯୁକ୍ତ ସନ୍ତାନରେଖା ଯାହାର ସନ୍ତାନ ହେଲେବି ବଞ୍ଚିବେ କିପରି ?

 

ବାହାରେ ଡାକ୍ତର ଠିଆ ହୋଇଥାନ୍ତି । ତାଙ୍କର ଧୈର୍ଯ୍ୟ ନ ଥାଏ । ହତଭାଗ୍ୟ ପିତାମାନଙ୍କର ଦୁଃଖ ନିଜ ଆଖିରେ ଦେଖିବାକୁ । ସେ ଶୁଣୁଥାନ୍ତି ଦେବକାନ୍ତ ବଡ଼ ପାଟିରେ ଡାକି କହୁଥାନ୍ତି ଡକ୍ଟର ମୋ ଝିଅକୁ ବଞ୍ଚାଅ, ମୋ ଝିଅକୁ ବଞ୍ଚାଅ ।

☆☆☆

 

ଦଣ୍ଡକାରଣ୍ୟ

 

ଭ୍ରମଣ ଉଦ୍ଦେଶ୍ୟରେ ନିର୍ଗତ ହୋଇଛନ୍ତି ମହାରାଜ ଦଣ୍ଡକ । ରାଜଧାନୀ ମଧୁମନ୍ତ୍ରର ଚତୁର୍ଦ୍ଦିଗରେ ମୁଖରିତ ହେଉଛି ତାଙ୍କର ସ୍ତୁତିଗାନ, ଇକ୍ଷ୍ୱାକୁଙ୍କର କନିଷ୍ଠ ପୁତ୍ର ସେ । ତାଙ୍କର ପିତାମହ ମହାରାଜ ମନୁ । ସେ ଯେଉଁଭଳି ଜିତେନ୍ଦ୍ରିୟ ସେହିଭଳି ବୀର । ତାଙ୍କର ଅମିତ ଶକ୍ତି ପ୍ରଦର୍ଶନ କରି ଶତୃଗଣ ଭୀତତ୍ରସ୍ତ । ତାଙ୍କର ଧର୍ମନିଷ୍ଠା ଦେଖି ଋଷିମାନେ ସନ୍ତୁଷ୍ଟ । ଅଲଭ୍ୟ ବୋଲି କୌଣସି ଦ୍ରବ୍ୟ ତାଙ୍କ ପାଖରେ ନାହିଁ । କିନ୍ତୁ ସେ ଚାହାନ୍ତି ନାହିଁ ନିଜର ଆତ୍ମସୁଖ ପାଇଁ କିଛି । ବିବାହର ସମୟ ତାଙ୍କର କେବେଠାରୁ ଆସିଯାଇଥିଲେ ମଧ୍ୟ ସେ ବିବାହ ପାଇଁ ପ୍ରସ୍ତୁତ ନୁହନ୍ତି । ପିତା ଇକ୍ଷ୍ୱାକୁଙ୍କ ଶତସଂଖ୍ୟକ ପୁତ୍ରଙ୍କ ମଧ୍ୟରୁ ସେ କନିଷ୍ଠ । ବାଲ୍ୟ କାଳରେ ଅତିଶୟ ମୂର୍ଖ ଏବଂ ବିଦ୍ୟାହୀନ ଥିଲେ ବୋଲି ପିତା ତାଙ୍କ ନାମ ରଖିଛନ୍ତି ଦଣ୍ଡକ । ପିତାଙ୍କର ଧାରଣା ତାଙ୍କର ସମସ୍ତ ସୁନାମକୁ ସେ ହିଁ ବିପଦ ଗ୍ରସ୍ତ କରିବ । ସେଥିପାଇଁ ବିନ୍ଧ୍ୟାଚଳ ଓ ଶୈବାଳ ପର୍ବତ ମଧ୍ୟବର୍ତ୍ତୀ ରାଜ୍ୟ ତାଙ୍କୁ ପ୍ରଦାନ କରିଛନ୍ତି ।

 

ରାଜ୍ୟର ଶାସନଭାର ଗ୍ରହଣ କରି ବିଦ୍ୟାହୀନ ଦଣ୍ଡକ ବିଦ୍ୟାକୁ ଆଦର କରିଛନ୍ତି । ସେ କେବେ ଭୁଲିନାହାନ୍ତି ଋଷିମୁନିମାନଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରି ତାଙ୍କର ଆଶିଷ ଗ୍ରହଣ କରିବାକୁ । ପ୍ରତିଦିନ ରାଜ୍ୟ ଶାସନରେ ତାଙ୍କୁ ସାହାଯ୍ୟ କରିବାକୁ ବହୁ ପଣ୍ଡିତ ତାଙ୍କ ରାଜସଭା ମଣ୍ଡନ କରିଥାଆନ୍ତି । ଅନ୍ୟାୟ ଅନୀତି ବିରୁଦ୍ଧରେ ତାଙ୍କର ଦଣ୍ଡ ଯେଉଁଭଳି ଅନୀତି ଗ୍ରସ୍ଥଙ୍କୁ ଭୀତତ୍ରସ୍ତ କରେ ସେହିଭଳି ନୀତିବାନ୍ ବିପଦଗ୍ରସ୍ଥ ବ୍ୟକ୍ତି ତାଙ୍କର ଦ୍ୱାରସ୍ଥ ହୋଇ ଉପଯୁକ୍ତ ଆଦର ପାଇଥାନ୍ତି । ଉତ୍ତମ ବ୍ରତାଚାରୀ ‘ଉଶନସ’ ଯାହାଙ୍କର ପୁରୋହିତ ସେ ମୂର୍ଖ ଅପଣ୍ଡିତ ବୋଲି କିଏ ବା କହିବ । ରାଜା ଦଣ୍ଡକ ନିଜର ପୁରୋହିତଙ୍କ ସହିତ ସେହି ପ୍ରହୃଷ୍ଟ ପ୍ରଜାଜନ ପରିପୂର୍ଣ୍ଣ ରାଜ୍ୟକୁ, ଇନ୍ଦ୍ର ଦେବଲୋକକୁ ଶାସନ କଲାପରି ଶାସନ କରି ଆସିଛନ୍ତି । ରାଜ୍ୟର ଦରିଦ୍ରଠାରୁ ଧନୀ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜା ଦଣ୍ଡକଙ୍କ ଶାସନରେ ସନ୍ତୁଷ୍ଟ । ଏଥିପାଇଁ ରାଜ୍ୟ ବାହାରର କୌଣସି ବଳବାନ ଶତ୍ରୁ ତାଙ୍କ ରାଜ୍ୟକୁ ଆକ୍ରମଣ କରିବାକୁ ସାହସ କରେ ନାହିଁ ।

 

କେତେ ମଧୁମାସ ବିତିଯାଇଛି । ମହାରାଜ ଦଣ୍ଡ ସର୍ବଦା ନିଜକୁ ରାଜ୍ୟର ଜଣେ ଉପଯୁକ୍ତ ଶାସକ ଭାବରେ ନିୟୋଜିତ କରି କେବେ ଅନୁଭବ କରିନାହାନ୍ତି ତାଙ୍କ ଯୁବୋଚିତ ଅଙ୍ଗପ୍ରତ୍ୟଙ୍ଗର ଯୌବନର ତଡ଼ିତ୍ । ମଧୁମାସ ତାଙ୍କ ଯୌବନର ଦ୍ୱାରଦେଶରେ କେତେଥର ଗୁଞ୍ଜରଣ ତୋଳି ଡାକିଛି, ହେ ବୀର ! ହେ ଯୁବକଶ୍ରେଷ୍ଠ ଦ୍ୱାର ଖୋଲ । କିନ୍ତୁ ଦ୍ୱାର ଖୋଲିବାକୁ ସମୟ ନାହିଁ ମହାରାଜ ଦଣ୍ଡଙ୍କୁ । ରାଜ୍ୟର ବହୁ କାର୍ଯ୍ୟ ବାକିପଡ଼ିଛି–ମଧୁମାସର ପୁଷ୍ପିତ ଯୌବନ ଲତାକୁ ଦେଖିବାପାଇଁ ସମୟ ନାହିଁ ତାଙ୍କର । ତାଙ୍କ ଅସାବଧାନରେ ବେଳେବେଳେ ମଦୁଆ ନିଶା ତାଙ୍କୁ ସ୍ପର୍ଶ କରି ତାଙ୍କ ମନକୁ କ୍ଷଣକପାଇଁ ବିଚଳିତ କରିପକାଇଛି । ମାତ୍ର ତା ପରେ ପରେ ସେ ନିଜକୁ ଆୟତ କରି ନେଇଛନ୍ତି । ତଦଣ୍ଡେ ମଧୁନିଶା ପଳାୟନ କରିଛି କାଳେ ମହାରାଜ ଦଣ୍ଡ ତାକୁ କଠୋର ଦଣ୍ଡରେ ଦଣ୍ଡିତ କରିବେ ବୋଲି ।

 

କିନ୍ତୁ ଅବିଶ୍ୱାସୀ କାଳ ଦୂରରେ ରହି ହସେ । ଅନ୍ୟୁଚ ସ୍ୱରରେ କହେ, ତୁମେ କଣ ଚିରଦିନ ରଖିପାରିବ ନିଜକୁ ଆୟତ୍ତ କରି ? ଯୋଗୀଶ୍ରେଷ୍ଠ ଶିବ ରଖିପାରିନାହାନ୍ତି–ରଖିପାରିନାହାନ୍ତି ବ୍ରହ୍ମା । ନିଜର କନ୍ୟା ସରସ୍ୱତୀଙ୍କୁ ସେ ପତ୍ନୀଭାବେ ଗ୍ରହଣ କରିଛନ୍ତି–ରଖିପାରିନାହାନ୍ତି ମଧ୍ୟ ଭଗବାନ ବିଷ୍ଣୁ । ଆଉ ତୁମେ କେତେ ମାତ୍ର ।

 

ମହାରାଜ ଦଣ୍ଡ ଶୁଣିପାରନ୍ତି ନାହିଁ କାଳର ସେହି ସ୍ୱାଗତିକ । ସୌନ୍ଦର୍ଯ୍ୟର ଲହରି ଭିତରେ ନିଜକୁ ନିର୍ବିକାର ପୁରୁଷ ଭଳି ତୋଳି ଆଗେଇଯାନ୍ତି ଆଗକୁ । କାଳର ବିଦ୍ରୂପ କଟାକ୍ଷକୁ ନାଗନିନ୍ଦିତ ଉଭୟ ହସ୍ତରେ ଢାଲ କରବାଳ ଧରି ଆହ୍ୱାନ କରନ୍ତି ରକ୍ତିମ ନୟନ ଯୁଗଳରେ । ପ୍ରାଣ ପାଇ କାଳ ଦୂରେଇଯାଏ ଦୂରକୁ । ତା ପରେ ହସିଉଠେ । ସେ ହସ କିନ୍ତୁ ଶୁଭେନାହିଁ ମହାରାଜ ଦଣ୍ଡକଙ୍କୁ । ଦଣ୍ଡକ ଜାଣିଛନ୍ତି ନିଜକୁ ଆୟତ କରିବାପାଇଁ ସର୍ବଦା କର୍ମତତ୍ପର ରହିବାଆବଶ୍ୟକ । ମନ ସ୍ଥିର ରଖିଲେ ସବୁ ସ୍ଥିର ହୋଇଯିବ ।

 

ସେଦିନ ଚାର ସମ୍ୱାଦ ଦେଲା ରାଜଧାନୀର ଉପକଣ୍ଠରେ ଜଣେ ସୁନ୍ଦରୀ ରମଣୀ ବିଳାପ କରୁଛି, କିନ୍ତୁ ତା ନିକଟବର୍ତ୍ତୀ ହେବାମାତ୍ରେ ସେ କେଉଁଆଡ଼େ ଅଦୃଶ୍ୟ ହୋଇଯାଉଛି । ଆଶ୍ଚର୍ଯ୍ୟ ! ଏହା କ’ଣ ସମ୍ଭବ ! ତା ହେଲେ ସେ ନାରୀ କଣ ରକ୍ତମାଂସ ଦେହଧାରୀ ମଣିଷ ନୁହେଁ-

 

ମହାରାଜ ! ଚାରକୁ ବାରଣ କରିଛନ୍ତି ଏ ବିଷୟ କେଉଁଠି ପ୍ରକାଶ କରିବା ପାଇଁ–ଆଉ ନିଜେ ଗୁପ୍ତରେ ଅତି ସନ୍ତର୍ପଣରେ ଅନ୍ଧକାର ବକ୍ଷଚିରି ଧାଇଁ ଯାଇଛନ୍ତି ପ୍ରକୃତ ତଥ୍ୟ ଉଦ୍‍ଘାଟନ କରିବାକୁ । ରାତିସାରା ବୁଲି ବୁଲି ଫେରିଆସିଛନ୍ତି । ସନ୍ଧାନ ପାଇନାହାନ୍ତି ସେ କ୍ରନ୍ଦନରତା ରମଣୀର । ତା ହେଲେ ଚାର କ’ଣ ମିଥ୍ୟା ସମ୍ୱାଦ ଦେଇଛି ?

 

ଗୋଟିଏ ରାତି ନୁହେଁ ସାତରାତି ଖୋଜିଛନ୍ତି ସେହି ବିଳାପିତା ରମଣୀକୁ । କିନ୍ତୁ ସେ ରାଜଧାନୀର ଯେଉଁ ଦିଗରେ ଭ୍ରମଣ କରନ୍ତି ଅପର ଦିଗରେ ସେ ବିଳାପ କଲେ । ସେ ଦିଗର ରକ୍ଷୀ ସେହି ବିଳାପ ଧ୍ୱନିକୁ ଅନୁସରଣ କରି ନିଷ୍ଫଳ ହୋଇ ଫେରେ । କେତେକ ମଧ୍ୟ ସେହି ରମଣୀକୁ ଦେଖିବାକୁ ସମର୍ଥ ହୋଇଛନ୍ତି, ମାତ୍ର ସମ୍ପୂର୍ଣ୍ଣଭାବେ ନୁହେଁ । ସାମାନ୍ୟ ଦୃଷ୍ଟିତା ଉପରେ ପଡ଼ୁ ପଡ଼ୁ ସେ ଅନ୍ଧକାରରେ ମିଳାଇଯାଏ । ଯେତିକି ତାଙ୍କର ଦୃଷ୍ଟିପଥରେ ପଡ଼ିଛି ସେତିକିରୁ ସେ ଜାଣିଛନ୍ତି ସେ ଅସାମାନ୍ୟ ସୁନ୍ଦରୀ ।

 

ପୁରୋହିତ ‘ଉଶିନସ’ଙ୍କ କର୍ଣ୍ଣଗୋଚର ଏକଥା ହୁଏ । ସେ ଯୋଗରେ ଜାଣିପାରନ୍ତି ସେ ଅନ୍ୟ କେହି ନୁହେଁ ସ୍ୱୟଂ ରାଜଲକ୍ଷ୍ମୀ । କୌଣସି ଅଶୁଭ ସୂଚନା ଲକ୍ଷ୍ୟ କରି ସେ କାନ୍ଦୁଛନ୍ତି ।

 

ଦଣ୍ଡକ ରାଜ୍ୟରେ ଅଶୁଭ ସୂଚନା ? ଏହା କଣ ସମ୍ଭବ ! ଯେଉଁ ରାଜ୍ୟର ସୀମା ରୋଗ ସ୍ପର୍ଶ କରିପାରେ ନାହିଁ । ରାଜ୍ୟର ଲୋକଙ୍କୁ ଯଥେଷ୍ଟ ବୟସ ହେଲେ ମଧ୍ୟ ବାର୍ଦ୍ଧକ୍ୟ ଭୟ କରେ କାହାରିକୁ କବଳିତ କରିବା ନିମିତ୍ତ । ଦଣ୍ଡକଙ୍କ ସୁଶାସିତ ରାଜ୍ୟକୁ ଯମ ତାର ଦଣ୍ଡଧରି ଆଗେଇ ଆସି ଶୂନ୍ୟରେ ସ୍ତବ୍ଧ ହୋଇ ରହିଯାଏ । ସେ ଲକ୍ଷ୍ୟକରି ଦେଖେ ଦଣ୍ଡକଙ୍କର ଶାସନ ଦଣ୍ଡ ତା ନିଜ ଦଣ୍ଡଠାରୁ ଅଧିକ ଶକ୍ତିଶାଳୀ, ଯଦି କେବେ ଭୁଲରେ ତାଙ୍କ ଦଣ୍ଡ ସହିତ ଦଣ୍ଡଙ୍କ ଦଣ୍ଡର ସଂଘର୍ଷ ହୁଏ ତେବେ ଚିରଦିନ ପାଇଁ ହୁଏ ତ ତାଙ୍କ ଦଣ୍ଡ ବିଲୟ ଲଭିବ ।

 

ସେଦିନ ଭୟଙ୍କର ବର୍ଷା ହେଉଥାଏ । ଶିରି ଶିରି ହୋଇ ବହୁଥାଏ ପବନ । ମହାରାଜ ଦଣ୍ଡ ଶୟନ କରିଥାଆନ୍ତି ନିଜ ଶୟନକକ୍ଷରେ । ରତ୍ନ ନିର୍ମିତ ଘୃତ ଦୀପ ଶୟନ କକ୍ଷକୁ ଉଜ୍ଜ୍ୱଳକରି ଜଳୁଥାଏ । ହଠାତ୍ ମହାରାଜ ଦଣ୍ଡ ଦେଖିଲେ ତାଙ୍କ ପଲଙ୍କ ନିକଟରେ ଜଣେ ଅପରୂପା ସୁନ୍ଦରୀ ।

 

ବିସ୍ମିତ ହେଲେ ମହାରାଜ ଦଣ୍ଡ । ଏ ଅସମୟରେ ତାଙ୍କ ଶୟନକକ୍ଷରେ ଜଣେ ରୂପସୀ-। ମହାରାଜ ଜିଜ୍ଞାସା କଲେ, ଏ ଅସମୟରେ ଭଉଣୀ.....କି ଉଦ୍ଦେଶ୍ୟରେ ଆସିଛ ?

 

ଅବରାଣ୍ଠନବତୀ ରମଣୀ ତାର ଅବଗୁଣ୍ଠନ ଖୋଲିଦେଲା ସହସା । ଚମକି ପଡ଼ିଲେ ମହାରାଜ ଦଣ୍ଡକ । ଏ କଣ ମାନବୀ ନା ଦେବୀ ? ଏତେ ରୂପ କଣ ମାନବୀଠାରେ ସମ୍ଭବ !

 

ମୁଖରେ ସ୍ମିତହାସ୍ୟ ଖେଳାଇ ଯୁବତୀ କହିଲା, ମୁଁ ପଥହରା ମହାରାଜ ! ସେଥିପାଇଁ ଛୁଟିଆସିଛି ଆପଣଙ୍କ ନିକଟକୁ । ଆପଣ କଣ ମୋ ଦୁଃଖ ଶୁଣିବେ ନାହିଁ ? ଉଠି ବସିଲେ ଦଣ୍ଡ । ଦୁଃଖ.....ଦଣ୍ଡଙ୍କ ରାଜ୍ୟରେ ଜଣେ ପ୍ରଜା ଦୁଃଖୀ, ରାଜା ବ୍ୟସ୍ତହୋଇ ଉଠିଲେ, କୁହ ଭଉଣୀ ! କି ଦୁଃଖ ତୁମ୍ଭର, ମୁଁ ମୋର ଶକ୍ତି ଅନୁଯାୟୀ ନିଶ୍ଚୟ ତୁମ୍ଭର ଦୁଃଖ ମୋଚନ କରିବି ।

 

ହସିଉଠିଲେ ଯୁବତୀ । ତାଙ୍କର ଖିଲ୍ ଖିଲ୍ ହସରେ ଦଣ୍ଡଙ୍କର ଶୟନକକ୍ଷ ଭରିଗଲା । ମାତ୍ର ଦଣ୍ଡକଙ୍କର ମୁଖ ମଣ୍ଡଳ ଗମ୍ଭୀରରୁ ଗମ୍ଭୀରତର ହୋଇ ଉଠିଲା । ସେ ଉଚ୍ଚସ୍ୱରରେ କହିଲଷ ବନ୍ଦକର.... ଦଣ୍ଡକ ରାଜ୍ୟରେ ଜଣେ ମହିଳା ପକ୍ଷରେ ଏଭଳି ଆଚରଣ ଅଶୋଭନୀୟ । ଏଥିପାଇଁ ରାଜଦଣ୍ଡରେ ତୁମ୍ଭେ ଦଣ୍ଡିତ ହେବ ।

 

ସେହି ମୁହୂର୍ତ୍ତରେ ସେହି ପ୍ରଗଳ୍‍ଭା ନାରୀ ନୀରବ ହୋଇଗଲା ଏବଂ ନୀରବରେ କକ୍ଷ ଛାଡ଼ି ଚାଲିଗଲା ।

 

ସେ ଚାଲିଯିବା ବେଳେ ଦଣ୍ଡକ ଉଚ୍ଚ କଣ୍ଠରେ କହିଉଠିଲେ, ଅପେକ୍ଷା କର ନାରୀ !

 

ତୁମେ ରାଜାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ନୀତିଗର୍ହିତ କାର୍ଯ୍ୟ କରିଛ । ସେଥିପାଇଁ ତୁମେ ରାଜଦଣ୍ଡରେ ଦଣ୍ଡିତ ହେବ । ରକ୍ଷୀ ତୁମକୁ ବନ୍ଧନ କରିବା ପୂର୍ବରୁ ତୁମେ ସ୍ଥିରହୋଇ ଛିଡ଼ାହୁଅ ।

 

ମହାରାଜ ଦଣ୍ଡକ ଶଙ୍ଖନାଦ କରି ପ୍ରହରୀଙ୍କୁ ସତର୍କ କରିଦେଲେ । ମହାରାଜାଙ୍କ ଶଙ୍ଖଧ୍ୱନୀ ସଙ୍ଗେ ସଙ୍ଗେ ଶତଶଙ୍ଖ ବିଭିନ୍ନ ଦିଗରୁ ବାଜିଉଠିଲା । ଅସଂଖ୍ୟ ପ୍ରହରୀ ସତର୍କତାର ସହିତ ଲକ୍ଷ୍ୟ କଲେ । କିନ୍ତୁ ସେ ନାରୀ ଶୂନ୍ୟରେ ମିଳାଇ ଯାଇଛି । କେବଳ ରାଜଧାନୀ ମଧୁମନ୍ତ କାହିଁକି ସମଗ୍ର ରାଜ୍ୟ ମଧ୍ୟରେ ମଧ୍ୟ ସେ ନାରୀର ସନ୍ଧାନ ମିଳିଲା ନାହିଁ ।

 

ପୁରୋହିତ ‘ଉଶନସ’ କହିଲେ ସେହିଁ ରାଜଲକ୍ଷ୍ମୀ । ତୁମର ଧୈର୍ଯ୍ୟ ପରୀକ୍ଷା କରିବାକୁ ଆସିଥିଲେ । ତୁମେ ତାଙ୍କ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ ।

 

ଆଶ୍ୱସ୍ଥ ହେଲେ ମହାରାଜ ପୁରୋହିତଙ୍କ କଥାଶୁଣି । କିନ୍ତୁ କାଳ ହସିଉଠିଲା । କରାଳ କବଳରୁ କ’ଣ ଦଣ୍ଡକ ନିଷ୍କୃତ ପାଇପାରିବେ ।

 

ଚୈତ୍ରମାସ ପଲ୍ଲବିତ ତରୁଶାଖାରେ କୋଇଲି ତାର ସୁଲଳିତ କଣ୍ଠମେଲି ବସନ୍ତ ବାହାର ବୋଲୁଛି । କୃଷ୍ଣଚୂଡ଼ା ନାଲୀ ଶାଢ଼ି ପିନ୍ଧି ସତେ ଯେପରି ମହାରାଜ ଦଣ୍ଡକଙ୍କୁ ଅଭ୍ୟର୍ଥନା ଜଣାଇବା ନିମିତ୍ତ ଦଣ୍ଡାୟମାନ । ସାରା ଅଂଗକୁ ହଳଦୀ ଜର୍ଜରିତ କରି ହଳଦୀ ବସନ୍ତ ଗୋଟିଏ ବୃକ୍ଷରୁ ଅନ୍ୟ ବୃକ୍ଷକୁ ଉଡ଼ିଯାଉଛି, ମହାରାଜ ଦଣ୍ଡକ ରଥର ସମ୍ମୁଖ ଭାଗରେ କରିଯୁଥ ଧାଇଁ ଚାଲିଛନ୍ତି । କେତେ ଦୂରରୁ ବାଞ୍ଛାବାତେ ଆଲୋଡ଼ିତ ସାଗରର ଉରାଳ ତରଙ୍ଗ ସ୍ପର୍ଶକରି ଶୀତମଖା ପବନ ଉତ୍ତରଦିଗକୁ ଧାଇଁ ଗଲାବେଳେ ମହାରାଜାଙ୍କ କୋମଳ ଅଙ୍ଗରେ ସାମାନ୍ୟ ଶୀତ ମାଖିଦେଇ ଚାଲିଯାଏ ।

 

ମହାରାଜ ଦଣ୍ଡକ ନିଜ ରାଜଧାନୀଠାରୁ ଅନେକ ଦୂରକୁ ଚାଲି ଆସିଥାନ୍ତି । ଜନବସତି, ସୁଶ୍ୟାମଳ କେଦାର, ଉତ୍ତଙ୍ଗ ପର୍ବତମାଳା ଟପି ଧାଇଁ ଚାଲିଛନ୍ତି ଆଗକୁ । ଆଗରେ ଏକ ମନୋହର ଅରଣ୍ୟ, ସମ୍ଭବତଃ କଠୋର ତପା କୌଣସି ଋଷିଙ୍କର ହେବ, ବୃକ୍ଷ ଗହଳରୁ ଧୂମରାଶି କୁଣ୍ଡଳି ଆଧାରରେ ନୀଳ ଆକାଶ ଆଡ଼କୁ ଆଗେଇ ଚାଲିଛି । ସମ୍ଭବତଃ ସିଦ୍ଧଋଷି ଦେବତାଙ୍କ ଉଦ୍ଦେଶ୍ୟରେ ହବି ପ୍ରଦାନ କରୁଛନ୍ତି ଯଜ୍ଞ କୁଣ୍ଡରେ ।

 

ବହୁଦୂରରୁ ଯାହା କ୍ଷୁଦ୍ରଭାବେ ଅସ୍ପଷ୍ଟ ଦେଖାଯାଉଥିଲା ତାହା ଧୀରେ ଧୀରେ ଆଖି ଆଗରେ ସ୍ପଷ୍ଟ ହୋଇ ଉଠିଲାଣି । ସମ୍ମୁଖ ଭାଗରେ ଏକ ମନୋହର ଆଶ୍ରମ ।

 

ମହାରାଜ ଆଦେଶ ଦେଲେ ରଥ ରଖ । ଦ୍ରୁତଗତିରେ ରଥଟିକୁ ଧରି ଧାଇଁ ଯାଉଥିବା ଘୋଡ଼ାଗୁଡ଼ିକ ସାରଥୀର ଟାଣ ଲଗାମରେ ଆଗ ଗୋଡ଼ ଦୁଇକୁ ଉପରକୁ ଟେକି ରହିଗଲେ ।

 

ମହାରାଜ ରଥରୁ ଉତୁରୀ ପାଦୁକାଯୁକ୍ତ ପାଦରେ ଆଗେଇ ଚାଲିଲେ ଆଶ୍ରମାଭିମୁଖେ । ଆଶ୍ରମଟି ପୁଷ୍ପ ଫଳ ବୃକ୍ଷରେ ଭରା । କେତେକ ବଡ଼ ବଡ଼ ବୃକ୍ଷ ବିଭିନ୍ନ ରଙ୍ଗର ପୁଷ୍ପରେ ଭରିଯାଇଛି । କୁସୁମୁଗୁଡ଼ିକରେ ମଧୁ ଗନ୍ଧରେ ମୁଗ୍ଧ ହୋଇ ଭ୍ରମର ପାଗଳ ହୋଇଉଠିଛନ୍ତି । ତାଙ୍କର ସମବେତ ଗୁଣୁଗୁଣୁ ଗୁଞ୍ଜନ ମହାରାଜାଙ୍କ କର୍ଣ୍ଣକୁ ଏକ ଅପୂର୍ବ ରାଗରେ ସଞ୍ଜିବିତକରୁଛି । ଋଷିଙ୍କର କଠିନ ତପସ୍ୟା ଫଳରେ ଆଶ୍ରମରେ ମୃଗ ଶିଶୁ ସହିତ ବ୍ୟାଘ୍ର ଶିଶୁ କ୍ରୀଡ଼ାରତ ।

 

ମହାରାଜ ଦଣ୍ଡକ ଏ ଅପୂର୍ବ ଦୃଶ୍ୟ ଦେଖି ମୁହୂର୍ତ୍ତେ ଛିଡ଼ା ହୋଇଯାନ୍ତି । ତାଙ୍କ ମନ ଆନନ୍ଦରେ ନାଚି ଉଠେ । ପରମୁହୂର୍ତ୍ତରେ ଶୀତକଣ୍ଠର ଚମକ ରାଗିଣୀ ତାଙ୍କୁ ଚଞ୍ଚଳ କରି ତୋଳେ । ସେ ଆଗେଇ ଚାଲନ୍ତି ଆଗକୁ । ମହାରାଜାଙ୍କର ପଦ ଶବ୍ଦରେ ସଦା ସତର୍କ ଶଶ ଯୁଥ କର୍ଣ୍ଣ ସ୍ଥିର କରି ଏକ ଦିଗରୁ ଅନ୍ୟ ଦିଗକୁ ଦୌଡ଼ି ଚାଲନ୍ତି । ବୃକ୍ଷ ଶାଖାରେ ଶାରୀ ହରିଦ୍ରା ବର୍ଣ୍ଣରେ ଥଣ୍ଟ ମେଲାକରି ମାନଭେଳି କହିଉଠେ, ‘କିଏ ତୁମେ’ । ସ୍ଥିର ହୋଇ ଛିଡ଼ାହୋଇଯାନ୍ତି ଦଣ୍ଡକ । ସ୍ୱତଃ ତାଙ୍କ ମୁଖରୁ ବାହାରିପଡ଼େ ମୁଁ ମହାରାଜ ଦଣ୍ଡକ । ନୂତନ ପଲ୍ଲବଯୁକ୍ତ ସବୁଜ ବୃକ୍ଷ ଶାଖାରୁ ଶୁକ କହେ ଆଗଚ୍ଛନ୍ତୁ, ଆଗଚ୍ଛନ୍ତୁ ।

 

ମହାରାଜ ଚକିତ ହୋଇ ଚତୁର୍ଦ୍ଦିଗକୁ ଦୃଷ୍ଟି ନିକ୍ଷେପ କରନ୍ତି । ସବୁଜ ବୃକ୍ଷାନ୍ତରାଳରୁ ପକ୍ଷ ମେଲାକରି ଉଡ଼ିଯାଏ ଶୁକପକ୍ଷୀ । ବିସ୍ମୟରେ ମହାରାଜ ତା ଆଡ଼କୁ କିଛିକ୍ଷଣ ଅନାଇ ରହନ୍ତି । ତାଙ୍କୁ କଣ ଶୁକପକ୍ଷୀ ଅଭ୍ୟର୍ଥନା ଜଣାଉଛି ?

 

ଦୂରରେ ହଂସଯୂଥଙ୍କ କୋଳାହଳ । ସମ୍ଭବତଃ ପୁଷ୍କରିଣୀ ମଧ୍ୟରେ ହଂସଯୂଥ କେଳିରତ-। ମହାରାଜ ଧୀର ପଦକ୍ଷେପରେ ଆଗେଇ ଚାଲିଲେ ପୁଷ୍କରିଣୀ ଆଡ଼କୁ ।

 

ପୁଷ୍କରିଣୀର ପାବଚ୍ଛ ଉପରେ ଏକ ଅନିନ୍ଦ୍ୟ ସୁନ୍ଦରୀ ଦଣ୍ଡାୟମାନା । ସଦ୍ୟ ସ୍ନାନସାରି ମସ୍ତକର କୃଷ୍ଣ କୁନ୍ତଳରୁ ସେ ଜଳ ପୋଛୁଛି । ଅଙ୍ଗରେ ତାର ଜଡ଼ି ରହିଛି ଜଳସିକ୍ତ ସୂକ୍ଷ୍ମବସ୍ତ୍ର ।

 

ବୃକ୍ଷର ଅନ୍ତରାଳରେ ଛିଡ଼ାହୋଇ ସେହି ଅନିନ୍ଦ୍ୟ ରୂପସୀର ରୂପକୁ ମହାରାଜ କିଛି ସମୟ ଉପଭୋଗ କଲେ । ସାରା ଅଙ୍ଗରେ ଯୌବନ ଲହଡ଼ି ଭାଙ୍ଗିଛି । ଶରତ୍ ପୂର୍ଣ୍ଣିମା ଚନ୍ଦ୍ରପରି ମୁଖଟି ତାର ଶୁଭ୍ରତାରେ ସମଜ୍ୱଳ । କଣ୍ଠଟିରେ କ୍ଷୁଦ୍ର ରୁଦ୍ରାକ୍ଷର ମାଳା ଗୌର ଅଙ୍ଗରେ ସ୍ପଷ୍ଟ ବାରିହୋଇ ପଡ଼ୁଛି । ପୃଥୁଳ ଉରଜ ଉପରେ ଜଡ଼ି ରହିଛି ଜଳସିକ୍ତ ଶ୍ୱେତ ଅଙ୍ଗବାସ ।

 

ମହାରାଜାଙ୍କ ଶାନ୍ତ ମନରେ ଶତ ମଧୁମକ୍ଷିକାର ଚୁମ୍ୱନ ଅନୁଭବ କଲେ । ସହସା ତାଙ୍କର ସମସ୍ତ ଅଙ୍ଗ ସେହି ଚୁମ୍ୱନର ତୀବ୍ର ଜ୍ୱାଳାରେ ଜଳିବାକୁ ଲାଗିଲା । ସେ ସ୍ଥିରହୋଇ ଛିଡ଼ା ହୋଇପାରିଲେ ନାହିଁ । ଯୌବନ ଅସହ୍ୟ ଯନ୍ତ୍ରଣା ତାଙ୍କର ସମସ୍ତ ବିବେକ ବୁଦ୍ଧିକୁ ନଷ୍ଟ କରିଦେଇ ଟାଣିନେଲା ଏକ ଅବାଂଛିତ ଦିଗକୁ । ସେହି ଯୁବତୀ ନିକଟକୁ ସେ ଆଗେଇ ଚାଲିଲେ ।

 

ପୁରୁଷର ଅସ୍ଥିର ପଦକ୍ଷେପ ଧ୍ୱନି ଯୁବତୀର କର୍ଣ୍ଣଗୋଚର ହେଲା । ମହାରାଜ ଦଣ୍ଡକ ତା ନିକଟରେ ପହଞ୍ଚିବା ପୂର୍ବରୁ ସେ ଅନାଇଦେଲା ତାଙ୍କ ଆଡ଼େ । ସହସା ତା ମୁଖମଣ୍ଡଳରେ ଏକ ଲଜ୍ଜାର ଆସ୍ତରଣ ଖେଳିଗଲା ।

 

ରୂପର ସମ୍ଭାର ଧରି ସତେ କଣ କାମଦେବ ଉପସ୍ଥିତ ? ସେ ବକ୍ର ନେତ୍ରରେ ଅନାଇଲା ମହାରାଜାଙ୍କ ଆଡ଼େ । ଋଷି ଆଶ୍ରମର କଠିନ ନିୟମରେ ପରିଚାଳିତାହୋଇ ସେ ତା ମନକୁ ଆୟତ କରିବା ଶିଖିଛି । ତାର ଲଜ୍ଜାବନତ ମୁଖ ଗମ୍ଭୀର ହୋଇଉଠିଲା ।

 

ମହାରାଜଙ୍କ ପଦ ଚଞ୍ଚଳ ହୋଇ ଉଠିଲା ଯୁବତୀର ବକ୍ର ଚାହାଣୀ ଲକ୍ଷ୍ୟ କରି । ସେ ମନେକଲେ ସତେ ଯେପରି ପୃଥିବୀ ତାଙ୍କୁ ଆହ୍ୱାନ କରୁଛି–ନୀରବରେ କହୁଛି, ଆସ ପ୍ରିୟ ! ଉପଭୋଗ କର ମୋର ଉଦ୍ଦାମ ଯୌବନକୁ । ଶାନ୍ତକର ଯୌବନ ପୀଡ଼ିତ ଯୁବତୀର ଅଙ୍ଗଲତାକୁ ।

 

ମହାରାଜ ସେହି ଯୁବତୀ ନିକଟରେ ପହଞ୍ଚିବା ପୂର୍ବରୁ ଯୁବତୀ ଟିକିଏ ପଛକୁ ଘୁଞ୍ଚିଗଲା-

 

ମହାରାଜ କହିଉଠିଲେ, ଭୟ କରନା ଯୁବତୀ । ତୁମ ସମ୍ମୁଖରେ ଏ ରାଜ୍ୟର ମହାରାଜ ଉପସ୍ଥିତ। ସେ ଚାହାନ୍ତି ତୁମେ ତୁମ ହୃଦୟ ସିଂହାସନରେ ତାଙ୍କୁ ଅଧିଷ୍ଠିତ କରାଅ ।

 

ମହାରାଜ ଦଣ୍ଡକ ତାଙ୍କ ସମ୍ମୁଖରେ । କିନ୍ତୁ ଦଣ୍ଡକଙ୍କର ବାକ୍ୟ ତାଙ୍କୁ ମନରେ ଭୟ ସଞ୍ଚାର କଲା । ହୃଦୟରେ ସାହସ ସଞ୍ଚୟ କରି ଯୁବତୀ କହିଲା, ମହାରାଜ ଦଣ୍ଡକଙ୍କ କଣ୍ଠରେ ଏଭଳି କଥା କଦାପି ଶୋଭନୀୟ ନୁହେଁ । ଏ ଆଶ୍ରମ ଅକ୍ଳିଷ୍ଟାକର୍ମା ଶୁକ୍ରାଚାର୍ଯ୍ୟଙ୍କର । ମୁଁ ତାଙ୍କର ଜ୍ୟେଷ୍ଠାକନ୍ୟା ଅରଜା ।

 

ମହାରାଜ ଅନୁନୟ କଣ୍ଠରେ କହିଲେ—ହେ ପ୍ରେୟସୀ ଅରଜା ମୁଁ ତୁମ ଉପରେ ପ୍ରୀତ ହୋଇଛି । ଥରେ ତୁମ ମୁଖରେ ପ୍ରେମର ଫଲ୍‍ଗୁ ବୁହାଇ ମୋତେ ପ୍ରେମ ପ୍ରଦାନ କର–ଏ ଦେହ ମନକୁ ଶାନ୍ତ କର ।

 

ଧୀର କଣ୍ଠରେ ଋଷିକନ୍ୟା ଅରଜା କହିଲା, ମହାରାଜ ! ଆପଣ ନିଜକୁ ସଂଯତ କରନ୍ତୁ-। ମୁଁ କୁମାରୀ । କୁମାରୀମାନେ ସାଧାରଣତଃ ପିତାଙ୍କ ଅଧୀନ । ମୋର ପିତା ଶୁକ୍ରାଚାର୍ଯ୍ୟ ବର୍ତ୍ତମାନ ତପସ୍ୟା କରିବାକୁ ଦୂରକୁ ଯାଇଛନ୍ତି । ସନ୍ଧ୍ୟା ପୂର୍ବରୁ ସେ ନିଶ୍ଚୟ ଫେରି ଆସିବେ । ଯଦି ଆପଣ ମୋତେ ବିବାହ କରିବାକୁ ଇଚ୍ଛା କରନ୍ତି ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରନ୍ତୁ । ତାଙ୍କର ବିନାନୁମତିରେ ମୁଁ କେବେ ଆପଣଙ୍କୁ ପ୍ରେମଦାନ କରିପାରିବି ନାହିଁ । ଯଦି ଆପଣ ମୋ ଉପରେ ବଳପ୍ରୟୋଗ କରନ୍ତି ତେବେ ମୋର ପିତାଙ୍କ ରୋଷାନଳରେ କେବଳ ଆପଣ ଏକା ନୁହନ୍ତି, ଆପଣଙ୍କ ତିନିପୁରୁଷ ବିପଦଗ୍ରସ୍ତ ହେବେ ।

 

ସୁନ୍ଦରୀ, ମୁଁ ମହାରାଜ ଦଣ୍ଡକ । କାହାରି ରକ୍ତ ଚକ୍ଷୁକୁ ଦଣ୍ଡକ କେବେ ଭୟ କରେନାହିଁ । ଆସ—ଆଉ ଡେରି କରନାହିଁ । କାମପୀଡ଼ିତ ଏ ତପ୍ତ ହୃଦୟରେ ତୁମ ହୃଦୟର ପ୍ରେମବାରି ସିଞ୍ଚନ କରି ଶାନ୍ତକର ।

 

ଅପେକ୍ଷା କରନ୍ତୁ ମହାରାଜ ! ଆଚାର୍ଯ୍ୟ ଶୁକ୍ର ଆପଣଙ୍କ ଗୁରୁ । ତାଙ୍କର ବିନାନୁମତିରେ ଅରଜା କେବେ କାହାରିକୁ ହୃଦୟଦାନ କରିପାରେନା, କୌଣସି ବଳବାନ ବ୍ୟକ୍ତି ହୁଏତ ଆପଣଙ୍କୁ ଭୟ କରିପାରେ । ମାତ୍ର ଶୁକ୍ରାଚାର୍ଯ୍ୟ ବା ତାଙ୍କ କନ୍ୟା ଅରଜା କାହାରିକୁ ଭୟ କରନ୍ତି ନାହିଁ । ଏବେବି ଶୁକ୍ରାଚାର୍ଯ୍ୟଙ୍କର ଦୀପ୍ତିମନ୍ତ ଯେଉଁ ଗୋଟିଏ ଚକ୍ଷୁରହିଛି, ସେହି ଗୋଟିଏ ଚକ୍ଷୁରେ ମୁହୂର୍ତ୍ତକ ମଧ୍ୟରେ ସେ ଏ ବିଶ୍ୱକୁ ଧ୍ୱଂସ କରିପାରନ୍ତି । ଆପଣତ ତାଙ୍କ ନିକଟରେ କ୍ଷୁଦ୍ର ।

 

ତୁମେ ଯାହା କୁହ ସୁନ୍ଦରୀ ! ଏଇ ମୁହୂର୍ତ୍ତରେ ତୁମ ପ୍ରେମମଧୁ ମୁଁ ଆକଣ୍ଠ ପାନ କରିବି । ମୁଁ ଧ୍ୱଂସ ହେଲେ ପଛେ ହେବି କିନ୍ତୁ ତା ବିନିମୟରେ ତୁମକୁ ଉପଭୋଗ କରିବି ।

 

ଅରଜା ନିଜକୁ ଅସହାୟ ମନେକଲା । ତାହାର ଚାହାଣୀ କରୁଣ ହୋଇ ଉଠିଲା ।

 

ଅରଜାର ସେ କରୁଣ ଚାହାଣୀ ଦଣ୍ଡକଙ୍କୁ ଆହୁରି ସୁନ୍ଦର ଦିସିଲା । ସେ କହିଲେ, ହେ ସୁ-ଶ୍ରେଣୀ ! ତୁମେ ଟିକେ ଦୟାକର ମୋତେ ଥରେ ଆଲିଙ୍ଗନ କରି ହୃଦୟରେ ନୂତନ ଜୀବନ ସଞ୍ଚାର କର । ମୁଁ ତୁମ ପିତାଙ୍କର ଅଭିଶାପକୁ ଭୟ କରୁ ନାହିଁ କିମ୍ୱା ମୃତ୍ୟୁକୁ ଡରିଯାଉ ନାହିଁ । ମୋର ଏକମାତ୍ର କାମ୍ୟ ତୁମେ ।

 

ଅରଜା ଟିକିଏ ପଛକୁ ପଛାଇଗଲା । ମାତ୍ର ପୁରୁଷର କର୍କଶକର ତାକୁ କବଳିତ କରିଦେଲା । ବୁଜି ହୋଇଗଲା ଆଖିଦୁଇଟି । ତା’ର ଉଲଗ୍ନ ଅଙ୍ଗକୁ ପିତାଙ୍କର ବିନାନୁମତିରେ ସମର୍ପଣ କରିଦେବା ଅପେକ୍ଷା ମୃତ୍ୟୁ ସହସ୍ରଗୁଣେ ଶ୍ରେୟ ।

 

ବଳପ୍ରୟୋଗ କରି ଦଣ୍ଡକ ତାକୁ ତଳେ ଶୁଆଇ ଦେଲେ । ନା ନା ସେ କେବେ ଏଭଳି ଏକ ନିର୍ଲଜ ପୁରୁଷକୁ ଅଙ୍ଗଦାନ କରି ପାରିବ ନାହିଁ ସେ ହାତଗୋଡ଼ ପିଟିବାକୁ ଲାଗିଲା । କିଛି ସମୟ ପରେ ମୂର୍ଚ୍ଛିତ ହୋଇ ସେ ତଳେ ପଡ଼ିଗଲା । ଯେତେବେଳେ ତା’ର ଚେତା ଫେରି ଆସିଲା, ସେତେବେଳେ ଶୁଣିବାକୁ ପାଇଲା, ତା’ର ପିତା କ୍ରୋଧାନ୍ୱିତ ହୋଇ କହୁଛନ୍ତି, ଶାନ୍ତ ହୁଅ କନ୍ୟା ! ସେହି ଦୂରାଚାର ଦଣ୍ଡକ ଏହି ସାତରାତି ମଧ୍ୟରେ ଭୃତ୍ୟ, ସେନା ଓ ବାହାନମାନଙ୍କ ସହିତ ମୃତ୍ୟୁବରଣ କରିବ । ସେହି ପାପୀର ଚତୁର୍ଦ୍ଦିଗରେ ଶହେ ଯୋଜନ ପର୍ଯ୍ୟନ୍ତ ବିସ୍ତୃତ ରାଜ୍ୟକୁ ଇନ୍ଦ୍ର ପ୍ରବଳ ପାଂଶୁ ବୃଷ୍ଟି କରି ପୋଡ଼ି ପକାଇବେ । ସେହି ପାଂଶୁ ଦୃଷ୍ଟ ହେଉଥିବା ଅଞ୍ଚଳର ସମସ୍ତ ଜୀବ ଧ୍ୱଂସ ହୋଇଯିବେ । ଏହି ଆଶ୍ରମ ମଧ୍ୟ ଏଥିରୁ ବାଦ ଯିବ ନାହିଁ ।

 

ଏଠାରେ ଏକଯୋଜନ ବ୍ୟାପି ଯେଉଁ ସରୋବର ଅଛି ସେଠାରେ ତୁ ବାସ କରିବୁ ଏବଂ ତୋ ନିକଟରେ ଯେଉଁମାନେ ରହିବେ ସେମାନେ କେବେ ପାଂଶୁ ବୃଷ୍ଟିରେ ଧ୍ୱଂସ ହେବେ ନାହିଁ । ତତ୍ପରେ ଏହି ଅଞ୍ଚଳ ବିରାଟ ଅରଣ୍ୟରେ ପରିଣତ ହେବ । ଲୋକ ମୁଖରେ ଏହି ବିଶାଳ ଅରଣ୍ୟ ଦଣ୍ଡକାରଣ୍ୟ ନାମରେ ଖ୍ୟାତ ହେବ । ଋଷିମାନେ ଏଠାରେ ବାସ କରିବା ହେତୁ ଏହା ଜନସ୍ଥାନରେ ପରିଣତ ହେବ । ତ୍ରେତୟା ଯୁଗର ପରମ ପୁରୁଷ ଶ୍ରୀରାମ ଏହି ଅରଣ୍ୟକୁ ପିତୃ ସତ୍ୟ ପାଳନପାଇଁ ଆସିବେ । ଏହିଠାର ରାବଣ ଶ୍ରୀରାମଙ୍କ ପତ୍ନୀ ସୀତାଙ୍କୁ ହରଣ କରିବ ।

☆☆☆

 

ବାରାହୀପୁତ୍ତ

 

କେତେଦିନ ହେଲା ସେ ସ୍ପଷ୍ଟ ଭାବରେ ଶୁଣିପାରିଛନ୍ତି ରାତ୍ର ଅର୍ଦ୍ଧଯାମ ପରେ ଏକ ନାରୀ କଣ୍ଠରୁ ନିସୃତ ହେଉଛି ରୁଧିରଂ ଦେହି, ରୁଧିରଂ ଦେହି, ରୁଧିରଂ ଦେହି ।

 

କିଏ ଏହି ନାରୀ । କଣ ମାନବୀ ନା ପିଶାଚୀ । ଏ କେବେ ଦେବୀ ହୋଇ ପାରନ୍ତି ନାହିଁ, ଦେବୀ ମଧ୍ୟ କେବେ ରୁଧିରରେ ତୃପ୍ତ ନୁହନ୍ତି । ଜନନୀ କଣ କେବେ ସନ୍ତାନର ରୁଧିର ଚାହେ-? ତନ୍ତ୍ର ଆରାଧନା ସମୟରେ ଯେଉଁ ରୁଧିରର ବ୍ୟବସ୍ଥା ହୋଇଛି ତାହା ଡାକିନୀ ପିଶାଚୀମାନଙ୍କ ପାଇଁ—ନୁହେଁ ଆରାଧ୍ୟ ଦେବୀଙ୍କ ନିମିତ୍ତ । ଏହାହିଁ ସମ୍ଭବତଃ ସେହି ବୈଷ୍ଣବମାନଙ୍କର ତାଙ୍କୁ ନିନ୍ଦିତ କରିବା ନିମିତ୍ତ ଏକ ପରିକଳ୍ପନା ।

 

ସିଦ୍ଧ ସାଧକ ବାରାହୀପୁତ୍ତ ବିଚଳିତ ହୋଇ ପଡ଼ିଲେ । ତାଙ୍କର ଦୃଷ୍ଟି ପଡ଼ିଲା ଭୂମି ଉପରେ ଥୁଆ ହୋଇଥିବା ପାନପତ୍ର ଉପରେ । ପାନ ପତ୍ରଟି ନରକପାଳ । ସେ ପର୍ଯ୍ୟନ୍ତ ମଧ୍ୟ ପାତ୍ରରେ ଯଥେଷ୍ଟ କାରିଣୀବାରି ଥାଏ । କାରିଣୀବାରି ବିଶୁଦ୍ଧ ମଦ୍ୟରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ତାହାକୁ ମନ୍ତ୍ରପୁତ୍ର କରି ଦେବୀ ବାରାହୀଙ୍କୁ ସମର୍ପଣ କରିବା ଦ୍ୱାରା ତାହା ଶୁଦ୍ଧ ହୋଇଯାଇଛି । ଗନ୍ଧ–ସ୍ୱାଦ ସମ୍ପୂର୍ଣ୍ଣ ରୂପେ ନିଷ୍କାସିତ ହୋଇ ପରିଣତି ହୋଇଛି ଅମୃତରେ । ସେହି ଦାନପତ୍ରଟି ତଳୁ ଉଠାଇ ଅଧର ପର୍ଯ୍ୟନ୍ତ ଆଣି କିଛି ବାରି ସେ ପାନ କଲେ । ସତେ ଯେପରି ତାଙ୍କ ଚିନ୍ତାର ପ୍ରକୃତ ସୂତ୍ର ସେହି ପାନପତ୍ର ମଧ୍ୟରେ ଥିଲା । ହଠାତ୍ ସେ ପାନ ପାତ୍ରଟିକୁ ଅଧର ଠାରୁ ଦୂରେଇ ନେଇ ତଳେ ରଖିଦେଲେ । ଚକ୍ଷୁ ତାଙ୍କର ବାଷ୍ପାକୁଳ ହୋଇ ପଡ଼ିଲା ।

 

ମା ! ତୁ କଣ ପ୍ରକୃତରେ ବିଶ୍ରାମ ନେବାକୁ ଚାହୁ । ସାତଶହ ବର୍ଷକୁ ତୁ ତୋର ଅପୂର୍ବ ଲୀଳାରେ ଜଗତ୍ ବାସୀଙ୍କୁ ଚମକୃତ କରି ଏବେ ଚାହୁଁ ଟିକିଏ ବିଶ୍ରାମ ।

 

ସିଦ୍ଧ ସାଧକ ବାରାହୀପୁତ୍ତ ଦେଖିଲେ ମା ବାରାହୀଙ୍କ ମୁହଁରେ ତଡ଼ିତ୍ ଭଳି ଏକ ହାସ୍ୟରେଖା ଫୁଟି ଉଠି ଲିଭିଗଲା । ସାଧକ କୁଣ୍ଡଳଯୁକ୍ତ ତାଙ୍କର ଲମ୍ୱା କାନ ଦୁଇଟିକୁ ହଲାଇ ଆକୁଳ ସ୍ୱରରେ କହିଲେ ନା ମା ! ତୋର ଏ ନୂତନ ଲୀଳାକୁ ତୋର ପୁତ୍ର ସହ୍ୟ କରିପାରିବ ନାହିଁ-। ଆଉ କିଛିକାଳ—ଆଉ କିଛିକାଳ ତୁ ଅପେକ୍ଷା କର ।

 

ହଠାତ୍ କାହାର କ୍ରନ୍ଦନ ଧ୍ୱନୀ ତାଙ୍କ ଶୃତି ପଥାରୂଢ଼ ହେଲା । ଜଣେ ସ୍ତ୍ରୀଲୋକ କାନ୍ଦୁଛି । କିଏ ସେହି ସ୍ତ୍ରୀଲୋକ । ରାତ୍ର ଅର୍ଦ୍ଧାଯାମ ପରେ କାହିଁକି ସେ ମନ୍ଦିର ନିକଟରେ କାନ୍ଦୁଛି ? କଣ ହୋଇଛି ତାର ?

 

ତରତର ହୋଇ ସାଧକ ଉଠିଗଲେ ମନ୍ଦିର ବାହାରକୁ । ମନ୍ଦିର ବାହାରେ ବେଢ଼ାର ଚତୁର୍ଦ୍ଦିଗକୁ ସେ ଅନାଇଲେ । ତାଙ୍କର ଯେପରି ମନେହେଲା ଏକ ଅସ୍ପଷ୍ଟ କଳାଛାଇ ଦକ୍ଷିଣ ପାଖ ପାଚେରୀରେ ମିଶି ଏକ ହୋଇଗଲା । ବିସ୍ମିତ ହୋଇ ସେହିଠାରେ କିଛି ସମୟ ସେ ଛିଡ଼ା ହେଲେ-। ମା ବାରାହୀଙ୍କ ପ୍ରସାଦରେ ନିର୍ଭୟ ଚିତ୍ତ ସେ । ତଥାପି ପରିସ୍ଥିତି ତାଙ୍କ ଦୃଢ଼ ଚିତ୍ତକୁ ଚଞ୍ଚଳ କରି ପକାଏ ।

 

ଜୀବନର ଅଧିକାଂଶ ସମୟ ଗତ ହୋଇ ଗଲାଣି ତାଙ୍କର । ମସ୍ତିଷ୍କର କୃଷ୍ଣ କେଶ ପୁଳାକ ଶୁକ୍ଳ ହେବାକୁ ଲାଗିଲାଣି । ଦୀର୍ଘଦିନ ବାରାହୀଙ୍କ ପାଖରେ ତନ୍ତ୍ର ସାଧନା କରି ସାଧକ ଆରାଧ୍ୟା ଏକ ହେଇ ଯାଇଛନ୍ତି । କୌଣସି କାମନା ତାଙ୍କର ଅପୂର୍ଣ୍ଣ ନାହିଁ ଯାହାକି ବାରାହୀଙ୍କୁ ଜଣାଇବା ମାତ୍ରେ ପୂର୍ଣ୍ଣ ନ ହୋଇଛି । ଦେବୀଙ୍କ ପ୍ରସାଦରେ ତାଙ୍କ ପୂର୍ବ ସୂରୀଙ୍କ ଭଳି ଉଡ଼୍ର ଦେଶକୁ ଦୀର୍ଘକାଳ ସେ ଆଲୋକିତ କରି ଆସିଛନ୍ତି । ମାତ୍ର ଦେବୀ ଆଜି ବିମୁଖ ଉଡ଼୍ର ଦେଶରେ ପୂର୍ବଭଳି ତାଙ୍କ ଲୀଳା ବିସ୍ତାର କରିବାକୁ । କେଉଁକାଳୁ ବୌଦ୍ଧମାନେ ଲାଞ୍ଛିତ ହୋଇ ଚାଲିଗଲେଣି । ବୌଦ୍ଧମାନଙ୍କ ପରେ ପାଳି ପଡ଼ିଛି ତାଙ୍କର । ବହୁ ତନ୍ତ୍ର କ୍ଷେତ୍ରରୁ ସିଦ୍ଧ ତାନ୍ତ୍ରିକମାନେ ତାଙ୍କର ତନ୍ତ୍ରଶାସ୍ତ୍ର ଧରି ଦୂରକୁ ପଳାଇ ଗଲେଣି । ତାଙ୍କ ଦ୍ୱାରା ଆରାଧିତ ବହୁ ଦେବୀ ବୈଷ୍ଣବ ମତରେ ଆରାଧିତା । ବଜ୍ର ମତ ଆଦି ବଜ୍ର ମତରେ ପହଞ୍ଚିଲାଣି । ବଜ୍ରଯାନୀମାନେ ଅପସରି ଯିବାରୁ ବ୍ରଜ ମତ ପ୍ରବଳ ହୋଇ ଉଠୁଛି । ବଜ୍ରଯାନୀଙ୍କ ଦାୟାଦ ରାଉଳ, ମାଳୀ, ଭୋପାମାନେ ହରାଇ ବସିଲେଣି ଦେବତାଙ୍କ ପୂଜା ଭାର । କେବଳ ସେବା ଛଡ଼ା ସେ ପୂଜା କରିପାରିବେ ନାହିଁ । ଏଥିପାଇଁ ଦାୟୀ କିଏ ?

 

ଦାୟି କଣ ସେହି ରାଉଳ, ମାଳୀ, ଭୋପାମାନେ ନୁହନ୍ତି ? ଦେବତାର ପୂଜା ନାମରେ ବ୍ୟଭିଚାର ରକ୍ତାକ୍ତ ଶକଟ ଚଳାଇ ଲୋକମାନଙ୍କର ଯେଉଁ ଦୀର୍ଘଶ୍ୱାସ ବୁହାଇ ଦେଉଛନ୍ତି, ସେଥିପାଇଁ ସେମାନେ ଦଣ୍ଡ ଭୋ କରିବେ ନାହିଁ ?

 

ବରାହୀପୁତ୍ତ !

 

ଚମକି ଉଠିଲେ ସାଧକ ପ୍ରବର । ଏ କାହାର କଣ୍ଠସ୍ୱର । କିଏ ତାଙ୍କୁ କଣ୍ଠରେ ଡାକ ଦେଉଛି ?

 

ତର ତର ହୋଇ ସେ ଧାଇଁ ଗଲେ ସୁର ଯେଉଁଠାରୁ ଆସୁଥିଲା ସେହି ଆଡ଼କୁ । ବେଢ଼ା ବାହାରେ କିଏ ଜଣେ ଛିଡ଼ା ହୋଇଛି ।

 

କିଏ ସେ ? କିଏ ତୁମ୍ଭେ ? ତୁମେ କଣ କୌଣସି ଅସୁବିଧାରେ ପଡ଼ିଛ ?

 

ସାଧକଙ୍କର ସମସ୍ତ ପ୍ରଶ୍ନ ତାଙ୍କରି ମୁଖରୁ ବାହାରି ତାଙ୍କର କାନକୁ ଫେରି ଆସୁଥାଏ । ତାଙ୍କ ଆଖିକୁ ଦେଖା ଯାଉଥିବା ଦଣ୍ଡାୟମାନ ସେହି ମୂର୍ତ୍ତୀ ଯେପରି ବାକ୍‍ଶକ୍ତି ରହିତ । ସେ ଯେପରି କଣ କହିବାକୁ ଚେଷ୍ଟା କରି କିଛି କହିପାରୁ ନାହିଁ । ସତେ ଯେପରି କହିବାର ଶକ୍ତି ତାର ନାହିଁ ।

 

ବାରାହୀପୁତ୍ତ ଛିଡ଼ା ହୋଇଥିବା ସେହି ମୂର୍ତ୍ତି ପାଖକୁ କେତେ ପାଦ ଆଗେଇଗଲେ, କିନ୍ତୁ ସାଧକଙ୍କ ଆଗେଇବା ସଙ୍ଗେ ସଙ୍ଗେ ମୂର୍ତ୍ତି ମଧ୍ୟ ଆଗକୁ ଆଗେଇ ଚାଲିଲା । ମନରେ କୌଣସି ଦ୍ୱିଧା ନ ଆଣି ସେ ଅନୁସରଣ କଲେ ମୂର୍ତ୍ତିଟିକୁ । ମୂର୍ତ୍ତିଟି ଏକ ବାମ୍ଫି ନିକଟକୁ ଯାଇ ଅଦୃଶ୍ୟ ହୋଇଗଲା ।

 

ତାହା ହେଲେ ତାଙ୍କୁ କ’ଣ କେହି ପ୍ରତାରିତ କଲା ? ଏ ତ ଶବରୀପାଙ୍କ ବାମ୍ଫି । ବୌଦ୍ଧ ତାନ୍ତ୍ରିକମାନେ ଯେତେବେଳେ ତନ୍ତ୍ରର ମହାନ୍ ଦେବୀ ବାରାହୀଙ୍କୁ ସ୍ଥାପନା କଲେ, ସେତେବେଳେ ସମଗ୍ର ଭାରତର ଚଉରାଶି ସିଦ୍ଧସାଧକଙ୍କୁ ଦେବୀଙ୍କ ଚତୁଃପାର୍ଶ୍ୱରେ ଗୋଟିଏ ଗୋଟିଏ ବାମ୍ଫି ଭାବେ ସ୍ଥାପନ କଲେ । କେବଳ ନାଁକୁ ମାତ୍ର ନୁହେଁ ପ୍ରକୃତରେ ସେମାନଙ୍କୁ ସେ ତନ୍ତ୍ର ଦ୍ୱାରା ଆଣି ପାରିଥିଲେ । ସେହି ବିଦେହୀ ମହାତ୍ମାମାନେ ଅଶଦିରୀଭାବେ ସେଠାରେ ରହି ଆସିଛନ୍ତି । ସେମାନଙ୍କୁ ମଧ୍ୟ ପ୍ରତ୍ୟକ୍ଷ କରିଛନ୍ତି ବହୁ ସାଧକ, ମହାପୁରୁଷ ।

 

ତାହାହେଲେ ସେହି ମୂର୍ତ୍ତି କଣ ଉଡ଼୍ର ଦେଶର ଅନ୍ୟତମ ସିଦ୍ଧ ସାଦ୍ଧକ ଶବରୀପାଙ୍କର ? .....ଯଦି ହୁଏ ତେବେ ତାଙ୍କୁ ଡାକି ଆଣି ଅଦୃଶ୍ୟହୋଇଗଲେ କାହିଁକି ?

 

ବାମ୍ପିର ଅନତି ଦୂରରେ ଥିବା ଝଙ୍କା ଆମ୍ବଗଛ ମୂଳେ କିଏ ଜଣେ ଛିଡ଼ା ହୋଇଛି । ତାହାହଲେ କଣ ଶବରୀପ୍ପା ସେହି ଛାଇତଳେ ଦଣ୍ଡାୟ ମାନ ?

 

ବାରାହୀପୁତ୍ତ ସେଠାକୁ ଯିବ କି ନାହିଁ ଚିନ୍ତା କରୁଛନ୍ତି, ଏତିକିବେଳେ କାହାର ଚାପା କଣ୍ଠସ୍ୱର ଶୁଣିବାକୁ ପାଇଲେ । କଣ୍ଠରୁ ସ୍ପଷ୍ଟ ରୂପେ ତାଙ୍କର ଧାରଣା ହେଲା ସେଠାରେ ଜଣେ ପୁରୁଷ ଏବଂ ଆଉ ଜଣେ ନାରୀ କଥାବାର୍ତ୍ତା କରୁଛନ୍ତି ।

 

ପୁରୁଷ ଜଣକ କହୁଛି, ଆଉ ଡେରି କର ନାହିଁ । ଯଦି ଚାହ ତୁମ ସ୍ୱାମୀ ଆରୋଗ୍ୟ ଲାଭ କରିବେ ତେବେ ଭଲ ମନ୍ଦ ସବୁ ଭୁଲି ତୁମେ ତୁମ ଶରୀର ଦେବୀଙ୍କୁ ଦାନ କର । ଦେବୀ ଏଠି ପୁରୁଷଭାବେ ଆମ ଦେହରେ ପ୍ରବେଶ କରି ଉପଭୋଗ କରିବେ । ତା ପରେ ତୁମ ସ୍ୱାମୀ କିପରି ଭଲହେବେ, ତାହା ଶୂନ୍ୟବାଣୀ ହେବ । ନିଜକୁ ଠାକୁରାଣୀଙ୍କ ଠାରେ ସମର୍ପଣ କରି ନ ଦେଲେ ଠାକରାଣୀ ତୁମ କଥା କାହିଁକି ଶୁଣିବେ ?

 

ନା ମହାପ୍ରଭୁ ! ମୁଁ ମୋର ସମସ୍ତ କିଛି ଠାକୁରାଣୀଙ୍କ ପାଖରେ ସମର୍ପଣ କରିଛି । କେବଳ ମୁଁ ଚାହେ, ମୋ ସ୍ୱାମୀ ଆରୋଗ୍ୟ ଲାଭ କରନ୍ତୁ । ଆପଣଙ୍କ କହିବା ମୁତାବକ ମାଛ, ମାଂସ, ମଦ ସବୁ ଆଣି ଏଠାରେ ଥୋଇଛି । ଆପଣଙ୍କ ନିର୍ଦ୍ଦେଶମତେ ନୂତନ ଚୂଲାରେ ପାକ ଦ୍ୱାରା ସିଦ୍ଧ କରିଛି ମାଛ, ମାଂସକୁ । କିନ୍ତୁ ମୁଁ ମୋ ଶରୀର ଦାନ କରିବି ଏକଥା ତ ଆପଣ ମୋତେ କହି ନ ଥିଲେ ! ଏ ସବୁ ଉପଚାର ଦେବୀଙ୍କୁ ସମର୍ପଣ କଲାବେଳେ ତୁମେ ଶୁଦ୍ଧଭାବେ ସେଠାରେ ଉପବେସନ କରିବ । ପୂଜା ଠିକ୍ ମନ୍ଦିରରେ ନ ହୋଇ ମନ୍ଦିର ନିକଟସ୍ଥ ଶବରୀପାଙ୍କ ବାମ୍ଫି ନିକଟରେ ଆମ୍ୱଗଛ ମୂଳେ ହେବ । ସେଠାରେ ତୁମ ଛଡ଼ା ଆଉ କେହି ବାହାରର ଲୋକ ରହିବେ ନାହିଁ । ଠିକ୍ ଆପଣଙ୍କ କଥାନୁଯାୟୀ ମୁଁ ସବୁ ପ୍ରସ୍ତୁତ କରିଛି । କିନ୍ତୁ ଦେହ ଦାନ କଥା-

 

ଦେଖ ଏ ହେଉଛି ପଞ୍ଚମକାର ପୂଜା । ମଦ, ମାଛ, ମାଂସ, ମୁଦ୍ରା, ମୈଥୁନ, ଏହି ପାଞ୍ଚଟି ଉପଚାରରେ ପଞ୍ଚମକାର ସାଙ୍ଗ କରାଯାଏ । ମଦ, ମାଛ, ମାଂସ ତ, ତୁମେ ଆଣିଛ । ମୈଥୁନ ପାଇଁ ତୁମେ କି ବ୍ୟବସ୍ଥା କରିଛ କହିଲ ଟିକିଏ ?

 

କଣ ଉତ୍ତର ଦିଆଯିବ ତାହା ବୋଧେ ସ୍ତ୍ରୀ ଲୋକଟି ଭାବୁଥିଲା । ଟିକକ ପରେ ସେ କହିଲା, ଆପଣ ଯାହା କୁହନ୍ତୁ ମଦ, ମାଛ, ମାଂସ କଥା କହିଲାବେଳେ ମୈଥୁନ କଥା କହି ନ ଥିଲେ । କହିଥିଲେ ମୁଁ ଏଭଳି ପୂଜା କରି ପାରିବି କି ନା ତାହା ଚିନ୍ତା କରିଥାଆନ୍ତି । ହୁଏତ ମୈଥୁନ ପାଇଁ ଅନ୍ୟ କୌଣସି ବିଟପି ନାରୀର ଦ୍ୱାରସ୍ଥ ହୋଇ ତାକୁ ଯଥେଷ୍ଟ ମୁଦ୍ରା ଅର୍ପଣ କରି ମୈଥୁନର ବ୍ୟବସ୍ଥା କରିଥାନ୍ତି । କିନ୍ତୁ ଏତେବେଳେ ମୁଁ ତ......

 

ଆଉ ଏ ବିଷୟରେ ଭାବିବାକୁ ସମୟ ନାହିଁ । ମୈଥୁନ ଉପଚାର ପାଇଁ ଯାହାର ଆବଶ୍ୟକ ସେ ଯଦି ସ୍ତ୍ରୀ ହୋଇଥାଏ ତେବେ ତାକୁହିଁ ଉପଚାର ରୂପେ ଗ୍ରହଣ କରିବାକୁ ଶାସ୍ତ୍ର ଉଲ୍ଲେଖ କରିଛି । ଅନ୍ୟ ପୁଣି ବିଟପୀ ନାରୀର ପ୍ରଶ୍ନ ନାହିଁ । ମନେରଖ ଏଠି ତୁମେ ତୁମକୁ ଅନ୍ୟ କାହାରି ପାଖରେ ଦାନ କରୁ ନାହିଁ । ନିଜେ ଭୈରବୀ ବାରାହୀ ଭୈରବ ବରାହଭାବେ ମୋତେ ପ୍ରସନ୍ନ ହେବ । ଏହାଦ୍ୱାରା ତୁମ ସତୀତ୍ୱର କୌଣସି ଅମର୍ଯ୍ୟଦା ହେବ ନାହିଁ । ଦେଖ ଶୁଭ ମୁହୂର୍ତ୍ତ ଅତୀତ ହୋଇ ଯାଉଛି । ଡେରି କଲେ କିମ୍ୱା ପୂଜାରେ ପ୍ରତିବାଦ କଲେ ତୁମର ତ କୌଣସି ମଙ୍ଗଳ ହେବ ନାହିଁ ବରଂ ଅମଙ୍ଗଳ ହେବ ।

 

ଦେଖନ୍ତୁ ମହାପ୍ରଭୁ ! ମୁଁ ମୋ ସ୍ୱାମୀଙ୍କ ପାଇଁ ସବୁ କିଛି ତ୍ୟାଗ କରିପାରେ ମାତ୍ର......

 

ମାତ୍ର କଣ ? ମନରେ ଦ୍ୱିଧା ଆଣିବା ଅପରାଧ । ରାତ୍ରି ଅର୍ଦ୍ଧଯାମରେ ଏହି ପୂଜା କରାଯିବା କଥା ଡେରିତ ହୋଇଗଲାଣି—ଆଉ ଡେରିକଲେ ପୂଜା ସରିଲା ବେଳକୁ ରାତି ପାହି ସକାଳ ହୋଇଯାଇଥିବ । ରାତି ପାହିଗଲେ ପୂଜା ବାଧାପ୍ରାପ୍ତ ହେଲା ବୋଲି କୁହାଯାଏ । ଏଥିପାଇଁ ଶାସ୍ତ୍ରର ପ୍ରାୟଶ୍ଚିତର ବ୍ୟବସ୍ଥା ଅଛି । ତେଣୁ ଆଉ କୌଣସି ଦ୍ୱିଧା ମନରେ ନ ଆଣି ମୁଁ ମୁରୁଜରେ ଯେଉଁ ଚକ୍ର ଅଙ୍କନ କରୁଛି ସେହି ଚକ୍ରର ଶକ୍ତିଙ୍କ ସ୍ଥାନରେ ତୁମେ ଉଲଗ୍ନ ହୋଇ ବସିଯାଅ ।

 

ନିଜକୁ ଆଉ ସମ୍ଭାଳି ପାରିଲେ ନାହିଁ ବାରାହୀପୁତ୍ତ । ଓଃ ଅସହ୍ୟ–ନର କପାଳ ଧାରଣ କରିଥିବା ଯୋଗୁ ବୈଷ୍ଣବମାନେ ତାଙ୍କୁ କାପାଳିକ ନାମରେ ଅବିହିତ କରନ୍ତି । ଜ୍ଞାନର ଆଧାର ହେଉଛି ମଣିଷର କପୋଳଦେଶ । ଯେ ଜ୍ଞାନୀ ସେହି ଏକ ମାତ୍ର ଅଧିକାରୀ ନର କପାଳ ଧାରଣା କରିବା ନିମିତ୍ତ । ଏ ତତ୍ତ୍ୱ ବୈଷ୍ଣବମାନେ ଜାଣିବେ କୁଆଡ଼ୁ । ତେଣୁ ଲୋକ ସମାଜରେ ତାଙ୍କୁ କାପାଳିକ କହି ନିନ୍ଦା କରିଥାଆନ୍ତି ।

 

ଜ୍ଞାନୀ ଲୋକ କଣ ଏ ଭଣ୍ଡ ପୂଜକର ଏ ପୂଜା ଦେଖି ପାରିବ ?

 

‘‘କିଏ ରେ ତୁ ଭଣ୍ଡ ନିଜକୁ ଦେବୀଙ୍କ ପୂଜକ ବୋଲି ବିଜ୍ଞାପିତ କରି ନାରୀର ସତୀତ୍ୱ ଅପହରଣ କରୁଛୁ ?’’

 

ଗର୍ଜି ଉଠିଲେ ସାଧକ ବାରହୀପୁତ୍ତ । ତାଙ୍କ ଗର୍ଜନାରେ ସମଗ୍ର ଆକାଶ ଯେପରି ଛିଡ଼ି ପଡ଼ିଲା । ନିର୍ମଳ ଆକାଶ ବକ୍ଷରେ ଅସମୟରେ କଳା ମେଘମାନ ଉଠି ସମଗ୍ର ଆକାଶକୁ ଛାଇଦେଲେ । ସେହି କଳା ମେଘରେ ତଡ଼ିତ୍ର ସଂଚରଣ ହେଲା ଘଡ଼ଘଡ଼ି ନାଦରେ କମ୍ପି ଉଠିଲାମହିମଣ୍ଡଳ । ପୂଜକ ନିଜକୁ ରକ୍ଷାକରିବାକୁ ଧାଇଁ ପଳାଇଲାବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହେଲା । ଆଉ ବାରାହୀପୁତ୍ତ......

 

ସେ ନିଜକୁ ସମ୍ଭାଳି ନ ପାରି ନାଚୁଥିଲେ ତାଣ୍ଡବ ଭଙ୍ଗିରେ ଶବରୀପାଙ୍କ ବାମ୍ଫିରେ ଚତୁର୍ଦ୍ଦିଗରେ । ସ୍ୱାମୀ ସୋହାଗିନୀ ସେହି ନାରୀ ଆଭୂମି ପ୍ରଣତ ହୋଇ ଶୋଇ ରହିଥିଲା ସେହି ବାମ୍ଫି ନିକଟରେ ।

 

ସେ ନିଜକୁ ସମର୍ପୀ ଦେଇଛି ଦେବୀ ବାରାହୀଙ୍କ ପାଦ ତଳେ । ସେ ତାରି ପାରନ୍ତି ବା ମାରି ପାରନ୍ତି । ତେଣୁ ସେ ନିର୍ଭୟ ।

 

ରାତ୍ରର ଅନ୍ଧକାର ସରି ସରି ଆସିଲା । ସେହି ନିର୍ଭୟାନାରୀ ହଠାତ୍ ଆଖି ମେଲି ଦେଖିଲା ଦେବୀ ବାରାହୀ ଦକ୍ଷହସ୍ତରେ ରୋହି ମତ୍ସ୍ୟ ଏବଂ ବାମହସ୍ତ ସ୍ଥିତି ନରକରୋଟିରେ ମଦ୍ୟ ଧାରଣ କରି ସେଠାରେ ଉପସ୍ଥିତ ହୋଇଛନ୍ତି । ସମ୍ମିଳିତ ଭାବେ ଚଉରାଶି ସିଦ୍ଧ ସାଧକଙ୍କର ଚର୍ଯ୍ୟାଗୀତି ଗଗନ ପବନ ମୁଖରୀତ କରୁଛି ଏବଂ ସାଧକ ବାରାହୀପୁତ୍ତ ନାଚି ନାଚି ବରାହୀଙ୍କ ମଧ୍ୟରେ ମିଶି ଏକ ହୋଇ ଯାଇଛନ୍ତି । ଦୂରରୁ ଶୁଭୁଛି ତାର ସ୍ୱାମୀଙ୍କର କଣ୍ଠସ୍ୱର । ସେ ସ୍ୱର ନୁହେଁ ତାର ରୁଗ୍‍ଣ ସ୍ୱାମୀଙ୍କର, ତାହା ଯେପରି ରୋଗମୁକ୍ତ ସ୍ୱାମୀଙ୍କର ।

 

ବରାହୀପୁତ୍ତଙ୍କ ଆଶୀର୍ବାଦରେ ଶଯ୍ୟାଶାୟୀ ସ୍ୱାମୀ ତାର ରୋଗମୁକ୍ତ ହୋଇ ଯାଇଛନ୍ତି ଏବଂ ତାକୁ ନ ପାଇ ଛୁଟିଛନ୍ତି ତାକୁ ଖୋଜି ଖୋଜି, ତାହାରି ନାମ ଉଚ୍ଚ ସ୍ୱରରେ ଡାକି ଡାକି ।

 

ହଠାତ୍ ବାରାହୀଙ୍କ ମନ୍ଦିରଆଡ଼ୁ ଝଲକାଏ ନିଆଁ ଆସି ବିପୁଳ ଆଲୋକରେ ବାରାହୀମଣ୍ଡଳକୁ ଆଲୋକିତ କରିଦେଲା । ସେହି ଆଲୋକର ଅସମ୍ଭବ ଉଜ୍ୱଳତା ତାର ଆଖି ସହ୍ୟକରି ପାରିଲା ନାହିଁ । ସେ ଭୟରେ ଚକ୍ଷୁ ଦୁଇଟି ମୁଦି ଦେଲା । ମୁଦି ଦେବା ପୂର୍ବରୁ ସେ ଦେଖିଲା ସିଦ୍ଧସାଧ୍ୟକ ଶବରୀପା ମୟୂରାଙ୍ଗ ପୁଚ୍ଛ ପରିଧାନ କରି ଅଭୟ ମୁଦ୍ରା ହସ୍ତରେ ଯେପରି ସେଠି ଛିଡ଼ା ହୋଇ ସେହି ଦୋହାଁ ଗାଈଉଠୁଛନ୍ତି ବଳାତ୍‍ଡ଼ି ରାଗରେ–

 

ଉଁଚା ଉଁଚା ପାବତ ତହିଁ ବସଇ ସବରୀ ବାଳୀ

 

ମୋରଙ୍ଗୀ ପୀଚ୍ଛ ପରାହିଣ ସବରୀ ଶିବତ ଗୁଞ୍ଜରୀ ମାଳୀ

 

ଉମତ ସବରୋ ପାଗଳ ସବରୋ ମାକର ଗୁଳା ଗୁହାଡ଼ ତୋହରି ।

 

ଣିଅ ଘରଣୀ ସହଜ ସୁନ୍ଦରୀ

 

ଅର୍ଥାତ ଉଚ୍ଚ ପାହାଡ଼ ଶିଖର ଶବରୀ ବାସକଲା ଭଳି ଏ ଦେହର ମେରୁଦଣ୍ଡ ଶୀର୍ଷ ଦେଶରେ ସହସ୍ର ଦଳ କମଳରେ ନୈରାତ୍ମାଦେବୀ ବାସ କରନ୍ତି । ଯେପରି ଶବରୀ ମୟୁରପିଞ୍ଛ ପହରଣ କରି ଗ୍ରୀବାରେ ଗୁଞ୍ଜର ମାଳୀ ବାନ୍ଧେ, ସେହିଭଳି ଏକ ନୈରାତ୍ମା ଅବିଦ୍ୟା ବଣରୁ ବିଭିନ୍ନ ପ୍ରକାର ଭୂଷଣରେ ଭୂଷିତ ହୋଇ, ଗଳାରେ ବା ସମ୍ଭୋଗ ଚକ୍ରରେ ଗୁହ୍ୟମନ୍ତ୍ର ଧାରଣ କରେ । ସେ ଉନ୍ମତ୍ତ ଶବର ତୁ ସଂସାରର ବିଷୟ ବାସନାରେ ମଜ୍ଜି ପାଗଳ ହୋଇ ନିଜର ସର୍ବନାଶ କର ନାହିଁ । ମୁଁ ତୋର ନିଜ ଘରଣୀ, ମୋ ନାଁ ସହଜ ସୁନ୍ଦରୀ ।

 

ମାତ୍ର ଗୋଟିଏ ପଲକ । ତା’ପରେ ତାର ସଂଖ୍ୟା ଲୋପ ପାଇଗଲା ପୁଣି ତାର ସଂଗ୍ୟା ଫେରିଲା ବେଳକୁ ଦିବସର ଶୁଭ୍ରତାରେ ରାତ୍ର ବିଦାୟ ନେଇ ସାରିଥିଲା ଏବଂ ବାରାହୀ ମନ୍ଦିରରୁ ମଙ୍ଗଳ ଆରତୀର ଘଣ୍ଟ, ଘଣ୍ଟା, କାହାଳୀ ଆଦିର ସମ୍ମିଳିତ ସ୍ୱର ଶୁଭାଯାଉଥିଲା ।

 

[ପୁରୀ ଜିଲ୍ଲା କାକଟକପୁର ଗଲାବେଳେ ଚାରିଛକ ପରେ ଚୌରାଶି ବୋଲି ଏକ ଗ୍ରାମ ରହିଛି । ସେହି ଗ୍ରାମରେ ଦେବୀ ବାରାହୀ ଅଷ୍ଟମ ଶତାବ୍ଦୀରୁ ଆରାଧିତ ହୋଇଆସୁଛନ୍ତି । ଭାରତର ଚଉରାଶି ସିଦ୍ଧ ସାଧକଙ୍କ ପ୍ରତୀକରୂପେ ସେଠାରେ ଚଉରାଶିଟି ବାମ୍ଫି ରହିଛି । ଓଡ଼ିଶାରେ ବୈଷ୍ଣବ ଧର୍ମ ପ୍ରବଳ ହେବା ଯୋଗୁ ମତ୍ସ୍ୟ, ମଦ୍ୟ ଧାରିଣୀ ବାରାହୀ ଅନାଦୃତ ହୋଇଛନ୍ତି । ସପ୍ତମାତୃକାଙ୍କ ମଧ୍ୟରେ ବାରାହୀ ଥିଲେ ମଧ୍ୟ ଏଠାରେ ବାରାହୀଙ୍କ କୋଳରେ ସନ୍ତାନ ଦେଖାଯାଏ ନାହିଁ । ମାତ୍ର ତାଙ୍କ ହାତରେ ସପ୍ତମାତୃକା ବାରାହୀଙ୍କ ଭଳି ଦକ୍ଷରେ ରୋହିତ ମତ୍ସ୍ୟ ଏବଂ ବାମରେ ପାନପତ୍ର ରହିଛି । ଏହି ଗଳ୍ପଟି କିମ୍ୱଦନ୍ତୀ ଉପରେ ଆଧାରିତ ।]

☆☆☆

 

ମୃତ୍ୟୁଛାୟା

 

ଆକାଶରେ ଚନ୍ଦ୍ର ହସୁଛି । ତାର ଶୁଭ୍ର ଜ୍ୟୋତ୍ସ୍ନା ସହିତ ହସ ଅଜାଡ଼ି ହୋଇ ପଡ଼ୁଛି ଧବଳ କୈଳାସ ଉପରେ । ଆଃ କି ସୁନ୍ଦର ଦିଶୁଛି ହିମାଳୟର କୈଳାସ ଶୃଙ୍ଗ । ସତେ ଯେପରି ତପସ୍ୟାରତ ଜଣେ ବୟୋବୃଦ୍ଧ ଆର୍ଯ୍ୟ ଋଷି । ମୃଗଭଳି ଧାବିତ ମନକୁ ତାଙ୍କର ସଂଯମ ରଜ୍ଜୁରେ ଦୃଢ଼ଭାବେ ବନ୍ଧନ କରି ସ୍ଥିରଭାବେ ସେ ଉପବେଶନ କରିଛନ୍ତି । ଗଭୀର ଚିନ୍ତାରେ ମୁଦ୍ରିତ ହୋଇଛି ତାଙ୍କର ଚକ୍ଷୁ ଦୁଇଟି । ଶୁଭ୍ର ଅଙ୍ଗରାଶି ଉପରେ ପକ୍ୱ ଶୁକ୍ଳ ଜଟାଭାର ସର୍ବାଙ୍ଗ ଧବଳମୟ । କର୍ଣ୍ଣିକାର ଉପବନ ଉପରେ ଆକାଶରୁ ଝରିପଡ଼ୁଛି ଶୁଭ୍ର ଶିଶିର ରେଣୁ । ସେହି ରେଣୁ ପ୍ରସ୍ଫୁଟିତ କଦମ୍ୱ ଉପରେ ଝରି ପଡ଼ି ତାର ଶୁଭ୍ରତାକୁ ବହୁଗୁଣରେ ବର୍ଦ୍ଧିତ କରୁଛି ।

 

ସୂର୍ଯ୍ୟ ବହୁବେଳୁ ଅସ୍ତ ହୋଇଯାଇଛନ୍ତି । ମାତ୍ର ଚନ୍ଦ୍ରର ବିମଳ ଜ୍ୟୋତ୍ସ୍ନା ମଧୁପକୁ ବିମୁଖ କରି ନାହିଁ ପୁଷ୍ପରୁ ମଧୁ ଗ୍ରହଣ କରିବାକୁ । ପ୍ରସ୍ଫୁଟିତ ଅଶୋକ ଉପରେ ଅଳିମାନେ ଘୂରି ବୁଲୁଛନ୍ତି । ତାହାରି ନିକଟରେ ଚମ୍ପକ, କେତକି ପ୍ରସ୍ଫୁଟିତ ହୋଇ ତାର ଅନାଘ୍ରାତ ଗନ୍ଧରେ ସମଗ୍ର ବନସ୍ଥଳୀକୁ ଆଲୋଡ଼ିତ କରୁଛି । ତାର ଅପରୂପ ସୌନ୍ଦର୍ଯ୍ୟ ଏବଂ ଗନ୍ଧ ଥିଲେ ମଧ୍ୟ, ସେଗନଧର ଉତ୍କଟତାରେ ବିଭୋର କରୁନାହିଁ ଅଳି କୂଳକୁ । ସତେ ଯେପରି ସତୀକନ୍ୟାର ଅଙ୍ଗ ସ୍ପର୍ଶ କରିବାର ଅଧିକ ବିଟପ ପୁରୁଷ ଭ୍ରମରର ନାହିଁ । ଥରେ ମାତ୍ର ସ୍ପର୍ଶ କଲେ ଚିରଦିନ ପାଇଁ ସେ ତାର ସତ୍ତ୍ୱ ହରାଇ ବସିବ ।

 

ଶୁଣା ଯାଉଛି ମଧୁର କଣ୍ଠୀ କିନ୍ନରମାନଙ୍କର କଣ୍ଠସ୍ୱର । ଆଃ, କି ଚମତ୍କାର ସେହି କଣ୍ଠର ମାଦକତା । ସ୍ପଷ୍ଟ ନ ହେଲେ ମଧ୍ୟ ଅସ୍ପଷ୍ଟଭାବେ ଶୁଣା ଯାଉଛି ସେମାନଙ୍କର ସମ୍ମିଳିତ କଣ୍ଠଧ୍ୱନି । ଦୂରରୁ କୁବେରଙ୍କ ବାସଭବନରୁ ଭାସି ଆସୁଛି ଅପ୍ସରାମାନଙ୍କର ମଧୁର କଣ୍ଠସ୍ୱର । କିନ୍ନରଙ୍କ କଣ୍ଠଧ୍ୱନି ସହିତ ଅପ୍ସରାଙ୍କ ସଂଙ୍ଗୀତ ଝଙ୍କାର ମିଳିତ ହୋଇ ଏକ ଅପୂର୍ବ ଧ୍ୱନିରେ ଧ୍ୱନିତ କରୁଛି କୈଳାସକୁ ।

 

ବିଭୋର ହୋଇ ପଡ଼ିଛି ରାବଣର ମନ ସେହି ସୌନ୍ଦର୍ଯ୍ୟ ଦର୍ଶନ କରି—ସେହି ଗନ୍ଧ ଆଘ୍ରାଣ କରି, ଆଉ ସେହି ସୁକୋମଳ କଣ୍ଠ ସ୍ୱର ଶ୍ରବଣ କରି । ସତେ କଣ ମର୍ତ୍ତ୍ୟସ୍ୱର୍ଗ କୈଳାସର ସୌନ୍ଦର୍ଯ୍ୟଠାରୁ ସ୍ୱର୍ଗର ସୌନ୍ଦର୍ଯ୍ୟ ଅଧିକ ସୁନ୍ଦର ହୋଇଥିବ ? ହଁ— ସେଥିପାଇଁ ତ ସେ ବିପୁଳ ଥାଟ ଧରି ଛୁଟି ଚାଲିଛି ସ୍ୱର୍ଗାଭିମୁଖେ । ଯଦି ମର୍ତ୍ତ୍ୟର ଶୋଭାରୁ ସେ ସୁନ୍ଦର ହୋଇଥାଏ ତାହା ହେଲେ ମର୍ତ୍ତ୍ୟକୁ ସେହିଭଳି ସୁନ୍ଦର କରି ଗଢ଼ି ତୋଳିବ । ଚିରଦିନ ମର୍ତ୍ତ୍ୟବାସୀ ଗାଉଥିବେ ରାବଣର ସେହି ପୁରୁଷକାରର ପ୍ରଶଂସା । ସ୍ୱର୍ଗରୁ ଓହ୍ଲାଇ ଆସିବେ ଦେବତାମାନେ ମର୍ତ୍ତ୍ୟରେ ବାସ କରିବାକୁ । ମର୍ତ୍ତ୍ୟ ଆଉ ସ୍ୱର୍ଗ ମଧ୍ୟରେ କୌଣସି ପ୍ରଭେଦ ରହିବ ନାହିଁ ।

 

ହେଇ, ତାର ସୈନ୍ୟମାନଙ୍କର ଶିବିର ଦେଖାଯାଉଛି । ଧାଇଁ ଧାଇଁ ଆସି କ୍ଳାନ୍ତ ହୋଇ ଶୋଇ ପଡ଼ିଛନ୍ତି ସେମାନେ । ଶିବିରର ଚତୁର୍ଦ୍ଦିଗରେ ସତର୍କ ଭାବେ ପହରା ଦେଉଛନ୍ତି ପ୍ରହରୀଗଣ-। ପ୍ରହରୀମାନେ ଶୋଇ ଯାଇଥିଲେ ମଧ୍ୟ କାହାର କାନ୍ଧରେ ଦଶଟା ମୁଣ୍ଡ ଅଛି ଯେ ସେ ଆକ୍ରମଣ କରିବ ତାର ଅପରାଜେୟ ସୈନ୍ୟବାହିନୀକୁ ?

 

ରାବଣ ଲକ୍ଷ୍ୟ କଲା, ଟିକିଏ ଦୂରରେ ରକ୍ତ ପତାକା ଫରଫର ହୋଇ ଉଡ଼ୁଥିବା ଗୋଟିଏ ଶିବିରକୁ । ଶିବରଟି ତାର ଭିଣୋଇ ମଧ ଦୈତ୍ୟର । ଯେତେବେଳେ ସେ ଦିଗ୍‍ବିଜୟରେ ବାହାରି ବରୁଣ ପୁର ଜୟ କରି ଫେରି ଆସିଲା, ସେତେବେଳେ ତାର ଅନୁଜ ତାକୁ ଦୁଃଖର ସହିତ ଜଣାଇଲା, ତୁମେ ଯେଉଁଭଳି ପରସ୍ତ୍ରୀଙ୍କୁ ଉପଭୋଗ କରୁଛ ସେହିଭଳି ତୁମ ଭଗ୍ନିଙ୍କୁ ମଧ୍ୟ ଅନ୍ୟ ଏକ ବୀର ବଳପୂର୍ବକ ଉପଭୋଗ କରୁଛନ୍ତି । ତାର ପ୍ରମାଣ କୁମ୍ଭୀନସୀ ।

 

‘‘କୁମ୍ଭୀନସୀ । ସେ କିଏ ? ରାବଣ ବିସ୍ମିତ ହୋଇ ପ୍ରଶ୍ନ କରିଥିଲା ଅନୁଜ ବିଭୀଷଣକୁ ।’’

 

ଉତ୍ତରରେ ବିଭୀଷଣ କହିଲା, ‘‘ତୁମେ କୁମ୍ଭୀନସୀକୁ ଚିହ୍ନି ନାହଁ । ସେ ତୁମର ଲେଖାରେ ଭଉଣୀ । ତାର ସତୀତ୍ୱର ଅମର୍ଯ୍ୟାଦା କରି ମଧୁ ତାକୁ ଉପଭୋଗ କରୁଛି । ହେ ଅଗ୍ରଜ ! ତୁମେ ତ ଜାଣ ଆମ୍ଭର ମାତାମହ ସୁମାଳୀଙ୍କ ଜ୍ୟେଷ୍ଠ ଭ୍ରାତ ମାଲ୍ୟବାନଙ୍କୁ । ସେ ଯେ କେବଳ ବୟୋବୃଦ୍ଧ ବ୍ୟକ୍ତି ତାହା ନୁହେଁ, ସେ ଜଣେ ବିଚାରବାନ ବ୍ୟକ୍ତି । ସେଥିପାଇଁ ଦାନବ ଜାତି ତାଙ୍କ କେବେ ହେଲେ ସମ୍ମାନ ଦେଖାଇବାରେ ତ୍ରୁଟି କରେନାହିଁ । ତାଙ୍କରି କନ୍ୟାର କନ୍ୟା ହେଉଛନ୍ତି ଅନଳା । ସେହି ଅନଳାଙ୍କର ପୁତ୍ରୀରୂପେ କୁମ୍ଭୀନସୀ ଜନ୍ମ ଗ୍ରହଣ କରିଥିଲା । କିନ୍ତୁ ସେହି ଅନଳା ଏବଂ ତାଙ୍କ ପତିଙ୍କ ସମସ୍ତ ବାରଣକୁ ପଦଦଳିତ କରି ମଧୁ ବଳ ପୂର୍ବକ ନେଇଗଲା ଭଉଣୀ କୁମ୍ଭୀନସୀକୁ । ସେତେବେଳେ ଅବଶ୍ୟ ମୁଁ ଲଙ୍କା ଗଡ଼ରେ ନଥିଲି । ଜଳ ମଧ୍ୟରେ ପ୍ରବେଶ କରି ରତଥିଲି ତପସ୍ୟାରେ । ନଥିଲା ମଧ୍ୟ ପୁତ୍ର ମେଘନାଦ । ସେ ତାର ଶକ୍ତି ବର୍ଦ୍ଧିତ କରିବାକୁ ବ୍ୟାପୃତ ଥିଲା ଗୁରୁ ଶୁକ୍ରଙ୍କ ସହ ଅଗ୍ନିଷ୍ଠୋମ, ଅଶ୍ୱମେଧ, ବହୁ ସୁବର୍ଣ୍ଣକ, ରାଜସୂୟ, ଗୋମେଧ ଏବଂ ବୈଷ୍ଣବ ଯଜ୍ଞ କର୍ମରେ । ତା’ପରେ ସେ ହୁଏତ ମଧୁକୁ ଉପଯୁକ୍ତ ଶାସ୍ତି ଦେଇ ପାରିଥାନ୍ତା, ମାତ୍ର ଏହି ଷଡ଼ଯଜ୍ଞରେ ପୂର୍ଣ୍ଣ ମନସ୍କାମ ହେବାପରେ ସେ ଆରମ୍ଭ କରିଦେଲା ସର୍ବ ଦୁର୍ଲଭ ଯଜ୍ଞ ମାହେଶ୍ୱର । ତେଣୁ ଦୁର୍ମତି ମଧୁ ଦୈତ୍ୟକୁ ସୁବିଧା ହେଲା କୁମ୍ଭୀନସୀର ସତୀତ୍ୱକୁ ବଳତ୍କାରରେ ଅପହରଣ କରି ତାକୁ ଉପଭୋଗ କରିବାକୁ ।

 

ବିଭୀଷଣର କଥା ଶୁଣୁ ଶୁଣୁ ସେ କ୍ରୋଧରେ ଅନ୍ଧ ହୋଇଗଲା । କଣ ଏତେଦୂର ସ୍ପର୍ଦ୍ଧା ମଧୁଦାନବର ଯେ ସିଂହଘରେ ଶୃଗାଳ ପଶି ତାର କନ୍ୟାର ସତୀତ୍ୱକୁ ଅପହରଣ କରିବ ! ସେହି ମୁହୂର୍ତ୍ତରେ ସେ ମଧୁଦାନବକୁ ଯାଇ ହତ୍ୟା କରି ପାରିଥାନ୍ତା । ମାତ୍ର ବିଭୀଷଣ କହିଲା, ଭାଇ ! ସେଥିପାଇଁ ଏକମାତ୍ର ଦାୟୀ କଣ ମଧୁଦୈତ୍ୟ ? ଆମେ ନୋହୁ ? ଭଗ୍ନୀ ଯେତେବେଳେ ଯୁବତୀ ବୟସରେ ପଦାର୍ପଣ କଲା ତାକୁ ଉପଯୁକ୍ତ ପାତ୍ର ହାତରେ ସମର୍ପଣ କରିବା କଣ ଭାଇର କର୍ତ୍ତବ୍ୟ ନୁହେଁ ? ଆମେ ଆମ କର୍ତ୍ତବ୍ୟରେ ଅବହେଳା କରିବାରୁ ଏଭଳି ଅଘଟଣ ଘଟିଗଲା ।

 

ତଥାପି ରାବଣ କଣ କ୍ଷମାଦେବ ମଧୁଦୈତ୍ୟକୁ । ଯଦି କୁମ୍ଭୀନସୀର ଇଚ୍ଛା ବିରୁଦ୍ଧରେ ମଧୁବଳ ପ୍ରୟୋଗ କରିଥିବ, ତେବେ ଉପଯୁକ୍ତ ଶାସ୍ତି ପାଇବ ସେ ।

 

ବୃଥାରେ ଆଉ ସମୟ ଅତିବାହିତ ନ କରି ସେ ଛୁଟି ଯାଇଥିଲା ମଧୁଦୈତ୍ୟପାଖକୁ । ମହାପ୍ରତାପୀ ସ୍ୱୟଂ ରାବଣ ତା ଦ୍ୱାରରେ ଉପସ୍ଥିତ ଏ ସମ୍ୱାଦ ପାଇବା ମାତ୍ରେ ସୁବର୍ଣ୍ଣ ପାତ୍ରରେ ଦୂର୍ବା ଅକ୍ଷତ ଧରି ସମ୍ମୁଖରେ ଉପସ୍ଥିତ ହୋଇଥିଲା ନିଜେ କୁମ୍ଭୀନସୀ । ରାବଣକୁ ଅନୁନୟ କରି କହିଥିଲା, ଯାହା ତ ଘଟିବାର ଘଟି ଯାଇଛି, ସେଥିପାଇଁ ଯଦି କିଛି ଶାସ୍ତି ଦିଅନ୍ତି ତେବେ ସେ ଶାସ୍ତି ସେ ଭୋଗ କରିବାକୁ ପ୍ରସ୍ତୁତ । ତାର ସ୍ୱାମୀ ମଧୁ ଯେପରି ତାର କୋପାନଳରେ ସମିଧ ନ ହେଉ । ହେଲେ ଚିରଦିନ ସେ ଭୋଗ କରିବ ବୈଧବ୍ୟ ଯନ୍ତ୍ରଣା ।

 

ବୈଧବ୍ୟ ଯନ୍ତ୍ରଣା । କିଛି ପରିମାଣରେ ତାର ମନ ଦବିଗଲା । ନ ଜାଣିବା ପଣରେ ସେ ଏହି କେତେଦିନ ତଳେ ବଧ କରିଛି ନିଜର ଭଗ୍ନି ସୂର୍ପଣଖାର ସ୍ୱାମୀକୁ । ସେଥିପାଇଁ ସେ ମର୍ମାହତ-। କାମରୂପୀ ଭଗ୍ନି ସୂର୍ପଣଖାକୁ ସେ ସାନ୍ତ୍ୱନା ଦେଇ ଖରକୁ ତାର ଅଙ୍ଗରକ୍ଷୀଭାବେ ଦଣ୍ଡକାରଣ୍ୟରେ ବସବାସ କରିବାକୁ ପଠାଇଛି । ପୁଣି ଯଦି ଏଠାରେ ସେହିଭଳି ଭୁଲ୍‍ ସେ କରେ-? ନିଜର କ୍ରୋଧକୁ କିଛି ପରିମାଣରେ ଶାନ୍ତକରି ମଧୁକୁ ଡାକିଦେବାକୁ ସେ କହିଥିଲା । ଆଜି ସେହି ମଧୁ ତାର ସୈନ୍ୟ ଧରି ତା ସହିତ ଆସିଛି ତାକୁ ସ୍ୱର୍ଗ ଜୟରେ ସାହାଯ୍ୟ କରିବା ପାଇଁ-। ଜଣାପଡ଼ିବ ଯୁଦ୍ଧରେ ମଧୁର ବଳବୀର୍ଯ୍ୟ । ଯଦି ସେହିଭଳି ବୀର୍ଯ୍ୟବାନ ପୁରୁଷ ମଧୁ ହୋଇଥାଏ, ତେବେ ସେ ଆଶ୍ୱସ୍ତ ହେବ ଯେଉଁଭାବେ ହେଉନା କାହିଁକି ଉପଯୁକ୍ତ ଭିଣୋଇ ସେ ପାଇପାରିଛି ବୋଲି । ତା ନ ହେଲେ ଯୁଦ୍ଧରେ ହେବ ତାର ମୃତ୍ୟ—ପାଇବ ତାର ଭଗ୍ନି ତା ସ୍ୱାମୀର ହୀନବଳର ପରିଚୟ ।

 

x x x ହଠାତ୍ କାହାର ନୂପୁର ନିକ୍ୱଣରେ ତାର ମନ ସମସ୍ତ ଭାବନାଠାରୁ ଦୂରେଇ ଆସି ଲକ୍ଷକଲା ସେହି ଦିଗକୁ, ଯେଉଁ ଦିଗରୁ କି କେଉଁଅଜଣା ନାରୀର ନୂପୁର ଧ୍ୱନି ଅଷ୍ପଷ୍ଟରୁ ସ୍ପଷ୍ଟ ହୋଇ ଉଠୁଥିଲା । ଦୂରରେ—ଟିକିଏ ଦୂରରେ କିଏ ଜଣେ ତାହାରି ଆଡ଼କୁ ଆସୁଛନ୍ତି । କିଏ—କିଏ ହୋଇପାରେ ?

 

ଶୁଭ୍ର ବିମଳ ଚନ୍ଦ୍ରାଲୋକ—ଶୁଭ୍ର କହଳାସ ଓ ତାର ଆଖପାଖ ଅଞ୍ଚଳ ଆଉ ଶୁଭ୍ର ସେହି ରହସ୍ୟମୟୀ ।

 

ସେ ପର୍ଯ୍ୟନ୍ତ ସେ ମଦ୍ୟପାଦ କରିନାହିଁ । କିନ୍ତୁ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟର ମାଦକତା ତାକୁ ବିଭୋର କରି ପକାଉଛି । ସେ କହିପାରିବ ନାହିଁ ଆର୍ଯ୍ୟଋଷି ଯେତେବେଳେ ବେଦ ରଚନା କରୁଥିଲେ ସେତେବେଳେ ସେମାନେ ସୋମପାନ କରି ବିଭୋର ହୋଇ ପଡ଼ିଥିଲେ ନା ପ୍ରକୃତିର ଅପୂର୍ବ ଶୋଭା ସମ୍ଭାର ତାଙ୍କୁ ବିଭୋର କରି ପକାଇଥିଲା ?

 

ସେ ବେଦ ଉତ୍ତମରୂପେ ପାଠ କରିଛି । ବେଦରୁ, ପୁଣି ଆଦିବେଦ ଋଗ୍ ବେଦରୁ ସେ ଦେଖିଛି ଆର୍ଯ୍ୟଋଷି ବିଭୋର ହୋଇ ଗାଇଛନ୍ତି–

 

ଅଗ୍ନିନ୍ଦ୍ରେଣ ବରୁଣେନ ବିଷ୍ଣୁନାଦିତ୍ୟୈ ଋଦ୍ରୈର୍ବସୁଭିଃ ସଋଭୁବା

ସ ଯୋଗସା ଉଷସା ସୂର୍ଯ୍ୟେଣ ଚ ସୋମଂ ପିଚତମଶ୍ୱିନା ।

 

ଋଗ୍ ୮।୩୧।୧

 

ହେ ଅଗ୍ନିଦୟ ! ତୁମେ ଅଗ୍ନି, ଇନ୍ଦ୍ର ବରୁଣ, ବିଷ୍ଣୁ, ଆଦିତ୍ୟଗଣ ରୁଦ୍ର ଗଣ ଓ ବସୁଗଣ ସହିତ ଏକତ୍ର ହୋଇ ଏବଂ ଉଷା ଓ ସୂର୍ଯ୍ୟଙ୍କ ସହ ମିଶି ସୋମପାନ କର ।

 

ରାବଣ ଲକ୍ଷକଲା ଆକାଶରେ ଉଦିତ ସୋମଙ୍କୁ । ସତେ କି ସୁନ୍ଦର ଦିଶୁଛି ହିମାଳୟ ଉପରେ ଏ ଚନ୍ଦ୍ର–ଆର୍ଯ୍ୟଋଷିଙ୍କି ସୋମର ଜୀବନ୍ତ ପ୍ରକାଶ ।

 

ସେ ଚକ୍ଷୁଦ୍ୱାରା ମନଭରି ସୋମପାନ କଲା । ତା’ପରେ ଲକ୍ଷ୍ୟକଲା ସେହିଶୁଭ୍ର ବସ୍ତ୍ରାବୃତା ନାରୀକୁ । ଏ ମଧ୍ୟରେ ସେହି ନାରୀ ଆହୁରି କିଛି ବାଟ ଆଗେଇ ଆସିଲାଣି । ତାର ଦୃଷ୍ଟିଶକ୍ତିରେ ସେହି ନାରୀ ଅସ୍ପଷ୍ଟରୁ ସ୍ପଷ୍ଟ ହୋଇ ଉଠିଲାଣି ମଧ୍ୟ । ସମ୍ଭବତଃ ସେ ସର୍ବାଙ୍ଗରେ ଶୀତଚନ୍ଦନ ମାଖୀ ଦେଇଛି । ସୋମର ଶୁଭ୍ରାଲୋକରେ ସେ ବେଶ୍ ଦେଖି ପାରୁଛି ତା ଚକ୍ଷୁର ନୀଳିମା । ଓଃ କି ଅପୂର୍ବ ସୌନ୍ଦର୍ଯ୍ୟରେ ଗଢ଼ି ତୋଳିଛି ତାକୁ ବିଧାତା ।

 

ମସ୍ତକର କୃଷ୍ଣ କେଶ ଏକତ୍ର ବେଶୀ ଭାବେ ଆଜାନୁଲମ୍ବିତ । କଣ୍ଠରେ, ଭୁଜରେ ନାନା ରଙ୍ଗରେ ସୁବାସିତ କୁସୁମର ମାଳ । ପୃଥୁଳ ବକ୍ଷୋଜ ଦୁଇଟିର ଶୋଭା ଅତୁଳନୀୟ । ସେହିଭଳ ମଧ୍ୟ ତାର ପୀନଜଘନ ।

 

ଦେଖୁ ଦେଖୁ ସେହି ନାରୀ ରାବଣର ନିକଟବର୍ତ୍ତୀ ହୋଇଗଲା । ଆଉ ଟିକିଏ ଅପେକ୍ଷା କଲେ ହୁଏତ ସେ ତାକୁ ଅତିକ୍ରମ କରି ଚାଲିଯାଇପାରେ । ନା, ସେ ତାକୁ ସେହିଭଳି ଚାଲିଯିବାକୁ ଦେବ ନାହିଁ । ଦେଲେ ତାର ପୁରୁଷତ୍ୱର ଅମର୍ଯ୍ୟାଦା ହେବ । ହୁଏତ ବିଧାତା ତାକୁ ସୁସଜ୍ଜିତ କରି ତାହାରି ଉଦ୍ଦେଶ୍ୟରେ ପ୍ରେରଣ କରିଛି । ତାକୁ ନିର୍ଦ୍ୱନ୍ଦରେ ଚାଲିବାକୁ ଦେବା ଅର୍ଥ ବିଧାତାର ଇଚ୍ଛାକୁ ପ୍ରତ୍ୟାଖ୍ୟାନ କରିବା ।

 

ହଠାତ୍ ରାବଣ ଉଠିପଡ଼ିଲା ତାର ବସିବା ସ୍ଥାନରୁ । ସେହି ଅପୂର୍ବ ସୁନ୍ଦରୀ ନାରୀର କର ଧରି ସେ କହିଉଠିଲା, ହେ ବରାରୋହ ! ତୁମେ କିଏ,–କୁଆଡ଼େ ଯାଉଛ ?

 

ରାବଣ ହଠାତ୍ ତାର କର ଧରି ପକାଇବା ଦ୍ୱାରା ସେ ଅପ୍ରତିଭ ହୋଇ ପଡ଼ିଥିଲା । ପୂର୍ବରୁ ମଧ୍ୟ ପ୍ରସ୍ତୁତ ହୋଇ ନଥିଲା ଏଭଳି ଏକ ବ୍ୟପାରର ସେ ସମ୍ମୁଖୀନ ହେବ ବୋଲି । ସେ ଲଜ୍ଜିତ ହୋଇ ମୁଖଟି ଟିକିଏ ନିମ୍ନକୁ ଆନତ କରିବା ଦ୍ୱାରା ତାର ସୌନ୍ଦର୍ଯ୍ୟ ପୂର୍ବଠାରୁ ଆହୁରି ସୁନ୍ଦର ଦିଶିଲା । ତା କେଶରେ ବାନ୍ଧିଥିବା କଳ୍ପବୃକ୍ଷ ପୁଷ୍ପର ଗନ୍ଧ ରାବଣର ନାସିକା ସ୍ପର୍ଶକରି ତାକୁ ଆହୁରି ଅଧିକ ପ୍ରେମ ବିଭୋର କରି ପକାଇଲା ।

 

ଦୂରରୁ ତାର ଯେତିକି ସୌନ୍ଦର୍ଯ୍ୟ ସେ ଦେଖିପାରିଥିଲା, ତାହାଠାରୁ ଅଧିକ ସୌନ୍ଦର୍ଯ୍ୟ ତା ନିକଟରେ, ଅତି ନିକଟରେ ସେ ଦେଖିବାକୁ ପାଇଲା । ଆଃ କି ସୁନ୍ଦର ଆୟତାକାର ଚକ୍ଷୁ ଦୁଇଟି ତା’ର । ସେହି ଚକ୍ଷୁ ଦୁଇଟି ସଲଜ୍ଜ ହୋଇ ତାର ଶୋଭା ବହୁଗୁଣ ବର୍ଦ୍ଧିତ କରୁଥାଏ । ଭ୍ରୂଲତା ଦୁଇଟି ସୁନ୍ଦର ଧନୁଭଳି ହୋଇ ବୃଦ୍ଧି କରୁଥାଏ ମୁଖଚନ୍ଦ୍ର ଶୋଭାକୁ । ତାର ଦୁଇ ହାତର ପରଶ ପତ୍ରମାନଙ୍କଠାରୁ ଅଧିକ କୋମଳ । କଟିସୂତ୍ରରେ ବିଭୂଷିତ ତାହାର ପୀନନିତମ୍ୱ ରତିର ବାସ୍ତବ ଆଶ୍ରୟସ୍ଥଳ ଭଳି ତାକୁ ବୋଧହେଲା । ବିଭିନ୍ନ ରତ୍ନର ଭୂଷଣ ସହିତ ପୁଷ୍ପ ବିଭୂଷଣ ତାକୁ ଅତି ମନୋହର କରି ତୋଳିଥିଲା । ହାତୀଶୁଣ୍ଢ ପରି ଚୀନାଂଶୁକ ତଳୁ ଦେଖାଯାଉଥିଲା ତାର ଦୁଇ ଜଙ୍ଗ । ରାବଣ ଅତିଷ୍ଠ ହୋଇ ଉଠିଲା ସେହିନାରୀର ଅପୂର୍ବ ଶୋଭା ଦର୍ଶନ କରି, ତା ଅଙ୍ଗର ସୁଗନ୍ଧ ଆଘ୍ରାଣ କରି ।

 

ପ୍ରେମିକ ତାର ପ୍ରେମିକାକୁ ପାଇଲେ ସେ ଯେଉଁଭଳି ନିର୍ଲଜ୍ଜ ହୋଇଯାଏ ରାବଣ ସେହିଭଳି ତାକୁ ଧୀର କୋମଳ କଣ୍ଠରେ କହିଲା, ହେ ସୁନ୍ଦରୀ ! ତୁମର ସୌନ୍ଦର୍ଯ୍ୟର ବିଭୋର ହୋଇ ବିଶ୍ୱର ଶ୍ରେଷ୍ଠ ବୀର ଏବେ ଶରଣାପନ୍ନ ହେଉଛି । ତୋର ଏ ସ୍ତନ ଦୁଇଟି ସୁନ୍ଦର ପୃଥୁଳ–ଆଉ ସୁବର୍ଣ୍ଣ ଘଟ ଭଳି ବର୍ତ୍ତୁଳହୋଇ ପରସ୍ପର ଘନ ସନ୍ନିବିଷ୍ଟ । ଥରେ ମୋର ଏହି ବକ୍ଷକୁ ତାହା ସ୍ପର୍ଶକରାଇ ଧନ୍ୟ କର । ଆଉ ସୁବର୍ଣ୍ଣ ଚକ୍ର ସଦୃଶ, ସ୍ୱର୍ଣ୍ଣ କଟି ମଖଳାରେ ଭୂଷିତ, ପୃଥଳ ସ୍ୱର୍ଗଦାୟ ତୋର ଏହି ଜଙ୍ଗନ ଉପରେ ଆରୋହଣ କରାଇ ଜୀବନକୁ ସାର୍ଥକ କରାଅ । ମୁଁ ତ୍ରିଭୁବନର ଶ୍ରେଷ୍ଠବୀର ଦଶାନନ ହେଲେ ମଧ୍ୟ ତୁମ ପାଖରେ ଆତ୍ମ ସମର୍ପଣ କରୁଛି । ମୋତେ ତୃପ୍ତ କରାଅ ତୁମେ ତୁମ ପ୍ରେମସୁଖ ଦାନକରି ।

 

ମୁହୂର୍ତ୍ତକ ମଧ୍ୟରେ ସେହି ନାରୀ ତାର ସମସ୍ତ ଶକ୍ତି ସଞ୍ଚୟ କରି ନିଜକୁ ରାବଣଠାରୁ ମୁକ୍ତ କରିଦେଲା । ରାବଣ ପୁନର୍ବାର ତାକୁ କବଳିତ କରୁ କରୁ ସେ ଯୁକ୍ତକର ହୋଇ କହିଲା, ହେ ବିଂଶ ବାହେ ! ଆପଣ ମୋ ଶ୍ୱଶୁର ତୁଲ୍ୟ । ଏହି ଅବସ୍ଥାରେ କେହି ଯଦି ମୋ ପ୍ରତି ଅସଦ୍ ଆଚରଣ ପ୍ରଦର୍ଶନ କରିଥାନ୍ତା, ତେବେ ସ୍ୱୟଂ ଆପଣ ନିଜର ସମସ୍ତ ଶକ୍ତି ଦ୍ୱାରା ମୋତେ ରକ୍ଷା କରିଥାନ୍ତେ । କିନ୍ତୁ ଆପଣଙ୍କ ଭଳି ମହାନବ୍ୟକ୍ତି ଏଭଳି ବାକ୍ୟ କିପରି ବ୍ୟବହାର କରୁଛନ୍ତି ?

 

କ୍ଷଣକପାଇଁ ନିଜକୁ ସଂଯତ କରିନେଇ ରାବଣ ପଚାରିଲା, ତୁମେ ମୋର ପୁତ୍ରବଧୁ ? ଏହା କିପରି ସମ୍ଭବ ?

 

ହଁ ପିତା, ମୁଁ ମିଥ୍ୟା କହିନାହିଁ । ମୁଁ ଧର୍ମତଃ ଆପଣଙ୍କର ପୁତ୍ରବଧୂ ।ଆପଣ ଜାଣିଥିବେ ଆପଣଙ୍କ ଭ୍ରାତା କୁବେରଙ୍କର ନନ୍ଦ କୁବେର ନାମରେ ଅତି ପ୍ରିୟତମ ପୁତ୍ର ଅଛନ୍ତି । ତାଙ୍କରି ସଙ୍କେତରେ ମୁଁ ରମ୍ଭା ଯାଉଛି ତାଙ୍କରି ସେବାପାଇଁ ।

 

ନାରୀ ଶ୍ରେଷ୍ଠା ରମ୍ଭାର ବାକ୍ୟ ଶ୍ରବଣ କରି ରାବଣର କଣ୍ଠ ନମ୍ର ହୋଇଗଲା । ସେ ତାକୁ କୋମଳସ୍ୱରରେ କହିଲା, ହେ ବିଶ୍ୱପୁରୁଷଙ୍କର ଚିର ଆକାଂକ୍ଷିତ ଶ୍ରେଷ୍ଠ ନାରୀ ରମ୍ଭା ! ତୁମେ ଯାହା କହିଲ ତାହା ସତ୍ୟ ନୁହେଁ । ଯେଉଁ ସ୍ତ୍ରୀଲୋକମାନେ ଏକ ପତିବ୍ରତା ତାଙ୍କରିପାଇଁ ତୁମ କଥା ଯଥାର୍ଥ ପ୍ରଯୁଜ୍ୟ। ମାତ୍ର ତୁମଠାରେ ତାହା କିପରି ପ୍ରଯୁଜ୍ୟ ହେବ ? ଅପ୍ସରାମାନେ କଣ ଏକ ପତିବ୍ରତ ପାଳନ କରନ୍ତି ?

 

ରାବଣକୁ ଯଥାର୍ଥ ଉତ୍ତର ଦେବାକୁ ରମ୍ଭା ଚେଷ୍ଟା କରୁ କରୁ ସେ ପୁନର୍ବାର ରାବଣର ବାହୁ ଯୁଗଳରେ ବନ୍ଦି ହୋଇଗଲା । ଏହି ଅବସ୍ଥାରେ ଥର ଥର ହୋଇଥରିବାକୁ ଲାଗିଲା ତାର ସର୍ବାଙ୍ଗ ଶରୀର । ବର୍ତ୍ତମାନ ସେ ଉପାୟହୀନା । ପୁରୁଷର ସବଳ ଆକର୍ଷଣରୁ ନାରୀ କଣ ନିଜକୁ ରକ୍ଷା କରିପାରେ ? ବ୍ୟାକୁଳିତ ମନ ଧାଇଁ ଚାଲିଲା ତାର ସେହି ମନର ମଣିଷ ନନ୍ଦକୁବେରଙ୍କ ପାଖକୁ । ସେ ବ୍ୟକ୍ତକଲା ନିଜର ଅସହାୟତା ।

 

ଏ ମଧ୍ୟରେ ରାବଣ ଦ୍ୱାରା ଧର୍ଷିତା ହୋଇ କେତେବେଳେ ଏକ ଚିକ୍କଣ ପ୍ରସ୍ତର ଖଣ୍ଡ ଉପରେ ପଡ଼ି ରହିଛି ତାହାର ସେ ଜ୍ଞାନ ନାହିଁ । ତାର ମନ ଧ୍ୟାନ ସବୁ ସେହି ସୁପୁରୁଷ ନନ୍ଦକୁବେରଙ୍କ ପାଖରେ ଥିଲାବେଳେ କେତେବେଳେ ତାର ପାର୍ଥିବ ଦେହକୁ ରାକ୍ଷସ ରାବଣ ଉପଭୋଗ କରିଛି, ସେ ତା ଜାଣିବ କିପରି ? ଏମନ ଏ ପ୍ରାଣ ସିନା ସେ ନନ୍ଦକୁବେରଙ୍କୁ ସମର୍ପଣ କରିଛି, ମାତ୍ର କେହି ଜୋରକରି ଯଦି ଏ ଦେହକୁ ଆୟତ କରେ ତେବେ ତାର ଚାରା କଣ ? ନାରୀର କଣ ଏତେ ଶକ୍ତି ଅଛି ପୁରୁଷର ସମସ୍ତ ଶକ୍ତିକୁ ବ୍ୟର୍ଥକରି ତା ଦେହକୁ ରକ୍ଷା କରି ପାରିବ-?

 

ଧର୍ମାତ୍ମା ନନ୍ଦକୁବେର ଅବିଳମ୍ୱେ ଜାଣିପାରିଲେ ରୂପସୀ ରମ୍ଭାର ଆକୁଳ ମିନତି । ସେ ତଦ୍ଦଣ୍ଡେ ଗର୍ଜିଉଠି ହାତରେ କମଣ୍ଡଳୁ ବାରି ଧାରଣ ପୂର୍ବକ କହି ଉଠିଲେ, ରେ ଦୂରାତ୍ମା ରାବଣ ! କୌଣସି ସ୍ତ୍ରୀର ଇଚ୍ଛା ବିରୁଦ୍ଧରେ ଯଦି ବଳ ପ୍ରୟୋଗ କରି ତୁ ତାକୁ ସମ୍ଭୋଗ କରୁ ତାହାହେଲେ ତୋର ମୂର୍ଦ୍ଧନାପାତ ହେବ ।

 

ଡାକବାଜି ଯନ୍ତ୍ରରେ କହିଲାଭଳି ରାବଣର କର୍ଣ୍ଣକୁ ନନ୍ଦକୁବେରଙ୍କ ଅଭିଶାପ ବାଣୀ ଶ୍ରୁତି ଗୋଚର ହେଲା । ସେହି ଅଭିଶାପରେ ତାର ଉଜ୍ୱଳତା ବହୁଗୁଣରେ କମିଗଲା । ସେତେବେଳକୁ ତା ଦ୍ୱାରା ଧର୍ଷିତା ରମ୍ଭା ସେଠାରୁ ନିଷ୍କ୍ରାନ୍ତ ହୋଇ ସାରିଥିଲା ।

Image